ସୁନା କାରବାରରେ ସାଇବର ଅପରାଧୀଙ୍କ ଟଙ୍କା : କୋରିଅର୍‌ ନେବା ନାଁରେ ୨୦ ହଜାର ଲୁଟ୍‌

ଭୁବନେଶ୍ବର : ଲୁଟ୍ ଟଙ୍କାରେ ସାଇବର ଅପରାଧୀଙ୍କ ମଉଜ। ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ନ କରି ଚତୁରତରା ସହ ସେୟାର ବଜାର, ସୁନା କାରବାର କରୁଥିବା ସଂସ୍ଥା, ଇ-ୱାଲେଟ୍, କିଣାବିକାରେ ବିନିଯୋଗ କରୁଛନ୍ତି। ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ସାଇବର ଠକ ମାଲେମାଲ ହେଉଛନ୍ତି। ଏଭଳି ଏକ ଘଟଣା ଏବେ ପଦାକୁ ଆସିଛି। କୋରିଅର୍‌ ନେବା ନାଁରେ ରାଜଧାନୀରେ ସାଇବର ଠକଙ୍କ ଶିକାର ହୋଇଥିବା ଡାକ୍ତର ମନୋରଞ୍ଜନ ମିଶ୍ରଙ୍କ ୨୦ ହଜାର ଟଙ୍କା ସିଧା ମୁମ୍ବାଇସ୍ଥିତ ସୁନା କାରବାର କରୁଥିବା ସଂସ୍ଥାର ଆକାଉଣ୍ଟକୁ ଯାଇଛି। ଏହା ଜାଣିବା ପରେ ଶ୍ରୀ ମିଶ୍ର ସମ୍ପୃକ୍ତ ସଂସ୍ଥାକୁ ଯୋଗାଯୋଗ କରିବାରୁ ସେମାନେ ବି ଏ କଥା ସ୍ବୀକାର କରିଛନ୍ତି। ଟଙ୍କା ଫେରସ୍ତ ପାଇଁ ସଂସ୍ଥା କହିବା ସହ ଇ-ମେଲ୍ ମାଧ୍ୟମରେ ଏକ ଫର୍ମ ପୂରଣ ପାଇଁ କହିଛି। କିନ୍ତୁ ଥରେ ଠକାମିର ଶିକାର ହୋଇଥିବା ଶ୍ରୀ ମିଶ୍ର ଫର୍ମ ପୂରଣ କରିବାକୁ ମନା କରି ଦେଇଛନ୍ତି।

ନୂଆଦିଲ୍ଲୀରେ ଅବସ୍ଥାପିତ ସ୍ଲୋଭାକିଆ ରାଷ୍ଟ୍ରଦୂତଙ୍କ ନିକଟକୁ ଶ୍ରୀ ମିଶ୍ର କୋରିଅର୍‌ରେ ଏକ ଚିଠି ପଠାଇବାକୁ ଚାହିଥିଲେ। ଲକଡାଉନ୍ ଯୋଗୁଁ ସବୁ ବନ୍ଦ ଥିବାରୁ ଗୁଗୁଲ୍‌ ସର୍ଚ୍ଚ କରିବା ପରେ ଏକ ନମ୍ବର ମିଳିଥିଲା। ସମ୍ପୃକ୍ତ ନମ୍ବରରେ ଫୋନ୍ କରିବା ପରେ ଜଣେ ବ୍ୟକ୍ତି ନିଜକୁ ବ୍ଲୁ-ଡାର୍ଟ କୋରିଅର୍‌ ସଂସ୍ଥାର କର୍ମଚାରୀ ବୋଲି କହିଥିଲେ। କୋରିଅର୍‌ ନେବେ ବୋଲି ନିଶ୍ଚିତ କରିବା ସହ ଏନି-ଡେସ୍କ ନାମକ ଆପ୍ ଶ୍ରୀ ମିଶ୍ରଙ୍କ ମୋବାଇଲକୁ ପଠାଇ ଡାଉନଲୋଡ୍ କରିବା ପାଇଁ କହିଥିଲେ। ରେଜିଷ୍ଟ୍ରେସନ୍‌ ଫି’ ବାବଦରେ ମାତ୍ର ୧୦ ଟଙ୍କା ପଡ଼ିବ ବୋଲି କହିଥିଲେ। ସେହି ଆପ୍ ଜରିଆରେ ଶ୍ରୀ ମିଶ୍ରଙ୍କ ଝିଅ ଏଟିଏମ୍ କାର୍ଡ ନମ୍ବର, ସିଭିଭି ନମ୍ବର ସବୁ ଦେବା ପରେ ଯେଉଁ ଓଟିପି ଆସିଥିଲା, ତାହାକୁ ଠକ ମାଗି ନେଇ ୨୦ହଜାର ଟଙ୍କା ଲୁଟି ନେଇଥିଲା। ଶ୍ରୀ ମିଶ୍ର ତାଙ୍କ ଆକାଉଣ୍ଟରୁ ଟଙ୍କା କୁଆଡ଼େ ଯାଇଛି ଖୋଳତାଡ଼ କରିବା ପରେ ମୁମ୍ବାଇସ୍ଥିତ ସେଫ୍ ଗୋଲ୍ଡ କମ୍ପାନିକୁ ଟଙ୍କା ଯାଇଛି ବୋଲି ଜାଣିବାକୁ ପାଇଥିଲେ। ଟଙ୍କା ଫେରସ୍ତ ଲାଗି ସେଫ୍ ଗୋଲ୍ଡକୁ ଶ୍ରୀ ମିଶ୍ର ଇ-ମେଲ୍‌ ଜରିଆରେ ଅନୁରୋଧ କରିଥିଲେ। ୨୦ ହଜାର ଟଙ୍କା ସେଠାକୁ ଯାଇଥିବା ସେଫ୍ ଗୋଲ୍ଡ କର୍ତ୍ତୃପକ୍ଷ ସ୍ବୀକାର କରିବା ସହ ଏକ ଫର୍ମପୂରଣ କରିବା ପାଇଁ କହିଥିଲେ। ଟଙ୍କା ଫେରସ୍ତ ହେବ ବୋଲି ସେଫ୍ ଗୋଲ୍ଡ ପକ୍ଷରୁ କୁହାଯିବା ସହ ଆଉ କେବେ କେଉଁଠି ଏ ନେଇ ଅଭିଯୋଗ କରିପାରିବେ ନାହିଁ ବୋଲି ସେହି ଫର୍ମରେ ଉଲ୍ଲେଖ ରହିଥିଲା। କିନ୍ତୁ ଠକଙ୍କ ବିଷୟରେ ଜାଣିବା ଲାଗି ଶ୍ରୀ ମିଶ୍ର ଚାହିଥିଲେ। କୌଣସି ଗ୍ରାହକଙ୍କ ସମ୍ପର୍କରେ ତଥ୍ୟ ଦିଆଯାଇପାରିବ ନାହିଁ, ଯଦି ଜାଣିବାକୁ ଚାହୁଛନ୍ତି, ତା’ ହେଲେ ପୁଲିସ ଜରିଆରେ ଯିବାକୁ ପଡ଼ିବ ବୋଲି ସେଫ୍ ଗୋଲ୍ଡ ପକ୍ଷରୁ ପାଲଟା ଉତ୍ତର ଦିଆଯାଇଥିଲା। ସୂଚନାଯୋଗ୍ୟ, ଠକେଇ ସଂକ୍ରାନ୍ତରେ ଶ୍ରୀ ମିଶ୍ର ପୂର୍ବରୁ କଟକ ସାଇବର୍‌ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର