ସହରରେ ଛେଦନ, ଉପକଣ୍ଠରେ ରୋପଣ ! କି ଲାଭ ପାଉଛନ୍ତି ସହରବାସୀ?

ଭୁବନେଶ୍ବର: ସବୁଜ ସୁନ୍ଦର ଭୁବନେଶ୍ବର। ଏହା ଏବେ କେବଳ ସ୍ଲୋଗାନରେ ସୀମିତ ହେବାକୁ ଯାଉଛି। କାରଣ ରାଜଧାନୀରେ ଆଉ ଆଗଭଳି ସବୁଜିମା ନାହିଁ। କି ସୌନ୍ଦର୍ଯ୍ୟ ନାହିଁ। ଯୁଆଡ଼େ ଅନେଇଲେ କେବଳ କଂକ୍ରିଟ୍‌ ହିଁ କଂକ୍ରିଟ୍‌। ଶୋଭା ବଢ଼ାଉଛି ବିରାଟ ସୌଧ। ପାହାଳରୁ ପାତ୍ରପଡ଼ା ହେଉ କି ଖଣ୍ଡଗିରିରୁ ଧଉଳି। ସବୁଠି ଏକା ଚିତ୍ର। ଘର ପାଇଁ ଗଛ କଟାଯାଉଛି। ରାସ୍ତା ଲାଗି ଗଛ ବଳି ପଡ଼ୁଛି। ସରକାରୀ ପ୍ରକଳ୍ପ ଲାଗି ‌ମାଟିରେ ଲୋଟୁଛି ଗଛ। କିଏ କେଉଁଠି କେତେ ଗଛ କାଟିଲା ତା’ର କୌଣସି ବି ଖୋଜ ଖବର ନାହିଁ। ନା ବନ ବିଭାଗ ପାଖରେ ତଥ୍ୟ ଅଛି ନା ବିଏମ୍‌ସି, ବିଡିଏ। ଶହେ ଗଛ କଟିଥିଲେ କାଗଜପତ୍ରରେ ୧୫ରୁ ୨୦ଟି ଭିତରେ ସୀମିତ ରହୁଛି। ଭୁବନେଶ୍ବରରେ ଗଛ କାଟିବା ଓ ଲଗାଇବା ଦାୟିତ୍ବରେ ରହିଥିବା ରାଜ୍ୟ ସରକାରଙ୍କ ଉକ୍ତ ତିନିଟି ସଂସ୍ଥା କିଭଳି କାର୍ଯ୍ୟ କରୁଛନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ଗତ ୫ ମାସ ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ କଟାଯାଇଥିବା ଗଛ ସମ୍ପର୍କରେ କୌଣସି ବି ସଂସ୍ଥା ପାଖରେ ଠିକ୍‌ ତଥ୍ୟ ନାହିଁ। ଏମିତିକି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କୋଠା ଲାଗି ଜାନୁଆରିରେ ଗଛ କଟାଯାଉଥିବା ବେଳେ ବନ ବିଭାଗ ନିକଟରେ କୌଣସି ଖବର ନ ଥିବା ଅଧିକାରୀ କହିଥିଲେ। ଖୋଳତାଡ଼ କରି ଅଧିକାରୀମାନେ ଏବେ କହୁଛନ୍ତି ୭୮୦ ଗଛ କଟାଯିବା ପାଇଁ ଅନୁମତି ଦିଆଯାଇଛି। ସେଥିପାଇଁ ସେମାନେ ୬୮ ଲକ୍ଷ ଟଙ୍କା ଦାଖଲ କରିଛନ୍ତି। ‌

ଉକ୍ତ ଟଙ୍କାରେ ପ୍ରାୟ ୮ ହଜାର ଗଛ ପାତ୍ରପଡ଼ା ଓ ମଧୁପୁରଠାରେ ଲଗାଯିବ। ଏଠାରେ ପ୍ରଶ୍ନ ଉଠୁଛି ସହର ଭିତରେ ଗଛ କଟା ଚାଲିଥିବା ବେଳେ ପାତ୍ରପଡ଼ା ଓ ମଧୁପୁର ପରି ଭୁବନେଶ୍ବର ଉପକଣ୍ଠରେ କାହିଁକି ବୃକ୍ଷରୋପଣ କରାଯାଉଛି। ଗୋଟିଏ ପଟେ କଂକ୍ରିଟ୍‌ ନିର୍ମାଣ କରୁଥିବା ବେଳେ ଅନ୍ୟ ସ୍ଥାନରେ ସବୁଜିମା କରାଯାଉଛି। ଏହି ସବୁଜିମା କେତେ‌ବର୍ଷ ତିଷ୍ଠିବ ତାହାକୁ ନେଇ ସନ୍ଦେହ ବି ରହିଛି। କାରଣ ଆସନ୍ତା ୧୦ ବର୍ଷ ପରେ ଉକ୍ତ ଅଞ୍ଚଳର ବିକାଶ ହେଲା ବେଳକୁ ସେଠାରେ ଲାଗିଥିବା ଗଛଗୁଡ଼ିକୁ ବଳି ପକାଯିବ। ଏହାଦ୍ବାରା କାହାର କିଭଳି ଲାଭ ହେବ ସେନେଇ ପରିବେଶବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ଗତ ତିନିଟି ଆର୍ଥିକ ବର୍ଷର ତଥ୍ୟକୁ ଦେଖିଲେ ବନ ବିଭାଗ ସହରରେ କିଭଳି ବୃକ୍ଷରୋପଣ କରୁଛି ତାହା ସ୍ପଷ୍ଟ ଅନୁମେୟ। ସହର ବନଖଣ୍ଡ ଅଧୀନ ଭୁବନେଶ୍ବର ରେଞ୍ଜ ଅଧୀନରେ ଥିବା ଅଞ୍ଚଳରେ ମାତ୍ର ୩୦ ହଜାର ୪୦୦ ଗଛ ଲଗାଯାଇଛି। ଯଦି ଗୋଟିଏ ଗଛ କାଟିଲେ ୧୦ଟି ଲଗାଇବାର ନିୟମ ରହିଛି ତେବେ ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଆର୍ଥିକ ବର୍ଷରେ ମାତ୍ର ୩ ହଜାର ୪୦ଟି ଗଛ କଟାଯାଇଛି। ଯେଉଁ ସମୟରେ ସହରର ବିକାଶ କରାଯାଇଛି ସେତେବେଳେ ମାତ୍ର ଏତିକି ଗଛ କଟାଯିବା ତଥ୍ୟର କେତେ ସତ୍ୟତା ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ତିନି ବର୍ଷ ମଧ୍ୟରେ ସହର ଭିତରେ କଟାଯାଇଥିବା ଗଛ ବଦଳରେ ଜାମୁଝରି, ମଧୁପୁର, ଘାଟିକିଆ, ମେଣ୍ଢାଶାଳ ପରି ଅଞ୍ଚଳରେ ଗଛ ଲଗାଯିବା ସହରବାସୀଙ୍କୁ କିଭଳି ଭାବେ ସହାୟକ ହେବ। ୩୦ ହଜାର ୪୦୦ ଗଛର ରକ୍ଷଣାବେକ୍ଷଣ ବାବଦରେ ୧ କୋଟି ୩୭ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ବରାଦ ହୋଇଛି। ୩ ବର୍ଷ ଭିତରେ ଏହି ଟଙ୍କା କିଭଳି ଖର୍ଚ୍ଚ ହୋଇଛି। ମଞ୍ଚେଶ୍ବର ରେଞ୍ଜ କଥା ବିଚାରକୁ ନେଇ କେବଳ କେଶୁରାରେ ୩ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇଛି। ଏହାବାଦ୍‌ ଲକ୍ଷ୍ମୀସାଗର ହାଇସ୍କୁଲ, ଝାରପଡ଼ା, ରେଳ ବିହାର, ଓଡିସିଏଲ୍‌, ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ୫୨୦୦ ଏବଂ ବେଲଗାଛିଆରେ ୨ ହଜାର ବୃକ୍ଷରୋପରଣ କରାଯାଇଛି। ଏଗୁଡ଼ିକର ରକ୍ଷଣାବେକ୍ଷଣ ଲାଗି ୧ କୋଟି ୭ ଲକ୍ଷ ୩୨ ହଜାର ୩୧୨ ଟଙ୍କା ଖର୍ଚ୍ଚ ହୋଇଛି। ତିନି ବର୍ଷରେ ଲଗାଯାଇଥିବା ଗଛଗୁଡ଼ିକ ମଧ୍ୟରୁ କେତେ ବଞ୍ଚିଛି ସେନେଇ କାହା ପାଖରେ ଠିକ୍‌ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର