ରାଜଧାନୀରେ ସାଇବର ଠକେଇର ରକେଟ୍‌ ବେଗ; ୫ ମାସରେ ସାଢ଼େ ୧୭ ଶହ ମାମଲା, ୫ କୋଟି ଚଳୁ

ରାଜ୍ୟର ୮୭ % ରାଜଧାନୀରେ

ଭୁବନେଶ୍ବର : ବହୁବିଧ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଥମୁନି ସାଇବର ଠକେଇ। ଭୁବନେଶ୍ବରରେ ଏବେ ଏହି ଠକେଇ ରକେଟ୍‌ ବେଗରେ ଗତି କରୁଛି। ଗତ ୫ ମାସର ତଥ୍ୟରୁ ଏହା ଜଳଜଳ ହୋଇ ଦେଖାଯାଉଛି। ଏହି ଅବଧି ଭିତରେ ସାଢ଼େ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୫ କୋଟି ଟଙ୍କା ସାଇବର ଠକଙ୍କ ଝୁଲାକୁ ଚାଲିଯାଇଛି। ସମଗ୍ର ରାଜ୍ୟରେ ସାଢ଼େ ୧୭ ଶହ ମାମଲା ହୋଇଥିବା ବେଳେ କେବଳ ରାଜଧାନୀରେ ୧୫୩୭ ମାମଲା ରୁଜୁ ହୋଇଛି। ତେଣୁ ରାଜ୍ୟର ମୋଟ ଠକେଇର ୮୭ ପ୍ରତିଶତ ଠକେଇ କେବଳ ଭୁବନେଶ୍ବରରୁ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଯେ ସାଇବର ଠକଙ୍କ ସ୍ବତନ୍ତ୍ର ନଜରରେ ରହିଛି। ଏଭଳି ମାମଲା ବାରମ୍ବାର ହେଉଥିଲେ ବି ଲୋକେ ସଚେତନ ହେଉନାହାନ୍ତି। ବରଂ ବେଶି ବେଶି ଲୋକ ସାଇବର ଠକଙ୍କ ଫାଶ‌ରେ ଫସି ଯାଉଛନ୍ତି। ବିସ୍ମୟର କଥା ସାଇବର ଠକଙ୍କ ଜାଲରେ ବହୁ ଶିକ୍ଷିତ ବ୍ୟକ୍ତି ହିଁ ଫସୁଛନ୍ତି। ଡାକ୍ତର, ଇଂଜିନିୟର୍, ଅବସରପ୍ରାପ୍ତ ସେନା ଅଧିକାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଏଭଳି ଠକାମିର ଶିକାର ହେଉଛନ୍ତି।

Image Courtesy of Ottawa Citizen

ମିଳିଥିବା ସୂଚନାନୁସାରେ ଗତ ଜୁଲାଇ ମାସରେ ସର୍ବାଧିକ ୧.୩୮ କୋଟି ଟଙ୍କା ସାଇବର ଠକେଇ ହୋଇଥିଲା। ଜୁନ୍‌ରେ କୋଟିଏ ୬ଲକ୍ଷ, ମେ’ରେ ୯୫ ଲକ୍ଷ ୭୫ ହଜାର, ଅଗଷ୍ଟରେ ୮୦ଲକ୍ଷ ଟଙ୍କା ଏବଂ ଏପ୍ରିଲ୍‌ରେ ୭୬ଲକ୍ଷ ଟଙ୍କା ଠକେଇ ହୋଇଥିଲା। ଏପ୍ରିଲ୍‌ରେ ସମଗ୍ର ରାଜ୍ୟରୁ ୩୧୩ଟି ଅଭିଯୋଗ ଆସିଥିବା ବେଳେ କେବଳ ଭୁବନେଶ୍ବରରୁ ଥିଲା ୨୬୧ ମାମଲା। ସେଥିରେ ସର୍ବାଧିକ ୧୧୪ଟି ୟୁପିଆଇ ଠକେଇ ଏବଂ ୭୪ଟି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଠକେଇ ରିପୋର୍ଟ ହୋଇଛି। ସେହିପରି ୭୩ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା। ତେବେ ଅଭିଯୋଗକାରିମାନଙ୍କୁ ପାଖାପାଖି ୯ ଲକ୍ଷ ୭୦ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ଏକ ଲକ୍ଷ ୩୧ ହଜାର ଟଙ୍କା ବ୍ଲକ୍‌ କରାଯାଇପାରିଥିଲା। ମେ’ ମାସରେ ସାରା ରାଜ୍ୟରୁ ୩୩୬ଟି ଠକେଇ ଅଭିଯୋଗ ଆସିବା ବେଳେ କେବଳ ଭୁବନେଶ୍ବରରୁ ଥିଲା ୩ ଶହ। ସେଥିରେ ସର୍ବାଧିକ ୧୩୬ଟି ୟୁପିଆଇ ଠକେଇ ଏବଂ ୫୪ଟି କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଠକେଇ ରିପୋର୍ଟ ହୋଇଛି। ସେହିପରି ୧୧୦ଟି ଅନ୍‌ଲାଇନ ଠକେଇ ଅଭିଯୋଗ ଥିଲା। ହୋଇଛି। ତେବେ ପାଖାପାଖି ୭ଲକ୍ଷ ୬୯ ହଜାର ଟଙ୍କା ଫେରସ୍ତ କରାଯାଇଥିବା ବେଳେ ୬୭ ହଜାର ଟଙ୍କା ବ୍ଲକ୍‌ କରାଯାଇଥିଲା।

 

ସେହିଭଳି ଜୁନ୍ ମାସରେ ମୋଟ ୩୯୦ ଅଭିଯୋଗ ମଧ୍ୟରୁ ଭୁବନେଶ୍ବରରୁ ଥିଲା ୩୫୭ଟି ଅଭିଯୋଗ। ମୋଟ କୋଟିଏ ୬ଲକ୍ଷ ୭ଶହ ୬୯ଟଙ୍କା ଠକେଇ ହୋଇଥିବା ରେକର୍ଡ କରାଯାଇଥିଲା। ସେଥିରୁ ସର୍ବାଧିକ ୧୪୪ଟି ୟୁପିଆଇ ଠକେଇ ଥିବା ବେଳେ ୬୯ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରହିଛି। ଠକେଇ ଟଙ୍କାରୁ ମୋଟ ୫ଲକ୍ଷ ୩୬ ହଜାର ୧୦୧ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ବେଳେ ୩ ଲକ୍ଷ ୪୬ହଜାର ୭ଶହ ୮୧ଟଙ୍କା ଫେରସ୍ତ କରାଯିବାକୁ ରହିଛି। ଜୁଲାଇରେ ମୋଟ ୩୬୮ଟି ଅଭିଯୋଗ ଆସିଥିବା ବେଳେ ରାଜଧାନୀରୁ ୩୨୧ଜଣଙ୍କ ଠାରୁ ପ୍ରାୟ ୧କୋଟି ୩୮ଲକ୍ଷ ୬୪ହଜାର ୬ଶହ ୯୪ଟଙ୍କା ଠକେଇ ହୋଇଥିବା ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି। ସେଥିମଧ୍ୟରୁ ୧୪୮ଜଣଙ୍କ ଠାରୁ ୟୁପିଆଇ ଦ୍ବାରା ଠକେଇ କରାଯାଇଥିବା ବେଳେ ୭୧ଜଣଙ୍କୁ କ୍ରେଡିଟ୍/ଡେବିଟ୍ କାର୍ଡ ଦ୍ବାରା ଏବଂ ୧୦୨ଜଣଙ୍କୁ ଅନ୍‌ଲାଇନ୍‌ରେ ଠକେଇ କରାଯାଇଥିବା ଜଣାପଡ଼ିଛି।

Vindhya Bhaskar

ସେଥିମଧ୍ୟରୁ ଭୁବନେଶ୍ବର ସାଇବାର ଥାନା ପୁଲିସ ମାତ୍ର ୧୧ଲକ୍ଷ ୩୯ ହଜାର ୯ ଶହ ୪୧ଟଙ୍କା ଫେରସ୍ତ କରିଥିବା ବେଳେ ପ୍ରାୟ ୧୯ଲକ୍ଷ ଟଙ୍କା ବ୍ଲକ୍ କରିଥିବା କମିସନରେଟ୍ ପୁଲିସ ସୂଚନା ଦେଇଛି। ସେହିଭଳି ଅଗଷ୍ଟରେ ମୋଟ ୩୪୪ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ଭୁବନେଶ୍ବରରୁ କେବଳ ୨୯୮ଟି ଅଭିଯୋଗ ଥିଲା ଓ ମୋଟ ୮୦ ଲକ୍ଷ ଟଙ୍କା ଠକେଇ ହୋଇଛି। ସର୍ବାଧିକ ୧୦୭ଟି ୟୁପିଆଇଜନିତ ଠକେଇ ଅଭିଯୋଗ ଆସିଥିବା ବେଳେ ୧୧୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ରହିଛି। ଏଥିମଧ୍ୟରୁ ଭୁବନେଶ୍ବର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ୬ଟି ମାମଲା ରୁଜୁ କରିଥିବା ବେଳେ ୮୧ଟି ସାମାଜିକ ଗଣମାଧ୍ୟମଜନିତ ମାମଲା ରହିଛି। ଅପରପଟେ ଠକେଇ ହୋଇଥିବା ୮୦ ଲକ୍ଷ ଟଙ୍କାରୁ ମାତ୍ର ୬ ଲକ୍ଷ ୧୧ହଜାର ୫୬୩ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ବେଳେ ୨୬ଲକ୍ଷ ୨୮ହଜାର ୩୫୪ଟଙ୍କା ଫେରସ୍ତ କରାଯିବାକୁ ରହିଛି।

ଗତ ୫ମାସର ଏହି ତଥ୍ୟକୁ ତର୍ଜମା କଲେ ରାଜଧାନୀରେ ଠକେଇ ପରିମାଣ ବଢ଼ୁଥିବା ଦେଖିବାକୁ ମିଳୁଛି। ଉଦ୍‌ବେଗର ବିଷୟ‌ ହେଉଛି, ପୁଳାପୁଳା ଅଭିଯୋଗ ଆସୁଥିଲେ ମଧ୍ୟ ଠକଙ୍କୁ ଧରିବା ତ ଦୂରର କଥା ପୁଲିସ ମାମଲା ରୁଜୁକରୁନାହିଁ। ଗତ ମାସକରେ ୩୪୪ଟି ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ବରର ସାଇବର କ୍ରାଇମ୍ ଓ ଅର୍ଥନୈତିକ ଅପରାଧ ଥାନାରେ ମାତ୍ର ୬ଟି ମାମଲା ପଞ୍ଜୀକୃତ ହୋଇଛି। ପ୍ରତିମାସରେ ସମାନ ସ୍ଥିତି। ତେଣୁ ଲୋକମାନେ କିଭଳି ନ୍ୟାୟ ପାଇବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ ପାଇଁ ଆବଶ୍ୟକ ଅଧିକାରୀ ଅଭାବ। ଅଫିସରଙ୍କ ଅଭାବ ଯୋଗୁଁ ଅଧିକ ମାମଲା ପଞ୍ଜୀକୃତ ‌ହୋଇପାରୁନାହିଁ। ଅନ୍ୟପକ୍ଷରେ ବହୁ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଲୋକେ ଚେତୁନାହାନ୍ତି। ଏମିତିକି ଠକେଇର ଶିକାର ହେବା ପରେ ପରେ ୨୪ ଘଣ୍ଟା ଭିତରେ ବି ସାଇବର ଥାନାକୁ ଆସି ଅଭିଯୋଗ କରୁନାହାନ୍ତି। ତେଣୁ ବିଳମ୍ବରେ ପଞ୍ଜୀକୃତ ହେଉଥିବା ମାମଲାର ସମାଧାନ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।

New York Post

ସୂଚନାଯୋଗ୍ୟ ଯେ ସାଇବର ଠକମାନେ ବିଭିନ୍ନ ଉପାୟରେ ନୂଆ ନୂଆ ଫାଶ ବସାଉଛନ୍ତି। ପୂର୍ବରୁ ଚାକିରି ଲୋଭ, ଷ୍ଟକ୍ ମାର୍କେଟ୍‌ ପ୍ରଲୋଭନ, ଲୋନ୍‌ କରାଇବା ଭଳି ଯୋଜନା କରି ଠକୁଥିଲେ। ସେହିଭଳି ସାଇବର ସୁନ୍ଦରୀ ବେଶରେ ଫସାଇ ବ୍ଲାକ୍‌ମେଲ୍ କରି ଠକୁଥିଲେ। ଏବେ କ୍ରେଡିଟ୍‌ କାର୍ଡ ଲିମିଟି ବଢ଼ାଇବା ବାହାନା ଦେଖାଇ ଠକୁଛନ୍ତି। ତେବେ ଏବେ ସେମାନେ ବିଦ୍ୟୁତ ବିଲ୍‌କୁ ଅସ୍ତ୍ର କରିଛନ୍ତି। ବକେୟା ବିଦ୍ୟୁତ୍ ବିଲ୍‌ ଯୋଗୁଁ ଲାଇନ୍‌ କାଟି ଦେବାର ଭୟ ଦେଖାଇ ଲୁଟୁଛନ୍ତି। ଗତ ଦୁଇ ଦିନ ପୂର୍ବେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଏମିତି ଠକାମିର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇଥିଲେ।

ସମ୍ବନ୍ଧିତ ଖବର