ଚିନ୍ତା ବଢ଼ାଇଲାଣି ସାଇବର କ୍ରାଇମ୍‌ : ପ୍ରତି ଥାନାରୁ ୨ଜଣ କନଷ୍ଟେବଲ୍‌ ନେବେ ପ୍ରଶିକ୍ଷଣ

ଆଇଆଇସିଙ୍କୁ ସମୟ ନାହିଁ, ତଦନ୍ତରେ ସହଯୋଗ କରିବେ କନଷ୍ଟେବଲ୍‌

ଭୁବନେଶ୍ୱର : ଚିନ୍ତା ବଢ଼ାଇଲାଣି ସାଇବର କ୍ରାଇମ୍‌। ଅଜଣା ସ୍ଥାନରେ ବସି ଦୁର୍ବୃତ୍ତ ଅନ୍‌-ଲାଇନ୍‌ରେ ଠକି ନେଉଛି ଟଙ୍କା। ଟିକିଏ ଅସାବଧାନତା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ ନିମିଷକେ ଉଭାନ୍‌ ହୋଇଯାଉଛି। ପ୍ରତିଦିନ ପ୍ରତ୍ୟେକ ଥାନାକୁ ଏଭଳି ଅଭିଯୋଗ ଆସୁଛି। ଏଣୁ ଏକ ନିର୍ଦ୍ଦିଷ୍ଟ ସାଇବର ଥାନା ନୁହେଁ, ବରଂ ପ୍ରତ୍ୟେକ ଥାନାରେ ଏହି ଅପରାଧର ତଦନ୍ତ କରିବାକୁ ସ୍ଥିର ହୋଇଛି। ଗୋଟିଏ ଗୋଟିଏ ମାମଲାର ମୂଳରେ ପହଞ୍ଚିବା ପାଇଁ ଦେଢ଼ ମାସରୁ ଦୁଇମାସ ସମୟ ଲାଗୁଥିବାରୁ ଆଇଆଇସିଙ୍କୁ ସମୟ ଅଭାବ ପଡ଼ୁଛି। ଏଣୁ ତଦନ୍ତରେ ସହଯୋଗ କରିବା ପାଇଁ କନଷ୍ଟେବଲମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା ହୋଇଛି। ପ୍ରତ୍ୟେକ ଥାନାରୁ ଦୁଇଜଣ କନଷ୍ଟେବଳଙ୍କୁ ପ୍ରଶିକ୍ଷଣ ଦେଇ ତଦନ୍ତ ପାଇଁ ପ୍ରସ୍ତୁତ କରିବାକୁ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖାଯାଇଛି ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ସେ କହିଛନ୍ତି, ସାଇବର ଅପରାଧ ସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଥାନାରେ ତଦନ୍ତ ପାଇଁ ଯୋଜନା ହୋଇଛି। ବ୍ୟାଙ୍କ୍‌ କାରବାର ସହ କିଣାବିକା ଭଳି ଅନେକ କାମ ଏବେ ଅନ୍‌ଲାଇନ୍‌ରେ ହେଉଥିବାରୁ ଦୁର୍ବୃତ୍ତମାନେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଛନ୍ତି। ବିଭିନ୍ନ ସମୟରେ ସଚେତନତା କରାଯାଉଥିଲେ ମଧ୍ୟ ଲୋକ ଫସି ଯାଉଛନ୍ତି। ବଡ଼କଥା ହେଉଛି ଅନେକ ଅପରାଧ ରାଜ୍ୟ ବାହାରେ ହେଉଥିବାରୁ ପୁଲିସ ପାଇଁ କାଠିକର ପାଠ ହେଉଛି। ଅନେକ ସମୟରେ ଅପରାଧୀ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌ ଅପରାଧ ଘଟାଇ ସାରିବା ପରେ ଫିଙ୍ଗି ଦେଉଥିବାରୁ ଅପରାଧୀକୁ ଧରିବା ସମ୍ଭବ ହେଉନାହିଁ। କିନ୍ତୁ ଅନେକ ମାମଲା‌ରେ ସଫଳତା ମିଳିବା ସୁଯୋଗ ରହିଛି। ଏଣୁ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସମ୍ବନ୍ଧରେ ଭଲ ଜ୍ଞାନ ଥିବା କନଷ୍ଟେବଲମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ସ୍ଥିର ହୋଇଛି ବୋଲି କମିସନର କହିଛନ୍ତି।

ସମ୍ବନ୍ଧିତ ଖବର