ବାଇପାସ୍‌ ଫାଙ୍କା, କଟକ ରୋଡ୍‌ରେ ଅସମ୍ଭାଳ

କଟକ ରୋଡ୍‌କୁ ବେଧଡ଼କ ଭାବେ ପଶୁଛି ଭାରୀଯାନ

ଭୁବନେଶ୍ବର: କଟକ ରୋଡ୍‌ରେ ଭିଡ଼ କମାଇବା ଲାଗି କଟକରୁ ପୁରୀ ଅଭିମୁଖେ ଯାଉଥିବା ଗାଡ଼ିକୁ ବାଇପାସ୍ ରାସ୍ତାରେ ଯିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ବାଇପାସ୍‌ ରାସ୍ତା ନିର୍ମାଣ ହୋଇଥିଲା, ତାହା କିଛି ମାତ୍ରାରେ ପୂରଣ ହୋଇ ନ ଥିବା ମନେ ହେଉଛି। ବିଶେଷକରି ବମିଖାଲ ଓଭରବ୍ରିଜ୍‌ କାମ ପାଇଁ କଟକ ରୋଡ୍‌ରେ ଯେଉଁ ଅହେତୁକ ଟ୍ରାଫିକ ଜାମ୍‌ ପ ରିସ୍ଥିତି ସୃଷ୍ଟି ହେଉଛି, ଏଭଳି ସମୟରେ ବାଇପାସ ରାସ୍ତା କି କାମରେ ଆସୁଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। କମିସନରେଟ୍‌ ପୁଲିସ ମଧ୍ୟ ଏ ଦିଗରେ ତିଳେ ମାତ୍ର ଧ୍ୟାନ ଦେଉନାହିଁ। କେବଳ ରସୁଲଗଡ଼ ଛକରେ ୩ଟି ଲୁହା ବ୍ୟାରିକେଡ୍‌ ଥୋଇ ଟ୍ରାଫିକ ପୁଲିସ ଚୁପ୍ ହୋଇ ବସି ପଡ଼ିଛି। ଫଳରେ ବାଇପାସ୍‌ ରାସ୍ତା ଫାଙ୍କା ପଡ଼ିଥିବା ବେଳେ କଟକ ରୋଡ୍‌‌ରେ ଅସମ୍ଭାଳ ଭିଡ଼ ହେଉଛି। ସହର ବଢ଼ିବା ସହ କଟକ ରୋଡ୍‌ରେ ଦିନକୁ ଦିନକୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଶାସନ ପାଇଁ ଏହା ଚିନ୍ତାର ବିଷୟ ଥିଲା। ଶେଷରେ ସରକାର ନୂଆ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଯୋଜନା କରିଥିଲେ। ସପ୍ତସତୀ ମନ୍ଦିର ପୂର୍ବ ଛକରୁ ଧଉଳି ବ୍ରିଜ୍‌ ଛକ ପର୍ଯ୍ୟନ୍ତ ନୂଆ ରାସ୍ତା ଖୋଲିଥିଲା। ଯେଉଁ ସବୁ ଗାଡ଼ି କଟକ ପଟୁ ପୁରୀ ଆଡ଼କୁ ଯିବାକୁ ଚାହିଁବେ, ସେମାନେ ସପ୍ତସତୀ ମନ୍ଦିର ପୂର୍ବ ଛକରୁ ଡାଇଭର୍ସନ କରି ସିଧା ଧଉଳି ନିକଟରେ ବାହାରିବେ। ଏପରିକି ଟୁରିଷ୍ଟ ବସ ଓ ଗାଡ଼ିଗୁଡ଼ିକ ମଧ୍ୟ ସେହି ବାଇପାସ୍‌ ରାସ୍ତାରେ ଯିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ କିଛି ବର୍ଷ ପରେ ଏସବୁ ନିୟମ ଯେମିତି ନିୟମରେ ରହି ଯାଇଛି। ସବୁଦିନ କଟକ ରୋଡ୍‌କୁ ଟୁରିଷ୍ଟ ବସ୍ ପଶୁଛି। ଭାରୀଯାନ ପଶିବା ସବୁ ଦିନିଆ କଥା। ଟ୍ରାକ୍ଟର, ହାଇୱା, ଟ୍ରକ୍‌, ସ୍ଥାନୀୟ ଅଞ୍ଚଳକୁ ଆସୁଛନ୍ତି। ଏଣେ ପୁରୀ ଯିବାକୁ ଥିବା ଗାଡ଼ି ମଧ୍ୟ କଟକ ରୋଡ୍‌ ପଟେ ଯାଉଛି। ଏହା ସାଙ୍ଗକୁ ବମିଖାଲ ଓଭରବ୍ରିଜ କାମ ବୋଝ ଉପରେ ନଳିତାବିଡ଼ା ସଦୃଶ ହେଉଛି। ବମିଖାଲ ବ୍ରିଜ କାମ ଦେଖି ଲୋକେ ଦିନବେଳା କଟକ ରୋଡ୍‌ ବାଟେ ଯିବାକୁ ଚିନ୍ତା କରୁଛନ୍ତି। କାରଣ କିଏ କେତେ‌ବେଳେ ଜାମ ଭିତରେ ଫସି ଯିବା ତାର ଗ୍ୟାରେଣ୍ଟି କିଛି ନାହିଁ।

ରସୁଲଗଡ଼ ଛକରେ ବ୍ୟାରିକେଡ୍‌ ଥୋଇ ପୁଲିସ ଚୁପ୍‌
ବାଇପାସ୍‌ ରାସ୍ତାରେ ମାଡ଼ି ଗଲାଣି ବାଲି

ଏଣେ ବାଇପାସ୍‌ରେ ଗାଡ଼ି ମୋଟର ଯିବା ଆସିବା କମିବା ଫଳରେ ରାସ୍ତା‌େର ବାଲି ମାଡ଼ି ଗଲାଣି। ବାଇପାସ୍‌ରେ ଯିବା ଆସିବା ନ କରିବାର ଆଉ କେତେକ କାରଣ ମଧ୍ୟ ରହିଛି। ରାତି ସମୟରେ ଏହି ରାସ୍ତାରେ ଅନେକ ଯିବାକୁ ଅସୁରକ୍ଷିତ ମଣୁଛନ୍ତି। କାରଣ ବିଭିନ୍ନ ସମୟରେ ଅନେକ ବାଇକ୍ ଆରୋହୀ ଲୁଟ୍‌ର ଶିକାର ହୋଇଛନ୍ତି। ରାସ୍ତା ସଂପୂର୍ଣ ଅନ୍ଧାର। ଗାଡ଼ି ମୋଟର ଖରାପ ହେଲେ ଗ୍ୟାରେଜ୍‌ଟିଏ ମଧ୍ୟ ନାହିଁ। ରାସ୍ତାରେ ବାଲି ମାଡ଼ିଯିବା ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି। ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, ପୁଲିସ ଯଦି ରସୁଲଗଡ଼ ଛକରେ ଗାଡ଼ି ମୋଟର କଡ଼ାକଡ଼ି ଭାବେ ଯାଞ୍ଚ କରନ୍ତା, କଟକ ରୋଡ୍‌ରେ ସମସ୍ୟା ରୁହନ୍ତା ନାହିଁ। କାରଣ ଏହି ଛକ ଦେଇ ଟୁରିଷ୍ଟ ବସ ଓ ଭାରୀଯାନ ପ୍ରବେଶ କରୁଛି। ଟ୍ରାଫିକ୍ ପୁଲିସ କେବଳ ବ୍ୟାରିକେଡ୍‌ ଥୋଇ ଦେଇ ନିଜ ଦାୟିତ୍ବ ସାରି ଦେଉଛି। ଲୋକ ବ୍ୟାରିକେଡ୍‌ ଠେଲି ଗାଡ଼ି ଭର୍ତି କରୁଛନ୍ତି। କିନ୍ତୁ ସପ୍ତସତୀ ମନ୍ଦିର ଛକରେ ଗାଡ଼ି ମୋଟର ସବୁକୁ ପୁଲିସ ଡାଇଭର୍ସନ କରାଇବା କଥା। ତେବେ ଏ ସମ୍ପର୍କରେ ଟ୍ରାଫିକ୍‌ ଏସିପି ଅନୁପ କାନୁନଗୋ କହିଛନ୍ତି, ରସୁଲଗଡ଼ ଓ ଧଉଳି ଛକରେ ପ୍ରତ୍ୟେକ ଦିନ ଚେକିଂ ହେଉଛି। ସପ୍ତସତୀ ମନ୍ଦିର ଛକ କଟକ ଟ୍ରାଫିକ ଅଧୀନରେ ଯାଉଛି। ସେମାନେ ସେଠାରେ ଗାଡ଼ି ଡାଇଭର୍ସନ କରାଇଲେ କଟକ ରୋଡ୍‌ ଟ୍ରାଫିକ୍‌ ସମସ୍ୟା କିଛି ମାତ୍ରାରେ ହ୍ରାସ ପାଇପାରନ୍ତା। ଏଠାରେ ପ୍ରକାଶଥାଉ କି, ସପ୍ତସତୀ ମନ୍ଦିର, ସତ୍ୟବିହାର, ହାଇଟେକ, ହଂସପାଳ ଛକ ଆଦି ଭୁବନେଶ୍ବରର ମଞ୍ଚେଶ୍ବର ଥାନା ଅଧୀନରେ ଯାଉଥିବା ବେ‌ଳେ ଟ୍ରାଫିକ୍‌ ନିୟନ୍ତ୍ରଣ କିନ୍ତୁ କଟକ ଟ୍ରାଫିକ ପୁଲିସ କରୁଛି। ଏହି ସବୁ ଛକ‌ର ଟ୍ରାଫିକ ନିୟନ୍ତ୍ରଣ ହୋମଗାର୍ଡଙ୍କ ହାତରେ। ସେମାନେ ବାଇପାସ‌୍ ରାସ୍ତାରେ ଗାଡ଼ି ଡାଇଭର୍ସନ ନ କରି ହାତଗୁଞ୍ଜା ନେଇ ଭାରୀଯାନ ଓ ଟୁରିଷ୍ଟ ବସଗୁଡ଼ିକୁ ସହର ଭିତରକୁ ପ୍ରବେଶ କରାଉଛନ୍ତି। ଫଳରେ କଟକ ରୋଡ୍‌ରେ ଟ୍ରାଫିକ୍‌ ସମସ୍ୟା ହେଉଛି ବୋଲି ଭୁବନେଶ୍ୱରର ଜଣେ ଟ୍ରାଫିକ୍‌ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର