ସାଇବର ଠକଙ୍କ ଟାର୍ଗେଟ୍‌ରେ ରାଜଧାନୀ, ସେପ୍ଟେମ୍ବରରେ ଲୁଟିଲେ ଅଧ କୋଟିରୁ ଅଧିକ

ଭୁବନେଶ୍ବର : ସାଇବର ଠକଙ୍କ ଟାର୍ଗେଟ୍‌ରେ ରହିଛି ଭୁବନେଶ୍ବର। ସେମାନଙ୍କୁ ଠାବ କରିବାରେ କମିସନରେଟ୍‌ ପୁଲିସ ବାରମ୍ବାର ବିଫଳ ହେଉଛି। ତେଣୁ ସାଇବର ଠକମାନେ ରାଜଧାନୀକୁ ସେମାନଙ୍କ ଖେଳର ପ୍ରଥମ ପସନ୍ଦ ସ୍ଥାନ ଭାବେ ବାଛିଥିବା କୁହାଯାଉଛି। ସେପ୍ଟେମ୍ବର ମାସରେ ଠକେଇ ପରିମାଣ ଅଧକୋଟିକୁ ଟପି ଯାଇଥିବାରୁ ଏହି ଚର୍ଚ୍ଚା ହେଉଛି। ପୁଲିସ ସୂଚନାନୁସାରେ ଏହି ମାସରେ ସାଇବର ଠକଙ୍କ ଦ୍ବାରା ମୋଟ ୬୦ ଲକ୍ଷ ୪୮ହଜାର ୪ଶହ ୫୩ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେବେ ଅଭିଯୋଗ ପାଇବା ମାତ୍ରେ ପୁଲିସ କାର୍ଯ୍ୟାନୁଷ୍ଠାନ କାରଣରୁ ୧୭ ଲକ୍ଷ ଟଙ୍କା ସାଇବର ଠକଙ୍କ ଖାତାକୁ ଯାଇପାରିନାହିଁ। କମିସନରେଟ୍‌ ପୁଲିସ ୭୨ଟି ନମ୍ବରକୁ ବ୍ଲକ୍‌ କରିଛି।

ସୂଚନାନୁସା‌ରେ, ସେପ୍ଟେମ୍ବରରେ ଓଡ଼ିଶାରେ ମୋଟ ୪୮୫ଟି ସାଇବର ଠକେଇ ଅଭିଯୋଗ ହୋଇଛି। ସେଥରୁ ୨୩୧ଟି ଅଭିଯୋଗ କେବଳ ଭୁବନେଶ୍ବରରୁ ଆସିଛି। ଏହି ସବୁ ଠକେଇରେ ୟୁପିଆଇ ଜନିତ ଠକେଇ ସଂଖ୍ୟା ସର୍ବାଧିକ ୧୩୬ଟି ରହିଛି। ସେହିଭଳି ୩୦ଟି କ୍ରେଡିଟ୍/ଡେବିଟ୍ କାର୍ଡ ଠକେଇ ରହିଛି। ୬୫ଟି ଭିନ୍ନଧରଣର ଠକେଇ ରହିଛି। କିଛି ମାମଲାରେ ନିଜ ଅଜ୍ଞତା କାରଣରୁ ଲୋକେ ସାଇବର ଠକଙ୍କ ଜାଲରେ ଫସୁଥିବା ବ‌େଳେ ବହୁ ମାମଲାରେ ଲୋକେ ଲୋଭର ବଶବର୍ତ୍ତୀ ହୋଇ ବା ଅସାବଧାନତା କାରଣରୁ ସାଇବର ଲୁଟ୍‌ର ଶିକାର ହେଉଥିବା ଦେଖାଯାଉଛି। ତେଣୁ ଆହୁରି ଅଧିକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ସାଇବର ବିଶେଷଜ୍ଞମାନେ କହିଛନ୍ତି।

ଓଏଲ୍‌ଏକ୍ସ ପରେ ଫେସବୁକ୍‌ରେ ଠକର କାର୍ ବିକ୍ରି ବିଜ୍ଞାପନ
ନୂଆପଲ୍ଲୀର ପ୍ରଫୁଲ୍ଲ ଦାସଙ୍କୁ କାର୍ ବିକ୍ରି କରିବାକୁ କହି ୩୫ ହଜାର ଟଙ୍କା ଠକି ନେଇଥିବା ସାଇବର ଠକ ଆଜି ପୁଣି ଏକ ନୂଆ ଚାଲ୍‌ ଚଳାଇଥିବା ଜଣାପଡ଼ିଛି। ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ଠକ ପ୍ରଫୁଲ୍ଲଙ୍କୁ ଚୂନ ଲଗାଇଥିଲା। ଏଥର ସେ ଫେସ୍‌ବୁକ୍‌ରେ ବିଜ୍ଞାପନ ଦେଇଛି। ସମାନ ଗାଡ଼ିର ଫଟୋ ଓ ଦାମ୍‌ ୫୦ ହଜାର ଟଙ୍କା ଦେଇଛି। ଓଏଲ୍‌ଏକ୍ସରେ ଠକର ନାଁ ଥିଲା ଦୀପକ କୁମାର। ଜଣେ ଆର୍ମି ଅଧିକାରୀ ବୋଲି ନିଜର ପରିଚୟ ଦେଇଥିଲା ଓ ଏକ ମୋବାଇଲ୍‌ ନମ୍ବର ଦେଇଥିଲା। କିନ୍ତୁ ଏଥର ଫେସ୍‌ବୁକ୍‌ରେ ଠକ ତା’ ନାଁ ଦୀପେଶ କୁମାର ସୌରଭ ବୋଲି ଲେଖିଛି ଓ ଏକ ଅଲଗା ମୋବାଇଲ୍ ନମ୍ବର (୭୦୦୮୫୬୪୨୦୧)ରେ ଯୋଗାଯୋଗ କରିବାକୁ କହିଛି। ଆଜି ପ୍ରଫୁଲ୍ଲଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ପୁଣି ସାଇବର ସେଲ୍‌ରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର