କ୍ରାଇମ୍‌ବ୍ରାଞ୍ଚ ନିର୍ଦ୍ଦେଶାବଳୀ ସତ୍ତ୍ବେ ଲୋକେ ସଚେତନ ହେଉ ନାହାନ୍ତି, ମାତିଛନ୍ତି ସାଇବର୍‌ ଠକ

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ଠକେଇ

ଭୁବନେଶ୍ବର: ତାଲାବନ୍ଦ ପାଇଁ ଲୋକେ ଘରେ ବସିଛନ୍ତି। ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାରୀସ୍ତରରେ ବ୍ୟବସ୍ଥା କରାଯାଇଛି। କେତେକ ବ୍ୟବସାୟୀ ମଧ୍ୟ ଅନ୍‌ଲାଇନ୍‌ରେ ଜିନିଷ ଯୋଗାଉଛନ୍ତି। କିନ୍ତୁ ଏହି ବ୍ୟବସ୍ଥାର ସୁଯୋଗ ନେଇ କିଛି ଠକି ଲୋକମାନଙ୍କୁ ଠକି ଚାଲିଛନ୍ତି। ଯୋଜନ ଯୋଜନ ଦୂରରେ ଥାଇ ସାମଗ୍ରୀ ଦେବାକୁ କହି ଅଗ୍ରୀମ ଟଙ୍କା ନେଇ ପାର୍‌ ହୋଇ ଯାଉଛନ୍ତି। ଏଭଳି ଅନେକ ଘଟଣାର ପୁନରାବୃତ୍ତି ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ହେଲେ ଲୋକ ସୁଧୁରୁନାହାନ୍ତି। ଅନ୍‌ଲାଇନ୍‌ରେ ଅଗ୍ରୀମ ପଇସା ଦେଇ ଠକାମିର ଶିକାର ହେଉଛନ୍ତି। କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଏହି ଅପରାଧ ଦମନ କରି ପାରୁ ନ ଥିବାରୁ ଠକଙ୍କର ସାହସ ବଢ଼ିଛି। ଆଜି ଏଭଳି ଦୁଇଟି ଘଟଣା ସାମ୍ନାକୁ ଆସିଛି।

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉ ଥିବା ନୀଳାଦ୍ରିବିହାରର ବିଏମ୍‌ସି ସ୍ବୀକୃତିପ୍ରାପ୍ତ ଏକ ଦୋକାନ ନାମ‌ରେ କେହି ଦୁର୍ବୃତ୍ତ ଦୁଇଜଣଙ୍କଠାରୁ ୧୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଥିବା ଖବର ମିଳିଛି। ଠକାମିର ଶିକାର ହୋଇଥିବା ଏହି ଦୁଇଜଣ ଅଭିଯୋଗ କରିଥିଲେ ମଧ୍ୟ ଏହିପରି ଆହୁରି ଅନେକ ଠକାମିର ଶିକାର ନିଶ୍ଚୟ ହୋଇଥିବେ ବୋଳି ଆଶଙ୍କା କରାଯାଉଛି। ତାଲାବନ୍ଦ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଲୋକ ଆସି ଏଠାରୁ ଜିନିଷ କିଣିପାରିବେ। କିନ୍ତୁ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସଂକ୍ରମଣ ପାଇଁ ଅବରୋଧ କରାଯିବା ପରେ ଘର ଦୁଆରେ ଜିନିଷ ପହଞ୍ଚାଇବା ଜରୁରୀ ହୋଇପଡ଼ିଛି। ଏଣୁ ବିଏମ୍‌ସି ପକ୍ଷରୁ ଯେଉଁ ସଂସ୍ଥା ଅନ୍‌ଲାଇନ୍‌ରେ ଅର୍ଡର ରଖି ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ପାରିବେ, ସେ ଦୋକାନର ନାମ ଓ ଫୋନ୍‌ ନମ୍ବରର ଏକ ତାଲିକା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରାଯାଇଥିଲା। ଏଥିରେ ନୀଳାଦ୍ରି ବିହାରର ‘ମାତୃକୃପା ଆଗ୍‌ମୋ ଭେଞ୍ଚର’ ନାମକ ଦୋକାନ ରହିଥିଲା। ଲୋକମାନେ ଅର୍ଡର୍‌ କରିବା ସହ ଜିନିଷ ପାଉଥିଲେ। କିନ୍ତୁ ଠକ ଏହି ଦୋକାନକୁ ଟାର୍ଗେଟ୍‌ କରିଥିଲା। ଏହି ଦୋକାନ ନାମରେ ଏକ ଲିଙ୍କ ଦେଇ ସେଥିରେ ନିଜ ଫୋନ୍‌ ନମ୍ବର ଦେଇଥିଲା। ଯେଉଁମାନେ ବିଏମ୍‌ସିର ତାଲିକା ରଖି ନ ନଥିଲେ, ସେମାନେ ଏହି ଦୋକାନ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ ପାଖରେ କେଉଁଠି ମିଳୁଛି ତାହା ଇଣ୍ଟରନେଟ୍‌ରେ ସର୍ଚ୍ଚ କରୁଥିଲେ। ସର୍ଚ୍ଚ ବେଳେ ଠକର ନମ୍ବର ପ୍ରଥମେ ଆସୁଥିଲା। ଏହି ନମ୍ବର ବାସ୍ତବ‌ରେ ଦୋକାନୀର ଭାବି ଲୋକ ଅର୍ଡର କରୁଥିଲେ। ଠକ ଅର୍ଡର ବାବଦକୁ ଅଗ୍ରୀମ ଟଙ୍କା ମାଗୁଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଥିଲା। ଲୋକ ଟଙ୍କା ପଠେଇ ଦେବା ପରେ ଜିନିଷ ଆସୁ ନ ଥିଲା। ଲୋକମାନେ ଯେ‌ହେତୁ ଦୋକାନୀ ପାଖକୁ ଯାଇ ପାରୁ ନ ଥିଲେ, ସେଥିପାଇଁ ଘଟଣା ପଦାକୁ ଆସୁ ନ ଥିଲା।

ଦୁଇଦିନ ତଳେ ଦୁଇଜଣ ନୀଳାଦ୍ରିବିହାର ଲୋକ ଏଭଳି ଠକାମିର ଶିକାର ହେବା ପରେ ଦୋକାନ ପାଖରେ ପହଞ୍ଚି ଯାଇଥିଲେ। ସେଠାରେ ଘଟଣା ସମ୍ପର୍କରେ ବୁଝିବାରୁ ପ୍ରକୃତ କଥା ପଦାକୁ ଆସିଥିଲା। କେବଳ ଏହି ଦୁଇଜଣ ନୁହନ୍ତି, ବରଂ ଏଭଳି ଅନେକ ଲୋକ ଠକାମିର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଏହି ଗୋଟିଏ ଘଟଣା ନୁହେଁ, ଅନ୍‌ଲାଇନ୍‌ରେ ମଦ କିଣିବାକୁ ଯାଇ ମଧ୍ୟ କେତେକ ଲକ୍ଷାଧିକ ଠକେଇର ଶିକାର ହୋଇଥିବା, ଗ୍ୟାସ୍‌ ସଂଯୋଗ ନାମରେ ବି ଠକେଇର ଶିକାର ହୋଇଥିବା ଅଭିଯୋଗ ହେଉଛି। କିନ୍ତୁ ଏପରି ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ସଫଳତା ମିଳି ନାହିଁ। ଅନ୍‌ଲାଇନ୍‌ରେ ଅର୍ଡର କଲା ବେଳେ ଅଗ୍ରୀମ ପଇସା ନ ଦେବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲେ ମଧ୍ୟ ତାକୁ ସମସ୍ତେ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ଏପରି ଠକାମିର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର