ଚନ୍ଦ୍ରଶେଖରପୁର: ପୁଲିସ ଓ କ୍ରାଇମବ୍ରାଞ୍ଚ ଯେତେ ସଚେତନ କଲେ ବି ଫଳ ଶୂନ। ପ୍ରଲୋଭନର ଶିକାର ହୋଇ ଲୋକେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି। ଆଜି ଏମିତି ଏକ ସାଇବର୍ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଦୁଇ ଇଞ୍ଜିନିୟରିଂ ଛାତ୍ର ଅମନ କୁମାର ଗନ୍ତାୟତ ଓ ବିପ୍ଳବ ଭଟ୍ଟାଚାର୍ଯ୍ୟ। ହ୍ୟାକର୍ ସେମାନଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଲୁଟି ନେଇଛି। ଏନେଇ ସେମାନେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଅମନ ଓ ବିପ୍ଳବଙ୍କ କହିବା ଅନୁଯାୟୀ, ଘରେ ବସି ରୋଜଗାର କରିବାର ଏକ ଲିଙ୍କ୍ ସୋସିଆଲ୍ ମିଡିଆରେ ଆସିଥିଲା। ଯାହା ସେମାନେ ଖୋଲି ଦେଖିଥିଲେ। ସହଜରେ ଅର୍ଥ ରୋଜଗାର କରିବା ନେଇ ଉପାୟ ଥିବାରୁ ସେମାନେ ସେହି ଲିଙ୍କରେ ଦିଆଯାଇଥିବା ସମସ୍ତ ତଥ୍ୟ ପୂରଣ କରିଥିଲେ। ପରେ ସେମାନଙ୍କ ନିକଟକୁ ଏକ ଓଟିପି ଆସିଥିଲା। ସେହି ସର୍ତ୍ତ ପୂରଣ ପରେ ପ୍ରଥମେ ସେମାନଙ୍କ ନିକଟକୁ କିଛି ଟଙ୍କା ଆସିଥିଲା। ଏହା ଦେଖି ସେମାନେ ଖୁସି ହୋଇଯାଇଥିଲେ। ଆଜି ସକାଳେ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୩୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣି ସେମାନେ ଥାନାର ଦ୍ବାରସ୍ଥ ହୋଇଥିଲେ। ଅପରପକ୍ଷରେ ଇଣ୍ଟରନେଟ୍ ମାଧ୍ୟମରେ ହ୍ୟାକର୍ମାନଙ୍କୁ ବିଶ୍ବାସ କରି ସହଜରେ ଅର୍ଥ ରେଜଗାର ଭଳି ପ୍ରଲୋଭନରେ ନ ପଡ଼ିବା ପାଇଁ ପୁଲିସ ସେମାନଙ୍କୁ ସଚେତନ କରି ଘଟଣାର ତଦନ୍ତ କରୁଥିବା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/job-fraud-1.jpg)