ସାଇବର ହ୍ୟାକରଙ୍କ ନୂଆ ଫର୍ମୁଲା : ହ୍ବାଟସଆପରେ ବିଜେବି ଜୁନିଅର କଲେ଼ଜର ପୂର୍ବତନ ଅଧ୍ୟକ୍ଷଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗିଲା ହ୍ୟାକର, ସାଇବର ଥାନାରେ ଏତଲା

ଭୁବନେଶ୍ବର : ‘ଆଜ୍ଞା ରଘୁନାଥ ପଣ୍ଡାଙ୍କର ଦେହ ବହୁତ ଖରାପ ଅଛି। ସେ ଏବେ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ବହୁତ ଟଙ୍କାର ଆବଶ୍ୟକତା ଅଛି। ଯଦି ଆପଣ ୫୦ ହଜାର ଟଙ୍କା ସାହାଯ୍ୟ କରିବେ, ତା’ ହେଲେ ଆପଣଙ୍କ ସମ୍ପର୍କୀୟଙ୍କ ମୂଲ୍ୟବାନ ଜୀବନ ବଞ୍ଚିପାରିବ। ଆଉ କେଉଁ ସମ୍ପର୍କୀୟଙ୍କ ହ୍ବାଟସ୍‌-ଆପକୁ ବି ଆସିଛି ୭୫ ହଜାର ଟଙ୍କାର ସାହାଯ୍ୟ କରିବା ଲାଗି। ହ୍ବାଟସ୍-ଆପ୍‌ ମେସେଜ୍‌ରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ଦିଆଯାଇଥିଲା। ଖାଲି ସେତିକି ନୁହେଁ, ରଘୁନାଥଙ୍କ ସମ୍ପର୍କୀୟଙ୍କୁ ହ୍ବାଟସ୍-ଆପ୍‌ର ଭଏସ୍‌-କଲ୍‌ରେ ବି ଆସିଛି ଟଙ୍କା ସହାୟତା କରିବା ପାଇଁ। ଦୁଇ ଦିନ ତଳେ ବିଜେବି ଜୁନିଅର କଲେ଼ଜର ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ରଘୁନାଥ ପଣ୍ଡା ସମ୍ପର୍କୀୟ, ଛାତ୍ର, ଝିଅ ଓ ବନ୍ଧୁବାନ୍ଧବଙ୍କ ହ୍ବାଟସ୍‌ ଆପକୁ ଆସିଛି ଏଭଳି ହ୍ବାଟସ ଆପ୍ ମେସେଜ୍ ଓ ଭଏସ୍ କଲ୍।

ସମ୍ପର୍କୀୟଙ୍କ ପାଖରୁ ଫୋନ୍ କଲ୍ ପାଇବା ପରେ ନିଜେ ରଘୁନାଥ ପଣ୍ଡା ବି ଚକିତ ହୋଇଯାଇଥିଲେ। ଖୋଳତାଡ଼ ଆରମ୍ଭ କରିଥିଲେ। ମୁମ୍ବାଇରେ ରହୁଥିବା ଛାତ୍ର ସରୋଜ ପାତ୍ରଙ୍କ ଯୋଗାଯୋଗ କରିଥିଲେ ରଘୁନାଥ। ଖୋଳତାଡ଼ ପରେ ସେହି ବ୍ୟାଙ୍କ ଆକାଉଣ୍ଟ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ମୁମ୍ବାଇର ଏକ ଶାଖାର ବୋଲି ଜଣାପଡ଼ିଥିଲା। ବ୍ୟାଙ୍କ ଆକାଉଣ୍ଟ ଦୁବାଇର ଜଣେ ବ୍ୟକ୍ତିଙ୍କର ବୋଲି ଜାଣିବାକୁ ପାଇଥିଲେ ରଘୁନାଥ। ମୁମ୍ବାଇ ବିମାନବନ୍ଦରରେ ତାଙ୍କ ମୋବାଇଲର ସମସ୍ତ ତଥ୍ୟ ହ୍ୟାକ୍ ହୋଇଥିବା ରଘୁନାଥ ପରବର୍ତ୍ତୀ ସମୟରେ ଜାଣିଥିଲେ। ରଘୁନାଥଙ୍କ ସୂଚନା ଅନୁସାରେ, ଫେବ୍ରୁଆରି ୧୪ ତାରିଖରେ ତାଙ୍କ ଛାତ୍ର ସରୋଜଙ୍କ ପୁଅ ବାହାଘରରେ ଯୋଗଦେବା ପାଇଁ ମୁମ୍ବାଇ ଲୋନାବାଲା ଯାଇଥିଲେ। ୧୭ ତାରିଖରେ ସେଠାରୁ ଫେରିଥିଲେ। ମୁମ୍ବାଇ ବିମାନବନ୍ଦରରେ କିଛି ସମୟ ପାଇଁ ମାଗଣା ଵାଇଫାଇର ବ୍ୟବହାର କରିଥିଲେ। ସେହି ସମୟରେ ତାଙ୍କର ମୋବାଇଲର ସମସ୍ତ ତଥ୍ୟ ହ୍ୟାକ୍ ହୋଇଯାଇଥିଲା ବୋଲି ପରେ ଜାଣିବାକୁ ପାଇଥିଲେ। ହ୍ୟାକର୍‌ ଏହା ପରେ ତାଙ୍କର ସମସ୍ତ ତଥ୍ୟ ଚୋରି କରି ବିଭିନ୍ନ ହ୍ବାଟସ-ଆପ୍ ନମ୍ବରକୁ ମେସେଜ୍ ପଠାଇଥିଲା। କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଯେଉଁ ଆକାଉଣ୍ଟ ନମ୍ବର ଦିଆ ଯାଇଥିଲା, ତାହା ଦୁବାଇର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଖୋଲିଥିଲେ। ସେହି ଆକାଉଣ୍ଟ ଜରିଆରେ ପ୍ରତି ଘଣ୍ଟାରେ ଲକ୍ଷ ଲକ୍ଷ ଟଙ୍କା କାରବାର ହେଉଥିବା ରଘୁନାଥ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରୁ ଜାଣିବାକୁ ପାଇଥିଲେ। ଏନେଇ ରଘୁନାଥ କଟକ ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆତଙ୍କବାଦୀ ସଂଗଠନକୁ ଯାଉଛି ଲୁଟ୍ ଟଙ୍କା!
ହ୍ବାଟସଆପ୍‌ନ ମେସେ‌ଜ୍‌ରେ ଯେଉଁ ଆକାଉଣ୍ଟ ନମ୍ବର ଦିଆଯାଇଥିଲା, ତାହା ଦୁବାଇର ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ଖୋଲିଥିବା ଜଣା ପଡ଼ିଥିଲା। ପ୍ରତି ଘଣ୍ଟାରେ ସେହି ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା ହେଉଛି, ଟଙ୍କା ଉଠାଣ ହେଉଛି। ଏହି ଟଙ୍କା ଆତଙ୍କବାଦୀ ସଂଗଠନକୁ ଯାଉଥିବା ଜଣେ ସାଇବର ବିଶେଷଜ୍ଞ କହିଛନ୍ତି। କ୍ରାଇମବ୍ରାଞ୍ଚ ହେଉ କି ଦେଶର ଅନ୍ୟ ତଦନ୍ତକାରୀ ସଂସ୍ଥା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲେ ବହୁ ତଥ୍ୟ ପଦାକୁ ଆସି ପାରିବ। ପୂର୍ବରୁ ରେଲୱେ ଇ-ଟିକଟ ମାମଲାରେ ବି ଆତଙ୍କବାଦ ସଂଗଠନକୁ ଟଙ୍କା ଯାଉଥିବା ଆରପିଏଫ୍ ପୁଲିସ ଜାଣିବାକୁ ପାଇଥିଲା।

କେମିତି ହେଉଛି ମୋବାଇଲ ତଥ୍ୟ ହ୍ୟାକ୍?
ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁସାରେ, ଦୁଇପ୍ରକାରେ ମୋବାଇଲ ତଥ୍ୟ ଚୋରି କରିଥାନ୍ତି ହ୍ୟାକର୍‌। ଏୟାରପୋର୍ଟ ଓ ରେଳ ଷ୍ଟେସନ୍‌ରେ ମାଗଣା ଵାଇଫାଇ ବ୍ୟବହାର କରିଥାନ୍ତି ଯାତ୍ରୀ। ସେହି ପାଖାପାଖି ନାଁରେ ହ୍ୟାକର୍‌ମାନେ ୱାଇଫାଇ ଖୋଲିଥାନ୍ତି। ଯାତ୍ରୀ ମାଗଣା ଵାଇଫାଇ ବ୍ୟବହାର କଲେ ମୋବାଇଲର ତଥ୍ୟ ହ୍ୟାକ୍‌ ହୋଇଥାଏ। ସେହିପରି ଚାର୍ଜର୍‌ ମାଧ୍ୟମରେ ମଧ୍ୟ ମୋବାଇଲ୍‌ ତଥ୍ୟ ଚୋରି ହୋଇଥାଏ। ଚାର୍ଜର୍‌ ପଛ ପାଖରେ ହ୍ୟାକର୍‌ ଛୋଟ ହାର୍ଡ-ଡିସ୍କ ଲଗାଇ ଦିଅନ୍ତି। ବିମାନବନ୍ଦର କିମ୍ବା ରେଳ ଷ୍ଟେସନ୍‌ରେ ଯାତ୍ରୀ ମୋବାଇଲ୍‌ ଫୋନ୍‌ ଚାର୍ଜ କଲେ ତଥ୍ୟ ଚୋରି ହୋଇଥାଏ। ହ୍ୟାକର୍‌ ସେହି ତଥ୍ୟକୁ ନିଜ ମୋବାଇଲ୍‌ ଫୋନ୍‌ରେ ଲୋଡ୍‌ କରି ଲୁଟିଥାଏ।

ସମ୍ବନ୍ଧିତ ଖବର