ସାଇବର ଠକଙ୍କ ଜାଲରେ ସଫ୍ଟୱେୟର ଇଞ୍ଜିନିୟର : ଆକାଉଣ୍ଟରୁ ଚାଲିଗଲା ୮୦ ହଜାର ଟଙ୍କା

ଚନ୍ଦ୍ରଶେଖରପୁର : ଲକଡାଉନରେ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଅପରାଧୀ। ଘରେ ବସି ଗୋଟିଏ କ୍ଲିକରେ ଖାଲି କରି ଦେଉଛନ୍ତି ଆକାଉଣ୍ଟ। ହ୍ୟାକ୍ କରି ଦେଉଛନ୍ତି ଫେସ୍‌ବୁକ୍, ଇମେଲ୍ ଆଇଡ଼ି। ପୁଲିସ, ବ୍ୟାଙ୍କ ମ୍ୟାନେଜର, ବିଲ୍ଡର, ଠିକାଦାର, ଛାତ୍ରଙ୍କ ପରେ ଏବେ ସାଇବର ଠକଙ୍କ ଜାଲରେ ପଡ଼ି ଯାଇଛନ୍ତି ଜଣେ ସଫ୍ଟୱେୟର ଇଞ୍ଜିନିୟର। ଅନଲାଇନରେ ମଦ ବୁକ୍ କରି ବ୍ୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ହରାଇଛନ୍ତି ଇଞ୍ଜିନିୟର। ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ଇଞ୍ଜିନିୟର ଜଣଙ୍କ ଅନଲାଇନରେ ମଦ ବୁକ୍ କରିଥିଲେ। ଧାର୍ଯ୍ୟ ସମୟ ଭିତରେ ମଦ ନ ପହଞ୍ଚିବାରୁ ସେ ବାରମ୍ବାର ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବା ସମୟରେ ସାଇବର ଠକ ବିଭିନ୍ନ ତଥ୍ୟ ନେଇ ସମ୍ପୃକ୍ତ ଇଂଜିନିୟରଙ୍କ ଦୁଇଟି ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଥିଲା। ଏପରି ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ପୁଲିସର ଆଶ୍ରୟ ନେଇଥିଲେ। ପୁଲିସ ସୂଚନା ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲେ ମଧ୍ୟ କିଛି ବି ସୁରାଗ ପାଇନାହିଁ।

ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନିର ଜଣେ ଇଂଜିନିୟରିଂ ଛାତ୍ର ଅନ୍‌ଲାଇନ୍‌ରେ ମଦ ମଗାଇ ୪୮ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ। ସେହିଭଳି ଶୈଳଶ୍ରୀବିହାର ଅଞ୍ଚଳର ଜଣେ ଇଂଜିନିୟରିଂ ଛାତ୍ରୀ ମଦ ବୁକିଂ କରି ନିଜ ଆକାଉଣ୍ଟରୁ ୧୨ହଜାର ୫୦୦ ଟଙ୍କା ହରାଇଥିଲେ। ଗତ ୨୫ ତାରିଖରେ ମଧ୍ୟ ବିଡ଼ିଏ କଲୋନି ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍ ଯୋଗେ କିଛି ମଦ ବୁକ୍ କରି ୩୬ ହଜାର ଟଙ୍କା ଠକାମିର ଶିକାର ହୋଇଥିଲେ। ସେହିଭଳି ଇନ୍‌ଫୋସିଟି ଅଞ୍ଚଳରେ ଥିବା ଏକ ସପ୍ଟୱେର୍ କମ୍ପାନିର ଇଂଜିନିୟର ୧୦ ହଜାର ଟଙ୍କାର ମଦ ବୁକିଂ କରି ଠକାମିର ଶିକାର ହୋଇଥିଲେ। ରାଜଧାନୀରେ ଏବେ ସୁଦ୍ଧା ୫୦ରୁ ଅଧିକ ଲୋକ ଏପରି ସାଇବର ଠକାମିର ଶିକାର ହୋଇ ସାରିଲେଣି। ଅନଲାଇନ୍ ମଦ ହୋମ୍ ଡେଲିଭରି ନାଁରେ କୋଟିଏରୁ ଅଧିକ ଟଙ୍କାର ଚୂନ ଲଗାଇ ସାରିଲେଣି ଠକ। ଠକାମିର ଶିକାର ହେଉଥିବା କିଛି ବ୍ୟକ୍ତି ଲଜ୍ଜାରେ ଥାନାରେ ଅଭିଯୋଗ କରୁ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର