ମାଟ୍ରିମୋନି ସାଇଟ୍‌ରେ ଫସି ଯୁବତୀ ହରାଇଲେ ୨୦ ଲକ୍ଷ, ମାମଲା ରୁଜୁ ପରେ ସାଇବର ପୁଲିସର ତନାଘନା

ଭୁବନେଶ୍ୱର : ମାଟ୍ରିମୋନି ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ କରି ଜଣେ ଯୁବତୀ ଫସି ଯାଇଛନ୍ତି। ସାଇବର ଠକଙ୍କ ଶିକାର ହୋଇ ୨୦ ଲକ୍ଷ ଟଙ୍କା ହରାଇଛନ୍ତି। ଏ ନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ଠକେଇର ଶିକାର ହୋଇଥିବା ଯୁବତୀ ହେଲେ କେନ୍ଦ୍ରାପଡ଼ାର। ମିଳିଥିବା ସୂଚନା ଅନୁସାରେ, ଯୁବତୀଜଣଙ୍କ ଭାରତ ମାଟ୍ରିମୋନିର ସିଲ୍‌ଭର ମେମ୍ବରସିପ୍ ସାଇଟ୍‌ର ସଦସ୍ୟ ଥିଲେ। ସେହି ସାଇଟ୍ ଜରିଆରେ ଅଜିତ ନାମରେ ଜଣେ ବ୍ୟକ୍ତି ଯୁବତୀଙ୍କ ସହ ହ୍ବାଟ୍‌ସଆପ୍‌ରେ ଯୋଗାଯୋଗ କରିଥିଲା। ସେମାନଙ୍କ ଭିତରେ ବନ୍ଧୁତା ବଢ଼ିବା ପରେ ଚାଟିଂ କରିଥିଲେ। ସାଇବର ଠକ ଏକ ଗିଫ୍ଟ ତାଙ୍କ ପାଇଁ ପଠାଇବାକୁ ଚାହୁଛନ୍ତି ଓ ଏଥିପାଇଁ ସେ ତାଙ୍କ ଠିକଣା ମାଗିଥିଲେ। କିନ୍ତୁ ଯୁବତୀ ଠିକଣା ଦେବାକୁ ମନା କରିବାରୁ କେବଳ ଫୁଲ ଓ ଚକୋଲେଟ୍ ପଠାଇବାକୁ ଅନୁରୋଧ କରିଥିଲା ସାଇବର ଠକ। ସେ ରାଜି ହୋଇ ଠିକଣା ଦେବାର କିଛି ଦିନ ପରେ ଜଣେ ଯୁବତୀ ନିଜକୁ ବିଦେଶର ଏକ କୋରିଅର ସଂସ୍ଥାର କର୍ମଚାରୀ ବୋଲି ପରିଚୟ ଦେଇ ଫୋନ୍ କରି ଗିଫ୍ଟ ଆସିଥିବା କହିଥିଲେ। ଏଥିପାଇଁ ୨୫ହଜାର ଟଙ୍କା ଡେଲିଭରି ଚାର୍ଜ ପଡ଼ିବ ବୋଲି କହିଥିଲେ।

ସାଇବର ଠକ ଅନୁରୋଧକ୍ରମେ ଯୁବତୀ ୨୫ ହଜାର ଟଙ୍କା ଦେଇଥିଲେ। ଏହା ପରେ କୋରିଅର କମ୍ପାନି କର୍ମଚାରୀ ପରିଚୟ ଦେଇଥିବା ଯୁବତୀ ବାରମ୍ବାର ଟଙ୍କା ମାଗିଥିଲେ। ଯଦି ଟଙ୍କା ନ ଦିଅନ୍ତି ଅଜିତକୁ ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ପୂରାଇ ଦେବେ ବୋଲି ଧମକ ଦେଇଥିଲେ। ଅଭିଯୋଗକାରୀ ଯୁବତୀ ୨ ଲକ୍ଷ ୩୩ ହଜାର ଟଙ୍କା ଦେଇଥିଲେ। ଏହା ପରେ ବ୍ଲାକମେଲ୍‌ର ଶିକାର ହୋଇ ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ୪୮ ହଜାର ୯୪୯ଟଙ୍କା ଦେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ଥାନା‌ର ଦ୍ବାରସ୍ଥ ହେବାରୁ ଆଇପିସି ଦଫା-୪୧୯,୪୨୦,୩୪ ଏବଂ ଆଇଟି ଆଇନର ଧାରା-୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଛି।

ରେଳ ଷ୍ଟେସନରୁ ଧରାପଡ଼ିଲା ସାଇବର ଠକ
ମୁମ୍ବାଇ ଯିବା ପୂର୍ବରୁ ଗିରଫ କଲା ପୁଲିସ, ସିମ୍ ବ୍ଲକ୍ କରି ୯୦ ହଜାର ଠକିଥିଲା
ଭୁବନେଶ୍ବର : ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବର ବ୍ଲକ୍ କରି ୯୦ ହଜାର ଟଙ୍କା ଠକେଇ କରିଥିବା ସାଇବର ଠକ ଦୁଇ ବର୍ଷ ପରେ ପୁଲିସ ହାତରେ ଧରାପଡ଼ିଛି। ଗିରଫ ଠକ ହେଲା କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ଅନିଲ କୁମାର ବେହେରା(୨୯)। ମୁମ୍ବାଇ ଯିବା ପୂର୍ବରୁ ପ୍ରସ୍ତୁତ ହେଉଥିବା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଉଠାଇ ନେଇଛି କ୍ୟାପିଟାଲ ଥାନା ପୁଲିସ। ପୁଲିସ ସୂଚନା ଅନୁସାରେ, ଅନିଲ ଜଣେ ବ୍ୟକ୍ତିଙ୍କ ସିମ୍‌କାର୍ଡକୁ କୌଶଳକ୍ରମେ ବ୍ଲକ୍ କରି ଏହାର ନକଲି ସିମ୍ ବାହାର କରିଥିଲା। ଏହି ସିମକାର୍ଡକୁ ଜିଓ ନମ୍ବରକୁ ବଦଳାଇ ଦେଇଥିଲା। ସେହି ନମ୍ବରଟି ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ ଥିଲା। ବ୍ୟାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଉଠାଇ ନେଇଥିଲା। ଅଭିଯୋଗକାରୀଙ୍କ ସିମ୍‌କାର୍ଡରୁ ଯେତେବେଳ କଲ୍ ଯାଇ ନ ଥିଲା ଓ ଏହା ବ୍ଲକ୍ ହୋଇଥିବା ନେଇ ସେ ଜାଣିବାକୁ ପାଇଥିଲେ ଏହାର ଅନୁସନ୍ଧାନ କରିଥିଲେ। ବ୍ୟାଙ୍କରୁ ଠକେଇର ଶିକାର ହୋଇଥିବା ମଧ୍ୟ ଜାଣିଥିଲେ। ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ୨୦୧୯ ଅକ୍ଟୋବର ୧୦ରେ ପୁଲିସ ଆଇପିସି ଦଫା-୪୨୦ ଓ ଆଇଟି ଆଇନର ଧାରା-୬୬(ସି), ୬୬(ଡି)ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ଲୁଚି ଲୁଚି ବାହାରେ ବୁଲୁଥିବା ବେଳେ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର