ମିଛରେ ବ୍ଲାକ୍‌ମେଲ୍‌ କରୁଛି ସାଇବର ଠକ

ନୂଆପଲ୍ଲୀ ଥାନାରୁ କହୁଛି, ଆପଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋ ପାଖରେ ଅଛି....

ଭୁବନେଶ୍ବର : ହ୍ୟାଲୋ, ମୁଁ ନୂଆପଲ୍ଲୀ ଥାନାରୁ କହୁଛି। ଆପଣଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ମୋ ପାଖରେ ଅଛି। ଯଦି ଏଗୁଡ଼ିକୁ ଭାଇରାଲ୍ ନ ହେଉ ବୋଲି ଆପଣ ଚାହୁଛନ୍ତି, ତେବେ କିଛି ଟଙ୍କା ଦିଅନ୍ତୁ। ନଚେତ୍ ଥାନାରେ ଆସି ଦେଖାକରନ୍ତୁ। ଆଜି ଦିନ ପ୍ରାୟ ୧୨ଟା ୩୦ରେ ଜଣେ ଯୁବତୀଙ୍କୁ ସାଇବର ଠକ ଏହିଭଳି ଫୋନ୍ କରି ଭିଡିଓ ଭାଇରାଲ୍ କରିବାର ଧମକ ଦେଇଥିଲା। ତାଙ୍କର ସେଭଳି କିଛି ଫଟୋ ବା ଭିଡିଓ କାହା ପାଖରେ ନ ଥିବା ଜାଣିଥିଲେ ମଧ୍ୟ ଯୁବତୀ ଜଣକ ଥାନାରେ ଦେଖା କରିଥିଲେ। ଏହା ପରେ ଥାନାରୁ ଏଭଳି କଲ୍ ଯାଇନଥିବା ସ୍ପଷ୍ଟ ହେବା ପରେ ତାଙ୍କୁ ସାଇବର ଠକ ଫୋନ୍ କରି ଏମିତି ଧମକ ଦେଇଛି ବୋଲି ଜଣାପଡ଼ିଛି। ଯୁବତୀ ଜଣକ ୟୁନିଟ୍-୮ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ କାର୍ଯ୍ୟରତ। ତାଙ୍କ କହିବାନୁଯାୟୀ ତାଙ୍କ ପାଖକୁ ୭୮୪୮୯୯୪୨୩୪ ନମ୍ବରରୁ କଲ୍ ଆସିଥିଲା। ପ୍ରଥମେ କେଉଁ ପୁରୁଷ ବନ୍ଧୁଙ୍କ ସହ ସଂପର୍କର ଦୃଶ୍ୟ ଓ ଅନ୍ତରଙ୍ଗ ମୁହୂର୍ତ୍ତ କଥା କହି ଟଙ୍କା ଠକିବାକୁ ଉଦ୍ୟମ କରି ବିଫଳ ହେବା ପରେ ସେ ଭିଡିଓ ଭାଇରାଲ୍ କରିବ ବୋଲି ଧମକ ଦେଇ ଫୋନ୍ କାଟି ଦେଇଥିଲା।

ଆଜି ଘଟିଥିବା ଏହି ଘଟଣା ସହ ପ୍ରାୟ ମାସେ ତଳୁ ଘଟିଥିବା କ୍ରାଇମ୍‌ବ୍ରାଞ୍ଚ ନାଁ ନେଇ ଠକିବା ଘଟଣାର ସାମଞ୍ଜସ୍ୟ ରହିଛି। ଜଣେ କଲେଜ୍ ଛାତ୍ରୀଙ୍କୁ ଏକ ଅଜଣା ନମ୍ବରରୁ ସାଇବର ଠକ ଫୋନ୍ କରି ସମାନ ଢଙ୍ଗରେ ନିଜକୁ ଜଣେ ପୁଲିସ୍ ଅଫିସର୍ ବୋଲି କହିବା ସହ ନିକଟସ୍ଥ ଥାନାରେ ଦେଖା କରିବାକୁ କହିଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ୫୦ରୁ ଅଧିକ କଲେଜ୍ ଛାତ୍ରୀଙ୍କୁ ଫୋନ୍ କରି ସାଇବର ଠକ ନୟାନ୍ତ କରିଥିଲା। ଏ ନେଇ ବାରମ୍ବାର ‘ସମ୍ବାଦ’ରେ ଖବର ପ୍ରକାଶ ପରେ ସିପି ନମ୍ବର ଟ୍ରାକ୍ କରି ଠକ ଜଣକ ଗୁଜୁରାଟର ବୋଲି କହିଥିଲେ। ମାତ୍ର ତା’କୁ ଧରିବା ଦୂରର କଥା, ପୁଲିସ ଏହି ଠକେଇର କୌଣସି ପର୍ଦ୍ଦାଫାସ୍ କରି ପାରି ନଥିଲା।

ସମ୍ବନ୍ଧିତ ଖବର