ଠକଙ୍କ କବଳରୁ ନିସ୍ତାର ନାହିଁ: ଜାଲ ବିଛାଉଛନ୍ତି, ପାଲରେ ପକାଉଛନ୍ତି, ଲୁଟି ନେଉଛନ୍ତି

କେବେ ସତର୍କତା ଜାରି କରିବ କ୍ରାଇମବ୍ରାଞ୍ଚ?

ଏୟାରଲାଇନ୍ସରେ ଚାକିରି ଦେବା ନାଁରେ ଠକେଇ, ୧୯ ଲକ୍ଷ ହରାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ
ଭୁବନେଶ୍ବର : ଇଣ୍ଟରନେଟର ଚାକିରି ଖୋଜିବାକୁ ଯାଇ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବଡ଼ ଧରଣରର ଠକେଇର ଶିକାର ହୋଇଛନ୍ତି। ସେ ହେଲେ ନିଆଳି ଥାନା କପାସି ଅଞ୍ଚଳର ପ୍ରକାଶ ଚନ୍ଦ୍ର ଜେନା। ଏ ସଂକ୍ରାନ୍ତରେ ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି।

ଅଭିଯୋଗରୁ ଜଣାପଡ଼ିଛି, ପ୍ରକାଶ ସେନାରୁ ଅବସର ନେବା ପରେ ଚାକିରି ଅନୁସନ୍ଧାନରେ ରହିଥିଲେ। ଏ ନେଇ କ୍ବିକର୍‌ ଡଟ୍‌କମ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ସେଥିରେ ତାଙ୍କର ସମସ୍ତ ସାର୍ଟିଫିକେଟ୍, ଆଧାର କାର୍ଡ, ପାନ୍ କାର୍ଡ ତଥ୍ୟ ଦେଇଥିଲେ। ଏହା ପରେ ତାଙ୍କୁ ଇଣ୍ଡିଗୋ ଏୟାରଲାଇନ୍ସରେ ଏୟାର ଟିକଟ୍‌ ଏକଜକ୍ୟୁଟିଭ୍ ଚାକିରି ପାଇଁ ମେଲ୍ ଆସିଲା। ଯତୀନ ଓବରେଇ ନିଜକୁ କମ୍ପାନିର ମ୍ୟାନଜର ଦର୍ଶାଇଥିବା ବେଳେ, ଶେଖର ସୁମନ, ଧର୍ମେନ୍ଦ୍ର ଶର୍ମା, ରାଜବୀର ଶର୍ମା ରାଠୋର ନିଜକୁ ବିଭିନ୍ନ ଅଧିକାରୀ ଦର୍ଶାଇଥିଲେ। ମାନବ ସମ୍ବଳ(ଏଚ୍‌ଆର) ଅଧିକାରୀ ବୋଲି ପରିଚୟ ଦେଇ ପୂଜା ନାମରେ ଜଣେ ଯୁବତୀ ଫୋନ୍ କରି ଚାକିରି ସମ୍ପର୍କରେ ଜଣାଇଥିଲେ। ଏଥି ଲାଗି ପ୍ରକାଶଙ୍କୁ ଅଗ୍ରୀମ ଟଙ୍କା ଦାଖଲ କରିବା ଲାଗି କୁହାଯାଇଥିଲା। ସେ ପ୍ରଥମେ କିଛି ଟଙ୍କା ଦାଖଲ କରିଥିଲେ। ତାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ନୋଏଡାସ୍ଥିତ ଏକ ବ୍ୟାଙ୍କର ୩ ଲକ୍ଷ ଟଙ୍କାର ଚେକ୍ ହ୍ବାଟସଆପ୍‌ରେ ପଠାଇଥିଲେ ଠକ। କିନ୍ତୁ ନିଯୁକ୍ତିପତ୍ର ଅନୁସାରେ ଯେଉଁଦିନ ଚାକିରିରେ ଯୋଗ ଦେବାକୁ କୁହାଯାଇଥିଲା ସେଦିନ ସେ ଚାକିରିରେ ଯୋଗ ଦେଇ ନ ଥିଲେ। ଏହା ପରେ ତାଙ୍କୁ ପୁଣି ଫୋନ୍ କଲ୍ ଆସିଥିଲା। ଇଣ୍ଡିଗୋ ଏୟାରଲାଇନ୍ସର ଭୁବନେଶ୍ବର ବିମାନବନ୍ଦରରେ ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା। ପ୍ରଶାନ୍ତ ଏହାକୁ ବିଶ୍ବାସ କରିବା ପରେ ଲାପଟପ୍, ୟୁନିଫର୍ମ ବାବଦରେ ଟଙ୍କା ମଗା ଯାଇଥିଲା। ପ୍ରକାଶ ପୁଣି ଏ ବାବଦରେ କିଛି ଟଙ୍କା ମଧ୍ୟ ଦେଇଥିଲେ। ଆଉ ଧୀରେ ଧୀରେ ଠକଙ୍କ ଜାଲରେ ଛନ୍ଦି ହୋଇ ଯାଇଥିଲେ। ଏମିତି ଭାବେ ପ୍ରକାଶ ମୋଟ ୧୧ଟି ପର୍ଯ୍ୟାୟରେ ୧୯ ଲକ୍ଷ ୪୫ ହଜାର ଟଙ୍କା ଏହି ଅଜଣା ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଟଙ୍କା ନେଇଯିବା ପରେ ସବୁ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା।

ଇଲେକଟ୍ରିକ୍ ଗାଡ଼ି ଡିଲରସିପ୍ ନାଁରେ ପୁଣି ଲୁଟିଲେ ୨୦ ଲକ୍ଷ
ଭୁବନେଶ୍ବର : ଇଲେକଟ୍ରିକ୍ ଗାଡ଼ି ଡିଲରସିପ୍ ନାଁରେ ଜାଲ ବିଛାଇଛନ୍ତି ସାଇବର ଠକ। ଗୋଟିଏ ପରେ ଗୋଟିଏ ବଡ଼ଧରଣର ଠକେଇ ସାମ୍ନାକୁ ଆସିବାରେ ଲାଗିଛି। ଦୁଇ ଦିନ ତଳେ ଯାଜପୁରର ଏକ ଷ୍ଟିଲ୍ କମ୍ପାନି ଜିଏମଙ୍କୁ ୪୦ ଲକ୍ଷ ଟଙ୍କାର ଚୂନ ଲଗାଇବା ପରେ ସେହି ଜିଲ୍ଲାର ସମାନ ଧରଣର ଆଉ ଏକ ଠକେଇ ପଦାକୁ ଆସିଛି। ଠକେଇର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ବଇରିମାଳ ଅଞ୍ଚଳର ସ୍ବର୍ଣ୍ଣଜିତ ନାୟକ। ତାଙ୍କୁ ପାଲରେ ପକାଇ ୨୦ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଠକ। ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ପୂର୍ବ ଘଟଣା ଭଳି ଏହି ଟଙ୍କା ମଧ୍ୟ ମୁମ୍ବାଇକୁ ଯାଇଥିବା ଜଣାପଡ଼ିଛି। ଏଭଳି ଠକେଇ ବଢ଼ି ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସତର୍କତା ଜାରି କରାଯାଇ ନାହିଁ। ଯାହାଫଳରେ ଦିନକୁ ଦିନ ଏଭଳି ଠକେଇ ବଢ଼ି ଚାଲିଛି।

ମିଳିଥିବା ସୂଚନା ଅନୁସାରେ, ସ୍ବର୍ଣ୍ଣଜିତ୍ ଇଲେକଟ୍ରିକ୍ ସ୍କୁଟର ଡିଲରସିପ୍ ପାଇଁ ଇଣ୍ଟରନେଟ୍‌ରେ ଖୋଜୁ ଖୋଜୁ ରିଭୋଲ୍ଟ ଇଣ୍ଟେଲିକପ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏକ ସାଇଟ୍ ଆସିଥିଲା। ସେହି ସାଇଟ୍‌କୁ ଯିବା ପରେ କମ୍ପାନି ଅଧିକ ବ୍ୟବସାୟ ପାଇଁ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲିବାକୁ ଚାହୁଁଥିବା ଦର୍ଶାଇଥିଲା। ସ୍ବର୍ଣ୍ଣଜିତ ଆଗ୍ରହ ପ୍ରକାଶ କରି ନିଜ ପତ୍ନୀଙ୍କ ନାଁରେ ଡିଲରସିପ୍ ପାଇଁ ବୁକ୍ କରିଥିଲେ। ଏହା ପରେ ସମ୍ପୃକ୍ତ କମ୍ପାନିର ଅଧିକାରୀ ଦର୍ଶାଇ ନିଲେଶ ଶର୍ମା ନାଁରେ ଜଣେ ବ୍ୟକ୍ତି ସ୍ବର୍ଣ୍ଣଜିତଙ୍କ ପାଖକୁ ଫୋନ୍ କରି ସର୍ତ୍ତାବଳି ସମ୍ପର୍କରେ କହିଥିଲେ। ଏହା ପରେ କମ୍ପାନିରୁ ଏକ ମେଲ୍ ମଧ୍ୟ ଆସିଥିଲା। ଯେଉଁଥିରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦିଆଯାଇଥିଲା। ରେଜିଷ୍ଟ୍ରେସନ ଫି’ ବାବଦରେ ପ୍ରଥମେ ୧ ଲକ୍ଷ ୩୫ ହଜାର ଟଙ୍କା ଦେଇଥିଲେ ସ୍ବପ୍ନଜିତ। ଏହାପରେ ଏନ୍ଓସି, ଲାଇସେନ୍ସ ଏପରି ବିଭିନ୍ନ ପର୍ଯ୍ୟାୟରେ ୨୦ ଲକ୍ଷ ୨୫ ହଜାର ଟଙ୍କା ସ୍ବପ୍ନଜିତ ନିଜର ଓ ପତ୍ନୀଙ୍କ ଆକାଉଣ୍ଟରୁ ଟ୍ରାନ୍ସଫର କରିଥିଲେ। ମାତ୍ର ପରେ କମ୍ପାନି ପକ୍ଷରୁ ଆଉ କିଛି ଯୋଗାଯୋଗ କରାନଯିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତ ପରେ ଏହିସବୁ ଟଙ୍କା ମୁମ୍ବାଇର ଘାଟକପୋରରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାରେ ପିଣ୍ଟୁ ଚୌଧୁରୀ ନାଁରେ ଥିବା ଆକାଉଣ୍ଟକୁ ଯାଇଥିବା ଜଣାପଡ଼ିଛି।

ରାଜଧାନୀରେ ବୁଲୁଛନ୍ତି ନକଲି ପୁଲିସ: ଜମି ଦେବା ନାଁରେ ୫ଲକ୍ଷ ଚୂନ ଲଗାଇ ଫେରାର୍‌
ଭୁବନେଶ୍ବର : ‘ମୁଁ ଡିସିପି ଅଫିସ୍‌ରେ ପୁଲିସ ଚାକିରି କରୁଛି। ମୋର ସାଢ଼େ ୩ ହଜାର ବର୍ଗଫୁଟର୍‌ ଜମି ଅଛି; ବିକିବାକୁ ଚାହୁଁଛି। ଭୟ କରନି, ଠକିବାର ସମ୍ଭାବନା ନାହିଁ।’ ପୁଲିସ ପୋଷାକ ସାଙ୍ଗକୁ ଦମ୍ଭର ସହ ଏଭଳି କଥା କହି ଲୋକଙ୍କୁ ଲୁଟୁଛନ୍ତି ନକଲି ପୁଲିସ। ଠକାମିର ଶିକାର ହୋଇଥିବା ରେଳବାଇ କର୍ମଚାରୀ ଗୋବର୍ଦ୍ଧନ ସିଂହରଣା ମଞ୍ଚେଶ୍ବର ଥାନାରେ ଏମିତି ଅଭିଯୋଗ କରିବା ପରେ ଏହି ଠକେଇ ଘଟଣା ପଦାକୁ ଆସିଛି।

ଗତ ଅପ୍ରେଲ୍‌ ୨୧ ତାରିଖରେ ଆଚାର୍ଯ୍ୟ ବିହାର ନିକଟରେ ଗୋବର୍ଦ୍ଧନଙ୍କ ସହ ପୁଲିସ ବେଶରେ ଥିବା ଠକ ସହ ଭେଟ ହୋଇଥିଲା। ତେବ‌େ ସେ ନିଜ ନାମକୁ ଗୋପନ ରଖି ସବ୍ୟସାଚୀ ବାରିକ ବୋଲି ପରିଚୟ ଦେଇଥିଲା। ଆଉ ଡିସିପି ଅଫିସ୍‌ରେ ପୁଲିସ ଅଫିସର ଭାବେ କାମ କରୁଥିବା କହିଥିଲା। ଉଭୟ ବାର୍ତ୍ତାଳାପ ଭିତରେ ସେ ଗୋବର୍ଦ୍ଧନଙ୍କ ବିଷୟରେ ବୁଝି ନେଇଥିଲା। ଆଉ ଚତୁରତାର ସହ ତା’ର ତମାଣ୍ଡୋ ଛତୁଫ୍ୟାକ୍ଟ୍ରି ନିକଟରେ ସାଢ଼େ ୩ହଜାର ବର୍ଗଫୁଟର ଏକ ଜମିଥିବା କହିଥିଲା। ଜରୁରୀ ଟଙ୍କା ଆବଶ୍ୟକ ଥିବାରୁ ପ୍ଲଟ୍‌କୁ ୩୭ଲକ୍ଷ ଟଙ୍କାରେ ବିକ୍ରି କରିବ ବୋଲି କହିଥିଲା। ଲୋକ ମିଳିଲେ ବିକ୍ରି କରିଦେବି କହି ଗୋବର୍ଦ୍ଧନକୁ ନିଜ ପାଲରେ ପକାଇଥିଲା। ଗୋବର୍ଦ୍ଧନ ନକଲି ପୁଲିସର ଚାଲ୍‌କୁ ବୁଝିନପାରି ତା’ କଥାରେ ଭଳି ଯାଇଥିଲେ ଏବଂ ପ୍ଲଟ୍‌ କି‌ଣିବେ ବୋଲି ରାଜି ହୋଇ ଯାଇଥିଲେ।

ଏହାପରେ ଗୋବର୍ଦ୍ଧନଙ୍କୁ ଠକିବା ପାଇଁ ନକଲି ପୁଲିସ ଖେଳ ଆରମ୍ଭ କରି ଦେଇଥିଲା। ସବ୍ୟସାଚୀ ନାମରେ ନକଲି ପରିଚୟପତ୍ର, ଆଧାରକାର୍ଡ ଆଦି ଜାଲ୍‌ କାଗଜପତ୍ର କରି ଗୋବର୍ଦ୍ଧନକୁ ଦେଇଥିଲା। ତେବେ ଜମି ରେଜେଷ୍ଟ୍ରି ପୂର୍ବରୁ ସେ ଅଗ୍ରୀମ ୫ଲକ୍ଷ ମାଗିଥିଲା; ‌ନଚେତ ଜମି ଅନ୍ୟଲୋକଙ୍କୁ ବିକ୍ରି କରିଦେବ ବୋଲି କହିଥିଲା। ଶସ୍ତାରେ ଜମି ମିଳୁଥିବାରୁ ଗୋବର୍ଦ୍ଧନ ସୁଯୋଗର ହାତଛଡ଼ା କରିବାକୁ ଚାହୁଁ ନଥିଲେ। ତେଣୁ ସେହି ମାସ ୨୯ ତାରିଖରେ ପଳାସୁଣୀ ସ୍ଥିତ ଜଣେ ଆଇନ୍‌ଜୀବୀଙ୍କ ଘରେ ଏଗ୍ରିମେଣ୍ଟ କରି ୫ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ନେବା ପରଠାରୁ ସେ ମୋବାଇଲ୍‌ ସୁଇଚ୍‌ଅଫ୍‌ କରି ଫେରାର୍‌ ହୋଇଯାଇଥିଲା। ପରେ ଯାଞ୍ଚରୁ ଜଣାପଡ଼ିଥିଲା ଯେ ସେ କୌଣସି ପୁଲିସ ଅଫିସର ନୁହେଁ। ସବ୍ୟସାଚୀ ବାରିକ ନାଁରେ କେହି ଡିସିପି ଅଫିସର‌େ ଚାକିରି କରୁନାହାନ୍ତି। ତେଣୁ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏନେଇ ଗୋବର୍ଦ୍ଧନ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

New York Post

ଆୟକର ରିଟର୍ଣ୍ଣ ଦାଖଲ ନାଁରେ ଠକୁଛନ୍ତି ହ୍ୟାକର୍‌
ଭୁବନେଶ୍ବର : ଆପଣ ଯଦି ଆୟକର ଦାଖଲ କରିଛନ୍ତି, ତେବେ ରିଟର୍ଣ୍ଣ ପାଇବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଆବଶ୍ୟକ ତଥ୍ୟ ଜମା କରି ଟଙ୍କା ଫେରସ୍ତ ପାଆନ୍ତୁ। ସାଇବର ଠକ ପୁଣି ଏବେ ଲୋକଙ୍କ ମୋବାଇଲ୍‌କୁ ଏହିଭଳି ମେସେଜ୍ ପଠାଇ ନୂତନ ଉପାୟରେ ଠକିବାକୁ ଉଦ୍ୟମ କରିଛନ୍ତି। ଏ ନେଇ ଫେଡେରାଲ୍ ସାଇବର ସିକ୍ୟୁରିଟି ଏଜେନ୍ସି(ଏଫ୍‌ସିଏସ୍‌ଏ) ସତର୍କ କରାଇବା ପରେ କେନ୍ଦ୍ର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦ୍ରୀୟ ଆଇଟି ମନ୍ତ୍ରଣାଳୟର ଇଣ୍ଡିଆନ୍ କମ୍ପ୍ୟୁଟର ଏର୍ମଜେନ୍ସି ରେସପନ୍ସ ଟିମ୍(ସିଆଇଆର୍‌ଟି-ଇନ୍) ଦ୍ବାରା ସତର୍କ କରାଯାଇଛି।

ସିଆଇଆର୍‌ଟି-ଇନ୍ ପକ୍ଷରୁ ସୂଚନା ଦେଇଛି, ଇଣ୍ଡିଆନ୍ ସାଇବର ସ୍ପେସ୍‌କୁ ଟାର୍ଗେଟ୍ କରିଛି ସାଇବର ଠକ। ବିଦେଶରେ କୌଣସି ଏକ ସହରରେ ବସି ଏହି ଅପରେସନ୍ ଆରମ୍ଭ କରିଛି। ଭାରତର ବିଶେଷ କରି ବ୍ୟାଙ୍କିଂ ସେକ୍ଟର୍‌କୁ ଟାର୍ଗେଟ୍ କରିଛି ସାଇବର ଠକ। ଏପରିକି ଫୋନ୍‌ରେ ବ୍ୟାଙ୍କିଂ ପାଇଁ ବ୍ୟବହାର କରୁଥିବା ଲୋକଙ୍କୁ ଆୟକରର ରିଟର୍ଣ୍ଣ ଦାଖଲ କରିବା ନାଁରେ ପ୍ରଥମେ ଏକ ମେସେଜ୍ କରାଯାଉଛି। ମେସେଜ୍‌ରେ ଆୟକର ଦାଖଲ ନାଁରେ ଏକ ଫିସିଂ ୱେବସାଇଟ୍‌କୁ ନିଆଯାଉଛି। ଏହା ପରେ ରିଟର୍ଣ୍ଣ ପାଇବାକୁ ହେଲେ ୪ଟି ଫର୍ମ ପୂରଣ କରିବାକୁ ସେଥିରେ ଉଲ୍ଲେଖ କରାଯାଉଛି। ଫର୍ମ ପୂରଣ କରି ସବମିଟ୍ ମାରିବା ପରେ ଏକ ମାଲୱେର୍‌ଯୁକ୍ତ ଆପ୍ଲିକେସନ୍‌କୁ ଇନଷ୍ଟଲ୍ କରାଯାଉଛି। ଯାହା ସାଇବର ଠକ ଦ୍ବାରା ତିଆରି ହୋଇଛି। ଏହି ଆପ୍‌କୁ ମୋବାଇଲ୍‌ରେ ବ୍ୟବହାର କଲେ ବ୍ୟାଙ୍କ୍‌ ଓ ବ୍ୟକ୍ତିଗତ ତଥ୍ୟ ଫଟୋ ନେବା ପରେ ଆକାଉଣ୍ଟ୍‌ରୁ ଟଙ୍କା ଖାଲି କରିଦିଆଯାଉଛି।

ବ୍ଲୁ ହ୍ବେଲ୍ ଗେମ୍ ପାଇଁ ବ୍ୟବହୃତ ଭାଇରସ୍ ବ୍ୟବହାର ହୋଇଛି: ସାଇବର ବିଶେଷଜ୍ଞ
ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭାରତର ପ୍ରାୟ ୨୭ଟି ସରକାରୀ ଓ ବେସକାରୀ ବ୍ୟାଙ୍କ୍‌କୁ ଟାର୍ଗେଟ୍ କରାଯାଇଛି। ସାଇବର ଠକ ଲୋକଙ୍କୁ ଠକିବା ପାଇଁ ଯେଉଁ ଭାଇରସ୍‌ ବ୍ୟବହାର କରୁଛି ତା’ ନାଁ ହେଉଛି ‘ଟ୍ରୋଜେନ୍ ମାଲୱେର୍’। ଏହି ମାଲୱେର୍‌କୁ ପୂର୍ବରୁ ଆତ୍ମଘାତୀ ଗେମ୍ ‘ବ୍ଲୁ ହ୍ବେଲ୍’ରେ ତଥ୍ୟ ଚୋରି ପାଇଁ ଋଷୀୟର ଯୁବକ ବ୍ୟବହାର କରୁଥିଲା। ଏହା ପରେ ଗେମ୍ ଖେଳୁଥିବା ପିଲାଙ୍କୁ ବିଭିନ୍ନ ଟାସ୍କ ଦେଇ ଶେଷରେ ଜୀବନ ନେଉଥିଲା। ସାରା ବିଶ୍ବରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହେବା ପରେ ଏହି ଗେମ୍‌କୁ ବ୍ୟାନ୍ କରାଯାଇଥିଲା। ତେବେ ଏଥିରେ ତଥ୍ୟ ଚୋରି ପାଇଁ ବ୍ୟବହୃତ ମାଲ​​ଵେର୍‌ ବିଷୟରେ ଜଣାପଡ଼ିବା ପରେ ଡାର୍କ ମାର୍କେଟ୍‌ରୁ ଏହାକୁ ଆଣି ସାଇବର ଠକେଇ ପାଇଁ ବ୍ୟବହାର କରାଯାଉଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ଅଜଣା ନମ୍ବରରୁ ଆସୁଥିବା ଲିଙ୍କ ଓ ଆପ୍‌କୁ ଡାଉନଲୋଡ୍ ନ କରିବାକୁ ସେ ସତର୍କ କରାଇଛନ୍ତି।

ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଠକେଇ ମାମଲା: ଝାଡ଼ଖଣ୍ଡରୁ ତୃପ୍ତି ନାଁରେ ଆସିଲା ଅଭିଯୋଗ
ଭୁବନେଶ୍ବର : ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା କୁଖ୍ୟାତ ଠକ ତୃପ୍ତି ରଞ୍ଜନ ଦାସ ବିରୋଧରେ ଗତ ୬ ମାସ ହେଲା ଅଭିଯୋଗ ଆସିବାରେ ଲାଗିଛି। ଏବେ ସୁଦ୍ଧା ଶହେରୁ ଅଧିକ ଅଭିଯୋଗ ଆସି ସାରିଥିବା ବେଳେ ପ୍ରାୟ ୩୦ ମାମଲା ରୁଜୁ କଲାଣି ପୁଲିସ। ଏକାଧିକ ରାଜ୍ୟକୁ ଲମ୍ବିଛି ଠକେଇ ଚେର। ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ତୃପ୍ତି ବିରୋଧରେ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଥିବା ବେଳେ ଏବେ ଝାଡ଼ଖଣ୍ଡରୁ ବି ଅଭିଯୋଗ ଆସିଛି। ସୌରଭ ମାହତୋ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରିଛି। ସୌରଭ ଓଏଲଏକ୍ସରେ ସେକେଣ୍ଡ ହ୍ୟାଣ୍ଡ ବୋଲେରୋ କିଣିବା ଲାଗି ଖୋଜୁଥିଲେ। ସେହି ସମୟରେ ଭୁବନେଶ୍ବର ଟଙ୍କପାଣି ରୋଡରେ ଥିବା ତୃପ୍ତି ମୋଟର୍ସର ନାଁ, ଠିକଣା, ଫୋନ୍ ନମ୍ବର ଆସିଥିଲା। ସୌରଭ ଭୁବନେଶ୍ବର ଆସି ଟଙ୍କପାଣି ରୋଡରେ ପହଞ୍ଚିବା ପରେ ତୃପ୍ତିର ଶ୍ରୀମୋଟର୍ସକୁ ଯାଇ ଗାଡ଼ି ଦେଖିଥିଲେ। ସେ ଏକ ବୋଲେରୋ ଦେଖିବା ପରେ ୫ ଲକ୍ଷ ଟଙ୍କା ପଡ଼ିବ ବୋଲି ତୃପ୍ତି କହିଥିଲା। ଏଥିପାଇଁ ସେ ଆଗୁଆ ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲା। କିନ୍ତୁ ଗାଡ଼ି ଦେଇ ନ ଥିଲା। ତୃପ୍ତିର ଗିରଫଦାରି ଖବର ଗଣମାଧ୍ୟମରୁ ଜାଣିବା ପରେ ସୌରଭ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର