ଋଣ କରାଇଦେବ କହି ୫୦ହଜାର ନେଇଗଲା ସାଇବର ଠକ

ଭୁବନେଶ୍ୱର : ବ୍ୟାଙ୍କ୍‌ରୁ ଋଣ ଆଣିବାକୁ ଯାଇ ଜଣେ ଯୁବକ ସାଇବର ଠକର ଜାଲରେ ପଡ଼ିଛନ୍ତି। ଏକ ଫେକ୍ ମେସେଜ୍‌କୁ ନେଇ ଘରୋଇ ବ୍ୟାଙ୍କ୍‌ରେ ଆବେଦନ କରିଥିବା ଋଣ ରାଶି ମଂଜୁର ହୋଇଥିବା ଭାବି ଠକେଇର ଶିକାର ହୋଇଛନ୍ତି। ଠକେଇର ଶିକାର ଯୁବକ ହେଉଛନ୍ତି, ନୂଆପଲ୍ଲୀର ପ୍ରସନ୍ନ ସ୍ବାଇଁ। ଏନେଇ ସେ ପ୍ରଥମେ ନୂଆପଲ୍ଲୀ ଥାନା ଓ ପରେ ସାଇବର ହେଲ୍ପ ଡେସ୍କ୍‌ରେ ଅଭିଯୋଗ କରିଛନ୍ତି। ପ୍ରସନ୍ନଙ୍କ ଅଭିଯୋଗ ମୁତାବକ, କିଛିଦିନ ତଳେ ସେ ଆଇସିଆଇସିଆଇ ବ୍ୟାଙ୍କ୍‌ରେ ଋଣ ଆବେଦନ କରିଥିଲେ। ଏହା ପରେ ତାଙ୍କ ପାଖକୁ ଋଣ ମଂଜୁର ହୋଇଥିବା ମେସେଜ୍ ଆସିଥିଲା। ଏହା ପରେ ସେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାକୁ ଗୁଗୁଲ୍‌ରେ ବ୍ୟାଙ୍କ୍‌ କଷ୍ଟମର୍ କେୟାର୍ ନମ୍ବର ଖୋଜିଥିଲେ। ଏହା ପରେ ଗୁଗୁଲ୍‌ରେ ମିଳିଥିବା ନମ୍ବରରେ ଯୋଗାଯୋଗ କରିବାରୁ ସାଇବର ଠକ ପାଖକୁ କଲ୍ ଲାଗିଥିଲା। ଏହା ପରେ ସାଇବର ଠକ ମଂଜୁର ଋଣ ପାଇବାକୁ କହି ପ୍ରସନ୍ନଙ୍କ ମୋବାଇଲ୍‌ରୁ ଚଞ୍ଚକତା କରି ପ୍ରାୟ ୫୦ହଜାର ଟଙ୍କା ନେଇ ଯାଇଥିଲା। ଏ ନେଇ ପ୍ରସନ୍ନ ପୁଣିଥରେ ଉକ୍ତ ନମ୍ବରକୁ ଯୋଗାଯୋଗ କରିବାରୁ ସେ ଆଉ ଫୋନ୍ ଉଠାଇନଥିଲା।

ଯୁବକଙ୍କ ଆକାଉଣ୍ଟ୍‌ରୁ ୯ହଜାର ଗାଏବ
ଭୁବନେଶ୍ବର : ପୁଣି ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛି। ତାଙ୍କ ଆକାଉଣ୍ଟରୁ ୯ହଜାର ଟଙ୍କା ଗାଏବ ହୋଇଯାଇଛି। ଠକେଇର ଶିକାର ଯୁବକ ହେଲେ ଏୟାର ଫିଲ୍‌ଡ ଥାନା ଅଧୀନ ବରକୁଦ ଗ୍ରାମର ବିକାଶ ବେହେରା। ଏ ନେଇ ବିକାଶ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ତାଙ୍କ ଏଟିଏମ୍‌ ପିନ୍‌ ଜାଣି କେହି ଏପରି ଲୁଟ୍‌ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାତ୍ର ଟଙ୍କା କଟିବା ବେଳେ ମୋବାଇଲ୍‌କୁ ମେସେଜ୍ ଆସିନଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର