ଯବାନ ପରିଚୟ ଦେଇ ଇଟା ମଗାଇଲା ସାଇବର ଠକ

ଟଙ୍କା ଦେବା ବଦଳରେ କ୍ୟୁଆର୍‌ କୋଡ୍ ପଠାଇ ଲୁଟିନେଲା ଲକ୍ଷେ ୧୮ହଜାର

ଭୁବନେଶ୍ବର : ସାଇବର ଠକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ନକଲି ଯବାନ ସାଜି ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକ ଏଥର ଏକ ଇଟା କମ୍ପାନିରୁ ୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ନିଜକୁ ୧୨୦ ବାଟାଲିୟନ୍‌ର ଯବାନ ଏମ୍‌ଡି ରୋସନ୍ କୁମାର ସିଂହ ବୋଲି ପରିଚୟ ଦେଇ ଠକ ଜଣକ ମଙ୍ଗଳବାର ନୂଆପଲ୍ଲୀର ଫାଷ୍ଟ୍‌ ବିଲ୍ଡ ପ୍ରା.ଲି.କୁ ଟାର୍ଗେଟ୍ କରିଥିଲା। ଆଉ ଘର ତିଆରି ପାଇଁ ଲକ୍ଷାଧିକ ଟଙ୍କାର ଇଟା ଉକ୍ତ କମ୍ପାନିକୁ ଅର୍ଡର ଦେଇଥିଲା। କମ୍ପାନିର କର୍ମଚାରୀ ରୋହିତ କୁମାର ରଜାକ୍ ଗାଡ଼ି ଠିକ୍ କରି ଇଟା ବୋଝେଇ ହୋଇଥିବା ଭିଡିଓ କରି ଠକକୁ ପଠାଇବା ପରେ ଅଗ୍ରିମ ଟଙ୍କା ମାଗିଥିଲେ। ଏହା ପରେ ଠକ ତାଙ୍କୁ ହ୍ବାଟ୍ସଆପ୍‌ରେ ଏକ କ୍ୟୁଆର୍ କୋଡ୍ ପଠାଇଥିଲା। କ୍ୟୁଆର୍ କୋଡ୍ ସ୍କାନ୍ କଲେ ତାଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଳାଇବ ବୋଲି କହିଥିଲା। ହେଲେ ରୋହିତ କ୍ୟୁଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟ୍‌ରୁ ଲକ୍ଷେ ୮ହଜାର ୮୮୮ ଟଙ୍କା କଟିଯାଇଥିଲା। ଟଙ୍କା ଆକାଉଣ୍ଟ୍‌କୁ ଆସିବା ପରିବର୍ତ୍ତେ କଟିଯିବାରୁ ସେ ଫୋନ୍ ଯୋଗେ ତାଙ୍କୁ ଏ କଥା କହିଥିଲେ। ଏହା ପରେ ଠକ ତାଙ୍କୁ ଭୁଲବଶତଃ ଟଙ୍କା କଟିଯାଇଛି କହି ପୁଣି ଆଉ ଏକ କ୍ୟୁଆର୍ କୋଡ୍ ପଠାଇଥିଲା। ରୋହିତଙ୍କ ଅନ୍ୟଜଣେ ସହକର୍ମୀ ଦୁର୍ଗାପ୍ରସାଦ ଉକ୍ତ କୋଡ୍‌କୁ ସ୍କାନ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୧୦ହଜାର ଟଙ୍କା କଟିଯାଇଥିଲା। ଏନେଇ ସେ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ନୂଆପଲ୍ଲୀ ଥାନାରେ ଓ ପରେ ସାଇବର୍ ସେଲ୍‌ରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ରୋହିତଙ୍କ କହିବାନୁଯାୟୀ ସାଇବର ଠକ ତାଙ୍କୁ ଏକାଧିକ ଫୋନ୍ ନମ୍ବର(୭୦୮୯୧୬୦୯୧୫, ୮୮୭୬୪୦୪୪୮୪, ୮୦୯୯୭୨୭୩୬୯)ରୁ ଯୋଗାଯୋଗ କରିଥିଲା। ଆଉ ଏବେ ଉକ୍ତ ନମ୍ବରକୁ ଫୋନ୍ କଲେ ଠକ ଫୋନ୍ ଉଠାଉଛି; ମାତ୍ର ଟଙ୍କା ଦେବା ପରିବର୍ତ୍ତେ ପୁଲିସଠୁ ଆରମ୍ଭ କରି ଯାହା ପାଖରେ ଅଭିଯୋଗ କଲେ ମଧ୍ୟ ତାଙ୍କର କିଛି ହେବନାହିଁ ବୋଲି ଧମକ ଦେଉଛି। ଅପରପଟେ ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର