ଭୁବନେଶ୍ବର: ଏସକର୍ଟ ସର୍ଭିସ ନାଁରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଯିଏ ପାଲରେ ପଡ଼ିଲା କ୍ଷଣକରେ ଆକାଉଣ୍ଟରୁ ହଜାର ହଜାର ଟଙ୍କା ଲୁଟୁଥିଲେ। ଅନ୍ଲାଇନ୍ରେ ଏଭଳି ମାୟା ଜାଲ ବିଛାଇଥିବା ଏକ ସାଇବର ଠକ ଗ୍ୟାଙ୍ଗକୁ ସାଇବର ଥାନା ପୁଲିସ କାବୁ କରିଛି। ଗ୍ୟାଙ୍ଗର ଲେଡି କୁଇନ୍, ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ସୁଶାନ୍ତ କୁମାର ପାତ୍ର ଓରଫ ବାବୁ(୨୮), ଉପମନ୍ୟୁ ବରାଳ ଓରଫ ଉପ(୩୪), ବାଲିପାଟଣା ଖୁଣ୍ଟିଆସାହି ଅଞ୍ଚଳର ଜଗନ୍ନାଥ ପ୍ରଧାନ ଓରଫ ଜଗା(୩୮), ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ସଦାଶିବ ସେଠୀ ଓରଫ ଶିବ(୨୪) ଏବଂ ଖୋର୍ଦ୍ଧା ବାଣପୁର ଅଞ୍ଚଳର ସସ୍ମିତା ଜେନା ଓରଫ କଣ୍ଢେଇ(୨୪)। ପୁଲିସ ସେମାନଙ୍କ ଠାରୁ ନଗଦ ୮୬,୫୦୦ ହଜାର ଟଙ୍କା, ୧୧ଟି ମୋବାଇଲ୍, ୭୦ଟି ସିମ୍ ଏବଂ ୨୩ ଏଟିଏମ୍ କାର୍ଡ ଜବତ କରିଛି। ସେହିପରି ୧୨ରୁ ଅଧିକ ଆକଉଣ୍ଟକୁ ପୁଲିସ ସିଜ୍ କରିଛି। ୧୨ଟି ଆକାଉଣ୍ଟରେ ୨୦ଲକ୍ଷରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଏହାଛଡ଼ା ଗ୍ୟାଙ୍ଗର ଚେର ଅନ୍ୟ ରାଜ୍ୟକୁ ଲମ୍ବିଥିବା ଅନୁମାନ କରାଯାଉଛି। ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଏଭଳି ଠକେଇ ନେଇ ମାଳମାଳ ଅଭିଯୋଗ ରହିଛି। ତେଣୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ପୁଲିସ ଯୋଜନା କରୁଛି।
ବିଜ୍ଞାପନରେ ଯୁବତୀଙ୍କୁ ଢାଲ
ଏସକର୍ଟ ସର୍ଭିସ ଚଳାଇବା ପାଇଁ ଅନ୍ଲାଇନ ବିଜ୍ଞାପନରେ ଯୁବତୀଙ୍କ ଫଟୋ ଦେଇ ଗ୍ରାହକ ଆକୃଷ୍ଟ କରୁଥିଲେ। ଏଥିପାଇଁ ସୁନ୍ଦରୀ ଯୁବତୀଙ୍କ ଫଟୋ ଅପ୍ଲୋଡ କରି ମୋବାଇଲ ନମ୍ବର ଦେଉଥିଲେ। କିଏ ନମ୍ବରରେ କଲ୍ କରି ଯୋଗାଯୋଗ କରୁଥିଲା ତ କିଏ ହ୍ବାଟ୍ସଆପ ମେସେଜ ଜରିଆରେ ଡିଲ୍ କରୁଥିଲା। ଗ୍ରାହକ ଯୁବତୀଙ୍କୁ ଚୟନ କରିବା ପରେ କେଉଁଠି ରହିବେ, କେତେ ଟଙ୍କା ଦେବେ ସବୁ ସ୍ଥିର ହେଉଥିଲା। ଏପରିକି ଅନେକ ବଡ଼ ବଡ଼ିଆଙ୍କ ଡିମାଣ୍ଡ ଦେଖି ସିକ୍ୟୁରିଟି ଦୃଷ୍ଟିରୁ ତାରକା ହୋଟେଲ ଓ ଓୟୋ ଗେଷ୍ଟହାଉସ ବୁକ୍ ହେଉଥିଲା। ଫୋନ କନ୍ଫରେନ୍ସରେ ଯୁବତୀଙ୍କ ସହ କଥା କରାଇ ଅଗ୍ରୀମ ଟଙ୍କା ନେଉଥିଲେ ସାଇବର ଠକ। ଏପରିକି ଓଟିପି ପାଇଲା ପରେ ଖାଲି କରିଦେଉଥିଲେ ଆକାଉଣ୍ଟ।
ମାଷ୍ଟରକାର୍ଡ ପାଲଟିଥିଲା ପ୍ରି ଆକ୍ଟିଭ ସିମ୍
ଠକେଇ ପାଇଁ ମାଷ୍ଟରକାର୍ଡ ପାଲଟିଥିଲା ପ୍ରି ଆକ୍ଟିଭ୍ ସିମ୍। କାରଣ ଟ୍ରାକିଂରୁ ବର୍ତ୍ତିବା ପାଇଁ ବିଶେଷ କରି ସାଇବର ଠକ ପ୍ରି ଆକ୍ଟିଭ ସିମ୍ ବ୍ୟବହାର କରୁଥିଲେ। ଏଥିପାଇଁ ଦୁଇ ଜଣ ବ୍ୟକ୍ତି ଏଭଳି ସିମ୍କାର୍ଡ ଯୋଗାଉଥିଲେ। ଏନେଇ ସିମ୍ କାର୍ଡ ଯୋଗାଉଥିବା ଦୁଇ ଜଣଙ୍କୁ ଗିରଫ କରିଛି ସାଇବର ଥାନା ପୁଲିସ। ଏମାନେ ବିଶେଷ କରି ଜାଲ କାଗଜପତ୍ର ମାଧ୍ୟମରେ ସିମ୍ ଆକ୍ଟିଭ କରି ଏହି ଠକ ଗ୍ୟାଙ୍କକୁ ସିମକାର୍ଡ ଯୋଗାଉଥିଲେ। ସେହିପରି ଗିରଫ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ଡାକ ବିଭାଗରେ କାମ କରୁଥିବାରୁ ଅଫିସକୁ ଆସୁଥିବା ଡକୁମେଣ୍ଟ ବା ଆଧାରକାର୍ଡ ଜରିଆରେ ବିଭିନ୍ନ ବ୍ୟାଙ୍କରେ ଫେକ ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲା। ତାକୁ ସହଯୋଗ କରୁଥିଲା ତମାଣ୍ଡୋ ଅଞ୍ଚଳର ଜଣେ ବ୍ୟାଙ୍କ କର୍ମଚାରୀ। ଆଉ ଏହି ଜାଲ୍ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କାକୁ ଉଠାଉଥିଲେ।
ବ୍ୟାଙ୍କ ଆକାଉଣ୍ଟ ଧରାଇଲା ଗ୍ୟାଙ୍ଗ
ସାଇବର ଠକେଇ ନେଇ ଅଭିଯୋଗ ପରେ ପୁଲିସ ପ୍ରଥମେ ଠକଙ୍କ ମୋବାଇଲ ନମ୍ବରକୁ ଟ୍ରାକ କରିଥିଲା। ଜଣେ ଯୁବତୀଙ୍କ ଫୋନରୁ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ସେହିପରି ସାଇବର ଠକ କିଛି ଯୁବତୀଙ୍କ ଫଟୋ ପଠାଇଥିଲେ। ଫଟୋ ଚୟନ ପରେ ଠକ ପୁଲିସକୁ ଟଙ୍କା ପଠାଇବାକୁ କହିଥିଲେ। ଯେଉଁ ନମ୍ବରକୁ ଟଙ୍କା ପଠାଇବାକୁ କହିଥିଲେ; ପୁଲିସ ସେ ନମ୍ବରକୁ ବି ଟ୍ରାପ୍ କରିଥିଲା। ଆଉ ସେମାନେ ପ୍ରଥମେ କେଉଁ ଆକାଉଣ୍ଟକୁ ଟଙ୍କା ପଠାଇବେ ନମ୍ବର ଠାବ କରି ଆକାଉଣ୍ଟ ଲିଙ୍କ୍ ବାହାର କରିଥିଲା। ଠକେଇ ଟଙ୍କାକୁ ଆକାଉଣ୍ଟକୁ ପଠାଇବା ପରେ ପୁଲିସ ଆକାଉଣ୍ଟ ଡିଟେଲ୍ସ ବାହାର କରି ଗ୍ୟାଙ୍ଗର ସୁରାକ୍ ପାଇଥିଲା।
କେମିତି ଧରାପଡ଼ିଲେ
ଠକାମିର ଶିକାର ହେବା ପରେ ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ। ବ୍ୟକ୍ତି ଜଣକ ପ୍ରଥମେ ଏସକର୍ଟ ସର୍ଭିସ ପାଇଁ ଅନଲାଇନରେ ଭୁବନେଶ୍ୱର ଏସକର୍ଟ ସର୍ଭିସ ସର୍ଚ୍ଚ କରିଥିଲେ। ପରେ ସେଠାରୁ ଏକ ନମ୍ବର ପାଇ ଯୋଗାଯୋଗ ପରେ ଠକ ରେଜିଷ୍ଟ୍ରେସନ ବାବଦକୁ ୨ହଜାର ଟଙ୍କା ଦେବାକୁ କହିଥିଲା। ଏହାପରେ ଯୁବତୀ ଚୟନ ପାଇଁ କିଛି ଫଟୋ ପଠାଇଥିଲା। ବ୍ୟକ୍ତି ଜଣକ ଯୁବତୀ ଚୟନ ପରେ ଦୁଇ ରାତି ପାଇଁ ୧୦ହଜାର ଦେବାକୁ କୁହାଯାଇଥିଲା। ଏହାଛଡ଼ା ଗାଡିରେ ଯିବା ପାଇଁ ୩ହଜାର ଓ ରୁମ ବୁକ ପାଇଁ ୧୨ହଜାର। ତେବେ ମାଷ୍ଟରକ୍ୟାଣ୍ଟିନର ଏକ ହୋଟେଲ ରୁମ ନମ୍ବର ୨୦୧ ବୁକ ହୋଇଥିବା କହି ଠକ ୨୫ ହଜାର ଟଙ୍କା ନେଇଯାଇଥିଲା। ତେବେ ଗ୍ରାହକ ଜଣକ ସେଠାରେ ପହଞ୍ଚିବା ପରେ ଠକଙ୍କ ନମ୍ବର ସହ ଆଉ ଯୋଗାଯୋଗ ହୋଇପାରିନଥିଲା। ଏମିତି ଠକାମିର ଶିକାର ହେବା ପରେ ୯ଜଣ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିଥିଲେ। ଠକାମିର ଶିକାର ହୋଇଥିବା ଲୋକଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/f5sf54hf65s4hf654h65hfs.jpg)