ଭୁବନେଶ୍ବର: ଭୁବନେଶ୍ବରରେ ବୃଦ୍ଧି ପାଇଥିବା ସାଇବର ଅପରାଧକୁ ଆଖି ଆଗରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଖୋଲା ଯାଇଥିବା ସାଇବର ସେଲ୍କୁ ମାସେ ପୂରିଛି। ଏହି ମାସେ ମଧ୍ୟରେ ସାଇବର ସେଲ୍କୁ ଆସିଥିବା ୧୨୦୭ଟି ଫୋନ୍ କଲ୍ରୁ କେବଳ ଭୁବନେଶ୍ବରରୁ ଆସିଛି ୩୬୮ଟି କଲ୍। ଆଉ ମାସକ ମଧ୍ୟରେ ସାଇବର ଠକମାନେ ରାଜ୍ୟରୁ କୋଟିଏ ୪୦ ଲକ୍ଷ ୫୪ ହଜାର ୯୪୪ ଟଙ୍କା ଲୁଟି ନେଇଥିବା ବେଳେ ଭୁବନେଶ୍ବରରୁ ଲୁଟିଛନ୍ତି ୫୨ ଲକ୍ଷ ୧୬ ହଜାର ୪୮୩ ଟଙ୍କା। ଏହା କେବଳ ସାଇବର ସେଲ୍ରେ ପଞ୍ଜୀକୃତ ହୋଇଥିବା ଅପରାଧର ପରିସଂଖ୍ୟାନ। ଆହୁରି ଅନେକ ଲୋକଲଜ୍ଜା ଭୟରେ ଅଭିଯୋଗ କରିବାକୁ ଆସିନାହାନ୍ତି। ଏ ସବୁକୁ ହିସାବକୁ ନେଲେ ଠକେଇ ପରିମାଣ ଦୁଇ କୋଟି ଟପିବ ବୋଲି ଅନୁମାନ କରାଯାଉଛି।
ଅକଲ୍ ଗୁଡ଼ୁମ୍ କରିଛି ୟୁପିଆଇ ଠକେଇ
ଏହି ମାସେ ଭିତରେ ୟୁପିଆଇ ଜରିଆରେ ରାଜ୍ୟରେ ୨୮୯ଟି ଠକେଇ ହୋଇଥିବା ରେକର୍ଡ କରାଯାଇଛି। ଏଭଳି ୟୁପିଆଇ ଠକେଇକୁ କେମିତି ରୋକାଯିବ ଏହାକୁ ନେଇ ସାଇବର ବିଶେଷଜ୍ଞମାନଙ୍କର ମଧ୍ୟ ଅକଲ ଗୁଡ଼ୁମ୍ ହୋଇଗଲାଣି। ତା’ଛଡ଼ା ୟୁପିଆଇ ଠକେଇ ଜରିଆରେ ଥରେ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଚାଲିଗଲେ; ଏହାକୁ ଫେରାଇ ଆଣିବା କାଠିକର ପାଠ। ମାସକ ମଧ୍ୟରେ ଠକ ଆକାଉଣ୍ଟକୁ ଚାଲି ଯାଇଥିବା ୩ଲକ୍ଷ ୧୯ ହଜାର ୭୧୧ ଟଙ୍କା କମିସନରେଟ୍ ପୁଲିସର ସାଇବର ସେଲ୍ ଫେରାଇ ଆଣିବାକୁ ସକ୍ଷମ ହୋଇଥିବା ବେଳେ କେତେକ ଅଭିଯୋଗ ବିଳମ୍ବରେ ହୋଇଥିବାରୁ ଟଙ୍କା ଫେରି ପାରିନାହିଁ। ସେହିଭଳି କ୍ରେଡିଟ୍/ଡେବିଟ୍ କାର୍ଡ ଜରିଆରେ ୪୬ଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି। କ୍ରେଡିଟ୍ କାର୍ଡର ପିନ୍ ନମ୍ବର ଓ ମୋବାଇଲ୍କୁ ଆସୁଥିବା ଓଟିପି ନମ୍ବର ଠକକୁ ଦେଇ ଏହି ସବୁ ଲୋକ ଠକେଇର ଶିକାର ହୋଇଛନ୍ତି।
ଆହୁରି ସୁଦୃଢ଼ ହେବ ସାଇବର ସେଲ୍
ଏବେ ରାଜ୍ୟ ସହ ଭୁବନେଶ୍ବରରେ ସାଇବର ଠକେଇର ସ୍ଥିତି ଉଦ୍ବେଗଜନକ ରହିଥିବା ସ୍ପଷ୍ଟ ହୋଇଛି। ରାଜଧାନୀରେ ସାଇବର ସେଲ୍ର ଏକ ମାସ ପୂର୍ତ୍ତି ଅବସରରେ କମିସନର ସୁଧାଂଶୁ ଷଡ଼ଙ୍ଗୀ ବୁଲି ସ୍ଥିତି ପରଖିବା ସହ ସାଇବର ଠକେଇରୁ ବର୍ତ୍ତିବାକୁ ହେଲେ ଲୋକ ସଚେତନ ହେବା ଜରୁରି ବୋଲି କହିଛନ୍ତି। ଯେ ପର୍ଯ୍ୟନ୍ତ ଲୋକ ସୁଧୁରି ନାହାନ୍ତି; ପୁଲିସର ସମସ୍ତ ପ୍ରୟାସ ବୃଥା ଯିବ। ଅନେକ ବାର ସଚେତନ କରାଯାଉଛି। ବାରମ୍ବାର ଘଟୁଥିବା ଅପରାଧ ସମ୍ବନ୍ଧରେ ମଧ୍ୟ ପ୍ରତ୍ୟେକ ଦିନ ଲୋକେ ଅବଗତ ହେଉଛନ୍ତି। ହେଲେ ପୁଣି ଠକର ଫୋନ୍ କଲ୍ରେ ବୋକା ବନି ଯାଉଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ସାଇବର ସେଲ୍ରେ ଗୋଟିଏ ମାସ ଭିତରେ ଯାହା ଆମର ଅଭିଜ୍ଞତା ହୋଇଛି, ଭୁବନେଶ୍ବର କମିସନରେଟ୍ ପୁଲିସ ଅଞ୍ଚଳରେ ଗୋଟିଏ ସାଇବର ଥାନାର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତା’ ଛଡ଼ା ଏହି ହେଲ୍ପ ଡେସ୍କକୁ ଆହୁରି ସୁଦୃଢ଼ କରିବାକୁ ଯୋଜନା ଅଛି ବୋଲି ସେ କହିଛନ୍ତି।
ରାଜ୍ୟ ବାହାରେ ରହି ଜାଲ ବିଛାଉଛନ୍ତି ଠକ
ସାଇବର ଠକେଇକୁ ନେଇ ଆସିଥିବା ସମସ୍ତ ଅଭିଯୋଗକୁ ଅନୁଧ୍ୟାନ କଲେ ଏକ ବିଚିତ୍ର ତଥ୍ୟ ପଦାକୁ ଆସିଛି। ଗୋଟିଏ ବି ସାଇବର ଠକେଇ ରାଜ୍ୟ ଭିତରୁ ହୋଇନାହିଁ। ୮୦ ପ୍ରତିଶତ ଦେଶ ଭିତରେ ରହିଥିବା ବେଳେ ୨୦ ପ୍ରତିଶତ ଠକ ଦେଶ ବାହାରେ ରହି ଜାଲ ବିଛାଉଛନ୍ତି। ବିଶେଷ କରି ଝାଡ଼ଖଣ୍ଡର ଜାମତରା, ବିହାରର ଦେଓଘର, ପଶ୍ଚିମବଙ୍ଗର କୋଲକାତା, ରାଜସ୍ଥାନ, ନଏଡା, କେରଳ ପ୍ରଭୃତି ଜାଗାରେ ରହି ଠକମାନେ କଲ୍ କରୁଥିବା ମୋବାଇଲ୍ର ଲୋକେସନ ଟ୍ରାକିଂରୁ ଜଣାଯାଇଛି। ଏହାଛଡ଼ା ବାଂଲାଦେଶରୁ ମଧ୍ୟ ସାଇବର ଠକଙ୍କ ଫୋନ୍ କଲ୍ ଆସିଛି। ୭୦ରୁ ଊର୍ଦ୍ଧ୍ବ ନମ୍ବରକୁ ବ୍ଲକ୍ କରାଯାଇଥିବା ବେଳେ ଅନେକ ନମ୍ବର ଠକେଇ ପରେ ପରେ ବନ୍ଦ ରହିଛି। ଫଳରେ ସେମାନଙ୍କୁ ଠାବ କରିବା ସମ୍ଭବ ହୋଇ ନାହିଁ।