ନଭେମ୍ବରରେ ୭୭ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର ଠକ

ଫେରିଛି ପ୍ରାୟ ୨୭ ଲକ୍ଷ ଟଙ୍କା

ଭୁବନେଶ୍ୱର : ଭୁବନେଶ୍ବରସ୍ଥିତ ସାଇବର ସେଲ୍‌ରେ ନଭେମ୍ବର ମାସରେ ସାରା ରାଜ୍ୟରୁ ୪୬୦ଟି ସାଇବର ଠକେଇ ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୨୪୬ଟି କେବଳ ଭୁବନେଶ୍ବରରୁ ଆସିଥିବା ଡିସିପି କାର୍ଯ୍ୟାଳୟ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ୨୪୬ଟି ଠକେଇ ମଧ୍ୟରୁ ସର୍ବାଧିକ ୯୬ଟି ୟୁପିଆଇଜନିତ ଠକେଇ ଅଭିଯୋଗ ହୋଇଥିବା ବେଳେ ୩୬ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଏବଂ ୧୧୩ଟି ଅନ୍ୟାନ୍ୟ ଉପାୟରେ ସାଇବର ଠକେଇ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ଭୁବନେଶ୍ବରରୁ ସାଇବର ଠକମାନେ ୭୭ଲକ୍ଷ ୪୨ହଜାର ୬ଶହ ୯୬ଟଙ୍କା ଲୁଟିନେଇଥିବା ବେଳେ ସାଇବର ସେଲ୍ ମାତ୍ର ୨୬ଲକ୍ଷ ୯୭ହଜାର ଟଙ୍କା ଫେରସ୍ତ କରିବାର ସକ୍ଷମ ହୋଇଛି। ସାଇବର ସେଲ୍‌ରେ ଠକେଇ ହୋଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୧୩ଟି ଅଭିଯୋଗ ଭୁବନେଶ୍ବରର ବିଭିନ୍ନ ଥାନାରେ ଅଭିଯୋଗ ପଞ୍ଜୀକରଣ ହୋଇଥିବା ବେଳେ ସାଇବର ଠକ ଦ୍ବାରା ଆସିଥିବା ୫୯ଟି ନମ୍ବରକୁ ପୁଲିସ ବ୍ଲକ କରିଛି।

ଜାରି ହୋଇଥିବା ବିବୃତିରେ ଉଲ୍ଲେଖ ହୋଇଛି, ଇନ୍‌ଫୋସିଟି ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କୁ ସାଇବର ଠକ ୭୫ହଜାର ଟଙ୍କା ଲୁଟି ନେଇଥିବା ବେଳେ ସେଥିମଧ୍ୟରୁ ୭୦ହଜାର ଟଙ୍କା ଠକ କବଳରୁ ଫେରସ୍ତ କରାଯାଇଥିଲା। ସେହିଭଳି ନୂଆପଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଖରୁ ଲକ୍ଷେ ୪୦ହଜାର ଟଙ୍କା ଠକେଇ ହୋଇଥିବା ବେଳେ ଡିସିପି ସାଇବର ହେଲ୍ପ ଡେସ୍କ୍‌ ଉଦ୍ୟମ କ୍ରମେ ୯୭ହଜାର ଟଙ୍କା ବ୍ୟକ୍ତି ଜଣକ ଫେରିପାଇଥିଲେ। ଏହି କ୍ରମରେ ସମାନ ଉପାୟରେ ଭରତପୁର ଥାନା ଅଞ୍ଚଳରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଲକ୍ଷାଧିକ ଟଙ୍କା ମଧ୍ୟ ଫେରସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର