ୟୁପିଆଇ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ

ରାଜଧାନୀରେ ୧୫ ମାସରେ ୧୮୫୭ ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବରରେ ସାଇବର ଠକେଇ ଲଗାମଛଡ଼ା ହେଉଛି। ଗତବର୍ଷ ରାଜଧାନୀରୁ ପ୍ରାୟ ୮କୋଟିରୁ ଅଧିକ ଟଙ୍କା ସାଇବର ଠକ ଲୁଟିଥିବା ବେଳେ ଚଳିତବର୍ଷ ଜାନୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୩କୋଟି ୬୨ଲକ୍ଷରୁ ଅଧିକ ଟଙ୍କା ଚଳୁ କରିସାରିଲେଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାଇବର ଠକ ରାଜଧାନୀରୁ ଯେତିକି ଲୋକଙ୍କ ପାଖରୁ ଟଙ୍କା ଲୁଟୁଛନ୍ତି ତା’ର ସିଂହଭାଗ ଠକେଇ କେବଳ ୟୁପିଆଇ ଆଇଡି ଦ୍ବାରା ହେଉଥିବା ଜଣାପଡ଼ିଛି।

ଭୁବନେଶ୍ବରର ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ୨୦୨୧ରେ ରାଜଧାନୀରେ ପ୍ରାୟ ୩୦୫୦ଟି ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ସେଥିମଧ୍ୟରୁ ୧୪୬୧ଟି କେବଳ ୟୁପିଆଇଜନିତ ସାଇବର ଠକେଇ ରହିଛି। ଅର୍ଥାତ୍ ପାଖାପାଖି ୪୮ପ୍ରତିଶତ ଲୋକ ୟୁପିଆଇଜନିତ ସାଇବର ଠକେଇର ଶିକାର ହୋଇଛନ୍ତି। ସେହିଭଳି ଚଳିତବର୍ଷରେ ମଧ୍ୟ ସାଇବର ଠକମାନେ ସମାନ ଧରଣର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରଥମ ୩ମାସରେ ମୋଟ ୮୫୨ଟି ସାଇବର ଠକେଇର ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ କେବଳ ୩୯୬ଟି ୟୁପିଆଇ ଜନିତ ସାଇବର ଠକେଇ ରହିଛି। ଅର୍ଥାତ୍ ପ୍ରାୟ ୪୬ପ୍ରତିଶତରୁ ଅଧିକ କେବଳ ୟୁପିଆଇ ଜନିତ ସାଇବର ଠକେଇ ବୋଲି ଜଣାପଡ଼ିଛି। ଏହି କ୍ରମରେ ୧୫ମାସରେ ସାଇବର ଠକମାନେ ରାଜଧାନୀରୁ ହୋଇଥିବା ଠକେଇର ପ୍ରାୟ ୪୭ପ୍ରତିଶତ ଠକେଇ କେବଳ ୟୁପିଆଇକୁ ଆଧାର କରି ହୋଇଥିବା ସାଇବର ଅପରାଧ ଶାଖାରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି।

ଏନେଇ ସାଇବର ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳ କହିଛନ୍ତି, ପୂର୍ବରୁ ଅନ୍‌ଲାଇନ୍‌ରେ ଟଙ୍କା ନେଣଦେଣ ସମୟରେ ବହୁତ ଅସୁବିଧା ହେଉଥିଲା। ସହଜରେ ପେମେଣ୍ଟ କରିବା ପାଇଁ ୟୁପିଆଇ ଟ୍ରାଞ୍ଜାକ୍ସନ ଆସିଲା। ତେଣୁ ଅଧିକାଂଶ ସ୍ମାର୍ଟଫୋନ୍ ବ୍ୟବହାରକାରୀ ୟୁପିଆଇ ଦ୍ବାରା ପେମେଣ୍ଟ କରିଥାନ୍ତି। ତେଣୁ ସାଇବର ଠକ ଏହାକୁ ଟାର୍ଗେଟ କରିଥାନ୍ତି। ଅପରପଟେ ସାଇବର ଠକେଇ କରୁଥିବା ଧୂର୍ତ୍ତମାନେ ୟୁଟ୍ୟୁବ୍ ଦେଖି ବା କାହାଠୁ ଶିଖି ଲୋଭନୀୟ କଥା କହି ଲୋକଙ୍କୁ ଠକେଇ କରନ୍ତି। ସେଥିପାଇଁ ମୋବାଇଲ୍ ହ୍ୟାକ କରିବା ପରେ ୟୁପିଆଇ ଦ୍ବାରା ଟଙ୍କା ଆଣିବା ଏକ ସହଜ ଆଭିମୁଖ୍ୟ। ଏହା ସହିତ ସାଇବର ଠକମାନେ ବିଭିନ୍ନ ସପିଂମଲ୍, କଷ୍ଟମର କେୟାର୍ ଏବଂ ନମ୍ବର ରଖୁଥିବା ବିଭିନ୍ନ ସଂସ୍ଥାଗୁଡ଼ିକରୁ ଲୋକଙ୍କ ତଥ୍ୟ କିଣିନିଅନ୍ତି। ତେଣୁ ଉକ୍ତ ନମ୍ବରରେ ୟୁପିଆଇ ଆଇଡି ଥିଲେ ଲଟେରି ନଚେତ୍ ଶସ୍ତାରେ ଦାମୀ ଜିନିଷ ପାଇବା ଭଳି ଲୋଭ ଦେଖାଇ ଟଙ୍କା ନିଅନ୍ତି।

କେମିତି ବର୍ତ୍ତିବେ?

ସାଇବର ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା କଥା, ନମ୍ବର ବିକୁଥିବା କଷ୍ଟମର୍ କେୟାର୍ ବା ସପିଂ ମଲ୍ ଭଳି ଏକାଧିକ ସଂସ୍ଥାଗୁଡ଼ିକ ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ସେଥିପାଇଁ କଡ଼ା ନିୟମ ଆଣି ଉକ୍ତ ସଂସ୍ଥାଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରୀ। ଏହା ସହିତ ଅନ୍‌ଲାଇନ୍ ବ୍ୟାଙ୍କିଂ ବ୍ୟବହାର କରୁଥିବା ଲୋକେ କେବେ ବି କୌଣସି ଲୋଭର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଯେଉଁ ଲଟେରି ଆପଣ କିଣିନାହାନ୍ତି ବା ଲକ୍ଷ ଲକ୍ଷ ଟଙ୍କାର ଦାମୀ ଜିନିଷ ଆପଣଙ୍କୁ କିଏ କାହିଁକି ଶସ୍ତାରେ ଦେବ। ଏନେଇ ନିଜେ ମନରେ ପ୍ରଶ୍ନ କରି ସତର୍କ ରୁହନ୍ତୁ ବୋଲି ଶ୍ରୀ ବିଶ୍ବାଳ କହିଛନ୍ତି।

ସାଇବର ସୁନ୍ଦରୀ ତୀରରେ ପୁଲିସ ଘାଇଲା: ମିଠା କଥାରେ ନେଇଗଲା ୨୭ ହଜାର

ସୁନ୍ଦରୀ ତରୁଣୀଙ୍କ ଫ୍ରେଣ୍ଡ ରିକ୍ବେଷ୍ଟ ଗ୍ରହଣ କରିବା ପୁଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା। ପୁଲିସ କର୍ମଚାରୀ ବୁଝିପାରିଲେନି ଫେସ୍‌ବୁକ୍‌ରେ ଆସିଥିବା ଯୁବତୀ ଜଣେ ସାଇବର ସୁନ୍ଦରୀ। ମିଠା କଥାରେ ଫସିଗଲେ ପୁଲିସବାବୁ। ୨୭ ହଜାର ଟଙ୍କା ଚଳୁ କରିନେବା ପରେ ପୁଲିସବାବୁଙ୍କ କାନମୁଣ୍ଡା ଝାଇଁ ମାରିଯାଇଛି। ପ୍ରଥମେ ଲୋକଲଜ୍ଜାକୁ ଡରୁଥିଲେ ବି ଶେଷରେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି ଓ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ ଠକେଇର ଶିକାର ହୋଇଥିବା ପୁଲିସ କର୍ମଚାରୀ ଓଏପିଏଫ୍‌ରେ କାର୍ଯ୍ୟ କରନ୍ତି। ଗତ କିଛିଦିନ ତଳେ ତାଙ୍କ ପାଖକୁ ଫେସ୍‌ବୁକ୍‌ରେ ଏକ ଅଜଣା ଯୁବତୀ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇଥିଲେ। ପୁଲିସବାବୁ ଫ୍ରେଣ୍ଡ ରିକ୍ବେଷ୍ଟ ଗ୍ରହଣ କରିବା ପରେ ତାଙ୍କୁ ଯୁବତୀ ତାଙ୍କୁ ମେସେଜ୍ ପଠାଇଥିଲା। ପ୍ରତିଦିନ ମେସେଜ୍‌ରେ ସେମାନେ କଥା ହେଲେ। ବିଭିନ୍ନ ସମୟରେ ଅଶ୍ଳୀଳ ଚାଟିଂ ମଧ୍ୟ ଚାଲିଲା। ବଡ଼ ମଜା ନେଉଥିଲେ ପୁଲିସବାବୁ। ଚାଟିଂରେ ପୁଲିସବାବୁଙ୍କ ବିଶ୍ବାସ ଜିତିବା ପରେ ସାଇବର ସୁନ୍ଦରୀ ଅସଲ ତୀର ମାରିଲା। ତାଙ୍କୁ ଉପହାର ଦେବାକୁ କହିଲା।

ଅଜଣା ପ୍ରେମିକାଠୁ ଉପହାର ପାଇବାକୁ ବିକଳ ହେଲେ ପୁଲିସବାବୁ। ସାଇବର ସୁନ୍ଦରୀ କଥାରେ ସେ ଏକ ଆପ୍ ଡାଉନ୍‌ଲୋଡ୍ କଲେ। ଏମିତିକି ସେଥିରେ ଲଗ୍‌ଇନ୍‌ ବି କଲେ। ଏହା ପରେ ଉକ୍ତ ଆପ୍‌ର ପାସ୍‌ କୋଡ୍ ନେଇ ପୁଲିସବାବୁଙ୍କ ମୋବାଇଲ୍‌କୁ ନିଜ ନିୟନ୍ତ୍ରଣକୁ ନେଇଗଲା ସାଇବର ସୁନ୍ଦରୀ ଓ ଏହା ପରେ ତାଙ୍କ ଆକାଉଣ୍ଟରୁ ୟୁପିଆଇ ଜରିଆରେ ୨୭ହଜାର ଟଙ୍କା ଉଡ଼ାଇନେଲା। ଟଙ୍କା କ’ଣ ପାଇଁ କଟିଲା ବୋଲି ଜାଣିବା ପାଇଁ ପୁଲିସ କର୍ମଚାରୀ ସୁନ୍ଦରୀଙ୍କୁ ଯୋଗାଯୋଗ କଲେ। ମାତ୍ର ସେତେବେଳକୁ ସୁନ୍ଦରୀ ପାର୍‌। ମୋବାଇଲ୍‌ ବନ୍ଦ।

ବଡ଼ କଥା ହେଉଛି ସାଇବର ଠକେଇର ଶିକାର ହୋଇଥିବା ଏହି ବ୍ୟକ୍ତି ପ୍ରଥମ ପୁଲିସ କର୍ମଚାରୀ ନୁହଁନ୍ତି। ପୂର୍ବରୁ ଅନେକ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ସାଇବର ଠକେଇର ଶିକାର ହୋଇଛନ୍ତି। ମାତ୍ର ଏସବୁ ମାମଲାଗୁଡ଼ିକରେ ପୁଲିସ ଜଣେ ହେଲେ ସାଇବର ଠକକୁ ଗିରଫ କରିପାରିନାହିଁ।

ସମ୍ବନ୍ଧିତ ଖବର