କାହାକୁ ଛାଡ଼ୁନାହାନ୍ତି ସାଇବର୍‌ ଠକ : କମିସନରେଟ୍‌ ପୁଲିସ୍‌ ବି ବାଦ୍‌ ପଡ଼ିଲାନି, କନେଷ୍ଟବଳଙ୍କ ଆକାଉଣ୍ଟରୁ ଲୁଟ୍‌

ଘର ତିଆରି ପାଇଁ ଲୋନ୍‌ କରିଥିଲେ
କାର୍ଡ କ୍ଲୋନିଂ କରି ୨ଲକ୍ଷ ନେଇଗଲେ
ବ୍ୟାଙ୍କକୁ ଚିଠି ଲେଖିଲା ପୁଲିସ
ଟ୍ରାନ୍‌ଜାକ୍ସନ୍‌ ନୋଏଡାରୁ ହୋଇଛି

ପୁରୁଣା ଭୁବନେଶ୍ୱର : କାହାକୁ ଛାଡ଼ୁନାହାନ୍ତି ସାଇବର୍‌ ଠକ। ନୂଆ ନୂଆ କୌଶଳ କରି ଲୋକଙ୍କୁ ଲୁଟୁଛନ୍ତି। ଏଥର କମିସନରେଟ୍‌ ପୁଲିସ୍‌ ଅଧୀନରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଏଟିଏମ୍‌ କାର୍ଡ କ୍ଲୋନିଂ କରି ଦୁର୍ବୃତ୍ତ ତାଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଲୁଟି ନେଇଛି। ଲୁଟ୍‌ର ଶିକାର ମହିଳାଜଣଙ୍କ ହେଲେ, ଏୟାରଫିଲଡ୍‌ ଥାନା ଅଧୀନ ଏବରଙ୍ଗରେ ରହୁଥିବା ଗୀତାଞ୍ଜଳି ନାୟକ (୪୨)। ସେ କୋର୍ଟରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଅଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଗତ ମାସ ୧୯ତାରିଖରେ ଘଟିଥିଲେ ହେଁ ଏବେ ଲୋକଲୋଚନକୁ ଆସିଛି।

ସୂଚନା ଅନୁଯାୟୀ, ଗୀତାଞ୍ଜଳି ଏବରଙ୍ଗରେ ଏକ ଜମି କିଣିଛନ୍ତି। ଉକ୍ତ ଜମିରେ ଘର କରିବା ପାଇଁ ଏକ ଘରୋଇ ବ୍ୟାଙ୍କରୁ ଲୋନ୍‌ ଆଣିଥି‌ଲେ। ଗତ ମେ’ ୧୨ରୁ ୧୯ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ୫୦ ଥରରେ ୨ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା। କିନ୍ତୁ ମୋବାଇଲ୍‌କୁ ମେସେଜ୍‌ ନ ଆସିବାରୁ ସେ ଏ ସଂପର୍କରେ ଜାଣି ପାରିନଥିଲେ। ୧୯ ତାରିଖରେ ସେ ଏଟିଏମ୍‌‌ରେ ଆକାଉଣ୍ଟ ଯାଞ୍ଚ କଲା ବେଳେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସେତେ‌ବେଳକୁ ତାଙ୍କ ଆକାଉଣ୍ଟରେ ମାତ୍ର ୨୬ ହଜାର ଟଙ୍କା ଥିଲା। ପରେ ସେ ଏ ସଂପର୍କରେ ଏୟାରଫିଲଡ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି।

ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି, ଏନେଇ ବ୍ୟାଙ୍କୁ ଚିଠି ଲେଖାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନୋଏଡାରୁ ଟଙ୍କା ଉଠାଣ ହୋଇଛି। ଏଠାରେ ଏଟିଏମ୍‌ ବ୍ୟବହାର ବେଳେ କେହି ଦୁର୍ବୃତ୍ତ ତାଙ୍କ କାର୍ଡ କ୍ଲୋନିଂ କରି ଏପରି କାରବାର କରିଛି। ମାମଲା କରାଯିବା ପରେ କଟକ ସାଇବର ଅପରାଧ ଶଖାକୁ ଜଣାଯାଇଛି। ଶ୍ରୀ ସାହୁ ଆହୁରି କହିଛନ୍ତି, ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ଯେମିତି କେହି ପାସ୍‌ୱାର୍ଡ କେହି ନ ଦେଖିବେ, ସେଥିପାଇଁ ସତର୍କ ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି। ସାମାନ୍ୟ ସଚେତନତା ଅଭାବରୁ ଅନେକ ଏଭଳି ଅନଲାଇନ୍‌ ଠକେଇର ଶିକାର ହେଉଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଖୁବ୍‌ଶୀଘ୍ର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର