ଭୁବନେଶ୍ୱର: ମାତିଛନ୍ତି ସାଇବର ଠକ। କୋଭିଡ୍ କଟକଣା ସମୟରେ ଅନେକ ଅନ୍ଲାଇନ କାରବାର କରୁଥିବା ବେଳେ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଛନ୍ତି ଠକ। ନିକଟ ଅତୀତରେ କ୍ରେଡିଟ କାର୍ଡ ଅପଡେଟ କରିବା ଆଳରେ ଲଷ୍ମୀସାଗର ଅଂଚଳରେ ଜଣେ ଶିକ୍ଷୟିତ୍ରୀଙ୍କୁ ଠକି ଥିବା ବେଳେ ମଞ୍ଚେଶ୍ୱର ଥାନାରେ ଅନୁରୂପ ଅଭିଯୋଗ ହୋଇଛି। ଜଣେ ବ୍ୟବସାୟୀଙ୍କ କ୍ରେଡିଟ୍ କାର୍ଡରୁ ଦୁଇ ଲକ୍ଷ ଲୁଟି ନେଇଛନ୍ତି ଅପରାଧୀ। ଏ ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ବ୍ୟାଙ୍କ ଶାଖାରେ ମଧ୍ୟ ଅଭିଯୋଗ ହୋଇଛି।
ଏଭଳି ଠକେଇର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ମଞ୍ଚେଶ୍ୱରର ଭାଗ୍ୟଧର ପଶୁପାଳକ। ଭାଗ୍ୟଧରଙ୍କୁ ମଞ୍ଚେଶ୍ୱର ଆକ୍ସିସ ବ୍ୟାଙ୍କ ଶାଖା ପକ୍ଷରୁ ଏକ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଥିଲା। ଗତ ଜୁନ୍ ୧୬ ତାରିଖରେ ତାଙ୍କର କ୍ରେଡିଟ କାର୍ଡ ପହଞ୍ଚିଥିଲା। ହେଲେ ପିନ୍ ନମ୍ବର ପହଞ୍ଚିନଥିଲା। ସାଇବର ଠକ ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ କ୍ରେଡିଟ କାର୍ଡର ପିନ୍ ନମ୍ବର ଦେବା ପାଇଁ ଫୋନ କରିଥିବା କହିଥିଲେ। ଏଥିପାଇଁ କାର୍ଡ ନଂ ଓ ଫୋନ କୁ ଆସିଥିବା ଓଟିପି ମାଗି ନେଇଥିଲେ। ଜୁନ ୨୦ ତାରିଖରେ ପ୍ରଥମେ ସେମାନେ ଭାଗ୍ୟଧରଙ୍କଠାରୁ ଓଟିପି ନେଇ ୯୦ ହଜାର ୧୫୭ ଟଙ୍କା ପୁଣି ଓଟିପି ମାଗି ୯୬ ହଜାର ୨୩୫ ଟଙ୍କା ଉଠାଇ ନେଇଥିଲେ।
୨୪ ତାରିଖରେ ୨୦ ହଜାର ୨୫୮, ୧୦ ହଜାର ୧୨୮ ଟଙ୍କା ଦୁଇଥର ଉଠାଇଥିଲେ। ସେହିଭଳି ୨୫ ତାରିଖରେ ୧୩ ହଜାର ୧୬୯ ଓ ୩୦୦ ଟଙ୍କା ସାଇବର ଅପରାଧିମାନେ କ୍ରେଡିଟ କାର୍ଡରୁ ନେଇ ଯାଇଥିଲେ। ୨୦ରୁ ୨୭ ତାରିଖ ମଧ୍ୟରେ ଏଭଳି ଭାଗ୍ୟଧରଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ ନିଜକୁ ବ୍ୟାଙ୍କ ଅଧିକାରୀର ପରିଚୟ ଦେଇ ପିନ୍ ଜେନେରେଟ୍ କରିବା ଆଳରେ ୧ ଲକ୍ଷ ୯୯ ହଜାର ୮୭୯ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଭାଗ୍ୟଧର ମାସ ମାସ ଧରି ବ୍ୟାଙ୍କ ଚକ୍କର କାଟିବା ପରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ଏହି ଠକେଇର କ୍ରେଡିଟ କାର୍ଡ ପ୍ରଦାନ କରୁଥିବା ସଂସ୍ଥାର କର୍ମଚାରୀ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। କ୍ରେଡିଟ କାର୍ଡ ଆସିବା, ପିନ୍ ନଥିବା, ଭାଗ୍ୟଧରଙ୍କ ଫୋନ ନଂ ଏ ସବୁ ତଥ୍ୟ ସଠିକ ଭାବରେ ଠକ ଜାଣିଥିବାରୁ ପୁଲିସ ବ୍ୟାଙ୍କର ସମ୍ପୃକ୍ତିକୁ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Online-shopping-fraud-hackers-Christmas-734526.jpg)