ବାଲିପାଟଣା: ସାଇବର ଠକ ଜଣେ ଭିନ୍ନକ୍ଷମ ବ୍ୟବସାୟୀଙ୍କୁ ଅଭିନବ ଉପାୟରେ ଠକେଇ କରିଛନ୍ତି। ପ୍ରଥମେ ବ୍ୟବସାୟୀଙ୍କ ଆକାଉଣ୍ଟକୁ ୯ ହଜାର ଟଙ୍କା ପଠାଇ ଆକାଉଣ୍ଟରୁ ୬ଲକ୍ଷ ୨୪ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ବ୍ୟବସାୟୀଜଣକ ଆଜି ଭୁବନେଶ୍ୱର ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ବାଲିପାଟଣା ଥାନା ମଝିହରା ପଞ୍ଚାୟତ ମୁଣ୍ଡହଣା ପାଟଣା ଗ୍ରାମର ନରସିଂହ ସାହୁଙ୍କର ତେଜରାତି ଦୋକାନ ଅଛି। ନରସିଂହଙ୍କ ପୁଅ ସିଲୁ ସାହୁ ଭିନ୍ନକ୍ଷମ। ଗତକାଲି ସିଲୁଙ୍କ ଅକାଉଣ୍ଟକୁ ୯ ହଜାର ଟଙ୍କା ଆସିଥିବା ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହାପରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ଉକ୍ତ ୯ ହଜାର ଟଙ୍କା ପରିଶୋଧ ପାଇଁ କହିଥିଲା। ଏଥିସହିତ ସେ ତାଙ୍କ ଆକାଉଣ୍ଟ ନମ୍ବର ମାଗି ନେଇଥିଲା। ସିଲୁ ଆକାଉଣ୍ଟ ନମ୍ବର ଦେବା ପରେ ଆଜି ତାଙ୍କର ବାଲିପାଟଣା ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ଉକ୍ତ ୯ ହଜାର ସହ ୬ ଲକ୍ଷ ୨୪ ହଜାର ଟଙ୍କା କଟି ଯାଇଥିଲା।
ଠକେଇ ଅଭିଯୋଗରେ ବିଟେକ୍ ଛାତ୍ର ଗିରଫ
ଭୁବନେଶ୍ବର: ଶସ୍ତାରେ ମୋବାଇଲ୍ ଦେବାକୁ ଓଏଲ୍ଏକ୍ସରେ ବିଜ୍ଞାପନ ଦେଇ ଜଣେ ଯୁବକଙ୍କଠାରୁ ଲକ୍ଷେ ୨୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗରେ ସାଇବର ଥାନା ପୁଲିସ ଜଣେ ବିଟେକ୍ ଛାତ୍ରକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ରଥଗଡ଼ାସାହି ଅଞ୍ଚଳର ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ୍ ସାଗର(୨୪)। ଓପୋ କମ୍ପାନିର ୫୨ ହଜାର ଟଙ୍କିଆ ଫୋନ୍ ସେଟ୍କୁ ୩୨ ହଜାର ଟଙ୍କାରେ ଦେବ ବୋଲି ଅଭିଯୁକ୍ତ ସାଗର ଓଏଲ୍ଏକ୍ସରେ ବିଜ୍ଞାପନ ଦେଇଥିଲା।
ବିଶ୍ବଜିତ୍ ପାତ୍ର ନାମକ ଜଣେ ଯୁବକ ସାଗର ସହ ଯୋଗାଯୋଗ କରିବା ପରେ ୪ଟି ସେଟ୍ କିଣିବା ପାଇଁ କଥା ଛିଡ଼ିଥିଲା। ପରେ ବିଶ୍ବଜିତ୍ ସହିଦନଗର ସ୍ଥିତ ଏକ ମୋବାଇଲ୍ ଦୋକାନକୁ ଯାଇଥିଲେ ଓ ଦୋକାନୀଙ୍କ ସହ ଫୋନ୍ ଯୋଗେ ସାଗରକୁ କଥା କରାଇଥିଲେ। ଏହା ଭିତରେ ବିଶ୍ବଜିତ୍ ଫୋନ୍ ପେ ଜରିଆରେ ସାଗରକୁ ଲକ୍ଷେ ୨୦ ହଜାର ଟଙ୍କା ଦେଇସାରିଥିଲେ। କିନ୍ତୁ ଦୋକାନୀ ଟଙ୍କ ପାଇନଥିବାରୁ ତାଙ୍କୁ ମୋବାଇଲ୍ ଦେଇନଥିଲେ। କିଛି ସମୟ ଅପେକ୍ଷା କରିବା ପରେ ବିଶ୍ବଜିତ୍ ଫୋନ୍ କଲେ। ମାତ୍ର ସାଗରର ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଠକାମିର ଶିକାର ହେବା ଜାଣିବା ପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ।