ଭୁବନେଶ୍ବର: ଦିନକୁ ଦିନ କାୟାବିସ୍ତାର କରୁଛି ରାଜଧାନୀ। ସହର କଳେବର ସହ ଗାଡ଼ି ସଂଖ୍ୟା‌ ବଢ଼ିବଢ଼ି ଚାଲିଛି। ପ୍ରତିଦିନ କେଉଁଠି ନା କେଉଁଠି ଟ୍ରାଫିକ ବିଶୃଙ୍ଖଳା କେବଳ ସହରବାସୀଙ୍କୁ ନୁ‌ହେଁ ବରଂ ପୁଲିସ୍‌କୁ ମଧ୍ୟ ନାକେଦମ୍‌ କରୁଛି। ଏହାର ଏକ ପ୍ରମୁଖ ଉଦାହରଣ ହେଉଛି କଟକ-ପୁରୀ ବାଇପାସ୍‌।  ଏହି ରାସ୍ତାକୁ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଭୁଲି ଯାଇଥିବା ଅନୁ‌ମେୟ ହେଉଛି। ରାଜଧାନୀ ଉପକଣ୍ଠ ଦେଇ ଯାଇଥିବା ମାତ୍ର ୧୨ କିଲୋମିଟରର ଏହି ରାସ୍ତା ସମସ୍ତଙ୍କର ମୁଣ୍ଡବ୍ୟଥା ସାଜିଛି। ରାସ୍ତାକଡ଼ରେ ଗଢ଼ି ଉଠିଥିବା ଗଣ୍ଡା ଗଣ୍ଡା କ୍ୟାଫେ ଓ ମାଳମାଳ ବିବାହ ମଣ୍ଡପ ସହ ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ପୂରା ସହରର ଗ୍ରାହକଙ୍କୁ ଏଠାରେ ଏକାଠି କରୁଛି। କିନ୍ତୁ ଟ୍ରାଫିକ୍‌କୁ ଶୃଙ୍ଖଳିତ ପରିଚାଳନା ବ୍ୟବସ୍ଥା ନଥିବାରୁ ଶହଶହ ଗାଡ଼ି ଫସି ରହୁଛି। ଦୁର୍ଘଟଣା ମୁଣ୍ଡ ମଧ୍ୟ ନେଉଛି। ଏହି ରାସ୍ତାରେ ଥିବା ୪ଟି ଟ୍ରାଫିକ୍‌ ଛକରୁ ଦୁଇଟି ଖାଲି ପଡ଼ିଥିବା ବେଳେ ବାକି ଦୁଇଟିରେ ୧୦ ଜଣ କର୍ମଚାରୀ ଟ୍ରାଫିକ୍‌ ପରିଚାଳନା କରୁଛନ୍ତି। ଯାହା ଫଳରେ ସବୁଦିନ ଏଠାରେ ଅଭାବନୀୟ ସ୍ଥିତି ଉପୁଜୁଛି। ଅନେକ ସମୟରେ ସ୍ଥାନୀୟ ଲୋକମାନେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଏହାକୁ ନେଇ ପାଣ୍ଡରା ଗାଁ ଲୋକ ବାରମ୍ବାର ପୁଲିସ ଓ ଟ୍ରାଫିକ ବିଭାଗକୁ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି। ତେଣୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି।

Advertisment

ଦୁଇ ଛକରେ ପୁଲିସ ନାହାନ୍ତି, ୫ କାଫେ, ୨୫ ମଣ୍ଡପ, ସବୁଦିନ ଅଭାବନୀୟ ସ୍ଥିତି

ଲିଙ୍ଗିପୁରରୁ ହାଇଟେକ୍‌ ଛକ ପର୍ଯ୍ୟନ୍ତ ଏହି ବାଇପାସ୍‌ ରାସ୍ତାରେ ସାଇମନ୍ଦିର, କେଶୁରା ଓ ପାଣ୍ଡରା ଛକ ରହିଛି। ଏହି ଛକଦେଇ ବାଲିପାଟଣା, ହଂସପାଳ, ବାଲିଅନ୍ତା, କେଶୁରା, କୋରଡ଼କଣ୍ଟା ଆଦିର ଲୋକମାନେ ଭୁବନେଶ୍ବରକୁ ଆସୁଛନ୍ତି। ହଜାର ହଜାର ଲୋକଙ୍କର ରାଜଧାନୀକୁ ଏହା ହେଉଛି ପ୍ରବେଶପଥ। କଟକରୁ ପୁରୀ ଯିବା ପାଇଁ ଭୁବନେଶ୍ବରର ଭିଡ଼କୁ ଏଡ଼ାଇ ଶହ ଶହ ଲୋକ ଏହି ରାସ୍ତାକୁ ବ୍ୟବହାର କରନ୍ତି। ବହୁମାତ୍ରାରେ ଗାଡ଼ି ଯିବାଆସିବା କରୁଥିଲେ ମଧ୍ୟ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ। ସାଇମନ୍ଦିର ଓ ଲିଙ୍ଗିପୁର ଛକରେ ପୁଲିସ ରହୁଥିବା ବେଳେ ପାଣ୍ଡରା ଓ କେଶୁରା ଛକରେ ଟ୍ରାଫିକ ପୁଲିସ ରହୁନାହିଁ। ଫଳରେ ଯିଏ ଯୁଆଡ଼େ ପାରିଲା, ଯେତେ ବେଗରେ ହେଉ ଗାଡ଼ି ପୂରାଇ ଦେଉଛି। ଯାହାଫଳରେ ଭୟଙ୍କର ସ୍ଥିତି ଉପୁଜୁଛି। ଏହି ରାସ୍ତା କଡ଼ରେ ଏବେ ୫ରୁ ଅଧିକ କାଫେ ରହିଛି। ଉପକଣ୍ଠରେ ଥିବାରୁ ଗହଳି କମ୍‌ ଥିବ ଭାବି ସହରରୁ ଶହଶହ ଯୁବପିଢ଼ି ଏଠାକୁ ଆସୁଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପ୍ରବଳ ଗହଳି ହେଉଛି। ରାସ୍ତାର ଉଭୟପାର୍ଶ୍ବରେ ୨୫ରୁ ଅଧିକ ବିବାହ ମଣ୍ଡପ ରହିଛି। ବିବାହ ଋତୁରେ ବରଯାତ୍ରୀ ଓ ବଡ଼ବଡ଼ ଗାଡ଼ି ଏହି ରାସ୍ତାକୁ ଅବରୋଧ କରି ରଖୁଛନ୍ତି। ନିୟମିତ ରାସ୍ତା ଅବରୋଧ ଓ ଗଣ୍ଡଗୋଳ ହେବାରୁ  ବଡ଼ଗଡ଼ ଥାନା ପୁଲିସ ବାହାଘର ସିଜିନରେ ପୁଲିସ ମୁତୟନ କରୁଛି। କିନ୍ତୁ ଟ୍ରାଫିକ ନିୟନ୍ତ୍ରଣ ଚୂଲିକୁ ଯାଉଛି। 

ଏନେଇ ଟ୍ରାଫିକ ଡିସିପି ତପନ ମହାନ୍ତି କହିଛନ୍ତି ଯେ ଦିନକୁ ଦିନ ରାଜଧାନୀରେ ଗାଡ଼ି ସଂଖ୍ୟ‌ା ବୃଦ୍ଧି ପାଉଛି। ସେହି ତୁଳନାରେ ଟ୍ରାଫିକ ପୁଲିସ ନାହାନ୍ତି। ପ୍ରତି ପୋଷ୍ଟରେ ୫ ଜଣ ଲେଖାଏଁ ଟ୍ରାଫିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଟ୍ରାଫିକ ୱାଡେନ୍‌ମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏହାପରେ ମଧ୍ୟ ‌ଟ୍ରାଫିକ ନିୟନ୍ତ୍ରଣରେ ଟ୍ରା‌ଫିକ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି। ଯେଉଁ ସ୍ଥାନରେ ଟ୍ରାଫିକ ଜାମ ରହୁଛି ଆମେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଟ୍ରାଫିକ କ୍ଲିୟର କରୁଛୁ।

ଗାଡ଼ି ବ୍ରେକ୍‌ଡାଉନ୍, ସହର ଜାମ୍‌
ସହରରେ ଟ୍ରାଫିକ ସମସ୍ୟା ବଢ଼ୁଥିବାରୁ ସନ୍ଧ୍ୟାରେ ସହରକୁ ଭାରୀଯାନକୁ ଛଡ଼ା ଯାଉନାହିଁ। ପିତାପଲ୍ଲୀ ବାଇପାସରୁ ଗାଡ଼ି ଦିଗ ବଦଳାଯାଉଛି। କିନ୍ତୁ ଆଜି ସନ୍ଧ୍ୟାରେ ଏକ ହାଇୱା ଗାଡ଼ିର ବାଇପାସ ରାସ୍ତାରେ ବ୍ରେକ ଡାଉନ୍‌ ହୋଇଯିବାରୁ ରାସ୍ତା ଜାମ୍‌ ହୋଇଯାଇଥିଲା। କିଛି ସମୟ ପାଇଁ ସହର ଭିତରକୁ ଭାରୀ ଯାନ ଛଡ଼ାଯାଇଥିଲା। ପଳାସୁଣି ବ୍ରିଜ୍ ପାଖରେ ଆଉ ଏକ ଟ୍ରକ୍‌ ବ୍ରେକ୍‌ ଡାଉନ୍‌ ହେବାରୁ ଜାତୀୟ ରାଜପଥ‌ରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଅନ୍ୟ ରାସ୍ତାରେ ମଧ୍ୟ ଜାମ ହୋଇଯାଇଥିଲା। ଜୟଦେବବିହାର ପର୍ଯ୍ୟନ୍ତ ଗାଡ଼ି ଧାଡ଼ି ବାନ୍ଧିଥିଲା। ବ୍ରେକ୍‌ ଡାଉନ୍‌ ଗାଡ଼ିକୁ ଉଠାଇବାକୁ କ୍ରେନ ଯିବାକୁ ମଧ୍ୟ କାଠିକର ପାଠ ହୋଇଯାଇଥିଲା। ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ଓ ୨୫ ଜଣ ଟ୍ରାଫିକ କର୍ମଚାରୀଙ୍କ ଉଦ୍ୟମ ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। 

୩୮ଟି କାର୍‌ ଉଠାଯାଇଛି, ୯୫୮ଙ୍କୁ ଚାଲାଣ
ଆଜି ଦୋଳ ଓ ହୋଲି ପୁର୍ବରୁ ରାଜଧାନୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ତେଣୁ ଯିଏ ‌ଯେଉଁଠି ପାରିଲା ଗାଡ଼ି ରଖିଥିଲା। ଫଳରେ ଟ୍ରାଫିକ ସମସ୍ୟା‌ ଉପୁଜିଥିଲା। ଆଜି ଟ୍ରାଫିକ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୮ଟି ଗାଡ଼ି ଟୋଇଂ କରି ଉଠାଇ ନେଇଥିଲା। ଏହାସହିତ ସିସିଟିଭି କ୍ୟା‌ମେରାରୁ ଯାଞ୍ଚ କରି ୯୫୮ ଜଣଙ୍କ ପାଖକୁ ଚାଲାଣ ପଠାଯାଇଛି।