ମଙ୍ଗଳକୃତ୍ୟରୁ ନାବାଳିକା ଉଦ୍ଧାର ମାମଲା, ଝିଅ କହୁଛି ୧୭, ମା’ କହୁଛି ୧୯

ଅଡ଼ୁଆରେ ସିଡବ୍ଲ୍ୟୁସି

ଖଣ୍ଡଗିରି: ଶୁକ୍ରବାର ତମାଣ୍ଡୋ ଅଞ୍ଚଳରେ ମଙ୍ଗଳକୃତ୍ୟ କାର୍ଯ୍ୟକ୍ରମରୁ ନାବାଳିକା ଉଦ୍ଧାର ମାମଲାକୁ ନେଇ ସିଡବ୍ଲ୍ୟୁସି ଅଡ଼ୁଆରେ ପଡ଼ିଛି। ଝିଅ ନିଜ ବୟସ ୧୭ ବୋଲି କହୁଥିବା ବେଳେ ତା’ ମା’ ସିଡବ୍ଲ୍ୟୁସିଙ୍କ ନିକଟରେ ଆଧାର କାର୍ଡ‌ ପ୍ରଦର୍ଶନ କରି ଝିଅର ବୟସ ୧୯ ବୋଲି ଦାବି କରିଛନ୍ତି। ଫଳରେ କିଏ ସତ କହୁଛି, ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ସିଡବ୍ଲ୍ୟୁସି। ସୋମବାର ସିଡବ୍ଲ୍ୟୁସିର ଏକ ଟିମ୍‌ ଝିଅ ପଢ଼ୁଥିବା ସ୍କୁଲରୁ ଜନ୍ମ ତାରିଖ ସଂଗ୍ରହ କରିବା ପରେ ହିଁ ଝିଅର ଭବିଷ୍ୟତକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ ଝିଅଟିକୁ ଏକ ସେବାଶ୍ରମରେ ରଖାଯାଇଥିବାରୁ ପରିବାର ପକ୍ଷରୁ ପ୍ରସ୍ତୁତି କରାଯାଇଥିବା ବିବାହ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି।

ସୂଚନାନୁସାରେ ଝିଅର ପରିବାର ଗଞ୍ଜାମ ଅଞ୍ଚଳ‌ର। ସେମାନେ ଦୀର୍ଘ ବର୍ଷ ଧରି ତମାଣ୍ଡୋରେ ରହୁଛନ୍ତି। ପରିବାର ପକ୍ଷରୁ ଗଞ୍ଜାମ ଅଞ୍ଚଳର ଜଣେ ଯୁବକଙ୍କ ସହ ଝିଅର ବିବାହ ସ୍ଥିର କରାଯାଇଥିଲା। ମାତ୍ର ବାହାଘରରେ ଝିଅର ସମ୍ମତି ନଥିଲା। ଗତକାଲି ଥିଲା ମଙ୍ଗଳକୃତ୍ୟ। ତେଣୁ ଝିଅ ଏନେଇ ଖୋର୍ଧା ସିଡବ୍ଲ୍ୟୁସିଙ୍କୁ ଜଣାଇଥିଲା। ଖବର ପାଇ ସିଡବ୍ଲ୍ୟୁସି ତମାଣ୍ଡୋ ଥାନା ପୁଲିସ ସହଯୋଗରେ ମଙ୍ଗଳକୃତ୍ୟ କାର୍ଯ୍ୟକ୍ରମରୁ ଝିଅକୁ ଉଦ୍ଧାର କରିଥିଲା। ଆଜି ପରିବାର ପକ୍ଷରୁ ଝିଅର ବୟସ ପ୍ରମାଣପତ୍ର ଦାଖଲ କରିବା ପାଇଁ ସିଡବ୍ଲ୍ୟୁସିଙ୍କ ନିର୍ଦେଶ ଥିଲା।

ସମ୍ବନ୍ଧିତ ଖବର