ବେକାବୁ ହେଉଛି ସାଇବର ଅପରାଧ, ମେ’ରେ ଠକ ଲୁଟିଛନ୍ତି କୋଟିଏ ୪୦ ଲକ୍ଷ

୫ମାସରେ ଭୁବନେଶ୍ବରରୁ ୩କୋଟି ୩୩ଲକ୍ଷର ଠକେଇ, ଏପ୍ରିଲ୍ ଅପେକ୍ଷା ମେ’ରେ ୫୩ଟି ଅଧିକ ଅଭିଯୋଗ

ଭୁବନେଶ୍ବର: ରାଜ୍ୟରେ ସାଇବର ଜନିତ ଅପରାଧ କମିବାର ନାଁ ନେଉନି। ପୁରୁଣା ତରିକାରେ ଠକେଇ ସାଂଗକୁ ମହାମାରୀ କରୋନା ସମୟରେ ବି ସେବା ଯୋଗାଇବା ଆଳରେ ଲୋକଙ୍କୁ ତଳିତଳାନ୍ତ କରୁଛନ୍ତି। କେତେବେଳେ ଅକ୍ସିମିଟର୍ ଆପ୍ ଜରିଆରେ ତ’ କେତେବେଳେ ଟେଲିମେଡିସିନ୍, ଅମ୍ଳଜାନ ସିଲିଣ୍ଡର, ଔଷଧ, ଟିକାକରଣ ଆଦି ନାଁ ନେଇ ଠକିବାକୁ ପଛାଇ ନାହାନ୍ତି। ଏହାଛଡ଼ା ଏବେ ଲକ୍‌ଡାଉନ୍ ଓ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ହୋଇଥିବାରୁ, ଅନ୍‌ଲାଇନ୍‌ରେ ଖାଦ୍ୟ ଓ ମଦ ଅର୍ଡର କରି ମଧ୍ୟ ଅନେକ ଠକାମିର ଶିକାର ହୋଇଛନ୍ତି।

ବିଶେଷକରି ରାଜଧାନୀ ଭୁବନେଶ୍ବରକୁ ଟାର୍ଗେଟ କରିଛନ୍ତି ସାଇବର ଠକ। ବିଗତ ପାଞ୍ଚ ମାସର ତଥ୍ୟ ଅନୁସାରେ ସର୍ବମୋଟ କମିସନରେଟ୍ ପୁଲିସର ସାଇବର୍ ସେଲ୍‌କୁ ମୋଟ ୧୪୭୬ଟି ଅଭିଯୋଗ ଆସିଛି। ସେଥି ମଧ୍ୟରୁ କେବଳ ମେ’ମାସରେ ୫୨୯ଟି ଅଭିଯୋଗ ଆସିଛି। ସେହିଭଳି ଭୁବନେଶ୍ୱରକୁ ଏହି ମାସରେ ୨୫୬ଟି ଅଭିଯୋଗ ଆସିଛି। ଅପରପକ୍ଷରେ ମେ’ରେ ସାଇବର ଲୁଟେରାମାନେ ବିଭିନ୍ନ ଉପାୟରେ ମୋଟ କୋଟିଏ ୪୦ଲକ୍ଷ ୯ହଜାର ୪ଶହ ୬୯ ଟଙ୍କା ଠକିଥିବା ବେଳେ କେବଳ ଭୁବନେଶ୍ବରରୁ ୭୦ ଲକ୍ଷ ୭୮ହଜାର ୭ଶହ ୧୪ଟଙ୍କା ଲୁଟି ନେଇଛନ୍ତି।

ମେ’ ମାସ ମଧ୍ୟ ଅଧିକାଂଶ ଠକେଇ ମଧ୍ୟରୁ ୟୁପିଆଇ ଠକେଇ ୧୬୦ଟି ଓ କ୍ରେଡିଟ୍ କାର୍ଡ ଠକେଇ ୧୦୦ଟି ହୋଇଥିବା ଜଣାପଡ଼ିଛି। ଗଲାମାସର ଠକେଇ ଟଙ୍କା ଫେରିପାଇବା ତୁଳନାରେ ଚଳିତ ମାସରେ ପ୍ରାୟ ୭ଲକ୍ଷ ଅଧିକ ଟଙ୍କା ଲୋକଙ୍କୁ ଫେରାଇଛି ପୁଲିସ୍। ମେ’ ମାସରେ ମୋଟ ୧୨ଲକ୍ଷ ୫ହଜାର ୩ଶହ ୬ଟଙ୍କା ପୁଲିସ୍ ଲୋକଙ୍କୁ ଫେରାଇଛି। ବିଗତ ୫ମାସ ମଧ୍ୟରେ ସାଇବର ଠକମାନେ କେବଳ ଭୁବନେଶ୍ବରରୁ ୩କୋଟି ୩୩ଲକ୍ଷ ୧୮ ହଜାର ୬ଶହ ୯୪ଟଙ୍କା ଲୁଟିଥିବା ଜଣାପଡ଼ିଛି। ସାଇବର ବିଶେଷଜ୍ଞ ଆକାଶ କୁମାର ମିଶ୍ର କହିଛନ୍ତି, ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଯୋଗୁଁ ଲୋକେ ପ୍ର‌ାୟତଃ ଅନ୍‌ଲାଇନ୍ କାରବାରର ସହାୟତା ନେଉଛନ୍ତି। ଯାହାକୁ ସାଇବର ଠକ ଟାର୍ଗେଟ୍ କରି ଲୋକଙ୍କୁ ଲୁଟୁଛନ୍ତି। ଏସବୁରୁ ସଚେତନ ରହିବା ସହିତ ବିଶେଷ କରି ନ୍ୟୁଡ୍ କଲ୍ ସ୍କାମ୍‌ ବହୁଳ ଭାବେ ଏଥର ଦେଖିବାକୁ ମିଳୁଥିବାରୁ ଅଜଣା ଭିଡିଓ କଲ୍ ନ ଉଠାଇବା ସହିତ ସାମାଜିକ ଗଣମାଧ୍ୟମରେ ଅଜଣା ଲିଙ୍କକୁ କ୍ଲିକ୍ ନ କରିବାକୁ କହିଛନ୍ତି। ଅପରପକ୍ଷରେ କରୋନାକୁ ନେଇ ଲୋକେ ଅଧିକ ଭୟଭୀତ ଥିବାରୁ ଅକ୍ସିମିଟର୍, ଅମ୍ଳଜାନ ସିଲିଣ୍ଡର୍, ଟେଲିମେଡିସିନ୍ ତଥା ଅନ୍‌ଲାଇନ୍ ବିଶେଷଜ୍ଞ ପରାମର୍ଶ କରି ଠକେଇର ଶିକାର ହେଉଛନ୍ତି। ତେଣୁ କେବଳ ପ୍ରଦତ୍ତ ନମ୍ବର ବା ଆପ୍‌ ବ୍ୟବହାର କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର