ସାଇବର ଅପରାଧ ଚିନ୍ତା ବଢ଼ାଉଛି : ପରିଚୟ ଉଭାନ୍‌ କରିଦେଉଛି ଦୁର୍ବୃତ୍ତ

ଭୁବନେଶ୍ୱର : ମୁଣ୍ଡବିନ୍ଧା କଲାଣି ସାଇବର ଅପରାଧ। ଦୁନିଆ ଯେତେ ଅଧିକ ଡିଜିଟାଲ ବ୍ୟବସ୍ଥା ଆପଣାଉଛି, ଅନ୍‌ଲାଇନରେ ଠକେଇ ସେହି ଅନୁପାତରେ ବଢ଼ି ବଢ଼ି ଚାଲିଛି। କ୍ରାଇମ୍‌ବ୍ରାଞ୍ଚ ଏ ନେଇ ଯେତେ ସଚେତନ କରାଇଲେ ବି ଠକ ତା’ର କୌଶଳରେ ପରିବର୍ତ୍ତନ କରି ଚାଲିଛି। ପୂର୍ବରୁ ଓଟିପି କିମ୍ବା ଏଟିଏମ୍‌ କାର୍ଡର ସିଭିଭି ନମ୍ବର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲା। ଏଥିପାଇଁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଇଲା। ମାତ୍ର ଏବେ ଠକ କେବଳ ଗୋଟିଏ କ୍ୟୁଆର କୋଡ୍‌ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବାକୁ ସକ୍ଷମ ହେଉଛି। ଲକ୍‌ଡାଉନ୍‌ ବେଳେ ସରକାର ଅନ୍‌ଲାଇନ୍‌ ବେପାରକୁ ପ୍ରୋତ୍ସାହିତ କରିବାରୁ ସାଧାରଣ ଲୋକ ମଧ୍ୟ ଏହି ବ୍ୟବସ୍ଥା ଆପଣାଇଛନ୍ତି। କିନ୍ତୁ ଅନ୍‌ଲାଇନ୍‌ କାରବାରରେ ଅଭ୍ୟସ୍ତ ନ ଥିବା ‌ଲୋକଟି ଠକି ହୋଇ ଯାଉଛନ୍ତି।

ବିଶେ‌ଷ କରି ଗତ କିଛି ଦିନ ମଧ୍ୟରେ ଅନ୍‌ଲାଇନ୍‌ରେ ମଦ କିଣିବାକୁ ଯାଇ ଶହେରୁ ଊର୍ଦ୍ଧ୍ବ ଲୋକ ଠକାମିର ଶିକାର ହୋଇଛନ୍ତି।

ଗୋଟିଏ ମାମଲାର ଖୋଳତାଡ଼ କଲା ବେ‌ଳେ ପୁଲିସ ଏକ ବିଚିତ୍ର ତଥ୍ୟ ପାଇଛି। ଠକଜଣକ ଯେଉଁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଛି ତାହା ଗୋଟିଏ ବଡ଼ କାରବାର ପରେ ବନ୍ଦ ହୋଇଯାଉଛି। ଅନ୍ୟଜଣେ ଲୋକର ଆକାଉଣ୍ଟ ସହ ମୋବାଇଲ ନମ୍ବର ଲିଙ୍କ୍‌ କରି ସ୍ଥାନାନ୍ତର ହେଉଥିବା ଟଙ୍କାକୁ ଏଟିଏମ୍‌ ଜରିଆରେ ଉଠାଇ ନେଉଛି। ଫଳରେ ଠକକୁ ଧରିବା ସମ୍ଭବ ହେଉ ନାହିଁ। ଏଭଳି ଏକ ତରିକା ସାମ୍ନାକୁ ଆସିବା ପରେ କମିସନରେଟ୍‌ ପୁଲିସର ଚିନ୍ତା ବଢ଼ି ଯାଇଛି। ପୁଲିସ ଠକେଇର ମୂଳକୁ ଯାଇ ପାରୁ ନ ଥିବାରୁ ଠକାମିର ଶିକାର ହେଉଥିବା ଲୋକଟି ହତାଶ ହେବା ସାର ହେଉଛି।

ଅଭିଯୋଗ ରଖୁନି ଥାନା
ଗତ ଏପ୍ରିଲ୍‌ ଓ ମେ ମାସରେ ଅନ୍‌ଲାଇନ୍‌ରେ ଠକେଇ ଅଭିଯୋଗ ଅଧିକ ରହିଛି। ଅନ୍‌ଲାଇନ୍‌ରେ ମଦ କିଣିବାକୁ ନେଇ ବ୍ୟାଙ୍କ୍‌ ମ୍ୟାନେଜରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଟିଏ ବି ଠକେଇର ଶିକାର ହୋଇଛି। ଯେଉଁ ଦୋକାନ ନାମକୁ ବ୍ୟବହାର କରି ଠକ ଗ୍ରାହକଙ୍କୁ ଲୁଟିଛି ସେହି ଦୋକାନ ମାଲିକ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ୩ ମାସରେ ଶହେରୁ ଊର୍ଦ୍ଧ୍ବ ଅଭିଯୋଗ ହୋଇଛି। କେତେକ ଲାଜ‌ରେ ଅଭିଯୋଗ ଦେବାକୁ ଆସି ନ ଥିବା ବେଳେ ଅନ୍ୟ କେତେକ ଅଭିଯୋଗ କରିବାକୁ ଆସିଥିଲେ ବି ଥାନା କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ସେସବୁକୁ ରଖି ନାହିଁ।

ଏଭଳି ଅଭିଯୋଗ ଧରି ଆସିଲେ ଥାନା ଅଧିକାରୀ ସ୍ଥଳ ବିଶେଷରେ ଅଭି‌ଯୋଗକାରୀକୁ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ରହିଛି। ଯାହା ଫଳରେ ଠକ ପ୍ରୋତ୍ସାହିତ ହେଉଛି, ଆଉ ଜଣଙ୍କୁ ଠକିବା ପାଇଁ ଜାଲ ବିଛାଉଛି।

ମୂଳ ଓଡ଼ିଶା ବାହାରେ
ଅଦ୍ୟାବଧି ଯେତିକି ସାଇବର ଠକେଇ ହୋଇଛି ତାହାର ମୂଳ ଓଡ଼ିଶା ଭିତରେ ନାହିଁ। ଓଡ଼ିଶା ବାହାରେ ଠକ ଜଣେ ସାଧାରଣ ଲୋକର ବ୍ୟାଙ୍କ୍‌ ଆକାଉଣ୍ଟକୁ ପେ ଟିଏମ୍‌, ଫୋନ୍‌ ପେ’, ଗୁଗୁଲ୍‌ ପେ’ ସହ ଲିଙ୍କ୍‌ କରି ଏହି ଠକେଇ ଅର୍ଥ ନେଇ ଯାଉଛି। ଆକାଉଣ୍ଟ୍‌ରେ ନିଜ ପରିଚୟ ରଖୁ ନାହିଁ। ମୋବାଇଲ ନମ୍ବର ବଦଳାଇ ନୂଆ ନମ୍ବର ଓ ଆକାଉଣ୍ଟ ଜରିଆରେ ପୁଣି ବେପାର ଆରମ୍ଭ କରୁଛି। ଏଣୁ ଧରିବା ସମ୍ଭବ ହେଉନାହିଁ। ତେବେ ସାଇବର ସେଲ୍‌ ଏ ବାବଦରେ ଅଧିକ ତଦନ୍ତ ଜାରି ରଖିଛି। ତେବେ ୱେବ୍‌ସାଇଟ୍‌ରୁ ଏଭଳି ଅଗ୍ରୀମ ପଇସା ଦେଇ କିଣାକିଣି ନ କରିବା ଉଚିତ୍‌।
ଅନୁପ କୁମାର ସାହୁ, ଡିସିପି

କିଛି ବଡ଼ ଠକେଇ
ଫେବ୍ରୁଆରି ୧୧ ତାରିଖ ଦିନ ଏକ ଖବରକାଗଜ ସଂସ୍ଥାର ଆକାଉଣ୍ଟ୍‌ରୁ ୧ ଲକ୍ଷ ୧୧ହଜାର ୫ଶହ ଟଙ୍କା ଉଭାନ୍‌ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ନୂଆଦିଲ୍ଲୀରେ ଏକ ନକଲି ଏଟିଏମ୍‌ କାର୍ଡ ବଳରେ ଏହି ଅର୍ଥ ଉଠାଣ ହୋଇଯାଇଥିଲା। ସଂସ୍ଥାର ସମ୍ପାଦକ ସୁଧୀର ପଣ୍ଡା ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।

ଏପ୍ରିଲ ୨ ତାରିଖରେ ବିବେକାନନ୍ଦ ମାର୍ଗର ଜଣେ ବ୍ୟାଙ୍କ୍‌ ମ୍ୟାନେଜର ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଖି ମଦ ହୋମ୍‌ ଡେଲିଭରି ପାଇଁ ଯାଇ ୧୯ ହଜାର ୨୦ ଟଙ୍କା ଠକେଇର ଶିକାର ହୋଇଥିଲେ। ଏ ନେଇ ନୂଆପଲ୍ଲୀ ଥାନାରେ ଅଭି‌ଯୋଗ ହୋଇଥିଲା।

ମେ ୨୩ ତାରିଖରେ ହଂସପାଳର ଜିତ୍‌ ମହାପାତ୍ର ଫେସ୍‌ବୁକ୍‌ରେ ମଦ ହୋମ୍‌ ଡେଲିଭରି ବିଜ୍ଞାପନ ମୋହରେ ପଡ଼ି ଠକ ପଠାଇଥିବା କ୍ୟୁଆର କୋଡ୍‌ ସ୍କାନ୍‌ କରି ଆକାଉଣ୍ଟରୁ ୨ ଲକ୍ଷ ୪୦ ହଜାର ଟଙ୍କା ହରାଇଥିଲେ। ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି।

ସେହିପରି ଚନ୍ଦ୍ରଶେଖରପୁରର ଜଣେ ସଫ୍ଟୱେର ଇଞ୍ଜିନିୟର ଫେସ୍‌ବୁକ୍‌ ବିଜ୍ଞାପନରୁ ମଦ କିଣିବାକୁ ଯାଇ ଠକ ପଠାଇଥିବା କ୍ୟୁଆର କୋଡ୍‌ ସ୍କାନ୍‌ କରିବା ପରେ ନିଜ ଆକାଉଣ୍ଟରୁ ୭୯ ହଜାର ୧୮୧ ଟଙ୍କା ହରାଇଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି।

ମେ ୫ ତାରିଖରେ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଖି ଅନ୍‌ଲାଇନ୍‌ରେ ମଦ କିଣିବାକୁ ଯାଇ ମଞ୍ଚେଶ୍ବରର ଅଞ୍ଜନ ବାରିକ ୧ ଲକ୍ଷ ୩୬ ହଜାର ୫ଶହ ଟଙ୍କା ଠକେଇର ଶିକାର ହୋଇଥିଲେ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାଛଡ଼ା ଅନୁରୂପ ଶତାଧିକ ଅଭିଯୋଗ ବି ପଡ଼ି ରହିଛି।

ସମ୍ବନ୍ଧିତ ଖବର