ଭୁବନେଶ୍ବର : ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରୁଥିବା ଏହି ସାଇବର୍ ଅପରାଧୀମାନଙ୍କ ଜୀବନ ପୂରା ବିଳାସପୂର୍ଣ୍ଣ ଥିଲା। ବିମାନରେ ଦେଶ ସାରା ବୁଲିବା ସହ ବଡ଼ ବଡ଼ ହୋଟେଲରେ ରାତି କଟାଉଥିଲେ। ଲୁଟ୍ ଟଙ୍କାରେ ଆପଲ୍ ଆଇଫୋନ୍-୧୨ ମୋବାଇଲ ଓ ଅନ୍ୟାନ୍ୟ ଦାମୀ ସାମଗ୍ରୀ କିଣୁଥିଲେ। କ୍ରାଇମବ୍ରାଞ୍ଚ ଚଢ଼ଉ ବେଳେ ଅପରାଧୀଙ୍କ ଘରୁ ପୁରୀ ସି-ବିଚ୍ ନିକଟ ଏକ ହୋଟେଲର ବିଲ୍, ଦୀପକ କୁମାର ନାଁରେ ଆଇଫୋନ୍-୧୨ର ଫ୍ଲିପକାର୍ଟ ରସିଦ୍ ଆଦି ଜବତ କରିଛି। ସେହିପରି ଅନଲାଇନ୍ ସପିଂ ସାଇଟ୍ରୁ ଦାମୀ ଗିଫ୍ଟ ଭାଉଚର୍ ମଧ୍ୟ କିଣୁଥିଲେ। ଖାଲି ସେତିକି ନୁହେଁ, ଟଙ୍କା ଲୁଟି ସମ୍ପର୍କୀୟ, ସାଙ୍ଗ, ଚିହ୍ନା ପରିଚିତଙ୍କ ପେ-ଟିଏମ୍, ଗୁଗୁଲ୍ ପେ’, ଫୋନ୍ ପେ’ ଆକାଉଣ୍ଟକୁ ଟ୍ରାନ୍ସଫର୍ କରୁଥିଲେ।
୧୦ ଦିନର ଅପରେସନ୍, ଛକାପଞ୍ଝା ପରେ ଧରାପଡ଼ିଲେ
ସାଇବର ଅପରାଧୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଅପରେସନ୍ ଆରମ୍ଭ କରିଥିଲା ସାଇବର ଥାନା। ପ୍ରାୟ ୧୦ ଦିନ ଧରି ଛାନଭିନ୍ ଚଳାଇଥିଲା। ଠୋସ୍ ପ୍ରମାଣ ପାଇବା ପରେ କିଛି ଦିନ ଧରି ପ୍ରାଚୀବିହାର ଅଞ୍ଚଳରେ ଡେରା ପକାଇଥିଲା। ସାଇବର ଠକଙ୍କ ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରିଥିଲା। ଚଢ଼ଉ ପୂର୍ବରୁ କିଛି ଖସି ଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଛକାପଞ୍ଝା ପରେ ସାଇବର୍ ପୁଲିସ ହାତରେ ୩ ଜଣ ଧରା ପଡ଼ିଥିଲେ। ସେମାନେ ମଧ୍ୟ ବ୍ୟାଗ ଧରି ଫେରାର୍ ହେଉଥିବା ବେଳେ ପୁଲିସ ମାଡ଼ି ବସିଥିଲା। ଏପରିକି ଧସ୍ତାଧସ୍ତି ମଧ୍ୟ ହୋଇଥିଲା।
୪ଲକ୍ଷ ୩୯ ହଜାର ଲୋକଙ୍କୁ ଠକିବା ପାଇଁ ଯୋଗାଯୋଗ କରିଥିଲେ
କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଆହୁରି ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ତଦନ୍ତକାରୀ ଟିମକୁ ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଠକେଇ କରିବା ପାଇଁ ୪ ଲକ୍ଷ ୩୮ ହଜାର ୮୩୪ ଲୋକଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଛନ୍ତି। ସେମାନଙ୍କୁ ଜାଲରେ ଫସାଇବା ପାଇଁ ଚେଷ୍ଟା କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣ ଠକାମିର ଶିକାର ହୋଇଛନ୍ତି ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଗିରଫ ୩ ସାଇବର ଠକ ଏବେ ସୁଦ୍ଧା ୧୭୧ଟି ମାମଲାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଥିଲେ ମଧ୍ୟ କେତେ ଟଙ୍କା ଠକେଇ କରିଛନ୍ତି ସେ ସମ୍ପର୍କରେ ତଦନ୍ତକାରୀ ଟିମକୁ ସୂଚନା ମିଳିପାରି ନାହିଁ। ଏ ନେଇ ଅଧିକ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।
ଗ୍ୟାଙ୍ଗରେ ଅଛନ୍ତି ଆହୁରି ବଡ଼ ଅପରାଧୀ
ମାତ୍ର ୩ ଜଣ ସଦସ୍ୟ ଧରାପଡ଼ିଥିବା ବେଳେ ହାଇପ୍ରୋଫାଇଲ ଗ୍ୟାଙ୍ଗରେ ଆହୁରି ବଡ଼ ବଡ଼ ଅପରାଧୀ ସାମିଲ ଅଛନ୍ତି। କିନ୍ତୁ ସେମାନେ କୌଶଳକ୍ରମେ ବିଭିନ୍ନ ରାଜ୍ୟର ପୁଲିସକୁ ଚକ୍ମା ଦେଇ ଆତ୍ମଗୋପନ କରିବାରେ ସଫଳ ହୋଇଛନ୍ତି। ସେମାନେ ଗ୍ୟାଙ୍ଗ ମୁଖ୍ୟ ବୋଲି କୁହାଯାଉଛି। ସେମାନଙ୍କୁ ଧରିବା ଲାଗି ଦିଲ୍ଲୀ, ହାଇଦ୍ରାବାଦ ସମେତ ଏକାଧିକ ରାଜ୍ୟର ପୁଲିସ ଲାଗି ପଡ଼ିଛନ୍ତି। ଭୁବନେଶ୍ବରରେ ମଧ୍ୟ ଆହୁରି ସଦସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଧରାପଡ଼ିଥିବା ସାଇବର ଅପରାଧୀମାନେ ଭୁବନେଶ୍ବରକୁ କାହିଁକି ବାଛିଲେ? ସେମାନଙ୍କ ଗ୍ୟାଙ୍ଗରେ ଥିବା ସଦସ୍ୟ ଏଠାକୁ ଆଣିଥିଲେ କି? ପ୍ରାଚୀ ବିହାର ଅଞ୍ଚଳରେ କେମିତି ଆତ୍ମଗୋପନ କରି ରହିଲେ? ସେ ନେଇ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଚଳାଇଛି।
ନବମ ଯାଏ ପାଠପଢ଼ା, ସାଇବର୍ ଜ୍ଞାନରେ ମାହିର୍
ଗିରଫ ହୋଇଥିବା ୩ ସାଇବର ଅପରାଧୀଙ୍କ ଭିତରୁ ପ୍ରଧୁମ ମଣ୍ଡଳ ଓ ଚେତଲାଲ ମଣ୍ଡଳର ଶିକ୍ଷାଗତ ଯୋଗ୍ୟତା ନବମ। କ୍ରିଷ୍ଣାକୁମାର ମଣ୍ଡଳ ଯୁକ୍ତ ୩ ପଢ଼ିଛି। ପାଠପଢ଼ା ଅଳ୍ପ, କିନ୍ତୁ ସାଇବର ଜ୍ଞାନ ଖୁନ୍ଦି ହୋଇ ରହିଛି। ଅଳ୍ପ ପାଠରେ ବି ସେମାନେ ବଡ଼ବଡ଼ିଆଙ୍କୁ ଚୂନ ଲଗାଉଥିଲେ। ଜାଲ ବିଛାଇ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ।
କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସୁଯୋଗ
ପ୍ରଥମଥର ପାଇଁ ଜମତରା ଗ୍ୟାଙ୍ଗର ୩ ସଦସ୍ୟ ଧରାପଡ଼ିବା ସହ ବିପୁଳ ଇଲେକ୍ଟ୍ରୋନିକ୍ ସାମଗ୍ରୀ କ୍ରାଇମବ୍ରାଞ୍ଚ ସାଇବର ଥାନା ହାତରେ ଲାଗିଛି। ୨୦ଟି ରାଜ୍ୟରେ ଠକେଇ ନେଟୱର୍କ ରହିଥିବା ଜଣାପଡ଼ିଛି। ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିବା ସହ ଆହୁରି ସଦସ୍ୟଙ୍କୁ ଗିରଫ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ସୁଯୋଗ ଆଣି ଦେଇଛି। ସାଇବର ଅପରାଧୀଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କଲେ ପୁଲିସ ଅନ୍ୟ ସଦସ୍ୟଙ୍କ ପାଖରେ ପହଞ୍ଚି ପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ତଥ୍ୟ ଆଣୁଥିଲେ କେଉଁଠୁ?
ସାଇବର ଅପରାଧୀମାନେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ପରେ ଲୁଟପାଟ୍ କରୁଥିଲେ। ମିଳିଥିବା ସୂଚନା ଅନୁସାରେ, ଇଣ୍ଟରନେଟ୍ର କଳା କାରନାମା ତଥ୍ୟ ଉପଲବ୍ଧ ହେଉଥିବା ‘ଡାର୍କ ୱେବ’ରେ ଅତି ସହଜରେ ଲୋକଙ୍କର ସମସ୍ତ ତଥ୍ୟ ଉପଲବ୍ଧ ହୁଏ। ଅପରାଧୀମାନେ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ସେହି ତଥ୍ୟ ହାତେଇଥା’ନ୍ତି। ସେହିପରି ବିଭିନ୍ନ ସପିଂ ମଲ୍, ରେସ୍ତୋରାଁ, ବ୍ୟାବସାୟିକ ପ୍ରତିଷ୍ଠାନରେ ସଂଗ୍ରହ ହେଉଥିବା ଗ୍ରାହକଙ୍କ ତଥ୍ୟ ଓ ମୋବାଇଲ ନମ୍ବରକୁ ମଧ୍ୟ ବିକ୍ରି କରାଯାଏ ବୋଲି ସାଇବର୍ ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି।
ଦିଲ୍ଲୀ ପୁଲିସ ଡରରେ ଭୁବନେଶ୍ବରରେ ଡେରା
ସାଇବର ଅପରାଧୀଙ୍କ ବିରୋଧରେ ଦିଲ୍ଲୀ ସାଇବର ପୁଲିସର ପ୍ରହାର ଲଗାତାର ଜାରି ରହିଛି। ଗତ ୬ ମାସ ଭିତରେ ଦିଲ୍ଲୀ ପୁଲିସ ହାତରେ ୩୦ରୁ ଅଧିକ ସାଇବର ଅପରାଧୀ ଧରା ପଡ଼ିସାରିଲେଣି। ଏଥିରେ ଭୟଭୀତ ହୋଇ ଏହି ଗ୍ୟାଙ୍ଗ ସଦସ୍ୟ ଭୁବନେଶ୍ବର ଚାଲି ଆସି ଆତ୍ମଗୋପନ କରିଥିବା କୁହାଯାଉଛି। ଭୁବନେଶ୍ବରକୁ ସୁରକ୍ଷିତ ମନେ କରି ଏଠାରୁ ଅପରେସନ୍ ଚଳାଇଛନ୍ତି।୨୦୨୧ ଅଗଷ୍ଟ: ଝାଡ଼ଖଣ୍ଡ ଜମତରାରେ ଚଢ଼ଉ କରି ୧୪ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ସେମାନଙ୍କ ମଧ୍ୟରେ କୁଖ୍ୟାତ ଗୁଲାମ୍ ଅନସାରି ଓ ଅଲତାଫ୍ ଅନସାରି ଥିଲେ।
୨୦୨୧ ସେପ୍ଟେମ୍ବର: ବିଭିନ୍ନ ନାମୀଦାମୀ କମ୍ପାନିର ଫ୍ରାଞ୍ଚାଇଜ୍ ନାଁରେ ଲୁଟୁଥିବା ୪ ଜଣ ଗିରଫ ହୋଇଥିଲେ
୨୦୨୧ ଡିସେମ୍ବର: ୩ ହ୍ୟାକର ଗିରଫ ହୋଇଥିଲେ
୨୦୨୨ ଜାନୁଆରି: କେଵାଇସି ଅପଡେଟ୍ ନାଁରେ ଠକେଇ କରୁଥିବା ୪ଜଣ ରାଜସ୍ଥାନ ଜୟପୁରରୁ ଗିରଫ ହୋଇଥିଲେ
ଭୁବନେଶ୍ବରରେଜମତରା ଗ୍ୟାଙ୍ଗ ବିଷୟରେ ଲେଖିଥିଲା ସମ୍ବାଦ
ରାଜଧାନୀ ଭୁବନେଶ୍ବରରେ ଜମତରା ଗ୍ୟାଙ୍ଗ ସଦସ୍ୟ ରହି ଠକେଇ କରୁଥିବା ଖବର ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖାଲି ଠକେଇ କରୁ ନାହାନ୍ତି, ବରଂ ଠକଙ୍କୁ ନିଯୁକ୍ତି ମଧ୍ୟ ଦେଉଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସାଇବର ବିଶେଷଜ୍ଞ ସତର୍କ କରାଇଥିଲେ। ଏ ନେଇ ସମ୍ବାଦରେ ସବିଶେଷ ତଥ୍ୟ ସହ ରିପୋର୍ଟ ପ୍ରକାଶ ପାଇଥିଲା।