ସେକ୍ସଟର୍ସନ ଫାଶରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ

ପୁଲିସ ନାଁ ନେଇ ୨୫ ହଜାର ଲୁଟ୍‌, ତଥାପି ସରୁନି ବ୍ଲାକମେଲ୍

ଭୁବନେଶ୍ବର : ସେକ୍ସଟର୍ସନ ଜାଲରେ ଫସାଇ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲୁଟି ସାରିଲାଣି ସାଇବର ଠକ। ଏନେଇ ଆଜି ଠକାମିର ଶିକାର ବ୍ୟକ୍ତି ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସାଇବର ଥାନା ପୁଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ପ୍ରାୟ ୫ ଦିନ ପୂର୍ବେ ରାଜଧାନୀରେ ରହୁଥିବା ଏହି ବ୍ୟକ୍ତିଙ୍କ ହ୍ବାଟ୍‌ସଆପ୍ ନମ୍ବରକୁ ଦିଲ୍ଲୀର ନେହା ନାମକ ଜଣେ ଯୁବତୀଙ୍କ ନମ୍ବରରୁ ମେସେଜ୍ ଆସିଥିଲା। କିନ୍ତୁ ମଡେଲ ଛଦ୍ମବେଶରେ ଥିବା ନେହା ଯେ ଜଣେ ସାଇବର ଠକ ବୋଲି ସେ ବୁଝିପାରିନଥିଲେ। କଥାବାର୍ତ୍ତା ଭିତରେ ନେହା ତାଙ୍କୁ ଭଲ ପାଉଥିବା କହିଥିଲା ଓ ଜବାବରେ ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଭଲ ପାଉଥିବା କହିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଅଶ୍ଳୀଳ ଚାଟିଂ ଜାରି ରହିଥିଲା। କିଛି ଦିନ ପରେ ନେହା ତାଙ୍କୁ ଭିଡିଓ କଲ୍‌ କରିବାକୁ ପ୍ରଲୋଭିତ କରିଥିଲା ଓ ନିଜଆଡ଼ୁ କିଛି ଅଶ୍ଳୀଳ ଭିଡିଓ ଛାଡ଼ିଥିଲା। ଅବସରପ୍ରାପ୍ତ କର୍ମଚାରୀ ବି ଅଶ୍ଳୀଳ ଭିଡିଓ ଚାଟିଂ କଲେ। ଏହି ସୁଯୋଗରେ ସାଇବର ଠକ ତାଙ୍କ ସମସ୍ତ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିନେଲା। ଏହା ପରେ ଅସଲ ଖେଳ ଆରମ୍ଭ କଲା ସାଇବର ଠକ। ଅନ୍ୟ ଏକ ନମ୍ବରରୁ ତାଙ୍କୁ ତାଙ୍କର ଅଶ୍ଳୀଳ ଭିଡିଓ ଚାଟିଂର ଦୃଶ୍ୟ ପଠାଇଥିଲା ଓ ନିଜକୁ ନୋଇଡା ସାଇବର ଥାନା ପୁଲିସ ବୋଲି କହି ଧମକ ଦେଇଥିଲା।

ଜଣେ ଯୁବତୀ ତାଙ୍କ ବିରୋଧରେ ନୋଇଡା ଥାନାରେ ଅଭିଯୋଗ କରିଛନ୍ତି ବୋଲି କହି ଗିରଫ କରିବ ବୋଲି ଧମକାଇଲା। ଗିରଫଦାରୀରୁ ବର୍ତ୍ତିବା ପାଇଁ ହେଲେ ତାଙ୍କୁ ନୋଇଡା ଥାନାକୁ ଆସିବାକୁ ପଡ଼ିବ ନଚେତ୍ ଯୁବତୀଙ୍କ ସହ କଥା ହୋଇ ମାମଲା ଦଫାରଫା କରିବାକୁ ପଡ଼ିବ ବୋଲି ଚେତାଇଥିଲା। ପରେ ପରେ ଛଦ୍ମବେଶୀ ନେହା ତାଙ୍କୁ ଫୋନ୍ କରି ୫୦ ହଜାର ଟଙ୍କା ଦାବି କଲା, ନହେଲେ ସବୁ ଭିଡିଓ ଭାଇରାଲ୍ କରିବ ବୋଲି ଧମକ ଦେଲା। ବହୁତ ନେହୁରା ହୋଇ ଅବସରପ୍ରାପ୍ତ କର୍ମଚାରୀ ୨୫ହଜାର ଟଙ୍କା ଦେବେ ବୋଲି କଥା ଛିଡ଼ିଲା ଓ ନେହା ସବୁ ଭିଡିଓ ଡିଲିଟ୍ କରିବ ବୋଲି ପ୍ରତିଶ୍ରୁତି ଦେଲା। ଅବସରପ୍ରାପ୍ତ କର୍ମଚାରୀ ଅନ୍‌ଲାଇନ୍‌ରେ ୨୫ହଜାର ଟଙ୍କା ଦେଲେ। ମାତ୍ର ଦୁଇ ଦିନ ପରେ ନେହା ପୁଣି ତାଙ୍କୁ ବ୍ଲାକମେଲ୍ କଲା। ବାରମ୍ବାର ଧମକପୂର୍ଣ୍ଣ କଲ୍ କରିବାରୁ ବାଧ୍ୟ ହୋଇ ଆଜି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର