୪ ଡିସେମ୍ବରରେ ଆୟୋଜିତ ହେବ କଟକ ହାଫ୍‌ ମାରାଥନ୍‌ -୨୦୨୨

କଟକ: କଟକ ହାଫ୍‌ ମାରାଥନ୍‌ (ସିଏଚଏମ) ୨୦୨୨ ଆସନ୍ତା ଡିସେମ୍ବର ମାସ ୪ ତାରଖରେ ନରାଜ ବ୍ୟାରେଜ୍‌ ନିକଟରେ ଅନୁଷ୍ଠିତ ହେବ। ଏକ ସକ୍ରିୟ କ୍ରୀଡା ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ‘ଦ ତମଶା ପ୍ରୋଜେକ୍ଟ’ ଏବଂ ‘କଟକ ରନର୍ସ’ର ମିଳିତ ପ୍ରଚେଷ୍ଟାରେ ସିଏଚଏମର ପରିକଳ୍ପନା ଓ ଆୟୋଜନ କରାଯାଉଛି।

କଟକରେ ଆୟୋଜିତ ହେବାକୁ ଏହି ହାଫ୍‌ ମାରାଥନରେ ପ୍ରଥମ ଥର ପାଇଁ ଅଂଶଗ୍ରହଣକାରୀଙ୍କ ସମୟ ଉପରେ ନଜର ରଖିବା ପାଇଁ ଆରଏଫଆଇଡି ଟେକ୍ନୋଲୋଜି ବ୍ୟବହାର କରାଯିବ। ପୂର୍ବରୁ କଟକରେ କେବେ ବି କୌଣସି ସଂଗଠିତ ଦୌଡ଼ରେ ଏପରି ବ୍ୟବସ୍ଥା ହୋଇନାହିଁ । ‘ତମଶା ପ୍ରୋଜେକ୍ଟ’ ଏବଂ ‘କଟକ ରନର୍ସ’ ଦୌଡ଼କୁ ଏକ ଖେଳ ଭାବେ ଲୋକମାନଙ୍କ ମଧ୍ୟରେ ଅଧିକ ଆଦୃତ କରାଇବା ଲକ୍ଷ୍ୟରେ ଏପରି ପରିକଳ୍ପନା କରିଛନ୍ତି।

ସିଏଚଏମର ଦୃଷ୍ଟିକୋଣ ହେଉଛି  ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଫିଟନେସ୍‌ ଦିଗରେ ସବୁଠାରୁ ଭଲ ପଦକ୍ଷେପ ଭାବରେ ଦୌଡକୁ ପ୍ରୋତ୍ସାହିତ କରିବା। ସିଏଚଏମର ଏହି ଉଦ୍ୟମ ସମାଜକୁ ଭିନ୍ନ ଉପାୟରେ ଯଥେଷ୍ଟ ପ୍ରଭାବିତ କରିବାର କ୍ଷମତା ରଖିଛି; ଯେପରିକି ଅନ୍ୟ ମହାନ କ୍ରୀଡା ଇଭେଣ୍ଟଗୁଡିକର ରହିଥାଏ।

ଏହି ହାଫ୍ ମରାଥନରେ ବିଭିନ୍ନ ବୟସର ପ୍ରତିଯୋଗୀଙ୍କୁ ନେଇ ସ୍ବତନ୍ତ୍ର ବିଭାଗ କରାଯାଇଛି।  ୧୮ ବର୍ଷରୁ ଊର୍ଦ୍ଧ୍ବ  ବୟସ୍କ ହାଫ୍ ମାରାଥନର ୨୧.୧ କିଲୋମିଟର ବର୍ଗରେ ଅଂଶଗ୍ରହଣ କରିପାରିବେ।  ସେହିପରି ୧୬ ବର୍ଷ କିଂବା ତଦୁର୍ଦ୍ଧ୍ବ ବୟସର ପ୍ରତିଯୋଗୀ ୧୦ କିମି ବର୍ଗରେ ଦୌଡ଼ିପାରିବେ। ହା୍ଫ୍ ମାରାଥନର ୫ କିମି ବର୍ଗ ବିଭାଗରେ ଯେକୌଣସି ବୟସର ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ।  ତେବେ ପ୍ରତିଯୋଗିତାରେ ଭାଗ ନ ନେଇ ମଧ୍ୟ କେବଳ ମଜାମଉଜ ଲାଗି  ଦୌଡ଼ି ହେବ। ଏଥିଲାଗି ସ୍ବତନ୍ତ୍ର ଭାବେ ୧.୫ କିମି ଓ ୨.୩ କିମି ଦୂରତାର ବିଭାଗ ସୃଷ୍ଟି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ସ୍ଥିରୀକୃତ ହୋଇଥିବା ଦେୟ ପୈଠ କରି ପଞ୍ଜୀକରଣ କରିବାକୁ ହେବ।  ହାଫ୍ ମାରାଥନର ୨୧.୧କିମି ବର୍ଗଲାଗି ପଞ୍ଜୀକରଣ ଦେୟ ୧୦୦୦ ଟଙ୍କା ରହିଥିବା ବେଳେ ଯେଉଁମାନେ ଘୋଷଣା ହୋଇଥିବା ସମୟସୀମା ପୂର୍ବରୁ ପଞ୍ଜୀକରଣ କରିବେ ସେମାନଙ୍କୁ  ୧୫୦ଟଙ୍କାର ରିହାତି ମିଳିବ। ଅର୍ଥାତ୍ ସେମାନେ ୮୫୦ଟଙ୍କା ଦେଇ ପଞ୍ଜୀକରଣ କରିପା‌ରିବେ। ସେହିପରି ୧୦ କିମି ବର୍ଗ ଦୌଡ଼ ଲାଗି ସାଧାରଣ ପଞ୍ଜୀକରଣ ଦେୟ ୮୫୦ ଟଙ୍କା ଥିବା ବେଳେ ସହଳ ପଞ୍ଜୀକରଣ କରୁଥିବା ବ୍ୟକ୍ତିଙ୍କୁ ୭୫୦ଟଙ୍କା ଦେବାକୁ ପଡ଼ିବ।  ୫ କିମି ବର୍ଗ ଲାଗି ପଞ୍ଜୀକରଣ ଦେୟ ୬୦୦ ଟଙ୍କା ରହିଛି। ମଜାମଉଜ ଲାଗି ଦୌଡ଼ିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପଞ୍ଜୀକରଣ ବାବତକୁ ୫୦୦ ଟଙ୍କା ଦେବାକୁ ପଡ଼ିବ ଓ ସହଳ ପଞ୍ଜୀକରଣ କ୍ଷେତ୍ରରେ ୧୦୦ଟଙ୍କା ରିହାତିର ବ୍ୟବସ୍ଥା ଅଛି।

ହାଫ୍ ମାରାଥନରେ ବିଭିନ୍ନ ବର୍ଗରେ ଆକର୍ଷଣୀୟ ନଗଦ ପୁରସ୍କାର ମଧ୍ୟ ରହିଛି। ୨୧.୧ କିମି ବିଭାଗରେ ବିଜୟୀ ପ୍ରତିଯୋଗୀଙ୍କୁ ( ଉଭୟ ପୁରୁଷ ଓ ମହିଳା) ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଲାଗି ଯଥାକ୍ରମେ ୧୦ ହଜାର, ୭ ହଜାର ଓ ୫ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ୧୦ କିମି ବର୍ଗ ଲାଗି ପୁରସ୍କାର ରାଶି ୭ ହଜାର, ୫ ହଜାର ଓ ୩ ହଜାର ଟଙ୍କା ରହିଛି। ୫ କିମି ବର୍ଗ ଲାଗି ପୁରସ୍କାର ରାଶି ଯଥାକ୍ରମେ ୫ ହଜାର, ୩ ହଜାର ଓ ୨ ହଜାର ଟଙ୍କା ରହିଛି।

ଏହି ହାଫ୍‌ ମାରାଥନରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକମାନେ ଏହି ଲିଙ୍କରେ କ୍ଲିକ କରି  cuttackhalfmarathon2022.iq301.com ସମସ୍ତ ତଥ୍ୟ ପ‌ାଇପାରିବେ। ଏଥିସହ ରେସ୍‌ ନିର୍ଦ୍ଦେଶକ କ୍ୟାପଟେନ୍‌ ଅବିନାଶ ଚିମାଙ୍କା (ଅବସରପ୍ରାପ୍ତ)ଙ୍କୁ ମଧ୍ୟ ଯୋଗାଯୋଗ କରିପାରିବେ। ପ୍ରାୟୋଜନ ଓ ଅନ୍ୟ ଅନୁସନ୍ଧାନ ଲାଗି  [email protected] ଓ  ରେସ ସଂପର୍କିତ ବିବରଣୀ ଲାଗି [email protected] କୁ ମେଲ୍ କରିପାରି‌ବେ।

ସମ୍ବନ୍ଧିତ ଖବର