ପୂଜ‌ାରେ କନ୍ଦେଇବ କଟକ ରୋଡ୍‌

ଭୁବନେଶ୍ବର: ଗାଡ଼ି ଅଟକିଯିବ। ଘଣ୍ଟାକୁ ଗାଡ଼ିର ବେଗ ୧୦ କିମି ବି ଛୁଇଁପାରିବନି। ୧୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଦେଢ଼ ଘଣ୍ଟା ଲାଗିଯିବ। ପୂଜା ବେଳେ ଯେ କଟକ ରୋଡ୍‌ର‌ ଚିତ୍ର ଏମିତି ହେବ, ଏବେଠୁ ଏହା ଜଳଜଳ ଦିଶିଲାଣି। ସଂଜ ନଇଁବା କ୍ଷଣି ଏହି ରାସ୍ତାରେ ଟ୍ରାଫିକ୍‌ ଏବେ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବା ବେଳେ ପୂଜା ବେଳେ କଟକ ରୋଡ୍‌ ଖୁବ୍‌ କନ୍ଦାଇବ। ସଂପ୍ରତି ପୂଜା ବଜାର ଚଳଚଞ୍ଚଳ ହୋଇଥିବା ବେଳେ ସନ୍ଧ୍ୟା ହେଲେ କଟକ ରୋଡ୍‌ କଲବଲ କରୁଛି। ଖୋଳାଯାଇଥିବା ରାସ୍ତା ସଜଡ଼ା ଯାଇଛି ସତ, କିନ୍ତୁ ରାସ୍ତାର ଅବସ୍ଥା ଯାହା ଟିକେ ଅସାବଧାନ ହେଲେ ଚାଲିଚାଲି ଯାଉଥିବା ଲୋକ ମଧ୍ୟ ଦୁର୍ଘଟଣାରୁ ବର୍ତି ପାରିବ ନାହିଁ। ପ୍ରଥମତଃ ଅଣ ଓସାରିଆ ରାସ୍ତା। ସେଥିରେ ପୁଣି କଟକ ରୋଡ୍‌ ଏକ ବ୍ୟବସାୟିକ ହବ୍‌ ହୋଇଥିବାରୁ ୱାନ୍‌-ୱେ ରାସ୍ତାର ଏକ ତୃତୀୟାଂଶରେ ପାର୍କିଂ ଯୋଗୁଁ ରାସ୍ତା ଆହୁରି ସଙ୍କୁଚିତ ହୋଇଯାଉଛି। ସନ୍ଧ୍ୟା ହେଲେ ସମସ୍ୟା ଆହୁରି ବଳିଯାଉଛି। ପୂଜା ପୂର୍ବରୁ ସାରିବେ ବୋଲି ଆଶା ଦେଖେଇ ମଧ୍ୟ ବମିଖାଲ ଓଭରବ୍ରିଜ୍‌ କାମ ସାରିପାରିଲେ ନାହିଁ।

ପୁରୁଣା ଷ୍ଟେସନ୍‌ ସାମ୍ନା ରାସ୍ତା ‌ନଖୋଲିଲେ ସାଂଘାତିକ
ପୁରୁଣା ଷ୍ଟେସନ୍‌ ରୋଡ୍‌କୁ ଯାଇଥିବା ରାସ୍ତାରେ ଷ୍ଟେସନ୍‌ ବଜାର ପୂଜା ମଣ୍ଡପ ରହିଛି। ସହରର ଏହା ଏକ ବୃହତ୍‌ ପୂଜାନୁଷ୍ଠାନ ହୋଇଥିଲେ ହେଁ ଏଠାରେ ପୂଜା ସମୟରେ ଟ୍ରାଫିକ୍ ଭିଡ଼ ଏଡ଼ାଇବା ପାଇଁ ପୁରୁଣା ଷ୍ଟେସନ୍‌ର ପ୍ଲାଟ୍‌ଫର୍ମ ସମ୍ମୁଖକୁ ଲାଗି ଏକ ବିକଳ୍ପ ରାସ୍ତା ରହିଛି। ଏସ୍‌ଏନ୍‌ ମହାନ୍ତି ଗଳି ଦେଇ ଗାଡ଼ିଗୁଡ଼ିକ ଲକ୍ଷ୍ମୀସାଗରରେ ବାହାରିବାର ସୁବିଧା ରହୁଥିଲା। ମାତ୍ର ଏହି ରାସ୍ତାକୁ ‌େର‌ଲ୍‌ୱେ ପକ୍ଷରୁ ବନ୍ଦ କରି ଦିଆଯାଇଛି। ତେଣୁ ଯଦି ଏହି ରାସ୍ତାକୁ ଖୋଲା ନଯାଏ ପୂଜା ସମୟରେ ଷ୍ଟେସନ୍‌ ବଜାର ପୂଜା ମଣ୍ଡପ ନିକଟରେ ଟ୍ରାଫିକ୍ ବ୍ୟବସ୍ଥା ଭୁଶୁଡ଼ିଯିବ ବୋଲି ପୂଜା କମିଟିର ସମ୍ପାଦକ ଦୀପକ ଜେନା କହିଛନ୍ତି। କହି କହି ପୁରୁଣା ଷ୍ଟେସନ୍‌ ବାଟେ ଯାଇଥିବା ଗଳା ରାସ୍ତାକୁ ଏଯାଏଁ ଖୋଲିଗଲା ନାହିଁ। ଜିଲ୍ଲାପାଳ ଏନେଇ ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ବୈଠକରେ ଫୋନ୍‌ କରି ରେଲିଂ ଖୋଲିବା ପାଇଁ ରେଲୱେ ବିଭାଗକୁ ଚିଠି କରିବାକୁ କହିଥିଲେ ହେଁ ଏପର୍ଯ୍ୟନ୍ତ ସେନେଇ କୌଣସି ପଦକ୍ଷେପ ନିଆଗଲା କି ନାହିଁ ତାହା ଜଣା ପଡ଼ୁନାହିଁ।

ଏକାମ୍ର ଟକିଜ୍‌ ରାସ୍ତା ପାରି ହେବାକୁ ଘଣ୍ଟାଏ
ଏକାମ୍ର ଟକିଜ୍‌ ସମ୍ମୁଖ ୧୦୦ ମିଟର ରାସ୍ତା ହିଁ ବେଶି କନ୍ଦାଇବ। ଓଭରବ୍ରିଜ୍‌ କାମ ପାଇଁ ଏହି ରାସ୍ତାର ଅର୍ଧାଧିକ ଅଂଶ ବନ୍ଦ କରି ଦିଆଯାଇଥିବା ବେଳେ ଯେଉଁ ସଙ୍କୁଚିତ ରାସ୍ତା ଅଛି ତାହା ପାରି ହେବାକୁ ଏବେ ଦୀର୍ଘ ସମୟ ଲାଗିଯାଉଛି। ଏହା ଦ୍ବାରା ସବୁଠୁ ବେଶି ପ୍ରଭାବିତ ହେବ ବମିଖାଲ ପୂଜା ମଣ୍ଡପ। ବମିଖାଲ ଦୁର୍ଗାପୂଜା ମଣ୍ଡପ ନିକଟରେ ପାର୍କିଂର ବିକଳ୍ପ ନଥିବା ବେଳେ ଅଧାଗଢ଼ା ଓଭରବ୍ରିଜ୍‌ ଓ ସଙ୍କୁଚିତ ରାସ୍ତା ଲୋକଙ୍କୁ ନାକେଦମ କରିବ।ଖାଲି ସେତିକି ନୁହେଁ, ଏସ୍‌ପ୍ଲାନେଡ୍‌ ମଧ୍ୟ ଏହି ବାଟରେ ପ୍ରତିବନ୍ଧକ ସାଜିବ। ତେବେ ଏହି ରାସ୍ତାକୁ ଅସ୍ଥାୟୀ ଭାବେ ପିଚୁ କରାଯିବା ନେଇ ନିଷ୍ପତ୍ତି ହୋଇଛି। ହେଲେ ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବରେ ଗାଡ଼ି ଚଳାଚଳ କରୁଥିବାରୁ ଏହା ରାସ୍ତା ଜାମ୍‌ର ମୁଖ୍ୟ କାରଣ ପାଲଟିଛି।

ନାକେଦମ୍‌ କରିବ ୯ ପୂଜା ମଣ୍ଡପ
କଟକ ରୋଡ୍‌ ମୁଖ୍ୟ ରାସ୍ତାରେ ଷ୍ଟେସନ୍‌ ବଜାର ପୂଜା ମଣ୍ଡପ, ରସୁଲଗଡ଼ ଭଳି ପୂଜା ମଣ୍ଡପ, ବମିଖାଲ ପୂଜା ମଣ୍ଡପ, କଟକ ରୋଡ୍‌ ବ୍ୟବସାୟୀ ସଂଘ, ଝାରପଡ଼ା ପୂଜା ମଣ୍ଡପ, ଲକ୍ଷ୍ମୀସାଗର ପୂଜା ମୁଖ୍ୟ ରାସ୍ତାରେ ହେଉଥିବା ବେଳେ ବଙ୍ଗାଳି ସାହିର ୨ଟି ପୂଜା ଏବଂ ବଡ଼ଗଡ଼ରେ ୨ଟି ପୂଜା ଅନୁଷ୍ଠିତ ହେଉଛି। କିଛି ପୂଜା ମଣ୍ଡପ ମୁଖ୍ୟ ରାସ୍ତା ଉପରେ ଥିବାବେଳେ ଆଉ କିଛି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଗଳିଗୁଡ଼ିକରେ ହେଉଛି। ସେଥିମଧ୍ୟରୁ ଅଧିକାଂଶ ପୂଜା ମଣ୍ଡପ ପୂଜା ସମୟରେ ଲୋକାରଣ୍ୟ ହେଉଛି। ପୂଜା ସମୟରେ ଲୋକଙ୍କ ସଂଖ୍ୟା ଏଠାରେ ୪ଗୁଣ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଏହି ରାସ୍ତା ହିଁ ଶ୍ରଦ୍ଧାଳୁଙ୍କ ପାଇଁ ଏକମାତ୍ର ବିକଳ୍ପ ରହିବ। ଭସାଣି ବେଳେ ବି ଅଧିକାଂଶ ପୂଜା ମଣ୍ଡପକୁ ଏହି ରାସ୍ତାରେ ନାକେଦମ ହେବାକୁ ପଡ଼ିବ।

ପ୍ରତି ସପ୍ତାହରେ ଜିଲ୍ଲାପାଳଙ୍କ ବୈଠକ
ପୂଜା ସମୟରେ ବିଭିନ୍ନ ସମସ୍ୟାକୁ ନେଇ ଖୋଦ୍‌ ଜିଲ୍ଲାପାଳ ନିର୍ମଳ ମିଶ୍ର ପ୍ରତି ସପ୍ତାହରେ ବୈଠକ କରୁଛନ୍ତି। ଏଥିରେ ପୂଜା ମଣ୍ଡପ ନିଜର ସମସ୍ୟା ଜଣାଉଥିବା ବେଳେ ଜିଲ୍ଲାପାଳ ବୈଠକ ସ୍ଥଳରେ ବିଭିନ୍ନ ବିଭାଗର କର୍ତୃପକ୍ଷଙ୍କୁ ଏକାଠି କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଉଛନ୍ତି। ଏମିତି କି ପୂଜା ମଣ୍ଡପ ନିକଟକୁ ଯାଇ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦିଆଯାଉଛି। ତେବେ କିଛି ମାତ୍ରାରେ ଏହା ପାଳନ ହେଉଥିବାବେଳେ ଆଉ କିଛି କ୍ଷେତ୍ରରେ ଏହାକୁ ଅନୁକରଣ କରାଯାଉ ନଥିବା ପୂଜା ମଣ୍ଡପର କର୍ମକର୍ତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର