ଭୁବନେଶ୍ବର: ଆପଣ କାର ପାଇଁ ଲୋନ୍ ନେଇଥିଲେ କି। ଯଦି ଉତ୍ତର ଆସିଲା ହଁ ତାହାଲେ ଆପଣଙ୍କୁ ବ୍ୟସ୍ତ ହେବା ଦରକାର ନାହିଁ। ଲକ୍‌ଡାଉନ୍ ଚାଲିଥିବାରୁ ବ୍ୟାଙ୍କ ପକ୍ଷରୁ ଆପଣଙ୍କୁ କିଛି ମାସର ମହଲତ ମିଳିବ। କେବଳ ଫୋନକୁ ଯେଉଁ ଓଟିପି ଯିବ, ତାହାକୁ ଦେବେ। ଫୋନ୍ କରିଥିବା ବ୍ୟକ୍ତିଙ୍କୁ ରଣଗ୍ରହୀତା ଓଟିପି ଦେବା ପରେ ଆକାଉଣ୍ଟର ଟଙ୍କା ଗାଏବ। ଏଭଳି ନୂଆ ଢଙ୍ଗରେ ଲୁଟିବା ଆରମ୍ଭ କରି ଦେଇଛନ୍ତି ସାଇବର୍‌ ଅପରାଧୀ।

Advertisment

କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଯେଉଁମାନେ ଲୋନ୍ ନେଇଛନ୍ତି, ସେମାନେ କେମିତି ଇଏମ୍ଆଇ ଦେବେ, ତାକୁ ନେଇ ଚିନ୍ତାରେ ଅଛନ୍ତି। ଏହି ଲକ୍‌ଡାଉନ୍ ସମୟ ଭିତରେ ଅପରାଧୀଙ୍କ ଦବଦବା କମିଛି କିନ୍ତୁ ମାତିଛନ୍ତି ସାଇବର ଅପରାଧୀ। ଅନ୍‌ଲାଇନ୍‌ରେ ମଦ ହେଉ କିମ୍ବା ମାସ୍କ, ସାନିଟାଇଜର୍‌ ଦେବାକୁ କହି ଅପରାଧୀ ଲୁଟୁଥିବାର ସାମ୍ନାକୁ ଆସିଛି। ଏବେ ନୂଆ ଫର୍ମୁଲା ଆପଣାଇଛନ୍ତି ସାଇବର୍‌ ଅପରାଧୀ। ଅପରାଧୀ ଲୋକଙ୍କ ମୋବାଇଲ ଫୋନକୁ କଲ୍ କରି ଇଏମ୍ଆଇ ଦେବାକୁ ପଡ଼ିବ ନାହିଁ ବୋଲି କହୁଛନ୍ତି। ଏଥିଲାଗି ଫୋନରେ ଏକ ଓଟିପି ଯିବ। ସେହି ଓଟିପି ଦେଲେ ଆପଣଙ୍କ ଇଏମ୍ଆଇ କିଛି ମାସ ଘୁଞ୍ଚି ଯିବ ବୋଲି କହି ଫୋନ୍‌ କରୁଛନ୍ତି। ଗ୍ରାହକ ଓଟିପି ଦେଲା ପରେ ସାଇବର୍‌ ଅପରାଧୀ ଜାଲରେ ପଡ଼ି ଯାଉଛନ୍ତି। ଏହାପରେ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଛି ସାଇବର ଅପରାଧୀ। ଏମିତି ଢଙ୍ଗରେ ସାଇବର ଟଙ୍କା ଲୁଟିବା ଘଟଣା ପୁଲିସ ନିକଟରେ ଅଭିଯୋଗ ପହଞ୍ଚିଛି। ଏହାପରେ ଓଡ଼ିଶା ପୁଲିସ ସୋସିଆଲ୍ ମିଡ଼ିଆରେ ଲୋକଙ୍କୁ ସତର୍କ କରାଇଛି। ଯଦି କେହି ଫୋନ୍ କରି ଏପରି ଓଟିପି ମାଗୁଛନ୍ତି, ତାହାଲେ ନ ଦେବାକୁ ପରାମର୍ଶ ଜାରି କରିଛି ଓଡ଼ିଶା ପୁଲିସ। ଏଭ​ଳି ଫୋନ୍‌ କଲଠାରୁ ଦୂରରେ ରହିବା ପାଇଁ ପୁଲିସ କହିଛି। ଏହା ସହ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନମ୍ବର, ସିଭିଭି ନମ୍ବର, ପିନ୍ ନମ୍ବର ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ କାହା ସହ ସେୟାର ନ କରିବା ଲାଗି ପରାମର୍ଶ ଦିଆଯାଇଛି। ଗତ କିଛି ଦିନ ତଳେ ରାଜଧାନୀର ଜଣେ ବ୍ୟକ୍ତି ଅନଲାଇନରେ ବିଦେଶୀ ମଦ, ସାନିଟାଇଜର ଓ ମାସ୍କ ମଗାଇଥିଲେ। ଏଥିଲାଗି ଅନଲାଇନ୍ ପେମେଣ୍ଟ କରିଥିଲେ। କିନ୍ତୁ ତାଙ୍କ ପାଖରେ କିଛି ସାମଗ୍ରୀ ପହଞ୍ଚି ନ ଥିଲା। ଏ ନେଇ ସେ ବୁକିଂ କରିଥିବା ସାଇଟ୍ ଯାଞ୍ଚ କରିବାରୁ ତାହା ଜାଲ ବୋଲି ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ବ୍ୟକ୍ତିଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।