ସାଇବର୍‌ ଠକଙ୍କ ନୂଆ ଖେଳ: ଆଗ ନିଯୁକ୍ତିପତ୍ର, ପରେ ଜରିମାନା ପାଇଁ ବ୍ଲାକ୍‌ମେଲ୍‌

ଅନ୍‌ଲାଇନ୍ ଚାକିରି ଆବେଦନ କରି ଫସିଲେ ନାବାଳକ

ଭୁବନେଶ୍ୱର : ଚାକିରିର ଲୋଭ ଦେଖାଇ ଶିକ୍ଷିତ ଯୁବଗୋ‌ଷ୍ଠୀଙ୍କୁ ଫସାଉଥିବା ସାଇବର୍‌ ଠକ ଏବେ ଆଉ ଏକ ନୂଆ ଖେଳ ଆରମ୍ଭ କରିଛନ୍ତି। ପୂର୍ବରୁ ନିଯୁକ୍ତି ଦେବା ନାଁରେ ଠକୁଥିବା ବେଳେ ଏବେ ତରିକାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜାଲ୍‌ ନିଯୁକ୍ତିପତ୍ର ଦେଇ ଆଗ ବିଶ୍ବାସ ଜିଣିବା ପରେ କମ୍ପାନି ସହ ଚୁକ୍ତି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ କରି ଜରିମାନା ପଇଠ କରିବାକୁ କହୁଛନ୍ତି। ଜରିମାନା ପଇଠ ନ କଲେ ମୋବାଇଲ୍‌କୁ ନକଲି ଚୁକ୍ତିପତ୍ର ଓ ଏଫ୍‌ଆଇଆର୍‌ ପଠାଉଛନ୍ତି। ଫଳରେ କୋର୍ଟ କଚେରି ଝାମେଲାକୁ ଡରି କିଛି ଯୁବକ/ଯୁବତୀ ଠକର କହିବା ମୁତାବକ ଟଙ୍କା‌ ପଇଠ କରି ଦେଉଛନ୍ତି। ଦେଶରେ ଅନେକ ଯୁବକ/ଯୁବତୀ ଏଭଳି ଠକାମିର ଶିକାର ହୋଇଥିବା ଜଣାଯାଇଛି।

ଏମିତି ଜାଲ ବିଛାଇ ଭୁବନେଶ୍ବରର ଜଣେ ନାବାଳକଙ୍କୁ ଠକିବାକୁ ଉଦ୍ୟମ କରାଯା‌ଇଛି। ତେବେ ପରିବାରଲୋକଙ୍କ ପରାମର୍ଶ ଓ ସାଇବର୍‌ ବିଶେଷଜ୍ଞଙ୍କ ସହାୟତା ଯୋଗୁଁ ସେ ଏକ ବଡ଼ଧରଣର ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସେ ଭୁବେନଶ୍ବର ସାଇବର୍‌ ସେଲ୍‌ରେ ଅଭିଯୋଗ କରିଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ଖାରବେଳନଗର ଥାନା ଅଧୀନ ୟୁନିଟ୍-୪ ଅଞ୍ଚଳରେ ରହୁଥିବା ଜଣେ ଯୁକ୍ତ ୨ ପଢ଼ୁଆ ନାବାଳକ ପରିବାରକୁ ଆର୍ଥିକ ସହଯୋଗ କରିବା ପାଇଁ ପାର୍ଟ-ଟାଇମ୍‌ ଚାକିରି ସନ୍ଧାନ କରୁଥିଲେ। ଏଥିପାଇଁ ସେ ଅନ୍‌ଲାଇନ୍‌ରେ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ମହାରାଷ୍ଟ୍ର ଅହମ୍ମଦନଗରର ଏକ ସଂସ୍ଥା ତାଙ୍କୁ ଡାଟା-ଏଣ୍ଟ୍ରି ଅପରେଟର୍‌ ପଦ ପାଇଁ ନିଯୁକ୍ତ କରିଥିଲା। ସଂସ୍ଥା ପକ୍ଷରୁ ତାଙ୍କୁ ଦିଆଯାଇଥିବା ଟାର୍ଗେଟ୍ ପୂରଣ କଲେ, ମାସ ଶେଷକୁ ୨୨ରୁ ୩୦ହଜାର ପର୍ଯ୍ୟନ୍ତ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଇଠ କରିଦିଆଯିବ ବୋଲି କୁହାଯାଇଥିଲା। ଘରେ ବସି ଏତେ ଟଙ୍କା ମାସକୁ ମିଳିବାକୁ ଥିବାରୁ ନାବାଳକଜଣକ ଉକ୍ତ ସଂସ୍ଥାକୁ ନିଜର ବା‌ୟୋ-ଡାଟା ପଠାଇଥିଲେ। କିନ୍ତୁ ତାଙ୍କୁ ୧୮ବର୍ଷ ହୋଇ ନଥିବାରୁ ତାଙ୍କୁ ନିଯୁକ୍ତି ମିଳିବ ନାହିଁ ବୋଲି କମ୍ପାନି ମନା କରିଦେଇଥିଲା। ତେଣୁ ଅନ୍ୟ କାହାର ବାୟୋ-ଡାଟା ଦେଇ ସେ କାମ କରିପାରିବେ ବୋଲି କମ୍ପାନି ତାଙ୍କୁ କହିଥିଲା। ନାବାଳକଜଣଙ୍କ ତାଙ୍କ ମା’ଙ୍କ ଆଧାରକାର୍ଡ, ଦସ୍ତଖତ ଓ ଅନ୍ୟାନ୍ୟ ତଥ୍ୟ ପଠାଇଥିଲେ। ଏହା ପରେ ଅନ୍‌ଲାଇନ୍‌ରେ କାମ କରିବା ପାଇଁ ଏକ ପଂଜୀକୃତ ଆଇଡି ଖୋଲିବାକୁ ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଥିଲା ଏବଂ ଏ ବାବଦକୁ କିଛି ଟଙ୍କା ମଧ୍ୟ ଦାବି କରାଯାଇଥିଲା।

ନାବାଳକଜଣଙ୍କ ସଂସ୍ଥାର ଦାବି ମୁତାବକ ଟଙ୍କା ପଇଠ କରିବା ପରେ ତାଙ୍କ ମା’ଙ୍କ ନାଁ’ରେ ଏକ ଆଇଡି ଖୋଲାଯାଇଥିଲା। ୧ ଅକ୍ଟୋବରରୁ ସଂସ୍ଥା ଉକ୍ତ ଆଇଡିଟି ସକ୍ରିୟ କରିବା ପରେ କାମ କରିବ ବୋଲି ନାବାଳକଙ୍କୁ କହିଥିଲେ। କିନ୍ତୁ ଅକ୍ଟୋବର ପହିଲା ପୂର୍ବରୁ କମ୍ପାନି ପକ୍ଷରୁ କୁହାଯାଇଥିଲା ଯେ ଆପଣ ଧାର୍ଯ୍ୟ ସମୟ ଆଗରୁ ଉକ୍ତ ଆଇଡିରେ ବାରମ୍ବାର ଲଗ୍‌-ଇନ୍ କରିବାକୁ ଚେଷ୍ଟା କରିଥିବାରୁ ଆକାଉଣ୍ଟକୁ ବ୍ଲକ୍‌ କରିଦିଆଯାଇଛି। ତେଣୁ ଚୁକ୍ତିପତ୍ର ମୁତାବକ, ଆଇଡି ଅନ୍‌ବ୍ଲକ କରିବାକୁ ହେଲେ ପ୍ରାୟ ୮ ହଜାର ଟଙ୍କା ଦେବାକୁ ପଡ଼ିବ। ଆଇଡି ଅନବ୍ଲକ୍ ନ କରି ଯଦି କାମରୁ ଓହରିବାକୁ ଚାହୁଛନ୍ତି, ତେବେ ୫ହଜାର ୪ଶହ ୬୦ଟଙ୍କା ପୈଠ କରିବାକୁ ପଡ଼ିବ। କିନ୍ତୁ ନାବାଳକଜଣଙ୍କ ଜରିମାନା ନ ଦେବାରୁ ସାଇବର୍‌ ଠକ ତାଙ୍କ ମା’ଙ୍କ ନାଁରେ ଏକ ନକଲି ଏଫ୍‌ଆଇଆର୍ ତିଆରି କରି ହ୍ବାଟ୍ସଆପ୍ କରିଥିଲା। ଏହା ପରେ ଏକ ଜାଲ କୋର୍ଟ ଏଗ୍ରିମେଣ୍ଟ୍‌ ମଧ୍ୟ ପଠାଇଥିଲା। ସେଥିରେ ଉଲ୍ଲେଖ ଥିଲା, ଆପଣ ଚୁକ୍ତି ଉଲ୍ଲଙ୍ଘନ କରିଥିବାରୁ ଇଣ୍ଡିଆନ୍ କଣ୍ଟ୍ରାକ୍ଟ ଆକ୍ଟ୍‌ର ସେକ୍ସନ ୭୩ ଓ ୭୪ ଆଧାରରେ ୭୨ହଜାର ୪ଶହ ୫୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ତେବେ ଏ ସଂପର୍କରେ ନାବାଳକଜଣଙ୍କ ପରିବାରଲୋକ ଓ ସାଇବର୍‌ ବିଶେଷଞ୍ଜଙ୍କୁ ଜଣାଇବା ପରେ ଉକ୍ତ ଅଭିଯୋଗପତ୍ର ଓ କୋର୍ଟ ଏଗ୍ରିମେଣ୍ଟ ଜାଲ ବୋଲି ଜଣାପଡ଼ିଥିଲା।

ଏ ସଂପର୍କରେ ବିଶିଷ୍ଟ ସାଇବର୍‌ ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି ଯେ ଠକେଇ ପାଇଁ ସାଇବର୍‌ ଠକଙ୍କ ଏହା ଏକ ନୂଆ କୌଶଳ। କରୋନା ପରେ ବେକାର ଶିକ୍ଷିତ ଯୁବକ/ଯୁବତୀଙ୍କୁ ଟାର୍ଗେଟ୍‌ କରି ଏପରି ଜାଲ ବିଛା ଯାଉଛି। ବିଶେଷକରି ଆର୍ଥିକ ଅନଗ୍ରସର ପିଲାମାନେ ନିଯୁକ୍ତି ପାଇଁ ବ୍ୟାକୁଳ ହେଉଥିବାରୁ ଏହାର ଫାଇଦା ଉଠାଇ ଠକମାନେ ସେମାନଙ୍କୁ ଲୋଭନୀୟ ଦରମା ଦେଖାଇ ଲୁଟୁଛନ୍ତି। ତେଣୁ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ହେଲେ ଯେଉଁ ସଂସ୍ଥା ନିଯୁକ୍ତିପତ୍ର ଦେଉଛି, ତା’ର ସବିଶେଷ ତଥ୍ୟ ଯାଞ୍ଚ କରନ୍ତୁ। ଅନ୍ୟପକ୍ଷରେ ଚାକିରି ପାଇଁ କେବେ ହେଲେ ଅନ୍‌ଲାଇନ୍ ଭଳି ପ୍ଲାଟଫର୍ମକୁ ବାଛନ୍ତୁ ନାହିଁ କି ଟଙ୍କା ପୈଠ କରନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର