ଗରିବକୁ ମୋହରା ବନାଇଲେ ସାଇବର ଠକ; ଆକାଉଣ୍ଟରେ ୧୪ ଲକ୍ଷର କାରବାର, ମହୀଶୂର ପୁଲିସ ପକ୍ଷରୁ ଖୋଳତାଡ଼

ମହାକାଳପଡା : କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ଜଣେ ନିରୀହ ଗରିବ ବ୍ୟକ୍ତିଙ୍କୁ ମୋହରା ବନାଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଜରିଆରେ ପାଖାପାଖି ୧୪ ଲକ୍ଷ ଟଙ୍କା ଜମା ଓ ଉଠାଣ ହୋଇଥିବା ଘଟଣା ନଜରକୁ ଆସିଛି। ଏ ନେଇ କର୍ଣ୍ଣାଟକର ମହୀଶୂର ଜିଲ୍ଲା ସାଇବର କ୍ରାଇମ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ସଂପୃକ୍ତ ଥାନା ପକ୍ଷରୁ ମହାକାଳପଡ଼ା ବ୍ଲକ୍‌ ରାମନଗରସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ତିଆ ଶାଖା ପରିଚାଳକଙ୍କୁ ନୋଟିସ୍‌ କରାଯିବା ସହିତ ଉକ୍ତ ଗରିବ ବ୍ୟକ୍ତିଙ୍କ ଜମାଖାତାକୁ ରଦ୍ଦ କରି ଦିଆଯାଇଛି।

ସୂଚନା ଅନୁସାରେ, ମହାକାଳପଡ଼ା ବ୍ଲକ୍‌ ପେଟଛେଲା ପଞ୍ଚାୟତ କେନ୍ତିଆ ଗ୍ରାମର ଗୋବିନ୍ଦ ସ୍ବାଇଁ ପେସାରେ ଜଣେ କ୍ଷୁଦ୍ର ଚାଷୀ। ୨୦୧୫ ମସିହାରେ ଧନଜନ ଯୋଜନାରେ ରାମନଗର ଶାଖା ଅଧୀନରେ ଥିବା ପେଟଛେଲା ଗ୍ରାହକ ସେବାକେନ୍ଦ୍ରରେ ଏକ ଜିରୋ ଆକାଉଣ୍ଟ ଖୋଲିଥିଲେ। ଗତକାଲି ତାଙ୍କର ଜଣେ ସମ୍ପର୍କୀୟ ତାଙ୍କ ଆକାଉଣ୍ଟ୍‌କୁ ୨ ହଜାର ଟଙ୍କା ପଠାଇ ଥିବାରୁ ସେ ତାହାକୁ ଉଠାଣ ପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଯାଇଥିଲେ। ଗ୍ରାହକ ସେବାକେନ୍ଦ୍ର ଦାୟିତ୍ବରେ ଥିବା ରାମଚନ୍ଦ୍ର ମାଇତି ଗୋବିନ୍ଦଙ୍କୁ ପ୍ରଥମେ ରାମନଗର ଶାଖାରେ କେୱାଇସି ଫର୍ମ ଦେଇ ଟଙ୍କା ଉଠାଣ କରିବାକୁ କହିଥିଲେ। ଗୋବିନ୍ଦ ରାମନଗର ଷ୍ଟେଟ ବ୍ୟାଙ୍କ ଶାଖାରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ତାଙ୍କ ଆକାଉଣ୍ଟରେ ଗତ ଜାନୁଆରି ଓ ଫେବ୍ରୁଆରି ମାସରେ ଲକ୍ଷାଧିକ ଟଙ୍କା ଜମା ଓ ଉଠାଣ ହୋଇଛି। ସେଥିପାଇଁ ମହୀଶୂର ସାଇବର କ୍ରାଇମ ପୁଲିସର ଅନୁରୋଧ କ୍ରମେ ତାଙ୍କ ଆକାଉଣ୍ଟ୍‌ ନମ୍ବରକୁ ରଦ୍ଦ କରି ଦିଆଯାଇଛି। ତେବେ ସେ ଏତେ ଗୁଡିଏ ଟଙ୍କା ଜମା କରିନାହାନ୍ତି କି ଉଠାଇ ମଧ୍ୟ ନାହାନ୍ତି ବୋଲି ଗୋବିନ୍ଦ କହିବା ସହ ଏ ନେଇ ଆଜି ମହାକାଳପଡା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।

ଗୋବିନ୍ଦଙ୍କ କହିବା ଅନୁଯାୟୀ, ସେ ଏଟିଏମ୍‌ କାର୍ଡ କରିଥିଲେ ମଧ୍ୟ ଗ୍ରାହକ ସେବା କେନ୍ଦ୍ର ଦାୟିତ୍ବରେ ଥିବା ରାମଚନ୍ଦ୍ର ମାଇତିଙ୍କ ନିକଟରେ ତା’ର ପାସ୍‌ୱାର୍ଡ ରହୁଥିଲା। ଆବଶ୍ୟକ ସମୟରେ ଏଟିଏମ କାର୍ଡ ଆଣି ସେ ଗ୍ରାହକ ସେବା କେନ୍ଦ୍ରରୁ ପଇସା ଉଠାଉଥିଲେ।
ତେବେ ଏହି ଆକାଉଣ୍ଟ୍‌ରୁ ସେ କେବେ ୨ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଇ ନାହାନ୍ତି। ସେହିପରି ନିଜର ଆକାଉଣ୍ଟ୍‌ରେ ଜମା ଥିବା ଟଙ୍କାର ପରିମାଣ ମଧ୍ୟ ତଦାରଖ କରି ନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ଗୋବିନ୍ଦଙ୍କ ଅଗୋଚରରେ ତାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା କିଏ ଓ କାହିଁକି ପଠାଉଥିଲା ଏବଂ କିଏ କିପରି ଉକ୍ତ ଟଙ୍କାକୁ ଉଠାଇ ନେଉଥିଲା, ତାହା ସ‌‌ନ୍ଦେହଘେରରେ ରହିଛି।

ଗତ ଜାନୁଆରି ୧୨ ତାରିଖରେ ଗୋବିନ୍ଦଙ୍କ ଆକାଉଣ୍ଟରୁ ମୋଟ ୧୯ ଥର କାରବାର ହୋଇଥିବା ବେଳେ ଫେବ୍ରୁଆରି ୪ ତାରିଖରେ ସର୍ବାଧିକ ୪୮ ଥର କାରବାର ହୋଇଥିବା ସୂଚନା ମିଳିଛି। ଏହିପରି, ପାଖାପାଖି ୧୪ ଲକ୍ଷ ଟଙ୍କା ଜମା ଓ ଉଠାଣ ହୋଇଥିବା କୁହାଯାଉଛି। ଜଣେ ଜିରୋ ଆକାଉଣ୍ଟଧାରୀ ବ୍ୟକ୍ତିଙ୍କ ଆକାଉଣ୍ଟ୍‌କୁ ଲକ୍ଷାଧିକ ଟଙ୍କା ଆସିବା ଓ ଉଠାଣ ହେଉଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ତରଫରୁ କୌଣସି ଅନୁସନ୍ଧାନ ନ କରି ଏତେ ଦିନ ଚୁପ ରହିବା ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ସାଇବର ଥାନାର ଖୋଳତାଡ଼ ପରେ ଏବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିଦ ହଜିଛି।

ସମ୍ବନ୍ଧିତ ଖବର