କ୍ରାଇମ୍‌ବ୍ରାଞ୍ଚ୍‌ ନାଁ’ରେ ଠକିବାକୁ ଜାଲ ବିଛେଇଥିଲା ସାଇବର୍ ଠକ: ନଗ୍ନ ଫଟୋ ଭାଇରାଲ୍ କରିବାକୁ କହି ଯୁବତୀଙ୍କୁ ମାଗୁଥିଲା ଟଙ୍କା

ପୂର୍ବରୁ ଉକ୍ତ ନମ୍ବରରୁ ଯୁବତୀଙ୍କ ସାଙ୍ଗଙ୍କୁ ଆସିଥିଲା ଫୋନ୍ କଲ୍

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ସାଇବର୍ ଠକ ନଗ୍ନ ଫଟୋ ଭାଇରାଲ୍ କରିବାକୁ ବ୍ଲାକ୍‌ମେଲ୍ କରି ଟଙ୍କା ଲୁଟ୍ ଉଦ୍ୟମ କରିଛି। ଏନେଇ ଯୁବତୀ ସାଇବର୍ ସେଲ୍‌କୁ ଫୋନ୍ ଯୋଗେ ଅଭିଯୋଗ କରିଥିବା ବେଳେ ସାମାଜିକ ଗଣମାଧ୍ୟମରେ ଟ୍ବିଟ୍ କରି ଜଣାଇଛନ୍ତି। ଅଭିଯୋଗ ମୁତାବକ, ଗତକାଲି ଦିନ ପ୍ରାୟ ୧୧ଟା ୩୦ରେ ଏକ ଅଜଣା(୯୫୧୨୧୬୩୬୨୩) ନମ୍ବରରୁ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଫୋନ୍ କରିଥିଲା। ଏହା ପରେ ସେ କ୍ରାଇମ୍‌ବ୍ରାଞ୍ଚ୍‌ରୁ କହୁଛନ୍ତି ଏବଂ ତାଙ୍କର କିଛି ନଗ୍ନ ଫଟୋ ତାଙ୍କ ପାଖରେ ଥିବା କହିଥିଲା। ସେ ଉକ୍ତ ନଗ୍ନ ଫଟୋଗୁଡ଼ିକ ସ୍ଥାନୀୟ ପୁଲିସ ଷ୍ଟେସନ୍‌କୁ ପଠାଇଛନ୍ତି। ମାମଲା ରଫା ଦଫା କରିବାକୁ ଯଦି ଚାହୁଁଛ, ତା’ ହେଲେ କିଛି ଟଙ୍କା ଦିଅ ବୋଲି ସେ ଦାବି କରିଥିଲା।

ତେବେ ଯୁବତୀ ଜଣକ ସତ କ’ଣ ଜାଣିବା ପାଇଁ ପଚରାଉଚରା କରିବା ସହ ଫଟୋ କେଉଁଠୁ ପାଇଲେ ବୋଲି ପଚାରିଥିଲେ। ଏହା ପରେ କ୍ରାଇମ୍‌ବ୍ରାଞ୍ଚ୍ ଅଫିସର୍ ସାଜି ଫୋନ୍ କରିଥିବା ହ୍ୟାକର୍ ଏଥିପାଇଁ ଉକ୍ତ ଯୁବତୀ ନିଜେ ଦାୟୀ ବୋଲି କହିଥିଲେ। ଏହାସହ ନିଜର ନଗ୍ନ ଫଟୋ ଉଠାଇ କାହାକୁ ପଠାଇବା ଅବା ନିଜ ମୋବାଇଲ୍‌ରେ ଉଠାଇଥିବା କହିଥିଲେ। ଯେଉଁଥିରୁ ଯୁବତୀ ଜଣକ ସ୍ଥିର ନିଶ୍ଚିତ ହୋଇଥିଲେ ଯେ କେଉଁ ହ୍ୟାକର୍ ତାଙ୍କୁ ବ୍ଲାକ୍‌ମେଲ୍ କରି ଟଙ୍କା ନେବାକୁ ଚାହୁଛି। ତାଙ୍କର କୌଣସି ଫଟୋ ନଥିବା କହି ପୁଲିସ ପାଖରେ ଅଭିଯୋଗ କରିଥିଲେ। ଯେଉଁଥିରୁ ସାଇବର୍ ଠକ ଭୟରେ ଫୋନ୍ କାଟିଥିଲା ବୋଲି ଜଣାପଡ଼ିଛି। କଲ୍ କାଟିବା ପରେ ତୁରନ୍ତ ସାଇବର୍ ସେଲ୍‌କୁ ଫୋନ୍ କରି ଯୁବତୀ ଅଭିଯୋଗ କରିଥିଲେ। ଏହା ଏକ ଫେକ୍ କଲ୍ ଥିବା କହି ତାଙ୍କୁ ବୁଝାଇ ଦିଆଯାଇଥିଲା। ଏହା ପରେ ଯୁବତୀ ତାଙ୍କ ସାଙ୍ଗ ଓ ସଂପର୍କୀୟଙ୍କୁ ଘଟଣା ସଂପର୍କରେ କହିବା ପରେ ଆହୁରି ଚାଞ୍ଚଲ୍ୟକର ଖବର ପଦାକୁ ଆସିଥିଲା।

କେବଳ ଉକ୍ତ ଯୁବତୀ ଜଣଙ୍କୁ ନୁହେଁ, ତାଙ୍କର ଏକାଧିକ ସାଙ୍ଗଙ୍କୁ ମଧ୍ୟ ସମାନ ଢଙ୍ଗରେ କେହି ହ୍ୟାକର୍ ଫୋନ୍ କରି ହଇରାଣ କରିଥିବା ସେ କହିଛନ୍ତି। ତାଙ୍କର ନଗ୍ନ ଫଟୋ ନିକଟସ୍ଥ ପୁଲିସ, ପରିବାର ଲୋକ ଓ ସେ ଭଡ଼ାରେ ରହୁଥିବା ଘର ମାଲିକଙ୍କ ପାଖକୁ ପଠାଇଦେବ ବୋଲି କହି ବ୍ଲାକମେଲ୍ କରିଛି। ଭୟରେ ଅନ୍ୟ କେହି ଯୁବତୀ ପାଟି ଫିଟାଇନଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଗୋଟିକ ପରେ ଗୋଟିଏ ସାଇବର୍ ଠକ ଜାଲ ବିଛାଇ ଲୋକଙ୍କୁ ଲୁଟି ଚାଲିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ନାଁରେ ଠକିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଆ ଭାଷାରେ କଥା ହେବା ମଧ୍ୟ ଓଡ଼ିଶାରୁ ହ୍ୟାକର୍ ଏପରି କରୁଥିବା ସନ୍ଦେହ କରାଯାଉଛି। ତେବେ ଆଜିର ଘଟଣା ସଂପର୍କରେ ଯୁବତୀ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣାକୁ ସାମାଜିକ ଗଣମାଧ୍ୟମରେ ଟ୍ବିଟ୍ କରିବା ସହିତ ଏଭଳି ସମସ୍ୟାରେ ପଡ଼ିଲେ ତୁରନ୍ତ ପୁଲିସ କିମ୍ବା ସାଇବର୍ ସେଲ୍‌ର ସହାୟତା ନେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର