ସିଏସ୍‌ଓସିର ସଫଳତା: କଳା ତାଲିକାଭୁକ୍ତ ହେଲାଣି ୩ ହଜାର ଆଇପି

ଭୁବନେଶ୍ବର: ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସ୍‌ଓସି) ଇତି ମଧ୍ୟରେ ପାଖାପାଖି ୩ହଜାର ଇଣ୍ଟରନେଟ୍‌ ପ୍ରୋ‌ଟୋକଲ୍‌ (ଆଇପି)କୁ କଳାତାଲିକାଭୁକ୍ତ କରିସାରିଲାଣି। ଏହି ଆଇପି ଜରିଆରେ ସାଇବର ଠକମାନେ ସକ୍ରିୟ ରହୁଥିଲେ। ଏବେ କଳାତାଲିକାଭୁକ୍ତ ହେବା ପରେ ଏମାନେ ଆଉ ଷ୍ଟେଟ୍‌ ଡାଟା ସେଣ୍ଟର କିମ୍ବା ଆଇଟି ସେଣ୍ଟର ଅଧୀନରେ ଥିବା କୌଣସି ୱେବ୍‌ସାଇଟ୍‌ରେ ପ୍ରବେଶ କରିପାରୁନାହାନ୍ତି। ବଡ଼ କଥା ହେଉଛି, ସାଇବର ଆକ୍ରମଣ ଉଦ୍ୟମ କରିଥିବା ଏହି ଆଇପି ମଧ୍ୟରୁ ଅଧିକାଂଶ ୟୁରୋପୀୟ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଇତିମଧ୍ୟରେ ପାଖାପାଖି ୩ ହଜାର ଆଇପିରୁ ସାଇବର ଆକ୍ରମଣ ଉଦ୍ୟମ ହୋଇଛି। ସାଇବର ଆକ୍ରମଣକୁ ଧରିବା ପାଇଁ ବ୍ୟବହାର ହେଉଥିବା “ଇଣ୍ଟେଲ ଗିୟର” ମାଧ୍ୟମରେ ଏମାନଙ୍କୁ ଠାବ କରାଯିବା ପରେ ସମ୍ପୂର୍ଣ୍ଣ ଭାବେ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଭବିଷ୍ୟତରେ ସେସବୁ ସମାନ ଆଇପିରୁ ଆଉ ସାଇବର ଆକ୍ରମଣ ହୋଇପାରିବ ନାହିଁ। କାରଣ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ। ସେହିପରି କେନ୍ଦ୍ରରେ ନିୟୋଜିତ କର୍ମଚାରୀମାନେ ମଧ୍ୟ ଦିନ ରାତି ସାଇବର ଆକ୍ରମଣ ଉପରେ ନଜର ରଖିଛନ୍ତି। ଯଦି କୌଣସି ଆଇପିରୁ ଏକାଧିକଥର କୌଣସି ସରକାରୀ ୱେବ୍‌ସାଇଟ୍‍ ଖୋଲିବାକୁ ଉଦ୍ୟମ ହେଉଛି, ପ୍ରଥମେ ସେହି ଆଇପି ଉପରେ ସାମୟିକ ଭାବେ କଟକଣା ଲଗାଯାଉଛି। ବିଶେଷକରି ବିଳମ୍ବିତ ରାତିରେ ହେଉଥିବା ଏଭଳି ଉଦ୍ୟମ ଉପରେ କଡ଼ା ନଜର ରଖାଯାଉଛି। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ ସେଣ୍ଟର (ଓକାକ୍‌)ର ମିଳିତ ଉଦ୍ୟମରେ ଏହି ଅତ୍ୟାଧୁନିକ ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ରରେ ସମସ୍ତ ପ୍ରକାର ସାଇବର ଆକ୍ରମଣକୁ ପ୍ରତିହତ କରିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଡାଟା ସେଣ୍ଟର, ଷ୍ଟେଟ୍‌ ୱାଇଡ୍‍ ଏରିଆ ନେଟ୍‌ୱାର୍କ (ସ୍ୱାନ) ସହିତ ଯୋଡ଼ି ହୋଇଛି। ଭବିଷ୍ୟତରେ ଅଧିକରୁ ଅଧିକ ସରକାରୀ ସଂସ୍ଥା ଓ ସଂଗଠନ ଯୋଡ଼ି ହେବ। ଏଥିସହ ଭବିଷ୍ୟତରେ ବଗ୍‍ ବାଉଣ୍ଟି, ରିଅଲ୍‌ ଟାଇମ୍‌ ଥ୍ରେଟ୍‌ ଇଣ୍ଟେଲିଜେନ୍ସ ଫିଡ୍‍, ଇଣ୍ଡିପେଣ୍ଡେଣ୍ଟ ସ୍କାଲାବେଲ୍‍ ଇନ୍‌ଫ୍ରାଷ୍ଟ୍ରକ୍‍ଚର୍‌ ଆଦି ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର