ଭୁବନେଶ୍ୱରରେ ରେକର୍ଡ କଲେ ସାଇବର୍‌ ଠକ: ମାସକରେ କୋଟିଏ ଚଳୁ

ଭୁବନେଶ୍ବର : ବର୍ଷ ଆରମ୍ଭରୁ, ସାଇବର୍‌ ଠକେଇରେ ଭୁବନେଶ୍ବରରେ ଏକ ଅଲୋଡ଼ା ରେକର୍ଡ କରିଛି। ସାଇବର୍‌ ଠକମା‌ନେ ଗତ ଜାନୁଆରି ମାସରେ ଖାଲି ରାଜଧାନୀରୁ କୋଟିଏରୁ ଊର୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। କମିସନରେଟ୍ ପୁଲିସ୍‌ର ସୂଚନା ମୁତାବକ, ଜାନୁଆରିରେ ଭୁବନେଶ୍ବରରୁ ୧ କୋଟି ୩୧ ଲକ୍ଷ ୨୫ ହଜାର ୩୦ ଟଙ୍କାର ସାଇବର୍‌ ଠକେଇ ହୋଇଛି। ଗତ ମାସକରେ ଭୁବନେଶ୍ବର ସାଇବର ଥାନାକୁ ମୋଟ ୩୬୦ ସାଇବର ଠକେଇ ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୩୩୧ଟି ଅଭିଯୋଗ ଭୁବନେଶ୍ବରରୁ ହୋଇଥିବା ଜଣାଯାଇଛି। ଠକେଇ ମଧ୍ୟରେ ସର୍ବାଧିକ ୧୯୨ଟି ୟୁପିଆଇ ଜନିତ ଥିବା ବେଳେ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଜନିତ ୧୦୨ଟି ଠକେଇ ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅର୍ଥାତ୍‌ ଜାନୁଆରି-୨୦୨୧ରେ ଭୁବନେଶ୍ବରରୁ ପ୍ରାୟ ୫୨ଲକ୍ଷ ଟଙ୍କାର ସାଇବର୍‌ ଠକେଇ ହୋଇଥିବା ବେଳେ ଚଳିତବର୍ଷ ପ୍ରାୟ ଅଢ଼େଇ ଗୁଣା ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ। ହାରାହାରି ହିସାବକୁ ନେଲେ, ଗତ ମାସରେ ଭୁବନେଶ୍ବରରେ ପ୍ରତିଦିନ ୧୦ ଜଣଙ୍କଠାରୁ ପ୍ରାୟ ୪ଲକ୍ଷ ଟଙ୍କା ଠକେଇ ହେଉଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଠକେଇକୁ ରୋକିବା ପାଇଁ ଭୁବନେଶ୍ବର ସମେତ ରାଜ୍ୟର ୧୪ଟି ସହରରେ ସାଇବର ଥାନା ଖୋଲା ଯାଇଥିଲା। ମାତ୍ର ଠକେଇ ନିୟନ୍ତ୍ରଣ ହେବା ପରିବର୍ତ୍ତେ ବଢ଼ୁଛି। କମିସନରେଟ୍ ପୁଲିସର ହାତ ପୂର୍ବଭଳି ଖାଲି ରହିଛି। ଗୋଟିଏ ବି ସାଇବର ଠକକୁ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର ପୁଲିସ ଧରିପାରିନାହିଁ। ସେହିଭଳି ଭୁବନେଶ୍ବରରେ ରହି ଜମ୍‌ତରା ଗ୍ୟାଙ୍ଗର ୩ ସଦସ୍ୟ ପ୍ରାୟ ମାସାଧିକ କାଳ ନେଟ୍‌ଵର୍କ ଚଳାଇଥିଲେ ହେଁ ଏ ସଂକ୍ରାନ୍ତରେ ସାମାନ୍ୟତମ ସୂଚନା ମଧ୍ୟ ପାଇ ପାରିନଥିଲା ପୁଲିସ। କ୍ରାଇମବ୍ରାଞ୍ଚ ଖବର ପାଇ ସେମାନଙ୍କୁ ରସୁଲଗଡ଼ ପ୍ରାଚୀବିହାରରୁ ଉଠାଇଥିଲା। କେବଳ କ୍ରାଇମବ୍ରାଞ୍ଚ ନୁହେଁ, ପୂର୍ବରୁ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟର ପୁଲିସ ଏକାଧିକ ସାଇବର ଠକଙ୍କୁ ରାଜ୍ୟରୁ ଗିରଫ କରୁଛି। ଅଥଚ ସାଇବର୍‌ ଥାନାକୁ ମାସେ ବିତିଥିଲେ ସୁଦ୍ଧା କୌଣସି ଗୋଟିଏ ବି ସାଇବର ଠକକୁ ଗିରଫ କରିପାରିନାହିଁ।

ଅପରପକ୍ଷେ ସାଇବର୍‌ ଥାନା ପୁଲିସ ଚଳିତ ବର୍ଷ ଜାନୁଆରିରେ ୯ଲକ୍ଷ ୪୭ ହଜାର ଟଙ୍କା ଫେରସ୍ତ କରିଥିବା ବେଳେ ୩ଲକ୍ଷ ୧୭ ହଜାର ଟଙ୍କା ଅଚଳ କରିଦେଇଛି। ସେହିଭଳି ଠକେଇ ପାଇଁ ବ୍ୟବହାର ହୋଇଥିବା ୪୪ଟି ସିମ୍‌ କାର୍ଡକୁ ବ୍ଲକ୍‌ କରାଯାଇଛି।

ଦିନକରେ ୧୦ଲକ୍ଷଲୁଟିଲେ
ଭୁବନେଶ୍ବର : ଭୁବନେଶ୍ବରର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ଆଜି ଗୋଟିଏ ଦିନରେ ପ୍ରାୟ ୧୦ଲକ୍ଷ ଟଙ୍କାର ସାଇବର ଠକେଇ ଅଭିଯୋଗ ଆସିଛି। ପ୍ରଥମେ ବ୍ୟାଙ୍କ୍‌ ଆକାଉଣ୍ଟ ଅପଡେଟ୍ କରାଇବା ନାଁରେ ୟୋନୋ ଆକାଉଣ୍ଟରୁ ଲୁଟି ନେଇଥିବା ପରେ ଏକ କମ୍ପାନିର କର୍ମଚାରୀଙ୍କଠାରୁ ଜିନିଷ ଅର୍ଡର ଦେବା ନାଁରେ ୮ଲକ୍ଷ ଠକେଇ ହୋଇଛି। ଏହିଭଳି ୩ଟି ସାଇବର ଠକେଇରେ ପ୍ରାୟ ୧୦ଲକ୍ଷ ଟଙ୍କା ଚଳୁ କରିନେଇଛନ୍ତି ସାଇବର ଠକ।

ଖବର ଅନୁଯାୟୀ, ଜଣେ ବରିଷ୍ଠ ନାଗରିକଙ୍କ ପାଖକୁ ଗତ କିଛିଦିନ ତଳେ ବ୍ୟାଙ୍କ୍ ଆକାଉଣ୍ଟ ଅପଡେଟ୍ କରାଇବା ପାଇଁ ଏକ ମେସେଜ୍ ଆସିଥିଲା। ସେ ଉକ୍ତ ମେସେଜ୍‌ରେ କ୍ଲିକ୍ କରିବା ପରେ ସାଇବର ଠକ ତାଙ୍କ ମୋବାଇଲ୍‌କୁ ହ୍ୟାକ୍ କରି ୟୋନୋ ଆକାଉଣ୍ଟ୍‌ରୁ ଲକ୍ଷେ ୧୦ହଜାର ଠକେଇ କରିଥିବା ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ କମ୍ପାନିର ବରିଷ୍ଠ ଅଧିକାରୀଙ୍କୁ ସାଇବର ଠକ ଜିନିଷ ଅର୍ଡର କରିଥିଲା। ଅର୍ଡର କନଫର୍ମେସନ୍ ଗ୍ରହଣ କରିବା ପରେ ସାଇବର ଠକ ତାଙ୍କୁ ଏକ ଲିଙ୍କ୍‌ ପଠାଇ ଟଙ୍କା ନେବାକୁ କହିଥିଲା। ପରେ ସେ ଉକ୍ତ ଲିଙ୍କ୍‌ରେ କ୍ଲିକ୍ କରିବା ପରେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ୪ଟି ପର୍ଯ୍ୟାୟରେ ପ୍ରାୟ ୮ଲକ୍ଷ ଟଙ୍କା ଠକିନେଇଥିଲା ବୋଲି ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ସେହିଭଳି ନୂଆପଲ୍ଲୀ ଆଇଆର୍‌ସି ଭିଲେଜର ଜଣେ ଯୁବତୀ ଡ୍ରେସ୍ କିଣିବା ପାଇଁ ଅନ୍‌ଲାଇନରେ ଅର୍ଡର କରିଥିଲେ। ଅର୍ଡର କନଫର୍ମେସନ୍ ପାଇଁ ତାଙ୍କ ପାଖକୁ ଏକ ଓଟିପି ଆସିଥିଲା। ଏହା ପରେ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍ ଆସିଥିଲା ଏବଂ ସେ ନିଜକୁ ଉକ୍ତ ସଂସ୍ଥାର କର୍ମଚାରୀ କହି ଓଟିପି ମାଗିଥିଲା। ଯୁବତୀ ଜଣକ ଓଟିପି ଦେବା ପରେ ସାଇବର ଠକ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୭୦ହଜାର ଟଙ୍କା ଚଳୁ କରିନେଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର