କଟକ ବଡ଼ ଡାକ୍ତରଖାନାରେ କରୋନା ମୁକାବିଲା ପ୍ରସ୍ତୁତି: ୫ଶହ ଶଯ୍ୟା ଓ ୧୦୦ ଆଇସିୟୁ ପାଇଁ ପ୍ରସ୍ତାବ

ଏବେ ବି ଚକ୍ଷୁ ବିଭାଗ ଓପିଡିରେ ସ୍ବତନ୍ତ୍ର କରୋନା ୱାର୍ଡ

କଟକ: କଟକ ବଡ ଡାକ୍ତରଖାନାରେ ଖୋଲିବ ୫ଶହ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କରୋନା ୱାର୍ଡ। ସେଥିରେ ରହିବ ଶହେଟି ଆଇସିୟୁ ବେଡ୍। କରୋନା ସ୍ଥିତି ସମୀକ୍ଷା ଓ ତାର ମୁକାବିଲା ପାଇଁ କଟକ ବଡ଼ ଡାକ୍ତରଖାନାରେ ବିଭାଗୀୟ ମୁଖ୍ୟମାନଙ୍କର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କରୋନାର ମୁକାବିଲା ପାଇଁ ଏସ୍‌ସିବିରେ ତୁରନ୍ତ ପ୍ରଥମ ପର୍ଯ୍ୟାୟରେ ୫୦୦ ଶଯ୍ୟାର ସାଧାରଣ କରୋନା ୱାର୍ଡ‌୍ ଓ ୧୦୦ଶଯ୍ୟାର ଆଇସିୟୁ ୱାର୍ଡ‌୍ ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ଅନୁମୋଦନ ପରେ ଏ ଦିଗରେ ପଦକ୍ଷେପ ନିଆଯିବ। କିନ୍ତୁ ବର୍ତ୍ତମାନ ଚକ୍ଷୁ ବିଭାଗର ଯେଉଁ କୋଠାରେ ସ୍ବତନ୍ତ୍ର କରୋନା ୱାର୍ଡ ରହିଛି, ସେଠାରେ ଆଉ ଅଧିକ ଦେଢ ଶହ ବେଡ୍ ପକାଇବା ଦିଗରେ ପଦକ୍ଷେପ ନିଆଯାଇଛି। ପୂର୍ବରୁ ଏଠାରେ ୫୪ଟି ବେଡ୍ ଓ ୮ଟି ବେଡ୍‌ର ଆଇସିୟୁ ବ୍ୟବସ୍ଥା ରହିଛି। ଯେଉଁ କୋଠାରେ ଚକ୍ଷୁ ବିଭାଗର ଓପିଡି ଚାଲିଛି, ସେଠାରେ ତଳ ମହଲାରେ ଓପିଡି ଚାଲିବ, କିନ୍ତୁ ଉପର ମହଲା ଖାଲି କରାଯାଇ କରୋନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସରକାରଙ୍କ ଅନୁମୋଦନ ପରେ ପଲମ୍ୟୁନାରି ମେଡିସିନ ବିଭାଗର ନୂଆ କୋଠାରେ ସ୍ବତନ୍ତ୍ର କରୋନା ୱାର୍ଡ ଓ ଆଇସିୟୁ ଖୋଲିବା ପାଇଁ ପଦକ୍ଷେପ ନିଆଯିବ। ଅନ୍ୟପଟେ ଚିକିତ୍ସା ପାଇଁ ଆବଶ୍ୟକ ଔଷଧ, ଉପକରଣ ଓ ସ୍ବାସ୍ଥ୍ୟ କର୍ମଚାରୀ ପ୍ରସ୍ତୁତ ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକରେ ବିଭାଗୀୟ ମୁଖ୍ୟମାନେ କରୋନାର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ରାଜ୍ୟର ସର୍ବବୃହତ ରେଫେରାଲ୍ ହସ୍‌ପିଟାଲ୍‌ ହୋଇଥିବାରୁ ଏଠାକୁ ସର୍ବାଧିକ ରୋଗୀ ଆସିବେ ବୋଲି କହିଥିଲେ। ସମ୍ଭାବ୍ୟ ସମସ୍ୟାର ମୁକାବିଲା ପାଇଁ ବିଭାଗୀୟ ମୁଖ୍ୟମାନେ ପ୍ରସ୍ତାବମାନ ଦେଇଥିଲେ। ଏଯାବତ୍‌ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣ‌ରେ ଥିଲେ ବି ସମ୍ଭାବ୍ୟ ସ୍ଥିତିର ପ୍ରସ୍ତୁତି ପାଇଁ ଅଧିକ ଶଯ୍ୟାର ସ୍ବତନ୍ତ୍ର ୱାର୍ଡ ଖୋଲିବାକୁ ବିଭାଗୀୟ ମୁଖ୍ୟମା‌ନେ ପରାମର୍ଶ ଦେଇଥିଲେ। ସେହିଭଳି କରୋନା ପରୀକ୍ଷା ପାଇଁ ଆବଶ୍ୟକ କିଟ୍ ଯୋଗାଣ ପାଇଁ ବିଧିବଦ୍ଧ ଭାବେ ଆର ଏମ ଆରସିକୁ ଲେଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏସସିବିରେ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୨ ଜଣଙ୍କର ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ତାହା ନେଗେଟିଭ୍ ଆସିଥିବା ସୂଚନା ମିଳିଛି। କିନ୍ତୁ ବାହାର ରାଜ୍ୟରୁ ଆସିଥିବା ପ୍ରାୟ ୨ଶହ ବ୍ୟକ୍ତି ଥଣ୍ଡା, କାସ, କଫରେ ଆକ୍ରାନ୍ତ ହୋଇ ଆଜି ଏସସିବି କରୋନା ସ୍ବତନ୍ତ୍ର ଓପିଡିକୁ ପରୀକ୍ଷା ପାଇଁ ଆସିଥିଲେ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କଟକ ବଡ ଡାକ୍ତରଖାନାର ଯେଉଁଠି ସ୍ବତନ୍ତ୍ର କରୋନା ୱାର୍ଡ ରହିଛି, ସେହି କୋଠାରେ ଚକ୍ଷୁ ଓ ମେଡିସିନ ବିଭାଗ ଓପିଡି ରହିବା ସହିତ ଚକ୍ଷୁ ବିଭାଗର ଓଟି ବି ରହିଛି। କରୋନା ୱାର୍ଡ ସହିତ ସ୍ବାଇନ୍ ଫ୍ଲୁ ୱାର୍ଡ ବି ରହିଛି। ଏଭଳି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ବି ଏ ଦିଗରେ ଏଯାଏ କୌଣସି ଠୋସ୍ ନିଷ୍ପତ୍ତି ନିଆଯାଇ ପାରି ନାହିଁ।

ସମ୍ବନ୍ଧିତ ଖବର