ବେକାବୁ ସାଇବର ଅପରାଧ, ଅସହାୟ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଅସହାୟ ହୋଇପଡ଼ିଛି କ୍ରାଇମ୍‌ବ୍ରାଞ୍ଚ। ସାଇବର ଅପରାଧ ସାମ୍ରାଜ୍ୟର ବୃଦ୍ଧିର ବେଗଠାରୁ ବହୁ ପଛରେ ପଡ଼ିଛି କ୍ରାଇମ୍‌ବ୍ରାଞ୍ଚ। କହିବାକୁ ଗଲେ, ସାଇବର ଅପରାଧୀମାନେ କ୍ରାଇମ୍‌ବ୍ରାଞ୍ଚ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଲୁଟି ଚାଲିଛନ୍ତି। ପ୍ରତ୍ୟେକ ଦିନ ସାଇବର ଅପରାଧୀମାନେ ନୂଆ ନୂଆ ତରିକାରେ ଲୁଟ୍ କରି ଚାଲିଛନ୍ତି। ଆଖି ପିଛୁଳାକେ ଆକାଉଣ୍ଟରୁ ଟଙ୍କା ଖାଲି କରି ଦେଉଛନ୍ତି। ଏବେ ବିନା ଓଟିପିରେ ଆକାଉଣ୍ଟରୁ ଟଙ୍କା ଲୁଟ୍ ହେବା ଘଟଣା ପଦାକୁ ଆସିଛି। ଖାଲି ସାଧାରଣ ଲୋକ ନୁହନ୍ତି, ଆଇପିଏସ୍ ଅଫିସର, ଆଇଏଏସ୍ ଅଫିସର, ଡାକ୍ତର, ଇଞ୍ଜିନିୟରଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ସାଇବର ଅପରାଧୀଙ୍କ ଜାଲରେ ପଡ଼ିଯାଉଛନ୍ତି। ମହାମାରୀ କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ କାଳରେ ସାଇବର ଅପରାଧୀମାନେ ବେଶ୍ ସକ୍ରିୟ ହୋଇ ଲୁଟି ଚାଲିଥିଲେ ବି କ୍ରାଇମବ୍ରାଞ୍ଚ ଗୋଟିଏ ମାମଲାର ସମାଧାନ କରିବାରେ ସଫଳ ହୋଇନାହିଁ। ତେଣୁ କ୍ରାଇମ୍‌ବ୍ରାଞ୍ଚର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଧୀରେ ଧୀରେ କ୍ରାଇମ୍‌ବ୍ରାଞ୍ଚ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି।

ଚଳିତବର୍ଷ ସାଇବର ଅପରାଧ ମାମଲା ସଂଖ୍ୟା ସବୁ ରେକର୍ଡକୁ ଟପିଯିବ ବୋଲି ଆକଳନ କରାଯାଉଛି। ୨୦୧୮ରେ ୮୪୩ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ମାମଲା ସଂଖ୍ୟା ଥିଲା ୧୪୮୫। ୨୦୧୮ ତୁଳନାରେ ୨୦୧୯ରେ ୭୬ ପ୍ରତିଶତ ମାମଲା ବୃଦ୍ଧି ପାଇଥିଲା। ଚଳିତବର୍ଷ ଜାନୁଆରି ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୯୪୨ଟି ମାମଲା ରୁଜୁ ହୋଇଥିଲା। ୨୦୨୦ରେ ମାମଲା ସଂଖ୍ୟା ୨ହଜାର ଟପିଯିବ ବୋଲି କୁହାଯାଉଛି।

Photo by : toiimg.com

କେଉଁ ଠକେଇ ପାଇଁ କେଉଁଠୁ ଆସୁଛି କଲ୍?
ଏବେ ଗୁଗୁଲ ପେ’ ଓ ଫୋନ୍ ପେ’ ଭଳି ଆପ୍‌ର ବହୁଳ ବ୍ୟବହାର ଚାଲିଛି। ତେଣୁ ଠକେଇ ମଧ୍ୟ ବଢ଼ି ଚାଲିଛି। ବିଶେଷକରି ଏଥିପାଇଁ କଲ୍‌ ଗୁଡ଼ିକ ଝାଡ଼ଖଣ୍ଡରୁ ଆସୁଛି। ଝାଡ଼ଖଣ୍ଡ ଜମ୍‌ତରାରୁ ଠକେଇ ନେଟ୍‌ଵର୍କ ନିୟନ୍ତ୍ରଣ ହେଉଛି। ଓଏଲ୍ଏକ୍ସ ବିଜ୍ଞାପନ ମାଧ୍ୟମରେ ଚାଲିଥିବା ଠକ କଲ୍ ରାଜସ୍ଥାନରୁ ଆସୁଛି। ରାଜସ୍ଥାନୀ ସାଇବର ଠକ ଏହାକୁ ନିୟନ୍ତ୍ରଣ କରୁଛନ୍ତି। ଫେସବୁକ୍ ନକଲି ଆଇଡି ତିଆରି ହେଉ କି ହ୍ୟାକ୍ କରି ହେଉ, ଏହାକୁ ହରିୟାଣା ଏବଂ ନୋଏଡାରୁ ନିୟନ୍ତ୍ରଣ କରାଯାଉଛି। ସେହିପରି ଏଟିଏମ୍, କ୍ରେଡିଟ୍ କାର୍ଡ, ପେ-ଟିଏମ୍ ଠକେଇ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରୁ ନିୟନ୍ତ୍ରିତ କରାଯାଉଥିବା ସୂଚନା ମିଳିଛି। ସାଇବର ଠକମାନେ ପଶ୍ଚିମବଙ୍ଗ ମୋବାଇଲ ଫୋନ୍ ନମ୍ବର ବ୍ୟବହାର କରୁଛନ୍ତି। ତେଣୁ ସେମାନଙ୍କୁ ଧରିବା ଓଡ଼ିଶା ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।

କେଉଁ ତରିକାରେ ଚାଲିଛି
ସମ୍ପ୍ରତି ସାଇବର ଅପରାଧୀମାନଙ୍କ ଲୁଟ୍‌ ତରିକା ବଢ଼ି ବଢ଼ି ଚାଲିଛି। କେତେବେଳେ ଫେସବୁକ୍ ହ୍ୟାକ୍ କରି ଟଙ୍କା ଲୁଟି ନେଉଛନ୍ତି ତ କେତେବେ‌ଳେ ଅନ୍‌ଲାଇନ୍‌ରେ ମଦ ହୋମ୍ ଡେଲିଭରି ନାଁରେ ଠକେଇ କରୁଛନ୍ତି। ସେହିଭଳି ବିଭିନ୍ନ ଆଇଟି କମ୍ପାନି ନାଁରେ ନିଯୁକ୍ତି ଦେବା ବାହାନାରେ ମଧ୍ୟ ଠକୁଛନ୍ତି। ଘରେ ବସି ଡାଟା ଏଣ୍ଟ୍ରି କାମ ନାଁରେ ଟଙ୍କା ଲୁଟ୍ କରିବା ଦେଖିବାକୁ ମିଳୁଛି। ଜାଲ୍ ୱେବ୍‌ସାଇଟ ଖୋଲି ଚାକିରି ବିଜ୍ଞାପନ ମାଧ୍ୟମରେ ବେକାର ଛାତ୍ରଛାତ୍ରୀଙ୍କୁ ଠକେଇ କରୁଛନ୍ତି। ନିକଟରେ ଜଣେ ଧୂର୍ତ୍ତ ରାଜଧାନୀର ଏକ ଜଣାଶୁଣା ରେସ୍ତୋରାଁ ନାଁରେ ଲୋଭନୀୟ ବିଜ୍ଞାପନ ଦେଇ ଶହ ଶହ ଉପଭୋକ୍ତାଙ୍କୁ ଠକି ଚାଲିଥିଲା। ତେବେ ବଡ଼ ଭୟଙ୍କର କଥା ହେଉଛି ଏବେ ବିନା ଓଟିପିରେ କ୍ରେଡିଟ୍ କାର୍ଡ ଓ ଏଟିଏମ୍ କାର୍ଡ ଜରିଆରେ ସପିଂ କରାଇବା ବାହାନାରେ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

କାର୍ଡ ସ୍ବାଇପ୍‌ ମେସିନ୍‌ରେ ଚାଲିଛି ବଡ଼ ଠକେଇ
ପେଟ୍ରୋଲ ପମ୍ପ, ରେସ୍ତୋରାଁ କିମ୍ବା ଛୋଟ ଛୋଟ ଦୋକାନରେ ସପିଂ କଲାବେଳେ ଅଧିକାଂଶ ଗ୍ରାହକ ଡେବି଼ଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଗୋଟିଏ ଗୋଟିଏ ସ୍ବାଇପ୍ ମେସିନ୍‌ରେ ସ୍କିମର୍‌ ଲାଗିଛି। ସ୍କିମର୍‌ ହେଉଛି ଏକ ଡିଭାଇସ୍। କାର୍ଡ ସ୍ବାପିଂ ବେଳେ ସ୍କିମର ମାଧ୍ୟମରେ ପୂରା ତଥ୍ୟର ନକଲ ହ୍ୟାକର ପାଖରେ ପହଞ୍ଚିଯାଏ। ତେଣୁ ସାଇବର ଠକ ପାଇଁ ଆଉ କିଛି ଅସୁବିଧା ହୁଏ ନାହିଁ। ବିନା ଓଟିପିରେ ନକଲି କାର୍ଡ ମାଧ୍ୟମରେ ଅନ୍‌ଲାଇନ୍‌ ସପିଂ ସାଇଟ୍‌ରୁ ସପିଂ କରିବା ସହଜ ହୋଇଯାଏ। ଫଳରେ ଏଭଳି କାର୍ଡ ବ୍ୟବହାରକାରୀ ସହଜରେ ଠକାମିର ଶିକାର ହୋଇଥା’ନ୍ତି।

କାହିଁକି ବଢୁଛି?
ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ ସୂଚନା ଅନୁସାରେ, ସାଇବର ଠକ ଗିରଫ ହୋଇଥିବା ମାମଲା ସଂଖ୍ୟା ଅତି ନଗଣ୍ୟ। ହାତଗଣତି ମାମଲାକୁ ଛାଡ଼ିଦେଲେ ବାକି ମାମଲାରେ ତଦନ୍ତକାରୀ ସଂସ୍ଥା ଫେଲ୍ ମାରୁଛି। ଶହ ଶହ ମାମଲାରେ ଅଭିଯୁକ୍ତ ଧରା ପଡୁନାହାନ୍ତି। ଯେତିକି ବି ଗିରଫ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉନାହିଁ। ଦଣ୍ଡବିଧାନ କରିବା ହାର ଶୂନ ରହୁଛି। ଫଳରେ ସାଇବର ଅପରାଧୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଗିରଫଦାରୀ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଲେ ସାଇବର ଅପରାଧରେ କିଛିଟା ରୋକ୍ ଲାଗିପାରିବ। ତେବେ ବଡ଼ କଥା ହେଉଛି, ପୁଲିସ ସାଇବର ଅପରାଧ ଠାବ କରିବା କ୍ଷେତ୍ରରେ ବିଫଳ ହେଉଥିବାରୁ ଏହି ଅପରାଧ ପ୍ରତି ଠକଙ୍କ ଆଗ୍ରହ ବୃଦ୍ଧି ପାଉଛି।

ଠକଙ୍କର ରହିଛି ନେଟଓ୍ୱର୍କ
ପୁଲିସର ନେଟୱର୍କ ଭଳି ସାଇବର ଠକଙ୍କର ମଧ୍ୟ ନେଟଵର୍କ ରହିଛି। ଠକ ଜଣେ ବ୍ୟକ୍ତିଙ୍କୁ ଲୁଟିବା ପରେ ଠକାମିର ଶିକାର ବ୍ୟକ୍ତିଙ୍କ ଫୋନ୍ ନମ୍ବର ସେମାନଙ୍କ ହ୍ବାଟସଆପ୍ ଗ୍ରୁପରେ ସେୟାର କରିଦିଏ। ଥରେ ଠକାମିର ଶିକାର ହୋଇଥିବାରୁ ଅନ୍ୟ ଠକମାନେ ମଧ୍ୟ ତାଙ୍କୁ ଟାର୍ଗେଟ କରନ୍ତି। ଠକେଇ ପାଇଁ ବିଭିନ୍ନ ତରିକାର ସହାୟତା ନେଇଥା’ନ୍ତି। ଯିଏ ଥରେ ଠକାମିର ଶିକାର ହେଲା, ସେ ଦ୍ବିତୀୟଥର ମଧ୍ୟ ଠକଙ୍କ ଜାଲରେ ପଡ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସାଇବର ବିଶେଷଜ୍ଞ।

ସମ୍ବନ୍ଧିତ ଖବର