ଭୁବନେଶ୍ବର : ସମଗ୍ର ଦେଶରେ ଚିଟ୍ଫଣ୍ଡ ମାମଲାରେ କୋଟିକୋଟି ଲୋକ ସର୍ବସ୍ବାନ୍ତ ହୋଇଛନ୍ତି। ସିବିଆଇ ଚଢ଼ଉ କରି ଚିଟ୍ଫଣ୍ଡ ସଂସ୍ଥାର ମାଲିକମାନଙ୍କୁ ବାନ୍ଧି ଜେଲ୍ରେ ପୂରାଇଛି। ଚିଟ୍ଫଣ୍ଡ ଗ୍ରାହକମାନେ କିନ୍ତୁ ବିନିଯୋଗ କରିଥିବା ପୁଞ୍ଜି ଫେରିପାଇନାହାନ୍ତି। ଏତେ ସତ୍ତ୍ବେ ଲୋକେ ସଚେତନ ହେଲେନି। ସାଇବର ଠକଙ୍କ ଦ୍ବାରା ପରିଚାଳିତ ଅନ୍ଲାଇନ୍ ଚିଟ୍ଫଣ୍ଡ ମାୟାରେ ପୁଣି ଫସିଛନ୍ତି। ବିନିଯୋଗ ଅର୍ଥର ୧୩୩ ଗୁଣା ଫେରସ୍ତ ପାଇବାର ଲୋଭଗ୍ରସ୍ତ ହୋଇ ୫ ହଜାରରୁ ଅଧିକ ଗ୍ରାହକ ପାଖାପାଖି ୫୦ କୋଟି ଟଙ୍କା ହରାଇଥିବା ଜଣାପଡ଼ିଛି। କମ୍ ବିନିଯୋଗରେ ଅଧିକ ଫେରସ୍ତର ଲୋଭ ଦେଖାଇ ସାଇବର ଠକ ରୢାକେଟ୍ ପୁଣି ହଜାର ହଜାର ଲୋକଙ୍କୁ ଚୂନ ଲଗାଇଛି। ସୋମବାର ଦିନ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହେବା ପରେ ଘଟଣାଟି ପ୍ରଘଟ ହୋଇଛି।
ଅଭିଯୋଗ ଅନୁସାରେ ଏକ ଅନ୍ଲାଇନ୍ ଅର୍ଥଲଗାଣକାରୀ ସଂସ୍ଥା ହେଲେନ୍ ଓ ରାନୀ ସିଂ ନାମରେ ଏକାଧିକ ହ୍ବାଟ୍ସଆପ୍ ଗ୍ରୁପ୍ ଖୋଲିଥିଲା। ୨୦ ରୁ ଅଧିକ ହ୍ବାଟ୍ସଆପ୍ ଗ୍ରୁପ୍ ଜରିଆରେ ୫ ହଜାରରୁ ଅଧିକ ସଦସ୍ୟ ସଂଗ୍ରହ କରାଯାଇଥିଲା। ଏହି ଗ୍ରୁପ୍ରେ ଲିଙ୍କ୍ ପଠାଯିବା ସହ ଆପ୍ ଡାଉନ୍ଲୋଡ୍ କରି ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ କରିବାକୁ କୁହାଯାଇଥିଲା। ସେଥିରେ ମୋବାଇଲ ନମ୍ବର, ବ୍ୟକ୍ତିଗତ ତଥ୍ୟ ସହ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ଦେବାକୁ ପଡ଼ୁଥିଲା। କୁହାଯାଇଥିଲା, ‘ଘରେ ବସି ପାଆନ୍ତୁ ବିପୁଳ ଟଙ୍କା। କୁଆଡ଼େ ଯିବାକୁ ପଡ଼ିବନି। ସବୁ ମୋବାଇଲରେ ହୋଇଯିବ। ଶହେ ଟଙ୍କା ବିନିଯୋଗ କଲେ ମିଳିବ ୧୩ ହଜାର ୩ ଶହ ଟଙ୍କା। ମାନେ ୧୩୩ ଗୁଣା। ତା ପୁଣି ସପ୍ତାହେ ଭିତରେ। ଯାହା ସ୍ବପ୍ନରେ ବି ଚିନ୍ତା କରି ନ ଥିବେ। ରାତାରାତି କୋଟିପତି ହୋଇଯିବେ।’ ଏମିତି ଲୋଭନୀୟ ଅଫର୍ ମାୟାରେ ପଡ଼ିଗଲେ ଶହ ଶହ ଯୁବକ, ଯୁବତୀ ଓ ଗୃହିଣୀମାନେ। ଅଧିକ ବିନିଯୋଗ କରିବାକୁ ପଡ଼ୁନଥିବାରୁ ହରାଇବାର ଭୟ ବି ନଥିଲା। ତେଣୁ ଲୋଭରେ ପଡ଼ି କିଛି ଜମାକାରୀମାନେ ପ୍ରଥମେ ୫ ଶହ ଟଙ୍କାରୁ ଆରମ୍ଭ କରି ବିନିଯୋଗ କଲେ। ସଦସ୍ୟତା ପାଇଁ ୫ ଶହ ଟଙ୍କାର ରିଚାର୍ଜ କଲେ। ଆରମ୍ଭରୁ କିଛି ଜମାକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା। ତା ପୁଣି ଚୁକ୍ତି ଅନୁସାରେ। ତେଣୁ ଲୋଭ ବଢ଼ିଲା। କିଛି ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କଲେ। ଏହି ମଉକାକୁ ଅପେକ୍ଷା କରିଥିଲା ସାଇବର ଠକ ରୢାକେଟ୍। ଆଉ ଟଙ୍କା ଫେରସ୍ତ ଆସି ନ ଥିଲା। ସଦସ୍ୟମାନେ ଯେଉଁ ରେଜିଷ୍ଟ୍ରେସନ ଫି’ ଦେଇଥିଲେ, ତାହା ମଧ୍ୟ ହରାଇବାକୁ ପଡ଼ିଲା। କେବଳ ସେତିକି ନୁହେଁ, ନାମୀଦାମୀ କମ୍ପାନିର ସେୟାର ନାଁରେ ମଧ୍ୟ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ବଡ଼ କଥା ହେଉଛି ଏହା ସାଇବର ଠକଙ୍କ କାମ ହୋଇଥିବାରୁ ରେଜିଷ୍ଟ୍ରେସନ ସମୟରେ ଦିଆ ଯାଇଥିବା ବ୍ୟକ୍ତିଗତ ତଥ୍ୟକୁ ଆଧାର କରି ଅନ୍ଲାଇନ୍ ଠକେଇ ହୋଇଥିବା ଜଣାପଡ଼ିଛି। ଆଜି ଭୁବନେଶ୍ବର ଓ କଟକର ୨୦ରୁ ଅଧିକ ଜମାକାରୀ ସାଇବର ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଲା ପରେ ଅନୁସନ୍ଧାନ ଆରମ୍ଭ କରିଛି ସାଇବର ଥାନା। ହେଲେନ୍ ଓ ରାନୀ ସିଂ କିଏ, ସେମାନଙ୍କୁ ଠାବ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଜାଲ୍ ଆଇଡି ହୋଇଥିଲେ ବି ମୋବାଇଲ୍ ନମ୍ବରକୁ ଅଧାର କରି ପୁଲିସ ସେମାନଙ୍କୁ ଠାବ କରିବ ବୋଲି ଆଶା କରାଯାଉଛି।
କେବଳ ଏହି ସଂସ୍ଥା ନୁହେଁ ପୂର୍ବରୁ ମଧ୍ୟ ଅନ୍ଲାଇନ୍ ଚିଟ୍ଫଣ୍ଡ ମାଧ୍ୟମରେ ରାଜ୍ୟରୁ ଶହ ଶହ କୋଟି ଟଙ୍କା ଠକେଇ ହୋଇଛି। କୋଭିଡ୍ ସମୟରେ ଏହି ଅନ୍ଲାଇନ୍ ଚିଟ୍ଫଣ୍ଡ ବେଶ୍ ସକ୍ରିୟ ଥିଲା। ଲୋକମାନେ ଆର୍ଥିକ ସଂକଟରେ ଛଟପଟ ହେଉଥିବା ବେଳେ ଲୋଭରେ ପଡ଼ି ଏଭଳି ଠକାମିର ଶିକାର ହୋଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ୧୩୩ ଗୁଣା ଅର୍ଥ ଫେରସ୍ତ ଭଳି ଅବିଶ୍ବସନୀୟ ଅଫର୍କୁ କେମିତି ଲୋକେ ସହଜରେ ବିଶ୍ବାସ କରି ଯାଉଛନ୍ତି? ଶହ ଶହ କୋଟି ଲୁଟ୍ ହୋଇ ସାରିଥିଲେ ମଧ୍ୟ କାହିଁକି ଏ ଦିଗରେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସଚେତନତା କରାଯାଉ ନାହିଁ? ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଅନ୍ଲାଇନ୍ ଚିଟ୍ଫଣ୍ଡକୁ ପ୍ରଥମେ ଭଲ ଭାବେ ଯାଞ୍ଚ କରିବା କଥା। ଲୋକେ ଲୋଭରେ ପଡ଼ି ଏଭଳି ଲୁଟ୍କୁ ମଉକା ଦେଉଛନ୍ତି। କୌଣସି ସଂସ୍ଥାରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ସେ ଚେତାଇ ଦେଇଛନ୍ତି।