ପାକିସ୍ତାନରୁ ଆସିଲା ସାଇବର ଠକର କଲ୍! ତଥ୍ୟ, ପରିଚୟପତ୍ର ନ ଦେବାରୁ ଦେଶ ବିରୋଧରେ ଅଶ୍ଳୀଳ ଗାଳି

ଟ୍ବିଟର୍‌ ଯୋଗେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏନ୍ଆଇଏରେ ଅଭିଯୋଗ

ଭୁବନେଶ୍ବର: କଂଗ୍ରାଚୁଲେସନ୍, ଆପଣ ୨୫ଲକ୍ଷ ଟଙ୍କା ଜିତିଛନ୍ତି। ଟଙ୍କା ପାଇବାକୁ ହେଲେ ଆପଣଙ୍କ ପାସ୍‌ପୋର୍ଟ, ଆଧାରକାର୍ଡ କିମ୍ବା ଭୋଟର୍‌ ପରିଚୟପତ୍ରର ନକଲ ଦେବାକୁ ପଡ଼ିବ। ଏକ ଅଜଣା ନମ୍ବରରୁ ରାଜଧାନୀର ଜଣେ ଯୁବକଙ୍କ ପାଖକୁ ହ୍ବାଟସ୍-ଆପ୍‌ରେ ଏଭଳି ଭଏସ୍ ରେକର୍ଡିଂ ଆସିଥିଲା। ଯୁବକଜଣଙ୍କ ତାଙ୍କ ପାଖରେ କୌଣସି ପ୍ରମାଣପତ୍ର ନ ଥିବା ନେଇ ସେହି ହ୍ବାଟସ୍ ଆପରେ ମେସେଜ୍ କରିଥିଲେ। ଏହା ପରେ ସେହି ନମ୍ବରରୁ ଆସିଥିଲା ସାଂଘାତିକ ପାଲଟା ଗାଳିର ଅଡିଓ ରେକର୍ଡିଂ। ଖାଲି ଗାଳି ନୁହେଁ, ଜାତୀୟ ପତାକା, ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କଲା ଭଳି ବିବାଦୀୟ ପୋଷ୍ଟ ମଧ୍ୟ ଆସିଥିଲା। ଏହାସହ ପାକିସ୍ତାନୀ ପତାକା, ସେନାର ଫଟୋ ପଠାଇ ଭାରତୀୟଙ୍କ ଆକାଉଣ୍ଟ ହ୍ୟାକ୍ କରିବା ଲାଗି ଧମକ ମଧ୍ୟ ଦିଆଯାଇଥିଲା। ଏ ସଂପର୍କ‌ରେ ସଂପୃକ୍ତ ଯୁବକ ପୁରୁଣା ଭୁବନେଶ୍ବର ଅଞ୍ଚଳର ଗୌରୀପ୍ରସାଦ ଦାଶ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏନ୍ଆଇଏକୁ ଟ୍ବିଟ୍ କରି ଅଭିଯୋଗ କରିଛନ୍ତି। ଏହା ପଛରେ ପାକିସ୍ତାନୀ ହ୍ୟାକର୍‌ଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ଗୌରୀପ୍ରସାଦଙ୍କ କହିବା ଅନୁସାରେ, ୨୫ଲକ୍ଷ ଟଙ୍କା ଜିତିବା ନେଇ ଆଜି ସକାଳେ ତାଙ୍କ ହ୍ବାଟସ୍‌-ଆପ୍‌କୁ ଏକ ଅଜଣା ନମ୍ବରରୁ ଭଏସ୍ ରେକର୍ଡିଂ ଆସିଥିଲା। ଟଙ୍କା ପାଇବାକୁ ହେଲେ ପାସ୍‌ପୋର୍ଟ ସ୍କାନିଂ କରି ପଠାଇବାକୁ କୁହା ଯାଇଥିଲା। କିନ୍ତୁ ତାଙ୍କ ପାଖରେ ପାସ୍‌ପୋର୍ଟ ନାହିଁ ବୋଲି ଗୌରୀପ୍ରସାଦ କହିବା ପରେ ଆଧାରକାର୍ଡ କିମ୍ବା ଭୋଟର ପରିଚୟପତ୍ର ପଠାଇବା ଲାଗି ସାଇବର ଠକ ମେସେଜ୍ କରି କହିଥିଲା। ଗୌରୀପ୍ରସାଦ ମନା କରିବାରୁ ଠକ ହ୍ବାଟସ୍ ଆପ ଜରିଆରେ କଲ୍ କରି ହିନ୍ଦିରେ ଗାଳିଗୁଲଜ କରିଥିଲା। ଜାତୀୟ ପତାକା ଓ ମହାତ୍ମାଗାନ୍ଧୀଙ୍କ ଫଟୋକୁ ଅସମ୍ମାନ କରି ପଠାଇବା ସହ ଦେଶ ବିରୋଧରେ ଗାଳିଗୁଲଜ କରିଥିଲା। ଭାରତୀୟଙ୍କର ବିପୁଳ ପରିମାଣର ତଥ୍ୟ ତା’ ନିକଟରେ ମହଜୁଦ୍‌ ଅଛି। ତାହାକୁ ସେ ଚୋରି କରିବ ବୋଲି ଧମକ ଦେଇଥିଲା। ଦେଶ ବିରୋଧରେ ଗାଳିଗୁଲଜ କରିଥିବାରୁ ଏହି ଘଟଣା ତାଙ୍କୁ ବେଶ୍ ବ୍ୟଥିତ କରିଥିଲା। ତାଙ୍କ ପରିବାରର ଏକାଧିକ ସଦସ୍ୟ ସେନା ବାହିନୀରେ ଥିବା ବେଳେ ଦେଶ ବିରୋଧରେ ଏପରି ଅସମ୍ମାନଜନ ମନ୍ତବ୍ୟ ତାଙ୍କୁ ମାନସିକ ଆଘାତ ଦେଇଛି ବୋଲି ସେ କହିଛନ୍ତି। ଏ ସଂପର୍କରେ ସେ ଟ୍ବିଟର୍‌ରେ ଅଭିଯୋଗ କରିଥିବା ବେଳେ ଆସନ୍ତାକାଲି ଶ୍ରୀଲିଙ୍ଗରାଜ ଥାନା ଓ ପୁଲିସ କମିସନରଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଗୌରୀପ୍ରସାଦ।

ସମ୍ବନ୍ଧିତ ଖବର