ଭୁବନେଶ୍ବର : ସାଇବର ଠକଙ୍କ ଦ୍ବାରା ପରିଚାଳିତ ଜାଲ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ସହ ଯୋଗାଯୋଗ କରି ଜଣେ ପୁଲିସ କର୍ମଚାରୀ ଓ ସିଆର୍ପିଏଫ୍ କମାଣ୍ଡାଣ୍ଟଙ୍କ ସ୍ତ୍ରୀ ଫସିଛନ୍ତି। ପୁଲିସ କର୍ମଚାରୀ ୧ ଲକ୍ଷ ୭୧ ହଜାର ଟଙ୍କା ହରାଇଥିବା ବେଳେ କମାଣ୍ଡାଣ୍ଟଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା ଉଡ଼ିଯାଇଛି। ଏନେଇ ଦୁଇ ଜଣଯାକ ସାଇବର ସେଲ୍ରେ ଅଭିଯୋଗ କରିଛନ୍ତି।
ସୂଚନାନୁସାରେ ତୃତୀୟ ରିଜର୍ଭ ବାଟାଲିୟନ୍ରେ କାମ କରୁଥିବା ଏହି କନେଷ୍ଟବଳଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟର ୟୋନୋ ଆପ୍ଲିକେସନ କୌଣସି କାରଣରୁ ଚାଲୁନଥିଲା। ତେଣୁ ପୁଣି ତାକୁ ଚାଲୁ କରିବା ପାଇଁ ସେ ଗୁଗଲ୍ରୁ ଗ୍ରାହକ ସେବା କେନ୍ଦ୍ରର ନମ୍ବର ଖୋଜିଥିଲେ। ମାତ୍ର ଯେଉଁ ନମ୍ବର ପାଇଲେ, ତାହା ଲାଗିନଥିଲା। ହଠାତ୍ ତାଙ୍କୁ ଅନ୍ୟ ଏକ ନମ୍ବରରୁ କଲ୍ ଆସିଥିଲା। ମାତ୍ର ସେଇଟି ସାଇବର ଠକ ବୋଲି କନଷ୍ଟେବଳ ବୁଝିପାରିନଥିଲେ। ସେ ଠକକୁ ୟୋନୋ ଆପ୍ଲିକେସନ୍ ଚାଲୁ କରାଇବାକୁ କହିବା ପରେ ଠକ ଜଣକ ତାଙ୍କୁ ମୋବାଇଲ୍ରେ ଏନି ଡେସ୍କ ଆପ୍ଲିକେସନ ଡାଉନ୍ଲୋଡ୍ କରିବାକୁ କହିଥିଲା। ସେ ଏନିଡେସ୍କ ଡାଉନ୍ଲୋଡ୍ କରିବା ପରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୭୨ହଜାର ଟଙ୍କା କଟି ଯାଇଥିଲା। ଟଙ୍କା କଟିବା ଦେଖି ସେ ତୁରନ୍ତ ଉକ୍ତ ଫୋନ୍କୁ ଯୋଗାଯୋଗ କରିଥିଲେ। ମାତ୍ର ସେହି ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସେ ତୁରନ୍ତ ଶାଖା ପରିଚାଳକଙ୍କ ସହ ଯୋଗଯୋଗ କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କୁ ଆକାଉଣ୍ଟରେ ଆଉ ପାହୁଲାଟିଏ ନାହିଁ।
ସେହିଭଳି ଅନ୍ୟ ମାମଲାରେ ମଞ୍ଚେଶ୍ବର ଅଞ୍ଚଳରେ ରହୁଥିବା ଜଣେ ସିଆର୍ପିଏଫ୍ କମାଣ୍ଡାଣ୍ଟଙ୍କ ସ୍ତ୍ରୀ ଓଡ଼ିଶା ବାହାରେ ଥିବା ତାଙ୍କ ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟକୁ ମଞ୍ଚେଶ୍ବର ଶାଖାକୁ ଆଣିବା ପାଇଁ ଅନ୍ଲାଇନ୍ରେ ଚେଷ୍ଟା କରୁଥିଲେ। ସେ ବ୍ୟାଙ୍କ୍ର ଏକ ନମ୍ବରରେ ଯୋଗାଯୋଗ କଲେ, କିନ୍ତୁ ତାହା ଲାଗିନଥିଲା। ପରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଥିଲା ସାଇବର ଠକ। ସେ ନିଜକୁ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ମହିଳାଙ୍କୁ ଆକାଉଣ୍ଟ ସ୍ଥାନାନ୍ତରଣ ବାବଦରେ ବୁଝାଇଥିଲା। ମହିଳାଜଣକ ଠକ କଥାରେ ବିଶ୍ବାସ କରି ୟୋନୋ ମାଧ୍ୟମରେ ୭୫ଟଙ୍କା ପଇଠ କରିଦେଲେ। ସଙ୍ଗେସଙ୍ଗେ ତାଙ୍କ ଆକାଉଣ୍ଟରୁ ୧୯ ହଜାର ଟଙ୍କା କଟି ଯାଇଥିଲା।