ଏମିତି ଆମ ସାଇବର ଅପରାଧ ମୁକାବିଲା: ପଡ଼ୋଶୀ ରାଜ୍ୟଠୁ ପଛରେ ଓଡ଼ିଶା

ଗିରଫଦାରୀ, ଚାର୍ଜସିଟ୍, ସଚେତନତା ସବୁଥିରେ ପଛୁଆ
ସଚେତନତାରେ ଝାଡ଼ଖଣ୍ଡ, ହାଇଦ୍ରାବାଦ, ତେଲଙ୍ଗାନା ପୁଲିସ ଆଗରେ
ଦୁଇ ବର୍ଷରେ ୫୧ କୋଟି ଲୁଟ୍, ଏଥର ସବୁ ରେକର୍ଡ ଭାଙ୍ଗିବ
ବର୍ଷେ ହେଲା ସାଇବର କମ୍ପଲେକ୍ସରୁ ଖୋଲି ପାରିଲାନି ତାଲା

ଭୁବନେଶ୍ବର,(ଶୁଭକାନ୍ତ ପଢ଼ିହାରୀ): ସାଇବର ଅପରାଧୀଙ୍କୁ ମାତ୍ ଦେବ ଓଡ଼ିଶା ପୁଲିସ। ତଦନ୍ତ ହେଉ କି ଗିରଫଦାରି, ଚାର୍ଜସିଟ୍ ଦାଖଲ ସବୁଥିରେ ଆଗୁଆ ରହିବ। ବିଶେଷ କରି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଘଟୁଥିବା ସାଇବର ଅପରାଧ(ସାଇବର କ୍ରାଇମ୍ ପ୍ରିଭେନସନ୍ ଏଗେନ୍‌ଷ୍ଟ ଓମେନ୍ ଆଣ୍ଡ ଚିଲଡ୍ରେନ୍), ସମାଜକୁ କ୍ଷତି ପହଞ୍ଚାଉଥିବା ସୋସିଆଲ୍ ମିଡିଆ ପୋଷ୍ଟ ଉପରେ ପୁଲିସ ଅଧିକ ସକ୍ରିୟ ଭାବେ କାମ କରିବ। ଅଭ୍ୟାସଗତ ଅପରାଧୀ ଯେମିତି ଆଇନ ଜାଲରୁ ମୁକୁଳି ନ ପାରିବେ ତା ଉପରେ ନଜର ରଖାଯିବ। ସ୍ବତନ୍ତ୍ର ଭାବେ ସାଇବର ଅପରାଧ ଥାନା କାମ କରିବ। ଗତବର୍ଷ ନଭେମ୍ବର ୨ ତାରିଖରେ ଭୁବନେଶ୍ବରଠାରେ ଚକାଚକ୍ ଭାବେ ତିଆରି ହୋଇଥିବା ସାଇବର କମ୍ପଲେକ୍ସ କୋଠାର ଉଦ୍‌ଘାଟନ କରିବା ସହ ଏମିତି ଅଭୟ ବାଣୀ ଶୁଣାଇଥିଲେ ପୁଲିସ ଡିଜି ଅଭୟ। ଇତିମଧ୍ୟରେ ଏହି ଉଦ୍‌ଘାଟନକୁ ବର୍ଷେ ପୂରି ଯାଇଥିବାବେଳେ ଏହି ଚକାଚକ୍ କୋଠାରୁ ତାଲା ଖୋଲିପାରିଲାନି କି ଗୋଟିଏ ବି ସାଇବର ଅପରାଧ ମାମଲାର ତଦନ୍ତ ହୋଇପାରିଲାନି। ସେହିପରି ଡିଜି ଶ୍ରୀ ଅଭୟଙ୍କ ଅବସରକୁ ଆଉ ମାତ୍ର ଦୁଇ ମାସ ଥିବା ବେଳେ ଏହା ପୂର୍ବରୁ ସାଇବର କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହେବ କି ନାହିଁ ତାହା ମଧ୍ୟ କେହି କହିପାରୁ ନାହାନ୍ତି। ତରବରିଆ ଭାବେ ଏହି କୋଠା ଉଦ୍‌ଘାଟନ ପଛର ଉଦ୍ଦେଶ୍ୟ ମଧ୍ୟ ବୁଝାପଡ଼ୁନି।

ଖାଲି ସେତିକି ନୁହେଁ; ସାଇବର ଅପରାଧ ମାମଲାର ତଦନ୍ତଠାରୁ ଆରମ୍ଭ କରି ଗିରଫଦାରି, ଚାର୍ଜସିଟ୍ ଓ ଏପରିକି ସଚେତନତାରେ ପଛରେ ପଡ଼ୋଶୀ ରାଜ୍ୟଠାରୁ ପଛରେ ପଡ଼ିଛି ଓଡ଼ିଶା ପୁଲିସ। ଗୋଟିଏ ପଟେ ସାଇବର ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିବଢ଼ି ଚାଲିଥିବା ବେଳେ ସେମିତି କୌଣସି ରାଜ୍ୟବ୍ୟାପୀ ସଚେତନତା ଦେଖିବାକୁ ମିଳୁନାହିଁ। ସାଇବର ଅପରାଧ ମାମଲାରେ ଓଡ଼ିଶା ଏବେ ସପ୍ତମ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟ ସାଇବର ଅପରାଧ ମାମଲାରେ କିନ୍ତୁ ଆମଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ପଶ୍ଚିମବଙ୍ଗର ଲୋକସଂଖ୍ୟା ଓଡ଼ିଶାର ଦୁଇଗୁଣରୁ ଅଧିକ ହୋଇଥିଲେ ମଧ୍ୟ ଏଠାରେ ସାଇବର ଅପରାଧ ମାମଲା ସଂଖ୍ୟା କମ୍ ରହିଛି। ୨୦୧୯ ତୁଳନାରେ ୨୦୨୦ରେ ଓଡ଼ିଶାରେ ସାଇବର ଅପରାଧ ମାମଲା ସଂଖ୍ୟା ୪୭ ପ୍ରତିଶତ ବୃଦ୍ଧି ପାଇଛି। ଠକେଇ ଅର୍ଥ ପରିମାଣ ମଧ୍ୟ ଯଥେଷ୍ଟ ଅଧିକ ରହିଛି। ଓଡ଼ିଶା ସାଇବର ଠକଙ୍କର ଏକ ସହଜ ଟାର୍ଗେଟ୍ ପାଲଟି ଯାଇଛି। ଦେଶରେ ସାଇବର ଅପରାଧର ଅନ୍ତୁଡ଼ିଶାଳ କୁହାଯାଉଥିବା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ ଓଡ଼ିଶାରେ ଆତଙ୍କ ଖେଳାଇ ଚାଲିଛନ୍ତି। ଏହି ଗ୍ୟାଙ୍ଗ୍‌ ଝାଡ଼ଖଣ୍ଡରେ ମଧ୍ୟ କୋଟିକୋଟି ଟଙ୍କା ଲୁଟି ଚାଲିଛନ୍ତି। କିନ୍ତୁ ଝାଡ଼ଖଣ୍ଡ ପୁଲିସ ସାଇବର ଅପରାଧ ମୁକାବିଲାରେ ଓଡ଼ିଶାଠାରୁ ଆଗରେ ରହିଛି।

ସଚେତନତା ପାଇଁ ୩୬ ପୃଷ୍ଠାର ଏକ ଇ-ବୁକ୍‌ ବାହାର କରିଛି। ଏଥିରେ ସାଇବର ଅପରାଧର ଶ୍ରେଣୀ ଓ କେମିତି ସେଥିରୁ ରକ୍ଷା ମିଳିବ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ଏହା ସହ ୟୁ-ଟ୍ୟୁବ୍ ଭିଡିଓ ମାଧ୍ୟମରେ ସଚେତନତା କରାଯାଉଛି। ସେହିପରି ଛତିଶଗଡ଼ରେ ମଧ୍ୟ ‘ସାଇବର ଦୋସ୍ତୋଁ’ କାର୍ଯ୍ୟକ୍ରମ ଜରିଆରେ ଘରେ ଘରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଯୋଜନା ହୋଇଥିବା ବେଳେ ‘ସାଇବର ମିତ୍ର’ ପ୍ରଚାର ଜରିଆରେ ସଚେତନ କରାଯାଉଛି। ପଶ୍ଚିମବଙ୍ଗରେ ହ୍ବାଟ୍‌ସଆପ୍ ନମ୍ବରରେ ଲୋକଙ୍କୁ ଯୋଡ଼ି ୨୦ ସୂତ୍ରୀ ସଚେନତନା ବାର୍ତ୍ତା ପଠାଉଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ପୁଲିସ ପକ୍ଷରୁ ୟୁ-ଟ୍ୟୁବ୍, ଫେସ୍‌ବୁକ୍ ଭଳି ସୋସିଆଲ୍ ମିଡିଆରେ ଲଗାତାର ଭାବେ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ଓଡ଼ିଶା ପୁଲିସ ସଚେତନତା କ୍ଷେତ୍ରରେ ସେମିତି ପ୍ରଭାବ ବିସ୍ତାର ଲାଭ କରିପାରି ନାହିଁ। କେତେକ ନିର୍ଦ୍ଦିଷ୍ଟ ସାଇବର ଅପରାଧ ଉପରେ ସଚେତନ କରାଯାଉଛି। କମିସନରେଟ ପୁଲିସ ଓ ଜିଲ୍ଲା ପୁଲିସ ପକ୍ଷରୁ ମଝିରେ ମଝିରେ ସାଇବର ଅପରାଧ ସମ୍ପର୍କିତ ସଚେତନତା ଆଡ୍‌ଭାଇଜରି ଜାରି କରାଯାଉଛି। କିନ୍ତୁ ଠକେଇ ମାମଲା ବଢ଼ି ଚାଲିଥିବା ବେଳେ ରାଜ୍ୟବ୍ୟାପୀ ବ୍ୟାପକ ଭାବେ ସଚେତନତାର କୌଣସି ବ୍ୟବସ୍ଥା କରାଯାଇ ପାରିନାହିଁ।

ଗତ ଦୁଇ ବର୍ଷ ୨୦୧୯ ଓ ୨୦୨୦ରେ ସାଇବର ଠକମାନେ ସାରା ରାଜ୍ୟରୁ ୫୧ କୋଟି ୧୫ ଲକ୍ଷ ୨୮ ହଜାର ୮୮୧ ଟଙ୍କା ଲୁଟିଥିବା ଜଣାପଡ଼ିଛି। କିନ୍ତୁ ୨୦୨୧ରେ ସାଇବର ଠକଙ୍କ ଲୁଟ୍‌ ଅର୍ଥ ପରିମାଣ ସବୁ ରେକର୍ଡ ଟପିଯିବ ବୋଲି କୁହାଯାଉଛି। କାରଣ କେବଳ ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟା​ଳୟକୁ ଗତ ୯ ମାସ ମଧ୍ୟରେ ଆସିଥିବା ଫୋନ୍ କଲ୍ ଅଭିଯୋଗରୁ ଠକେଇ ଅର୍ଥ ୧୦ କୋଟି ଟଙ୍କା ଟପିଗଲାଣି। ସାରା ରାଜ୍ୟରେ ସାଇବର ଠକେଇ ହିସାବକୁ ନେଲେ ବର୍ଷ ଶେଷ ସୁଦ୍ଧା ୫୦ କୋଟି ଟଙ୍କା ଟପିଯିବ ବୋଲି ଅନୁମାନ କରାଯାଉଛି।

ଭୁବନେଶ୍ବରରେ ସମେତ ରାଜ୍ୟର ବିଭିନ୍ନ ପୁଲିସ ଜିଲ୍ଲାରେ ୨୪ଟି ସାଇବର ଥାନା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ୧୩ଟି ଥାନା ଖୁବଶୀଘ୍ର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି। ଏଥିରୁ ଗୋଟିଏ ଭୁବନେଶ୍ବର ସାଇବର କମ୍ପ୍ଲେକ୍ସରେ ପରିଚାଳିତ ହେବ। ସେହିପରି ସାଇବର କମ୍ପ୍ଲେକ୍ସରେ ପୁଲିସ ଅଧିକାରୀମାନଙ୍କୁ ତାଲିମ ଦିଆ ଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର