ଅପରାଧୀଙ୍କ ହାତରେ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ତଥ୍ୟ
ଠକେଇ ଟଙ୍କା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଭୁବନେଶ୍ବରର
ଅଭିଯୋଗକାରୀ ସାଇବର ଥାନାର ଦ୍ବାରସ୍ଥ

Advertisment

ଭୁବନେଶ୍ବର : ଘରେ ବେକାର ବସିଛନ୍ତି କି? ଚିନ୍ତା କରନ୍ତୁ ନାହିଁ। ଘରେ ବସି ସପ୍ତାହରୁ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ହେବ। ଏମିତି ଲୋଭ ଦେଖାଇ ରାଜ୍ୟର ହଜାର ହଜାର ଯୁବକଯୁବତୀଙ୍କ ଠାରୁ ସାଇବର ଠକ ଠକି ନେଇଛନ୍ତି କୋଟି କୋଟି ଟଙ୍କା। ଅଭିଯୋଗକାରୀମାନେ ଆଜି ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଠକେଇ ଟଙ୍କା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ଭୁବନେଶ୍ବରର ବୋଲି ଜଣାପଡ଼ିଛି। ଓଡ଼ିଶାରୁ ଏହା ଅପରେଟ୍ ହେଉଥିବା ସ୍ପଷ୍ଟ ହୋଇଥିବା ବେଳେ ପଛରେ ବାହାର ରାଜ୍ୟ ଓ ବିଦେଶୀ ମାଷ୍ଟରମାଇଣ୍ଡ ଥିବା କୁହାଯାଉଛି।

publive-image
ଅଭିଯୋଗକାରୀଙ୍କ କହିବା ଅନୁସାରେ, ସେ ତାଙ୍କର ଜଣେ ସାଙ୍ଗଙ୍କ ଠାରୁ ଜାଣିବାକୁ ପାଇଥିଲେ ଭିଡବ୍ଲୁଇଏମ୍.ଇନ୍ ନାଁରେ ଏର ‌ୱେବସାଇଟ୍ ରହିଛି। ଏହି ‌ୱେବ୍‌ସାଇଟରେ ରେଜିଷ୍ଟ୍ରେସନ କରିବା ସହ ଏଥିରେ ଆସୁଥିବା ଭିଡିଓ ଦେଖିଲେ ଟଙ୍କା ମିଳିବ। କିନ୍ତୁ ରେଜିଷ୍ଟ୍ରେସନ ବାବଦରେ ତିନି ପ୍ରକାର ଅର୍ଥାତ ୧୨୫୦ ଟଙ୍କା, ୨୫୦୦ ଟଙ୍କା ଓ ୫୫୦୦ ଟଙ୍କା ଦେବାକୁ ପଡ଼ିବ। ୫୫୦୦ ଟଙ୍କା ଦେଇ ସଦସ୍ୟ ହେଉଥିବା ବ୍ୟକ୍ତି ଦିନକୁ ୩୦ଟି ଭିଡିଓ ଦେଖିଲେ ତାଙ୍କୁ ପ୍ରାୟ ୨ ଶହ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି କୁହାଯାଇଥିଲା। ଏହା ରାଜ୍ୟସାରା ବ୍ୟାପିଯିବା ସହ ହଜାର ହଜାର ଯୁବକ ଯୁବତୀ ଓ ବ୍ୟକ୍ତି ଏଥିରେ ସଦସ୍ୟ ହୋଇଥିଲେ। ସେହିପରି ରେଜିଷ୍ଟ୍ରେସନ କରିଥିବା ସଦସ୍ୟଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେ ଡିପୋଜିଟ୍ କରିଥିବା ଟଙ୍କା ଠାରୁ ଅର୍ଥ ଅଧିକ ଆସିଥାଏ। ଜଣେ ଯଦି ଅନ୍ୟ ଜଣଙ୍କୁ ସଦସ୍ୟ କରାଉଛି ତାହେଲେ କମିସନ ମଧ୍ୟ ମିଳୁଥିଲା। ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଟଙ୍କା ମିଳିଲା। କିନ୍ତୁ ତା ପରେ ହଠାତ୍ ବନ୍ଦ ହୋଇଗଲା। ଆହୁରି ଚିନ୍ତାର ବିଷୟ ହେଉଛି ରେଜିଷ୍ଟ୍ରେସନ ସମୟରେ ସାଇବର ଅପରାଧୀମାନେ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ଥିବା ମୋବାଇଲ ଫୋନ୍ ନମ୍ବର ନେଇ ଯାଇଛନ୍ତି। ତେଣୁ ପରବର୍ତ୍ତୀ ସମୟରେ ସାଇବର ଅପରାଧୀମାନେ ଆହୁରି ଠକେଇ କରିବାର ସମ୍ଭାବନା ରହିଛି।

ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଅନଲାଇନ୍ ଚିଟ୍‌ଫଣ୍ଡ, ଘରେ ବସି ଭିଡିଓ ଦେଖିବା, ଲାଇକ୍ କରିବା ଓ ସେୟାର କଲେ ଟଙ୍କା ମିଳିବା ଭଳି ଠକେଇର ଜାଲ ବିଛାଉଛନ୍ତି ଠକ। ସାଇବର ଠକଙ୍କ ଏଭଳି ଲୋଭରେ ପଡ଼ନ୍ତୁ ନାହିଁ। ସେମାନଙ୍କୁ ଟଙ୍କା ଦିଅନ୍ତୁ ନାହିଁ। ଟଙ୍କା ଦେବା ପୂର୍ବରୁ ଏହି ‌ୱେବ୍‌ସାଇଟକୁ ଭଲ ଭାବେ ଯାଞ୍ଚ କରନ୍ତୁ। ଠକେଇରୁ ରକ୍ଷା ପାଇ ପାରିବେ।