ମାତିଛନ୍ତି ସାଇବର ଠକ : ଖାଲି କରି ଦେଉଛନ୍ତି ଆକାଉଣ୍ଟ

ଭୁବନେଶ୍ବର : ମାତିଛନ୍ତି ସାଇବର୍‌ ଠକ। ଲକ୍‌ଡାଉନ୍‌ରେ ବେରୋଜଗାର ସଂଖ୍ୟା ବଢ଼ି ଚାଲିଥିବା ବେଳେ ସାଇବର ଠକଙ୍କ କଚେପୁଅ ବାର। କାହାକୁ ବି ଛାଡ଼ୁ ନାହାନ୍ତି। ବ୍ୟାଙ୍କ ମ୍ୟାନେଜର୍‌, ଡାକ୍ତର, ଆଇଏଏସ୍ ଅଫିସର, ପୁଲିସ, ଇଞ୍ଜିନିୟର, ଛାତ୍ର; ସମସ୍ତଙ୍କୁ ଚୂନ ମାରି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଗୋଟିଏ ଜାଗାରେ ବସି ଗୋଟିଏ ଫୋନ୍ କଲ୍, ଗୋଟିଏ କ୍ଲିକ୍‌ରେ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି। ଲୁଟ୍‌ର ଶିକାର ବ୍ୟକ୍ତି କେବଳ ଥାନାରେ ଅଭିଯୋଗ କରି ଚୁପ୍ ହୋଇ ବସିବା ଛଡ଼ା ଆଉ କିଛି ବାଟ ନାହିଁ। କରୋନା ମୁକାବିଲାରେ ବ୍ୟସ୍ତ ଥିବା ପୁଲିସ ହାତ ଟେକି ଦେଉଛି। ସାଇବର୍‌ ଥାନା ଏକପ୍ରକାର କୋମାକୁ ଚାଲି ଯାଇଛି। କମିସନରେଟ୍‌ ଥାନା କଥା ନ କହିଲେ ଭଲ। କେବଳ ଲକ୍‌ଡାଉନ୍‌ରେ ରାଜଧାନୀ ସମେତ ରାଜ୍ୟରେ ୨ଶହରୁ ଅଧିକ ସାଇବର୍‌ ଠକେଇ ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ ଜଣେ ବି ଠକ ପୁଲିସ୍‌ ହାତରେ ଧରାପଡ଼ି ନାହିଁ। ଅନ୍‌ଲାଇନ୍‌ ମଦ ବିକ୍ରି ହେଉ କି କୋରିଅର୍‌ ଡେଲିଭରି, ଓଏଲ୍ଏକ୍ସରେ କିଣାବିକା କିମ୍ବା ଫୋନ୍ ପେ’, ଗୁଗୁଲ୍ ପେ’ ଭେରିଫାଏ ବେଳେ; ଆକାଉଣ୍ଟରୁ ଟଙ୍କା ଗାଏବ ଭଳି ଅନେକ ଘଟଣା ଏଇ ନିକଟ ଅତୀତରେ ସାମ୍ନାକୁ ଆସିଛି।

ସାଢ଼େ ୪ ବର୍ଷରେ ୩ ହଜାରରୁ ଅଧିକ ମାମଲା
ବର୍ଷ         ମାମଲା ସଂଖ୍ୟା    ଗିରଫ
୨୦୧୬     ୩୧୭            ୯୯
୨୦୧୭     ୮୨୪           ୧୯୫
୨୦୧୮     ୮୬୭           ୨୫୮
୨୦୧୯     ୯୨୦           ତଥ୍ୟ ନାହିଁ
୨୦୨୦ (ମେ) ୨୫୯       ତଥ୍ୟ ନାହିଁ

ପେମେଣ୍ଟ ଆପ୍ ଭେରିଫାଏ ନାଁରେ ଲୁଟୁଛନ୍ତି
ଲକ୍‌ଡାଉନ୍‌ ଯୋଗୁଁ ଅଧିକାଂଶ ବ୍ୟାଙ୍କିଙ୍ଗ ଜନିତ କାରବାର ଫୋନ୍‌-‌ପେ’, ଗୁଗୁଲ ପେ’ ଓ ପେ-ଟିଏମ୍‌ ଭଳି ମୋବାଇଲ୍‌ ଆପ୍‌ରେ ହେଉଥିବାରୁ ଠକମାନେ ଏହାକୁ ଟାର୍ଗେଟ୍‌ କରିଛନ୍ତି। ବିଭିନ୍ନ ବାହାନାରେ ଲୋକଙ୍କୁ ଫୋନ୍‌ କରି ସେମାନଙ୍କ ମୋବାଇଲ୍‌ରେ ସ୍ପାଏ-ଆପ୍‌ ଡାଉନ୍‌ଲୋଡ୍‌ କରାଇ ଦେଉଛନ୍ତି। ଏହାପରେ ମୋବାଇଲର ସବୁ ତଥ୍ୟ ହ୍ୟାକ୍‌ କରୁଛନ୍ତି। ସାଇବର୍‌ ବିଶେଷଜ୍ଞଙ୍କ କହିବା କଥା, କେୱାଇସି (ନୋ ୟୋର୍‌ କଷ୍ଟମର୍‌) ଦାଖଲ କରାଇବା ବାହାନାରେ ଠକମାନେ ଫେକ୍‌-କଲ୍‌ କରୁଛନ୍ତି। କଥାଛଳରେ ସେମାନେ ବ୍ୟବହାରକାରୀଙ୍କ ଫୋନ୍‌ରେ ‘ଏନି-ଡେସ୍କ’ ଭଳି ମୋବାଇଲ୍‌ ସ୍ପାଏ-ଆପ୍ ଲୋଡ୍ କରାଇବା ପାଇଁ ପରାମର୍ଶ ଦେଉଛନ୍ତି। ବ୍ୟବହାରକାରୀ ଏହି ଆପ୍ ଲୋଡ୍ କରିବା ପରେ ସେଥିରେ ମାତ୍ର ୧୦ ଟଙ୍କା କିମ୍ବା ୨୦ ଟଙ୍କା ଭଳି ଛୋଟ ମୂଲ୍ୟ ଦେବାକୁ କହି ପୂରା କାର୍ଡର ବିବରଣୀ ହାସଲ କରି ନେଇଥା’ନ୍ତି। ଡେବିଟ୍ କିମ୍ବା କ୍ରେଡିଟ୍‌ କାର୍ଡର ସବୁ ତଥ୍ୟ ସେମାନଙ୍କ ହାତରେ ଲାଗିବା ପରେ ପୂରା ଆକାଉଣ୍ଟ ଖାଲି କରି ଦେଇଥାନ୍ତି। ଆଉ କିଛି ଠକ ଗୁଗୁଲ୍ ପେ’ କିମ୍ବା ଫୋନ୍ ପେ’ରେ ଅଫର୍ ଆସିଛି ବୋଲି କହି ଏପରି କାଣ୍ଡ ଘଟାଉଛନ୍ତି ବୋଲି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି।

ଓଏଲ୍ଏକ୍ସରେ କିଣାବିକା ସୁହାଉଛି
ଅନ୍‌ଲାଇନ୍ କିଣାବିକା ସାଇଟ୍ ଓଏଲଏକ୍ସରେ ବିଜ୍ଞାପନକୁ ଢାଲ କରି ଲୁଟୁଛନ୍ତି ସାଇବର ଠକ। କୌଣସି ସାମଗ୍ରୀ କିଣିବା ଲାଗି ବିକ୍ରେତାଙ୍କୁ ଠକ କଲ୍ କରୁଛି। ସାମଗ୍ରୀ ପସନ୍ଦ ଆସିଛି ବୋଲି କହି ମନରେ ବିଶ୍ବାସ ଜନ୍ମାଇବା ପାଇଁ ନିଜ ଆଡ଼ୁ ପ୍ରଥମେ କିଛି ଅଗ୍ରିମ ଟଙ୍କା ଦେବାକୁ କହିଥାଏ। ଏଥିଲାଗି ବିକ୍ରେତାଙ୍କ ଅନଲାଇନ୍ ପେ’ ଆପ୍‌ରେ ଏକ କ୍ୟୁଆର୍ କୋଡ୍ ପଠାଇଥାଏ। ତେବେ ଏହି କୋଡ୍‌କୁ ବିକ୍ରେତା ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥାଏ।

ୱେବ୍ ଲିଙ୍କରେ ଚୋରି ହେଉଛି ତଥ୍ୟ
ଅନ୍‌ଲାଇନ୍ ଗେମ୍ ଖେଳିବା ସମୟରେ ହେଉ କିମ୍ବା କୌଣସି ଭିଡିଓ ଦେଖିବା ସମୟରେ, ଅନେକଙ୍କ ସ୍ମାର୍ଟ-ଫୋନ୍‌ରେ ନୀଳ ରଙ୍ଗର ୱେବ୍‌ ଲିଙ୍କ୍ ଆସିଥାଏ। ସେହି ଲିଙ୍କ୍‌କୁ କ୍ଲିକ୍ କଲା ପରେ କିଛି ମନୋଲଭା ଅଫର୍ ଆସିଥାଏ। ବିମାନ ଟି‌କେଟ୍‌ ବୁକ୍ କରିବା କିମ୍ବା ଲାପଟପ୍ କି କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା କିମ୍ବା କରୋନା ସମୟରେ ହେଲଥ୍‌ ଇନସ୍ୟୁରାନ୍ସ ସ୍କିମ୍ ଭଳି ଲିଙ୍କ୍ ଆସିଥାଏ। ଏଥିରେ ଆଗ୍ରହ ଦେଖାଇ ଯେଉଁମାନେ ବ୍ୟକ୍ତିଗତ ତଥ୍ୟର ବିବରଣୀ ଦେଇଥାନ୍ତି, ସେମାନେ ଠକ ଜାଲରେ ଫସି ଯାଇଥାନ୍ତି। ନିଜର ତଥ୍ୟ ଭରିବା ପରେ ହ୍ୟାକର୍‌ଙ୍କ ହାତରେ ବ୍ୟବହାରକାରୀଙ୍କ ସବୁ ତଥ୍ୟ ଲାଗିଯାଏ। ପରବର୍ତ୍ତୀ ସମୟରେ ଏହି ତଥ୍ୟକୁ ବ୍ୟବହାର କରି ହ୍ୟାକର୍‌ ଟଙ୍କା ଲୁଟିବାରେ ସକ୍ଷମ ହୋଇଥାଏ।

Image Source: ET-Tech

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ଠକ
ସୁଦୂର ଝାଡ଼ଖଣ୍ଡର ଜମତରା ଓ ପଶ୍ଚିମବଙ୍ଗ‌ ଏହି ସାଇବର୍‌ ଠକଙ୍କ ଆଡ଼ା। ସେଠାରୁ ଲୋକଙ୍କ ପାଖକୁ ଏମିତି ଅନେକ ଫେକ୍‌-କଲ୍ ଆସିଥାଏ। ଗୋଟିଏ ଗୋଟିଏ ସିମ୍‌ କାର୍ଡରେ ଏକାଧିକ ଲୋକଙ୍କ ପାଖକୁ କଲ୍ ଆସେ। ଯେଉଁ ସିମ୍‌ କାର୍ଡରେ ବିପୁଳ ପରିମାଣର ଟଙ୍କା ଠକେଇ ହୋଇଥାଏ, ପରେ ଠକ ତାକୁ ଫିଙ୍ଗି ଦେଇଥାଏ। ଏଭଳି ଏକାଧିକ ଗ୍ରୁପ୍ ସେଠାରେ ବସି କାମ କରୁଛନ୍ତି। ସେମାନେ ଝାଡ଼ଖଣ୍ଡର ସିମ୍ ବ୍ୟବହାର ନ କରି ଓଡ଼ିଶା କିମ୍ବା ଅନ୍ୟ ରାଜ୍ୟର କରନ୍ତି ବୋଲି କହିଛନ୍ତି ସାଇବର ବିଶେଷଜ୍ଞ।

ପୁଲିସ ଚେଷ୍ଟା କଲେ ଧରାପଡ଼ିବେ
ସାଇବର୍‌ ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା ଅନୁସା‌ରେ, ଲୁଟ୍‌ ଟଙ୍କା ପ୍ରଥମେ ଠକର ବ୍ୟାଙ୍କ ଆକାଉଣ୍ଟରେ ଦାଖଲ ହୋଇଥାଏ। ପରେ ସେହି ଆକାଉଣ୍ଟରୁ ବିଭିନ୍ନ ଆଡ଼କୁ ଟଙ୍କା ଟ୍ରାନ୍ସଫର୍‌ ହୋଇଥାଏ। ଅନଲାଇନ୍ ମଦ ଡେଲିଭରି ନାଁରେ ହେଉ କିମ୍ବା କୌଣସି ପେ’ ଆପ୍ ଜରିଆରେ ଟଙ୍କା ହଡ଼ପ, ପୁଲିସ ଚେଷ୍ଟା କଲେ ସେମାନଙ୍କୁ ଧରି ପାରିବ। ଏଥିପାଇଁ ସ୍ବତନ୍ତ୍ର ୟୁନିଟ୍ ସହ ତାଲିମପ୍ରାପ୍ତ କର୍ମଚାରୀଙ୍କ ଆବଶ୍ୟକତା ରହିଛି।

ସଚେତନ ହେଲେ ଅପରାଧ କମିବ
ଲୋକଙ୍କ ଭୁଲ୍‌ ଯୋଗୁଁ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ହେଉଛି। ବାରମ୍ବାର ସଚେତନତା ସତ୍ତ୍ବେ ଲୋ‌କେ ଲୋଭରେ ପଡ଼ି କିମ୍ବା ଭୟରେ ଠକଙ୍କୁ ସବୁ ଗୋପନୀୟ ତଥ୍ୟ ଦେଉ ଦେଉଛନ୍ତି। ଫଳରେ ଠକ ଆରାମରେ ବସି ଟଙ୍କା ହଡ଼ପ କରୁଛି। ପ୍ରତିବର୍ଷ ଏଭଳି ୫୦ ପ୍ରତିଶତରୁ ଅଧିକ ମାମଲା ରୁଜୁ ହେଉଛି। ଏଥିପାଇଁ ଲୋକ ସଚେତନ ହେବାର ଆବଶ୍ୟକତା ରହିଛି। କେତେକ ଘଟଣାରେ ଠକ ଟଙ୍କା ଟ୍ରାନ୍ସଫର୍‌ କରିବା ପୂର୍ବରୁ ଫେରି ଆସିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ।

ସମ୍ବନ୍ଧିତ ଖବର