ରାଜଧାନୀରେ ସାଇବର୍‌ ଠକେଇର ସାଂଘାତିକ ଚିତ୍ର: ପ୍ରତିଦିନ ୧୦ ଜଣ ଶିକାର

୫ ମାସରେ ଧରାପଡ଼ିଛନ୍ତି ମାତ୍ର ୧୨ଅଭିଯୁକ୍ତ, ସାଇବର ଥାନା ନାଁରେ ପ୍ରହସନ

ଭୁବନେଶ୍ବର : ସାରା ରାଜ୍ୟରେ ସାଇବର୍‌ ଠକେଇ ବ୍ୟାପକ ଭାବେ ବଢ଼ି ଚାଲିଛି। ଏ ଦିଗରେ ସଚେତନତା ପାଇଁ କିମ୍ବା ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଆଶ୍ଚର୍ଯ୍ୟର କଥା ହେଲା, ସବୁଠୁ ଅଧିକ ଠକେଇ ଶିକ୍ଷିତଙ୍କ ସହର ଭୁବନେଶ୍ବରରେ ହେଉଛି। ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଭାବେ କମିସନରେଟ୍ ପୁଲିସ ଥିବା ସତ୍ତ୍ବେ ସାଇବର ଠକେଇ ନିରୋଧୀ ଅଭିଯାନରେ ପୁଲିସ ପଛରେ ପଡ଼ିଛି। କୌତୂହଳର କଥା, ଭୁବନେଶ୍ବରରେ ସ୍ବତନ୍ତ୍ର ଭାବେ ସାଇବର୍‌ ଓ ଅର୍ଥନୈତିକ ଅପରାଧ ଥାନା ତିଆରି ହେବା ପୂର୍ବରୁ କମ୍ ଟଙ୍କା ଠକେଇ ହେଉଥିଲା। ମାତ୍ର ଥାନା ପ୍ରତିଷ୍ଠା ହେବା ପରେ ଠକେଇ ପରିମାଣ ଅହେତୁକ ଭାବେ ବଢ଼ି ଚାଲିଛି। ନା ସଚେତନତା ସୃଷ୍ଟି କରି ପୁଲିସ ଲଗାମ୍ ଲଗାଇ ପାରୁଛି ନା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଅପରାଧକୁ ନିୟନ୍ତ୍ରଣ କରିପାରୁଛି। କହିବାକୁ ଗଲେ, ସାଇବର ଅପରାଧକୁ ରୋକିବାର ଉଭୟ ଦିଗରେ ସାଇବର ଥାନା ପୁଲିସ ପୂରା ଫେଲ୍ ମାରିଛି।

Image Courtesy of Ottawa Citizen

କମିସନରେଟ୍ ପୁଲିସ୍‌ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୧ ମସିହାରେ ସାଇବର୍‌ ଠକ ଭୁବନେଶ୍ବରରୁ ମୋଟ୍‌ ୮ କୋଟି ୬ ଲକ୍ଷ ୮୬ ହଜାର ୮୪୯ ଟଙ୍କା ଠକି ନେଇଥିଲେ। ସେହି ବର୍ଷ, କେବଳ ଜାନୁଆରିରୁ ମେ’ ମଧ୍ୟରେ ପ୍ରାୟ ୩ କୋଟି ୩୩ଲକ୍ଷ ୧୮ହଜାର ୬ଶହ ୯୪ଟଙ୍କା ଠକେଇ ହୋଇଥିଲା। ଚଳିତ ବର୍ଷ ଜାନୁଆରିରୁ ମେ’ ମଧ୍ୟରେ ଗତ ବର୍ଷ ଅପେକ୍ଷା ଆଉ ୨ କୋଟି ଅଧିକ ଠକି ନେଇଛନ୍ତି ସାଇବର୍‌ ଠକ। ଏହି ଅବଧି ମଧ୍ୟରେ ଏଥର ୫କୋଟି ୩୪ଲକ୍ଷ ୭୨ହଜାର ୫ଶହ ୯୭ଟଙ୍କା ଲୁଟ୍‌ ହୋଇଛି। ପ୍ରତିଶତରେ ହିସାବ କଲେ, ଗତବର୍ଷ ଅପେକ୍ଷା ଚଳିତବର୍ଷ ୫ ମାସରେ ଠକେଇ ଟଙ୍କା ପ୍ରାୟ ୬୦ ପ୍ରତିଶତ(୬୦.୪୮) ବୃଦ୍ଧି ପାଇଛି।

ଥାନା ହେବା ପରେ ୬୦% ଅଧିକ ଟଙ୍କା ଠକେଇ ହୋଇଛି
କାର୍ଯ୍ୟାନୁଷ୍ଠାନ ହେବା ଆଶାରେ ଅଧିକ ଲୋକ ଅଭିଯୋଗ କରୁଛନ୍ତି: ଡିସିପି

କରୋନା ପାଇଁ ବ୍ୟବସାୟଠାରୁ ଆରମ୍ଭ କରି ପାଠପଢ଼ା ପର୍ଯ୍ୟନ୍ତ ସବୁ କିଛି ଅନଲାଇନ୍‌ରେ ଚାଲୁଥିଲା। ତେଣୁ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ସାଇବର ଠକ ଏହାର ଲାଭ ଉଠାଇ ନାନା ଉପାୟରେ କୋଟି କୋଟି ଟଙ୍କା ଲୁଟି ନେଉଥିଲେ। ତେଣୁ ଆଶା ଥିଲା, କରୋନା ଲଗାମ୍ ହଟିବା ପରେ ସବୁ କିଛି ପୂର୍ବଭଳି ଖୋଲିଯିବ ଏବଂ ସାଇବର ଅପରାଧ ବି କମିଯିବ। ଯୋଗକୁ ସେହି ସମୟରେ ବି ସ୍ବତନ୍ତ୍ର ସାଇବର୍‌ ଥାନା ଖୋଲିବାରୁ ଲୋକ ଆହୁରି ଆଶ୍ବସ୍ତ ହୋଇଥିଲେ। ମାତ୍ର ଠକେଇ କମିବ କ’ଣ, ପୂର୍ବାପେକ୍ଷା ବଢ଼ି ଯାଇଛି। ତେବେ ଏହି ଠକେଇ ଟଙ୍କାର ପରିମାଣ ବଢ଼ିବା ପଛରେ ବିଭିନ୍ନ ଲୋନ୍‌-ଆପ୍‌ ସ୍କାମ୍‌ ଦାୟୀ ବୋଲି ସାଇବର୍‌ ବିଶେଷଜ୍ଞ କହିଛନ୍ତି। କମ୍‌ ସମୟରେ ଅଧିକ ସୁଧ ପାଇବା ଆଳରେ ଲୋକ ଆଗପଛ ବିଚାର ନ କରି ଏହି ଆପ୍‌ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି।

Interview Times

ଅପରପକ୍ଷେ ସାଇବର ଥାନା ତିଆରି ହେବା ପରେ ମଧ୍ୟ ରାଜଧାନୀବାସୀ ବିଶେଷ ଫାଇଦା ପାଇ ପାରିନାହାନ୍ତି। ୫ ମାସରେ ଭୁବନେଶ୍ବର ସାଇବର ଥାନାକୁ ୧୪୧୩ଟି ସାଇବର ଠକେଇର ଅଭିଯୋଗ ଆସିଛି। ଅର୍ଥାତ୍‌ ପ୍ରତି ଦିନ ପ୍ରାୟ ୧୦ଜଣ ରାଜଧାନୀ ବାସିନ୍ଦା ଠକେଇର ଶିକାର ହେଉଛନ୍ତି। ସେହିଭଳି ଯେତିକି ଅଭିଯୋଗ ନେଇ ପୀଡ଼ିତ ଥାନାକୁ ଆସୁଛନ୍ତି, ତା’ର ମାତ୍ର ୧ ପ୍ରତିଶତ(୧.୪୮) ମାମଲା ରୁଜୁ ହେଉଛି। ଏହି କ୍ରମରେ ୧୪୧୩ଟି ଅଭିଯୋଗରୁ ମାତ୍ର ୨୧ଟି ଅଭିଯୋଗର ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୮ଟି ମାମଲାର ସାଇବର ଥାନା ପୁଲିସ ସଫଳ ଭାବେ ତଦନ୍ତ କରି ୧୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏହାବ୍ୟତୀତ ଠକେଇ ଟଙ୍କା ଫେରସ୍ତ ଓ ଅଚଳ କରିବାରେ ମଧ୍ୟ ସାଇବର ଥାନା ପୁଲିସ ବିଫଳ ହେଉଛି। ଗତ ୫ ମାସ ମଧ୍ୟରେ ମାତ୍ର ୪୭ଲକ୍ଷ ୬୭ହଜାର ୧୩୮ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରିପାରିଛି। ଏହା ଠକେଇ ଟଙ୍କାର ୧୦ ପ୍ରତିଶତ ମଧ୍ୟ ନୁହେଁ। ଏହି କ୍ରମରେ ମୋଟ ୬୬ଲକ୍ଷ ୨୬ହଜାର ୪ଶହ ୫୫ଟଙ୍କା ଫେରସ୍ତ ଓ ଅଚଳ କରାଯାଇଛି। ଦୁର୍ବଳ ଭିତ୍ତିଭୂମି ଓ କର୍ମଚାରୀ ଅଭାବ ହେତୁ ଏଭଳି ସମସ୍ୟା ଆଗକୁ ମଧ୍ୟ ଲାଗି ରହିବ ବୋଲି ଜଣେ ବରିଷ୍ଠ ପୁଲିସ କର୍ମଚାରୀ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏହି କଥା କହିଛନ୍ତି।

ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି, ଥାନା ହେବା ପରେ ରାଜଧାନୀବାସିନ୍ଦାଙ୍କ ଆସ୍ଥା ବଢ଼ିଛି। ଯେଉଁମାନେ ପୂର୍ବରୁ ବି ଠକେଇର ଶିକାର ହୋଇଥିଲେ, ସେମାନେ ଟଙ୍କା ଫେରିପାଇବା ଆଶାରେ ବର୍ତ୍ତମାନ ଥାନାରେ ଅଭିଯୋଗ କରୁଛନ୍ତି। ଥାନା ପକ୍ଷରୁ ମଧ୍ୟ ଟଙ୍କା ଫେରସ୍ତ ଓ ଅଚଳ ପାଇଁ ପ୍ରକ୍ରିୟା କରାଯାଉଛି। ଆସନ୍ତା କିଛି ଦିନ ମଧ୍ୟରେ ସ୍କୁଲ୍ ଓ କଲେଜ୍ ପୂରା ଖୋଲିଗଲେ ସେଠାରେ ସାଇବର ଠକେଇକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବୁ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର