ଭୁବନେଶ୍ବର: ଇଡି, ସିବିଆଇ ଓ ନାର୍କୋଟିକ୍ ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଚୂନ ଲଗାଉଥିବା ସାଇବର ଠକ ମଚୁମାରୀ ଗ୍ୟାଙ୍ଗ୍ର ରିମାଣ୍ଡ ସରିଛି ଏବଂ ସେମାନଙ୍କୁ ପୁଣି ଜେଲ୍ ହାଜତକୁ ପଠାଇଦିଆଯାଇଛି। ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ୍ ପୁଲିସ ସେମାନଙ୍କୁ ଜେରା କରି ବହୁ ଚାଞ୍ଚଲ୍ୟକର ତଥ୍ୟ ହାତେଇଛି। ଏହି ଗ୍ୟାଙ୍ଗ୍ ନାଁରେ ସମଗ୍ର ଦେଶରେ ୩୧୩ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ୨୪ ରାଜ୍ୟକୁ ଚେର ଲମ୍ବାଇଥିବା ଏହି ଗ୍ୟାଙ୍ଗ୍ ପାଖାପାଖି ୨୫ କୋଟି ଟଙ୍କା ଠକେଇ କରିଛି ଏବଂ ୮୦ରୁ ଅଧିକ ବ୍ୟାଙ୍କ୍ ଜରିଆରେ ଏହି କାରବାର କରିଛି।
ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଂଞ୍ଜୀବ ପଣ୍ଡା କହିଛନ୍ତି ଯେ ଏହି ଗ୍ୟାଙ୍ଗ୍ ୮୦ଟି କରେଣ୍ଟ ଓ କର୍ପୋରେଟ୍ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ କୋଟିକୋଟି ଟଙ୍କା କାରବାର କରିଥିଲା। ପୁଲିସ ୨କୋଟି ଟଙ୍କା ଫ୍ରିଜ୍ କରିବାରେ ସକ୍ଷମ ହୋଇଛି। ଏହି ଗ୍ୟାଙ୍ଗ୍ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲ୍ନାଡ଼ୁ ଓ ତେଲେଙ୍ଗାନାରେ ବେଶି ସକ୍ରିୟ ଥିଲା। ଗ୍ୟାଙ୍ଗ୍ ନାଁରେ ମହାରାଷ୍ଟ୍ରରେ ସର୍ବାଧିକ ୫୧, କର୍ଣ୍ଣାଟକରେ ୪୯, ତେଲେଙ୍ଗାନାରେ ୩୮ ଓ ତାମିଲ୍ନାଡ଼ୁରେ ୩୨ ମାମଲା ରୁଜୁହୋଇଛି। କମିସନରେଟ୍ ପୁଲିସ ହାବୁଡ଼ରେ ପଡ଼ିବା ପରେ ଏହି ଗ୍ୟାଙ୍ଗ୍କୁ ତେଲଙ୍ଗାନା, ପଶ୍ଚିମବଙ୍ଗ, ତାମିଲ୍ନାଡ଼ୁ, ମହାରାଷ୍ଟ୍ର, ବେଙ୍ଗାଲୁରୁ, ଉତ୍ତରାଖଣ୍ଡ, କେରଳ ଆଦି ୯ ରାଜ୍ୟର ପୁଲିସ, ସାଇବର ଥାନା, ଏସ୍ଆଇଟି ଭଳି ୧୫ ସଂସ୍ଥା ଜେରା କରିଛନ୍ତି। କିଛି ସଂସ୍ଥା ଭର୍ଚୁଆଲ୍ ମାଧ୍ୟମରେ ଜେରା କରିଛନ୍ତି। ଅନ୍ୟ ରାଜ୍ୟର ପୁଲିସ ଏହି ଗ୍ୟାଙ୍ଗ୍କୁ ପଚରାଊଚରା କରିବାକୁ କମିସନରେଟ୍ ପୁଲିସ ସହ ଯୋଗାଯୋଗରେ ଅଛନ୍ତି। କିଛି ରାଜ୍ୟର ପୁଲିସ ଠକଙ୍କୁ ରିମାଣ୍ଡରେ ନେବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏହାଛଡ଼ା ଆଇବି, ଏନ୍ଆଇଏ ଭଳି ତଦନ୍ତକାରୀ ସଂସ୍ଥା ମଧ୍ୟ ଜେରା କରିପାରନ୍ତି।
ମେ’ ୭ ତାରିଖରେ ପାର୍ସଲ୍ରେ ଡ୍ରଗ୍ସ ଥିବାର ଭୟ ଦେଖାଇ ଏହି ଗ୍ୟାଙ୍ଗ୍ ଜଣେ ସରକାରୀ ଅଧିକାରୀଙ୍କୁ ୩୬ ଲକ୍ଷ ଟଙ୍କା ଚୂନ ଲଗାଇବା ପରେ ଘଟଣା ସାଇବର ଥାନାରେ ପହଞ୍ଚିଥିଲା। କମିସନରେଟ୍ ପୁଲିସ ଖୋଳତାଡ଼ କରୁକରୁ ଆନ୍ଧ୍ରପ୍ରଦେଶ, ଆସାମ ଓ ତ୍ରିପୁରାରୁ ୫ ସାଇବର ଠକଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଏମ୍ଟେକ ପାସ୍ଆଉଟ୍ ମଚୁମାରୀ ଚିଟ୍ଟି ବାବୁ, ହାଇଦ୍ରାବାଦର ସେକ୍ ତାଜୁଦ୍ଦିନ, ଆସାମର ଲାଲେଙ୍ଗ ଜାଉଭା କାଇପେଙ୍ଗ୍, ଜିତେନ କାଇପେଙ୍ଗ ଓ ତ୍ରିପୁରାର ଇଲ୍ଭିସ୍ ତାରା ଜେମ୍ସ।