ସାଇବର ଅପରାଧୀଙ୍କୁ ସୁହାଉଛି ଲକ୍‌ଡାଉନ୍‌ : ୪ ମାସରେ ୬୫୦ ମାମଲା, ବହୁଳ ଇଣ୍ଟରନେଟ୍ ବ୍ୟବହାର ମୁଖ୍ୟ କାରଣ

ଭୁବନେଶ୍ୱର : ଲକ୍‌ଡାଉନ୍‌ରେ ମାତିଛନ୍ତି ସାଇବର ଅପରାଧୀ। ନୂଆ ନୂଆ ଉପାୟରେ ଲୋକଙ୍କୁ ଚୂନ ଲଗାଉଛନ୍ତି। କେତେ‌ବେଳେ ଏଟିଏମ୍‌ କାର୍ଡ ଭେରିଫିକେସନ୍‌ ପାଇଁ ତ ଆଉ କେତେବେଳେ ଲଟେରି ଜିତିଛନ୍ତି କହି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଯିଏ ଏମାନଙ୍କ ଚକ୍ରବ୍ୟୂହରେ ଫସୁଛି, ସର୍ବସ୍ବାନ୍ତ ହୋଇଯାଉଛି।

ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଜାନୁଆରି ୧ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ସାଇବର୍‌ ଥାନାକୁ ମିଶାଇ ୯୪୨ଟି ସାଇବର୍‌ ଅପରାଧଜନିତ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଏପ୍ରିଲରୁ ଜୁଲାଇ ଭିତରେ (ଲକ୍‌ଡାଉନ୍‌ ସମୟରେ) ୬୫୦ଟି ମାମଲା ରୁଜୁ ହୋଇଛି। କୋଭିଡ୍ ସଂକ୍ରାନ୍ତୀୟ ଭିଡିଓ ଏବଂ ଅଡିଓ ଭାଇରାଲ୍ ଘଟଣାରେ ୭୩ଟି ମାମଲା ରୁଜୁ ହୋଇଛି। ୨୦୧୯ରେ ଜାନୁଆରିରୁ ଜୁଲାଇ ଭିତରେ ୮୪୦ଟି ମାମଲା ରୁଜୁ ହୋଇଥିଲା। ଲକ୍‌ଡାଉନ ସମୟରେ ଗତବର୍ଷ ତୁଳନାରେ ୧୭ ପ୍ରତିଶତ ମାମଲା ବଢ଼ିଛି।

ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଲକ୍‌ଡାଉନ୍‌ ସମୟରେ ଲୋକ ଘରେ ରହିଲେ। ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ଲୋକ ଅନ୍‌ଲାଇନ ଜରିଆରେ କିଣୁଛନ୍ତି। କୋରିୟର୍‌ ପଠାଇବା ହେଉ କିମ୍ବା କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସାନିଟାଇଜର୍, ପିପିଇ କିଟ୍ କିଣାରେ ମଧ୍ୟ ଲୋକ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି। ପିଏମ୍ କେୟାର ଫଣ୍ଡ ନାଁରେ ଜାଲ୍ ୱେବସାଇଟ୍, ଚାକିରି ନାଁରେ ଜାଲ୍ ୱେବସାଇଟ୍ ମାଧ୍ୟମରେ ଲୋକ ଠକାମିର ଶିକାର ହୋଇଛନ୍ତି। ପେଟିଏମ୍‌ ଆପ୍‌ ନବୀକରଣ ନାଁରେ ଓ ଇଏମ୍ଆଇ ଦେବାକୁ ପଡ଼ିବ ନାହିଁ କହି ସାଇବର ଠକ ଲୁଟ୍‌ କରିଛନ୍ତି। କୌଣସି ସାମଗ୍ରୀ କିଣା ହେଉ କିମ୍ବା କୌଣସି ୱେବ୍‌ସାଇଟ୍‌ ଯାଞ୍ଚ ସମୟରେ ଲୋକ ସାଇବର ଠକଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଇଣ୍ଟରନେଟ୍‌ରେ ଏକାଧିକ ଠକ ସଂସ୍ଥାର ନାଁ ଏବଂ ନମ୍ବର ଆସୁଛି। ସେହି ନମ୍ବରରେ ଯୋଗାଯୋଗ କଲେ ସେବା ଯୋଗାଇବା ନାଁରେ ଠକ ସମ୍ପୃକ୍ତ ବ୍ୟକ୍ତିଙ୍କର ସବୁ ତଥ୍ୟ ହାସଲ କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛି। ସେହିପରି ଇଣ୍ଟରନେଟ୍ ବ୍ୟବହାର ସମୟରେ ଯେଉଁ ଅଜଣା ଲିଙ୍କ ଆସିଥାଏ, ତାହାକୁ କ୍ଲିକ୍ କଲେ ମଧ୍ୟ ହ୍ୟାକ୍ ହେବାର ସମ୍ଭାବନା ରହିଥାଏ। ସେହିପରି ୱାର୍କ-ଫ୍ରମ୍‌-ହୋମ୍‌ ହେବା ପରେ ଇଣ୍ଟରନେଟ୍ ଏବଂ ୱାଇଫାଇ ବ୍ୟବହାରରେ ବ୍ୟାପକ ଠକେଇ ହୋଇଛି।

ସାଇବର ଠକେଇ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି। ଚାକିରି ପାଇଁ ବିଜ୍ଞାପନ ଦେଉଥିବା ବିଭିନ୍ନ ଫେକ୍ ୱେବ୍‌ସାଇଟ୍‌ ଓ ମାସ୍କ, ସାନିଟାଇଜର୍, ପିପିଇ କିଟ୍, ଅକ୍ସିମିଟର ଅନ୍‌ଲାଇନ ବିକ୍ରି ବାହାନାରେ ଠକୁଥିବା ସାଇବର ଅପରାଧୀଙ୍କ ପ୍ରତି ସତର୍କ ରହିବା ପାଇଁ ନିର୍ଦ୍ଦେଶାବଳି ଜାରି କରାଯାଇଛି। ଫୋନ୍ କଲ୍ କରୁଥିବା କୌଣସି ଅଜଣା ବ୍ୟକ୍ତିଙ୍କୁ ଏଟିଏମ୍ ଓ କ୍ରେଡିଟ୍ କାର୍ଡ ନମ୍ବର, ସିଭିଭି, ପାସୱର୍ଡ, ଆକାଉଣ୍ଟ ନମ୍ବର, ଆଧାର କାର୍ଡ ନମ୍ବର ଆଦି ତଥ୍ୟ ନ ଦେବା ଲାଗି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ସାଇବର ଅପରାଧ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ୨୦୧୮ରେ ୮୬୭ଟି ମାମଲା ରୁଜୁ ହୋଇଥିଲା। ୨୦୧୯ରେ ୧୪୭୫ଟି ମାମଲା ରୁଜୁ ହୋଇଛି। ୨୦୧୮ ତୁଳନାରେ ୨୦୧୯ରେ ୭୦ ପ୍ରତିଶତ ମାମଲା ବୃଦ୍ଧି ପାଇଛି। ସେହିପରି ଚଳିତବର୍ଷ ଜୁଲାଇ ସୁଦ୍ଧା ୯୪୨ଟି ମାମଲା ରୁଜୁ ହୋଇଛି। ଆହୁରି ୫ ମାସ ଥିବାରୁ ମାମଲା ଯଥେଷ୍ଟ ବଢ଼ିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର