ବଢ଼ୁଛି ସାଇବର୍‌ ଅପରାଧ : ୪ ବର୍ଷରେ ୨୯୮ ମାମଲା, ୫୧ ଗିରଫ, ୪ ମାସରେ ଲୁଟି ନେଇଛନ୍ତି ୨୫ ଲକ୍ଷ

ଅପରାଧୀ ରାଜ୍ୟ ବାହାରର, ପୁଲିସ ପହଞ୍ଚି ପାରୁନାହିଁ

ଭୁବନେଶ୍ୱର : ମାତିଛନ୍ତି ସାଇବର ଅପରାଧୀ। ମିନିଟ୍‌କ ମଧ୍ୟରେ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଗାଏବ କରି ଦେଉଛନ୍ତି। କାହାର କ୍ରେଡିଟ କାର୍ଡରୁ ଟଙ୍କା କଟି ଗଲାଣି ତ ଆଉ କାହାର ଗୁଗୁଲ ପେ’ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଉଛି। ଗତକାଲି ସାମନ୍ତରାପୁର ଅଞ୍ଚଳର ସୁମନ୍ତ କୁମାର ମିଶ୍ରଙ୍କ କ୍ରେଡିଟ କାର୍ଡରୁ ଅନୁରୂପ ଢ଼ଙ୍ଗରେ ୨୫ ହଜାର ଟଙ୍କା ଗାଏବ ହୋଇ ଗଲା। ଏ ନେଇ ସେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। କେବଳ ସୁମନ୍ତ କାହିଁକି ଗତ ୪ ମାସ ମଧ୍ୟରେ ୪୩ ଜଣ ଏଭଳି ଲୁଟର ଶିକାର ହୋଇ ସାରିଲେଣି। ୪୩ ଜଣଙ୍କଠୁ ପାଖାପାଖି ୨୫ ଲକ୍ଷ ଟଙ୍କା ଲୁଟି ସାରିଲେଣି ଏହି ସାଇବର ଅପରାଧୀମାନେ। ଏ ନେଇ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ବାହାରେ ବସିଥିବା ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ କମିସନରେଟ ପୁଲିସ। ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।

ଯାହା ସୂଚନା ମିଳିଛି ସାଇବର ଅପରାଧୀମାନେ ବ୍ୟାଙ୍କ, ଅନଲାଇନ ଠକେଇ, ଏଟିଏମ କାର୍ଡ ଓ କ୍ରେଡିଟ ଠକେଇରେ ସଂପୃକ୍ତ ରହୁଛନ୍ତି। ହତ୍ୟା, ଅପହରଣ ଓ ଲୁଟ ବଦଳରେ ଏବେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଲାଣି ରାଜଧାନୀରେ। ଖାରବେଳନଗର, କ୍ୟାପିଟାଲ, ମ‌ଞ୍ଚ‌େଶ୍ୱର, ଚନ୍ଦ୍ରଶେଖରପୁର, ଇନଫୋସିଟି, ଖଣ୍ଡଗିରି, ଧଉଳି ଓ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଏକାଧିକ ମାମଲା ଘଟିଗଲାଣି। କାହାଠୁ ୨୫ ହଜାର ତ କାହାଠାରୁ ୬୫ ହଜାର, କାହାଠାରୁ ଏକ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗମାନ ମିଳିଛି। ସାଇବର ଅପରାଧୀଙ୍କ ନିକଟକୁ ପୁଲିସ ହାତ ପାଉ ନ ଥିବାରୁ କେବଳ ମାମଲା ରୁଜୁ କରି ବସି ପଡ଼ୁଛି।

The Economic Times

ଗତ ୪ ମାସ କାହିଁକି ସାଇବର ଅପରାଧୀମାନେ ବିଗତ ୪/୫ ବର୍ଷ ହେବ ରାଜଧାନୀରେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। କ୍ରାଇମ ରେକର୍ଡ ବ୍ୟୁରୋରୁ ଯେଉଁ ତଥ୍ୟ ମିଳିଛି ଗତ ୪ ବର୍ଷ ମଧ୍ୟରେ କେବଳ ରାଜଧାନୀରେ ୨୯୮ଟି ସାଇବର ଅପରାଧ ଜନିତ ମାମଲା ରୁଜୁ ହୋଇଥିଲା। କିନ୍ତୁ ସେଥି ମଧ୍ୟରୁ କେବଳ ୫୧ ଜଣଙ୍କୁ ଗିରଫ କରିଥିଲା ପୁଲିସ। ବଳକା ୨୪୭ ମାମଲାରେ ପୁଲିସ ହାତ ଖାଲି। ଯେଉଁ ୫୧ ଜଣଙ୍କୁ ଗିରଫ କରାଯାଇଥିଲା ସେମାନଙ୍କ ନିକଟରୁ ଟଙ୍କାଟିଏ ମଧ୍ୟ ଜବତ ହୋଇ ପାରି ନ ଥିଲା।

ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ ମସିହାରେ ରାଜଧାନୀରେ ୫୪ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମାତ୍ର ୧୦ ଜଣଙ୍କୁ ଗିରଫ କରିଥିଲା । ସେହିପରି ୨୦୧୭ ମସିହାରେ ୯୦ଟି ମାମଲା ରୁଜୁ ହୋଇଥିଲା। ସେଥିମଧ୍ୟରୁ ଧରା ପଡିଥିଲେ ମାତ୍ର ୧୮ ଜଣ । ୨୦୧୮ ମସିହାରେ ୭୯ଟି ମାମଲା ରୁଜୁ ହୋଇଥିବା ବେଳେ ୮ ଜଣ ଗିରଫ ହୋଇଥିଲେ। ୨୦୧୯ (ନଭେମ୍ବର ମାସ ସୁଦ୍ଧା) ଭୁବନେଶ୍ୱରରେ ୭୫ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ୧୫ ଜଣ ଗିରଫ ହୋଇଛନ୍ତି।

ସାଇବର ଅପରାଧ ରୋକିବା ଓ ତଦନ୍ତ ଲାଗି ପୁଲିସକୁ ନବୀକରଣ( ଅପଗ୍ରେଡ) କରାଯାଉଛି। ପୁଲିସକୁ ଆଧୁନିକ ବୈଷୟିକ କୌଶଳ ଯୋଗାଇ ଦିଆଯିବା ସହ ଇ- ଅଫିସ ତଥା ଅନ-ଲାଇନ ବ୍ୟବସ୍ଥା କରାଯାଉଛି। ପୁଲିସ ମୁଖ୍ୟାଳୟ, କମିସନରେଟ ପୁଲିସଠାରୁ ଆରମ୍ଭ କରି ଥାନା ପର୍ଯନ୍ତ ସବୁ କାମ ଅନଲାଇନରେ ଆରମ୍ଭ କରାଗଲାଣି। ପୁଲିସ ତଦନ୍ତ ପାଇଁ ଅତ୍ୟାଧୁନିକ ବୈଷୟିକ କାରିଗରୀ ବ୍ୟବହାର କରୁଛି। ସାଇବର ଅପରାଧର ତଦନ୍ତ ପାଇଁ ଦକ୍ଷ ପୁଲିସ କର୍ମଚାରୀଙ୍କୁ ତାଲିମ ଦିଆଯାଇ ପ୍ରତ୍ୟେକ ଥାନାରେ ନିଯୁକ୍ତି ମିଳିଛି। କିନ୍ତୁ ସାଇବର ଅପରାଧରେ ରାଜଧାନୀ ପୁଲିସକୁ ସେତେଟା ସଫଳତା ମିଳିନାହିଁ।

ତେବେ ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଭୁବନେଶ୍ୱରରେ ଖୁବ ଶୀଘ୍ର ସାଇବର ଥାନା ପ୍ରତିଷ୍ଠା ହେବ। ସମସ୍ତ ସାଇବର ଅପରାଧ ସଂକ୍ରାନ୍ତ ମାମଲା ସେହି ଥାନାରେ ପଞ୍ଜୀକରଣ କରାଯାଇ ଅନୁସନ୍ଧାନ କରାଯିବ। ସେଠାରେ ତାଲିମ ପାଇଥିବା ସ୍ୱତନ୍ତ୍ର ଅଧିକାରୀମାନେ ନିଯୁକ୍ତି ପାଇବେ। ଏବେ ସବୁ ଥାନାରେ ତାଲିମ ପ୍ରାପ୍ତ ଅଫିସର ନାହାନ୍ତି। ଯେଉଁଠି ବି ଅଛନ୍ତି, ସମୟ ଅଭାବ କାରଣରୁ ସାଇବର ଅପରାଧର ତଦନ୍ତ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ।

ସମ୍ବନ୍ଧିତ ଖବର