ଭୁବନେଶ୍ବର: ସମ୍ପ୍ରତି ନୂଆନୂଆ ପଦ୍ଧତିର ସାଇବର ଠକେଇ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍‌ ହୋଇଛି। କିନ୍ତୁ ଏହା ଭିତରେ ଭୁବନେଶ୍ବର ସାଇବର ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ସାଇବର ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରୁଥିବା ଜଣେ ତାମିଲ୍‌ ଫିଲ୍ମ ପ୍ରଯୋଜକକୁ ସାଇବର ଥାନା ପୁଲିସ ଠାବ କରିଛି। ତାମିଲନାଡ଼ୁରୁ ଗିରଫ ହୋଇଥିବା ଏହି ସାଇବର ଠକ ତଥା ତାମିଲ୍‌ ଫିଲ୍ମ ପ୍ରଯୋଜକ ହେଲେ ପ୍ରକାଶ ଏମ୍‌.(୩୯)। ଅଭିଯୁକ୍ତ ପ୍ରକାଶକୁ ପୁଲିସ ଚେନ୍ନାଇ କୋଡ଼ାମ୍ବକାମ୍‌ ଅଞ୍ଚଳରୁ ଉଠାଇଛି। ତା’ର ଏକାଧିକ ଆକାଉଣ୍ଟ ଜବତ କରାଯାଇଛି ଏବଂ ପାଖାପାଖି ୬୫ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି। ଅଧିକ ତଦନ୍ତ ପାଇଁ ପୁଲିସ ତାକୁ ରିମାଣ୍ଡ୍‌ରେ ଆଣିବ ବୋଲି ଯୋଜନା କରିଛି। ଏମିତି କେତେ ଠକେଇ କରିଛି ଏବଂ ତା’ ରୢାକେଟ୍‌ର ଚେର କେତେ ଦୂର ଲମ୍ବିଛି, ସେସବୁର ଖୋଳତାଡ଼ କରାଯିବ ବୋଲି ପୁଲିସ ସୂଚନା ଦେଇଛି।    

Advertisment

 ଉଡ଼ିଗଲା ମହିଳାଙ୍କ ୨୦ଲକ୍ଷ
 ତାମିଲନାଡ଼ୁରୁ ବାନ୍ଧିଲା ପୁଲିସ
 ଠକେଇ ଟଙ୍କାରେ ଫିଲ୍ମ ନିର୍ମାଣ କରୁଥିଲା

ପୁଲିସ ସୂଚନା ମୁତାବକ ଚଳିତ ବର୍ଷ ମେ ମାସରେ ଖଣ୍ଡଗିରି ଅଞ୍ଚଳର ଜଣେ ମହିଳାଙ୍କ ନିକଟକୁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ କଲ୍‌ ଆସିଥିଲା। ଗୋଲ୍ଡମ୍ୟାନ୍‌ ସଚସ୍‌ ନାମକ ଏହି ଗ୍ରୁପ୍‌ରେ ସଦସ୍ୟମାନେ ପୁଞ୍ଜିନିବେଶ କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲେ ବୋଲି ମହିଳାଙ୍କୁ କୁହାଯାଇଥିଲା। ଏହି ଗ୍ରୁପ୍‌ରେ ୨୫୦ରୁ ଅଧିକ ସଦସ୍ୟା ଥିଲେ ଏବଂ ସେମାନେ ସଂସ୍ଥା ଜରିଆରେ ପୁଞ୍ଜିନିବେଶ କରି ପ୍ରତିଦିନ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ବୋଲି କୁହାଯାଇଥିଲା। ତେଣୁ ଅଭିଯୋଗକାରିଣୀ ଲୋଭରେ ପଡ଼ି ଏହି ଗ୍ରୁପ୍‌ରେ ଯୋଡ଼ି ହୋଇଥିଲେ। ଏହାପରେ ତାଙ୍କ ପାଖକୁ ବହୁ ଲୋଭନୀୟ ମେସେଜ୍‌ ଆସିବାକୁ ଲାଗିଲା। ଅଧିକ ରିଟର୍ଣ୍ଣ ମିଳିବା ଲୋଭରେ ଅଭିଯୋଗକାରିଣୀ ୨୦ ଲକ୍ଷ ଟଙ୍କା ନିବେଶ କରିଦେଲେ। ଏହାର କିଛି ଦିନ ପରେ ତାଙ୍କ ଭର୍ଚୁଆଲ୍‌ ୱାଲେଟ୍‌ରେ ୬୦ଲକ୍ଷ ଟଙ୍କା ଜମା ହୋଇଥିବା ଦେଖିବାକୁ ମିଳିଥିଲା। ଖୁସିରେ ଅଭିଯୋଗକାରିଣୀ ଟଙ୍କା ଉଠାଇବାକୁ ଚାହିଲେ। ମାତ୍ର ସେ ଟଙ୍କା ଉଠାଇ ପାରିଲେ ନାହିଁ। ଟଙ୍କା ଉଠାଇବାକୁ ହେଲେ, ତାଙ୍କୁ ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଆଗୁଆ ୨୦ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ ବୋଲି କୁହାଗଲା।

ଏଥର ମହିଳାଙ୍କ ମୁଣ୍ଡ ଘୂରାଇଦେଇଥିଲା। ସେ ସାଇବର ଠକାମିର ଶିକାର ହୋଇଛନ୍ତି ବୋଲି ନିଶ୍ଚିତ ହୋଇ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ମହିଳାଙ୍କ ମାମଲାକୁ ଛାନ୍‌ଭିନ୍‌ କରି ତାମିଲନାଡ଼ୁ ଲିଙ୍କ୍‌ ଠାବ କଲା। ମହିଳାଙ୍କ ଆକାଉଣ୍ଟରୁ ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି, ତାର ଖୋଳତାଡ଼ କରୁକରୁ ପୁଲିସ ଅଭିଯୁକ୍ତ ତାମିଲ୍ ଫିଲ୍ମ ପ୍ରଯୋଜକ ପ୍ରକାଶଙ୍କ ନିକଟରେ ପହଞ୍ଚିଥିଲା। ଧରାପଡ଼ିବା ପରେ ପ୍ରକାଶ ସବୁ ସତ ସ୍ବୀକାର କରିଛି। ଇଂଜିନିୟରିଂ ଡିଗ୍ରି କରିଥିବା ପ୍ରକାଶ ପ୍ରାୟ ୫ଟି ଫିଲ୍ମ ନିର୍ମାଣ କରିଛି ଏବଂ କିଛି କ୍ଷତି ସହିଛି। ତେଣୁ କ୍ଷତି ଭରଣା କରିବା ସହ ଆଉ ଫିଲ୍ମ ନିର୍ମାଣ କରିବ ବୋଲି ସେ ସାଇବର ଠକେଇ ରାସ୍ତା ଧରିଥିଲା ବୋଲି ମାନିଯାଇଛି। କିନ୍ତୁ ପୂର୍ବରୁ ସେ ଏହି କଳା କାରନାମା ବଳରେ ପ୍ରଚୁର ଅର୍ଥ ରୋଜଗାର କରି ଚଳିଚ୍ଚିତ୍ର କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।