ଭୁବନେଶ୍ବର: ଅନ୍ଲାଇନ୍ରେ କଷ୍ଟମର୍ କେୟାର୍ ନମ୍ବର ଖୋଜି ଏକ ଘରୋଇ ଟିଭି ଚ୍ୟାନେଲ୍ ସଂସ୍ଥାର ରିମୋଟ୍ ବଦଳାଇବା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର୍ଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସାଇବର ଠକଙ୍କ ପରିଚାଳିତ ଜାଲ୍ କଷ୍ଟମର୍ କେୟାର୍ ହାବୁଡ଼ରେ ପଡ଼ି ସେ ୫ଲକ୍ଷ ଟଙ୍କା ହରାଇଛନ୍ତି। ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜର୍ ଓ ତାଙ୍କ ସଫ୍ଟଵେର୍ ଇଂଜିନିୟର ପୁଅକୁ ମଧ୍ୟ ସାଇବର ଠକ ଚକ୍ମା ଦେଇଛି। ସାଇବର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ଅନ୍ଲାଇନ୍ରେ ରିମୋଟ୍ ମଗାଇବା ମହଙ୍ଗା ପଡ଼ିଲା
ଅଭିଯୋଗକାରୀଙ୍କ କହିବା କଥା ଚ୍ୟାନେଲ୍ ରିମୋଟ୍ ଖରାପ ହୋଇଥିବାରୁ ଆଇପିଏଲ୍ ମ୍ୟାଚ୍ ଓ ନ୍ୟୁଜ୍ ଦେଖିବାରେ ସମସ୍ୟା ଉପୁଜିଥିଲା। ତେଣୁ ସେ ଅନ୍ଲାଇନ୍ରେ କଷ୍ଟମର୍ କେୟାର୍ ନମ୍ବର ସର୍ଚ୍ଚ କରିଥିଲେ। କିନ୍ତୁ ସେ ଯେଉଁ ନମ୍ବର ପାଇଲେ, ତାହା ସାଇବର ଠକଙ୍କ ପରିଚାଳିତ ବୋଲି ସେ ବୁଝିପାରି ନଥିଲେ। ଫୋନ୍ରେ କଥା ହୋଇଥିବା ଠକ ନିଜକୁ ଉକ୍ତ ସଂସ୍ଥାର କର୍ମଚାରୀ ବୋଲି କହିଥିଲା ଏବଂ ୨୦ ଟଙ୍କା ପେମେଣ୍ଟ କରିବାକୁ କହି ଏକ ଲିଙ୍କ୍ ପଠାଇଥିଲା। ଲିଙ୍କ୍ ଖୋଲି ଏକ ଏପିକେ ଫାଇଲ୍ ଡାଉନ୍ଲୋଡ୍ କରିବାକୁ କହିଥିଲା। ଅଭିଯୋଗକାରୀ ସେହି ଫାଇଲ୍ ଡାଉନ୍ ଲୋଡ୍ କରି ସେଥିରେ ଥିବା ଏକ ଫର୍ମ ପୂରଣ କରିଥିଲେ। ଉକ୍ତ ଫର୍ମରେ ଅଭିଯୋଗକାରୀ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର ସମେତ ଆହୁରି କିଛି ତଥ୍ୟ ଦେଇଥିଲେ। ସାଇବର ଠକ କଥାରେ ସେ ଏଭଳି କାମ କରୁଥିବା ବେଳେ ତାଙ୍କ ଇଞ୍ଜିନିୟର୍ ପୁଅ ତାଙ୍କୁ ସହଯୋଗ କରୁଥିଲା। କିଛି ସମୟ ପରେ ତାଙ୍କ ଆକାଉଣ୍ଟ୍ରୁ ୧୦ଟି ଟ୍ରାଞ୍ଜାକ୍ସନ୍ରେ ୫ ଲକ୍ଷ ଟଙ୍କା ଉଡ଼ିଗଲା। ଏହାପରେ ଠକର ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ସାଇବର ଠକ ହାବୁଡ଼ରେ ପଡ଼ିବା ଦେଖି ବାପା-ପୁଅ ତୁରନ୍ତ ଆକାଉଣ୍ଟ୍ ବ୍ଲକ୍ କରିଦେଲେ।
୩ଗୁଣା ଫାଇଦା ଲୋଭରେ ଗଲା ୧୨ ଲକ୍ଷ, ଫାଶରେ ଫସିଲେ ଅବସରପ୍ରାପ୍ତ ଏସିଏଫ୍
ଭୁବନେଶ୍ବର: ଟ୍ରେଡିଂ ମାଧ୍ୟମରେ ସଂଚିତ ଅର୍ଥରୁ କିଛି ଅଧିକ ରୋଜଗାର କରିବାକୁ ଯାଇ ଜଣେ ଅବସରପ୍ରାପ୍ତ ଆସିଷ୍ଟାଣ୍ଟ୍ କଞ୍ଜର୍ଭେଟର୍ ଅଫ୍ ଫରେଷ୍ଟ(ଏସିଏଫ୍) ୧୨ଲକ୍ଷ ଟଙ୍କା ହରାଇଛନ୍ତି। ମୂଳଧନର ୩ଗୁଣା ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ସାଇବର ଠକ ତାଙ୍କୁ ମାୟାଜାଲରେ ଫସାଇଛି। ଏନେଇ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଏବଂ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହି ଠକେଇରେ ୨ ଓଡ଼ିଆ ଯୁବକଙ୍କ ହାତ ରହିଛି ବୋଲି ଜଣାପଡ଼ିଛି। ତେଣୁ ସାଇବର ଥାନା ପୁଲିସ ଏହି ମାମଲାରେ ଖୁବ୍ ଶୀଘ୍ର ସଫଳ ହେବ ବୋଲି ଆଶା କରାଯାଉଛି।
କୋରାପୁଟରୁ ଅବସର ନେବା ପରେ ଏସିଏଫ୍ ଅନ୍ତର୍ଯ୍ୟାମୀ ପ୍ରଧାନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଛନ୍ତି। ଅବସର ନେବା ପରେ ଯାହା କିଛି ସରକାରୀ ପ୍ରାପ୍ୟ ମିଳିଥିଲା, ସେଥିରୁ କିଛି ରୋଜଗାର କରିବା ଆଶାରେ ସେ ବିଭିନ୍ନ ଟ୍ରେଡିଂ ସଂସ୍ଥାରେ କିଛି ନିବେଶ କରିବାକୁ ଚାହୁଥିଲେ। ଦିନେ ତାଙ୍କୁ ଜଣେ ଫୋନ୍ କରି ଆଲ୍ଫାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାରେ ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥିଲା। ଦିନେ ଦୁଇ ଦିନ ପରେ ଆଉ ଜଣେ ଯୁବକ ମଧ୍ୟ ଉକ୍ତ ସଂସ୍ଥାରେ ପୁଞ୍ଜିନିବେଶ କରିବାକୁ ବୁଝାଇଥିଲା। ପର୍ଯ୍ୟାୟକ୍ରମେ ୬୬ଟି ଟ୍ରାଞ୍ଜାକ୍ସନ୍ରେ ନିବେଶ କରିବା ପରେ ତାଙ୍କୁ ମୂଳଧନର ୩ଗୁଣା ରିଟର୍ଣ୍ଣ ମିଳିବ ବୋଲି ସେମାନେ ଲୋଭ ଦେଖାଇଥିଲେ। ଦୁଇ ଓଡ଼ିଆ ଯୁବକଙ୍କ କଥା ଶୁଣି ଶ୍ରୀ ପ୍ରଧାନ ବିଶ୍ବାସ କରିଯାଇଥିଲେ ଏବଂ ପ୍ରଥମେ ୧୦ହଜାର ଟଙ୍କା ନିବେଶ କରିଦେଲେ। ମାତ୍ର ସପ୍ତାହକ ପରେ ତାଙ୍କ ଆକାଉଣ୍ଟ୍ରେ ୧୫ହଜାର ଟଙ୍କା ହୋଇଯାଇଥିଲା। ଏହାପରେ ସେ ୨୫ ହଜାର ଟଙ୍କା ବିନିଯୋଗ କଲେ ଏବଂ ସପ୍ତାହକ ପରେ ତାହା ୪୦ ହଜାର ଟଙ୍କା ହୋଇଗଲା। ଏମିତିରେ ତାଙ୍କ ଲୋଭ ବଢ଼ିବଢ଼ି ଚାଲିଲା ଏବଂ ସେ ବିଭିନ୍ନ ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ଜମା କରିଦେଲେ। ହଠାତ୍ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଗଲା। ତାଙ୍କ ମୋବାଇଲ୍ ଫୋନ୍ରେ ଆଉ ସେହି ସାଇଟ୍ ଦେଖିବାକୁ ମିଳିଲା ନାହିଁ। ସେ ଯୁବକଦ୍ବୟଙ୍କୁ ଫୋନ୍ କଲେ, ମାତ୍ର ତାହା ସୁଇଚ୍ ଅଫ୍ ଥିଲା। ଏହାପରେ ସେ ବୁଝିଲେ ଯେ ସାଇବର ଠକ ତାଙ୍କୁ ଚୂନ ଲଗାଇଛନ୍ତି।
୫ ବର୍ଷରେ ଲୁଟିଲେଣି ୫୨୦ କୋଟି
ସାଇବର ଠକେଇ ବିରୋଧରେ ସଚେତନତା ଯେତିକି ଯେତିକି ବଢ଼ୁଛି, ଠକଙ୍କ ଠକେଇ ତରିକା ମଧ୍ୟ ବଦଳି ଯାଉଛି। ପୁଲିସଠାରୁ ସବୁବେଳେ ସାଇବର ଠକ ଗୋଟିଏ ପାଦ ଆଗରେ ରହୁଛି। ନୂଆନୂଆ ତରିକାରେ ଲୁଟେରା ଗ୍ୟାଙ୍ଗ୍ ଲୋକଙ୍କୁ ଚୂନ ଲଗାଉଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ (ଏଆଇ) ବ୍ୟବହାର କରି ମୋବାଇଲ୍ ନମ୍ବର ଓ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ଠକ ଦଳ ନିଜ ନିୟନ୍ତ୍ରଣକୁ ନେଉଛନ୍ତି ଏବଂ ଲୋକଙ୍କୁ ଚୂନ ଲଗାଉଛନ୍ତି। ୫ ବର୍ଷର ତଥ୍ୟ ଅନୁସାରେ ସାଇବର ଠକ ଓଡ଼ିଶାରୁ ୫୫୦ କୋଟି ଚଳୁ କରିଛନ୍ତି। ପୁଲିସ ମାତ୍ର ୧୦ କୋଟି ଫେରାଇ ଆଣିବାରେ ସକ୍ଷମ ହୋଇଛି ଏବଂ ୨୪ କୋଟି ଟଙ୍କାର ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରିଛି। କ୍ରାଇମ୍ବ୍ରାଞ୍ଚ୍ ରିପୋର୍ଟ ମୁତାବକ ୨୦୨୧ରୁ ୨୦୨୪ ମଧ୍ୟରେ ୭,୫୮୩ଟି ସାଇବର ଠକେଇ ଅଭିଯୋଗ ହୋଇଛି। ୨୦୨୪ରେ ସାଇବର ଠକ ସର୍ବାଧିକ ୩୫୦ କୋଟି ଟଙ୍କା ଉଡ଼ାଇ ନେଇଛନ୍ତି। ୨୦୨୫ରେ ଏପର୍ଯ୍ୟନ୍ତ ୫୦ କୋଟିରୁ ଊର୍ଧ୍ବ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି।
ହ୍ବାଟ୍ସ୍ ଆପ୍ ହ୍ୟାକିଂ
ସାଇବର ଠକଙ୍କ ନୂଆ ତରିକା ହେଉଛି ଟ୍ରଷ୍ଟେଡ୍ କଣ୍ଟାକ୍ଟ ଆଟାକ୍। ଠକମାନେ ପ୍ରଥମେ ଇ-ସିମ୍କୁ ହ୍ୟାକ୍ କରୁଛନ୍ତି। ପରେ ଗ୍ୟାଲେରିରୁ ଫଟୋ ଅନ୍ୟାନ୍ୟ ତଥ୍ୟ ହାତାଉଛନ୍ତି। ଏହାପରେ ନିକଟ ଟେଲିକମ୍ ସଂସ୍ଥା ଷ୍ଟୋରକୁ ଯାଇ ସେଠାରେ ଆବଶ୍ୟକ କାଗଜପତ୍ର ଦେଇ ସମାନ ନମ୍ବରର ନୂଆ ସିମ୍ ନେଉଛନ୍ତି। ସେହି ସିମ୍କୁ ବ୍ୟବହାର କରି ହ୍ବାଟ୍ସ୍ଆପ୍ ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ଅସଲି ନମ୍ବରରୁ ଲୋକଙ୍କ ସମ୍ପର୍କୀୟ ସାଙ୍ଗକୁ ମେସେଜ୍ ପଠାଇ ଟଙ୍କା ମାଗୁଛନ୍ତି। ଯେହେତୁ ହ୍ବାଟ୍ସ୍ଆପ୍ରୁ ମେସେଜ୍ ଆସୁଛି, କେହି ଅବିଶ୍ବାସ କରିପାରୁନାହାନ୍ତି।
ନକଲି ସେୟାର୍ ଟ୍ରେଡିଂ
ବର୍ତ୍ତମାନ ଟ୍ରେଡିଂ ଠକେଇ ଟ୍ରେଣ୍ଡ୍ରେ ରହିଛି। ସାଇବର ଠକ ପୁଞ୍ଜି ନିବେଶ ପାଇଁ ପ୍ରବର୍ତ୍ତାଉଛନ୍ତି। ପୁଞ୍ଜି ନିବଶେକାରୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେ ଭଲ ରିଟର୍ଣ୍ଣ ଦିଆଯାଉଛି। ଫସାଇବା ପରେ ବଡ଼ ରକମର ଅର୍ଥ ଲଗାଇବା ପାଇଁ କୁହାଯାଉଛି। ଏହାପରେ ନା ସୁଧ ମିଳୁଛି ନା ମୂଳ। ସମ୍ପୂର୍ଣ୍ଣ ଆକାଉଣ୍ଟକୁ ବ୍ଲକ୍ କରି ସବୁ ଅର୍ଥ ହଡ଼ପ କରୁଛନ୍ତି।
ମୋବାଇଲ୍ ହ୍ୟାକିଂ
ଏଆଇକୁ ବ୍ୟବହାର କରି ସାଇବର ଠକ ବିଭିନ୍ନ ଲିଙ୍କ୍ ଓ ମେସେଜ୍ ପଠାଉଛନ୍ତି। ଅଜଣା ଲିଙ୍କରେ କ୍ଲିକ୍ କରିବା ପରେ ଠକ ସମ୍ପୂର୍ଣ୍ଣ ଫୋନ୍କୁ ସେମାନଙ୍କ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ଏହାପରେ ଫୋନ୍ରେ ଥିବା ସମସ୍ତ ତଥ୍ୟ ଗ୍ୟାଲେରି ଠାରୁ ଆରମ୍ଭ କରି ଫେସ୍ବୁକ୍, ଇନ୍ଷ୍ଟା ଭଳି ସୋସିଆଲ୍ ମିଡିଆ, ବ୍ୟାଙ୍କ, ମୋବାଇଲ୍ ନମ୍ବରର ସମସ୍ତ ତଥ୍ୟ ନେଇ ଓଟିପି, ଏସ୍ଏମ୍ଏସ୍, ଜି-ମେଲ୍ ତଥ୍ୟ ସବୁ ନେଉଛନ୍ତି। ଏହାପରେ ସେମାନଙ୍କ ହିସାବରେ ବ୍ୟାଙ୍କ ଆକାଉଣ୍ଟ ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ପର୍ଯ୍ୟନ୍ତ ସବୁକୁ ନିଜ ହିସାବରେ ବ୍ୟବହାର କରୁଛନ୍ତି।
କେମିତି ଚିହ୍ନିବ ନକଲି ମେସେଜ୍
ନକଲି ଏସ୍ଏମ୍ଏସ୍ ଚିହ୍ନଟ ପାଇଁ ଏସ୍ଏମ୍ଏସ୍ ପୂର୍ବରୁ ଆଟାଚ୍ମେଣ୍ଟ କରାଯାଇଛି। ଯାହାକି ପ୍ରତି ଏସ୍ଏମ୍ଏସ୍ ପୂର୍ବରୁ -ଏସ୍, -ଟି ଲାଗିଥିବ। ସେହିପରି ସରକାରୀ ମେସେଜେ୍ ପୂର୍ବରୁ -ଜି ଲାଗିଥିବ। ଏହାଛଡ଼ା ଅନ୍ୟ ମେସେଜ୍ ପାଇଲେ, ସେଥିରେ କୌଣସି ଉତ୍ତର ରଖନ୍ତୁ ନାହିଁ।
ଅଜଣା ଲିଙ୍କ୍ରୁ ଦୂରେଇ ରୁହନ୍ତୁ
ସାଇବର ବିଶେଷଜ୍ଞ ରକ୍ଷିତ ଟଣ୍ଡନ କହିଛନ୍ତି ଯେ ଅଜଣା ଆପ୍କୁ ଆଦୌ ଖୋଲନ୍ତୁ ନାହିଁ। ଫୋନ୍କୁ ସମୟ ବ୍ୟବଧାନରେ ଅପ୍ଡେଟ୍ କରିବା ସହ ପାସ୍ୱାର୍ଡ ବଦଳାନ୍ତୁ। ସେହିପରି ଜିମେଲ୍ ଠାରୁ ଆରମ୍ଭ କରି ଫେସ୍ବୁକ୍, ଇନ୍ଷ୍ଟା ଆଦି ସୋସିଆଲ୍ ମିଡିଆରେ ୨ଷ୍ଟେପ୍ ଭେରିଫିକେସନ୍, ୨ଷ୍ଟେପ୍ ଅଥେଣ୍ଟିକେସନ୍ ସବୁବେଳେ ଅନ୍ ରଖନ୍ତୁ। ସେହିପରି ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ।